Unknown

 

 

 

 

 

 

 

 

ଅବୋଲକରା କାହାଣୀ

(ଚତୁର୍ଥ ଭାଗ)

ଶ୍ରୀ ମହେଶ୍ୱର ମିଶ୍ର

 

ସୂଚୀପତ୍ର

 

୧.

ଜିଭ ଉପୁଡ଼ା ସୌଦାଗର କଥା

୨.

ମୂର୍ଖ ପଣ୍ଡିତ କଥା

୩.

ଚର୍ମଦେଶ କଥା

୪.

ବାନରମୁଖୀ କଥା

୫.

ପୁରୁଷର ବିଶ୍ଵାସଘାତକ କଥା

୬.

ବୁଢ଼ାବାପ କଥା

୭.

ପକ୍ଷୀତୀର୍ଥ କଥା

୮.

ସେତୁବନ୍ଧ କଥା

Image

 

ଅବୋଲକରା କାହାଣୀ

(ଚତୁର୍ଥ ଭାଗ)

 

କଥାରମ୍ଭେ ମହାଦେବଂ ଗଣେଶଂ ବିଘ୍ନନାଶନଂ ।

ଦେବୀଂ ସରସ୍ୱତୀଂ ଚୈବ ନମାମି ଶିରସାଞ୍ଜଳୀ ।

କଥାମିମାଂ ଯଃ ଶୃଣୁତେ ପୁରାତନୀଂ

ସୁନୀତିଗର୍ଭାଂ ହୃଦୟାଭିନନ୍ଦିନୀ ।

ସ ସର୍ବଦୁଃଖାନ୍ୟପହତ୍ୟ ମୋଦତେ

ନବାମ୍ବୁବାହ ଧ୍ୱନିଭିର୍ଯଥା ଶିଖୀ ।

Image

 

ଜିଭଉପୁଡ଼ା ସୌଦାଗର କଥା

 

ଶ୍ରୋତାମାନେ ଆମ୍ଭ କୃତ ଅବୋଲକରା କାହାଣୀର ତୃତୀୟ ଭାଗ ଶେଷ ପର୍ଯ୍ୟନ୍ତ କଥାଗୁଡ଼ିକ ଶୁଣିଥିବେ । ଚତୁର୍ଥ ଭାଗରେ ଯେ ସବୁ କଥା ସଂଗୃହୀତ ହୋଇଥିଲା, ତାହା କେତେକ ଅସୁବିଧା ବଶତଃ ପ୍ରକାଶ କରିପାରି ନ ଥିଲା । ବର୍ତ୍ତମାନ କେତେକ ଗ୍ରାହକଙ୍କ ଅନୁରୋଧ କ୍ରମେ ପ୍ରକାଶ କରୁଅଛୁଁ–ଏହି ନୀତିଗର୍ଭକ ଓ ମନମୋଦକାରିଣୀ କଥାଗୁଡ଼ିକୁ ଆପଣମାନେ ଆଦର ସହିତ ଶ୍ରବଣ କଲେ ଆମ୍ଭର ପରିଶ୍ରମ ସଫଳ ହେବ ବୋଲି ଆଶାକରୁଁ ।

 

ସାମନ୍ତ ବ୍ରାହ୍ମଣ ଏବଂ ଅବୋଲକରା ଦୁହେଁଯାକ ଉତ୍ତରାଞ୍ଚଳ ତୀର୍ଥଯାକ ବୁଲି ବୁଲି ତୀର୍ଥଜଳ ଧରି ସେତୁବନ୍ଧ ରାମେଶ୍ୱର ଯିବାପାଇଁ ବାହାରିଲେ । ଯାଉ ଯାଉ ବାଟରେ ଅନେକ ଗାଁ ଗଣ୍ଡା, ସହର, ମଫସଲ, ନଈ, ନାଳ, ଦେଶ, ବିଦେଶ, ବନ, ପର୍ବତ ପାରହୋଇ ଆନ୍ଧ୍ରଦେଶରେ ପହଞ୍ଚିଲେ । ବେଳ ଆସି ଦୁଇପ୍ରହର ହେଲାଣି, ବାଟ ଚାଲି ଚାଲି ହାଲିଆ ହୋଇଅଛନ୍ତି; ତେଣୁ ଆଉ ଯାଇ ନ ପାରି ମନୋହରପୁର ନାମକ ଗୋଟିଏ ଗ୍ରାମର ପୋଖରୀକୂଳ ନିକଟ ଦେବାଳୟରେ ବସିପଡ଼ିଲେ । ସେଠାରେ ଲୁଗାପଟା ଥୋଇ ସାମନ୍ତ ଅବୋଲକରାକୁ କହିଲେ, ତୁ ଟଙ୍କାଟିଏ ନେଇ ଏହି ଗ୍ରାମର ବଜାରକୁ ଯା, ସଉଦାପତ୍ର କିଣି ଆଣିବୁ । ମୁଁ ସ୍ନାନସାରି ନିତ୍ୟକର୍ମ କରୁଅଛି । ଚଞ୍ଚଳ ଆସିଲେ ରୋଷେଇବାସ କରି ଖିଆପିଆ କରିବା । ସାମନ୍ତ ଏହା କହି ସ୍ନାନ କରିବାକୁ ଗଲେ । ଅବୋଲକରା ଟଙ୍କା ନେଇ ବଜାରକୁ ଗଲା । ଯାଉ ଯାଉ ବାଟରେ ଦେଖିଲା ଯେ ଯୋଡ଼ିଏ ବର ଓସ୍ତ ଗଛ ଏକାଠି ଅଛି । ମୂଳରେ ଗୋଟିଏ ପଥର ଚାନ୍ଦିନୀ ବନ୍ଧା ହୋଇଅଛି । ସେ ଚାନ୍ଦିନୀର ଐଶାନ୍ୟ କୋଣରେ ଗୋଟିଏ ଶଙ୍ଖ ମଲମଲ ପଥର ଖମ୍ବ ଗଢ଼ା ହୋଇଅଛି । ସେ ଖମ୍ବ ଉପରେ ଗୋଟିଏ ପଥର ନିର୍ମିତ ବୁଢ଼ା ମନୁଷ୍ୟ ବସି ନିଜର ଜିଭକୁ ନିଜ ହାତରେ ଉପୁଡ଼େଇ ମରି ଯାଇଛି । ଏହା ଦେଖି ଅବୋଲକରା ୟାକୁ ତାକୁ ପଚାରିଲା, ଏପରି ଘଟଣା କିଏ କରିଅଛି ? ସେମାନେ କହିଲେ, ଆମେ ଏଥିର କାରଣ କହି ପାରିବୁ ନାହିଁ । ମାତ୍ର ଶୁଣିଅଛୁ ଯେ, ସୌଦାଗର ବୁଢ଼ା ଜିଭ ଉପୁଡ଼େଇ ମରିଥିଲା ବୋଲି ତାର ପୁଅବୋହୂ ମାନେ ତାର ଛବି ଏଠାରେ ବସାଇ ଅଛନ୍ତି । ଏ କଥା ଶୁଣି ଅବୋଲକରା ତରତର ହୋଇ ଯାହା କିଛି ସଉଦାପତ୍ର ଚାରି ଛ’ ଅଣାର କିଣି ଛନ୍ନଛନ୍ନ ହୋଇ ଲେଉଟି ଆସି ସାମନ୍ତଙ୍କୁ ବୋଇଲା, ‘ଗୋସାଇଁ, ଏହି ଗ୍ରାମ ବାହାର ବର ଓସ୍ତ ମୂଳରେ ଜିଭ ଉପୁଡ଼ା ପଥର ପ୍ରତିମାଟାଏ କିଏ କାହିଁକି ବସାଇ ଥିଲା, ସେଥିର ମୂଳ କାରଣ ମୋତେ କହିଦିଅ । ନୋହିଲେ ତୁମ ଲୁଗାପଟା ତୁମେ ନିଅ, ମୋ ଶିକା ବାଉଙ୍ଗୀ ନେଇ ମୋ ବାଟେ ମୁଁ ଯାଉଛି ।’ ସାମନ୍ତ ତ ତାର ଗୁଣ ଜାଣନ୍ତି, ତେଣୁ ଅଳ୍ପ ହସ ହସ ହୋଇ ବୋଇଲେ, ‘ହେଉ ଦମ୍ଭଧର, ରୋଷେଇ ବସାଇ ଦେଇ କହିବା ଯେ ରୋଷେଇ ବଢ଼ିବ କଥା ଛିଡ଼ିବ ।’ ଅବୋଲକରା ଏହା ଶୁଣି ଟିକେ ଥୟ ହୋଇ ବସିଲା । ସାମନ୍ତ ଚୁଲ୍ଲୀ ଚଉକା କରି ଭାତ ବସାଇ ଦେଇ ବୋଇଲେ, ପକା କମ୍ବଳ ପୋତ ଛତା, ବସ ଅବୋଲକରା ଶୁଣ କଥା । ଅତି ପୂର୍ବକାଳେ ଏହି ଗ୍ରାମରେ ବିଦ୍ୟାଧର ବୋଲି ଜଣେ ସୌଦାଗର ଥିଲା । ସେ ଜାତିରେ ବୈଶ୍ୟ ବଣିଆ, ତାର ସାତବୋହୂ ଥାନ୍ତି, ସାଧବାଣୀ ବୁଢ଼ୀ ଥାଏ । ନିଜକୁ ମିଶାଇ ଘରେ ଷୋଳଜଣ ହୋଇଥାନ୍ତି । ସବା ସାନବୋହୂଟି ରଜାର ଝିଅ, ତାକୁ ସମସ୍ତେ ବଡ଼ ଆଦର କରି ଅତି ସୁଖରେ ରଖିଥାଆନ୍ତି । ଦଇବରେ ସେ ସାତ ବୋହୂଯାକର କାହାରି କିଛି ପୁଅ ଝିଅ ନ ଥାଏ । ଘରେ ଅଚଳାଚଳ ସମ୍ପତ୍ତି ପୂରି ରହିଥାଏ । ଗାଈଗୋରୁ ଛେଳି ମଇଁଷି, ବିଲବାଡ଼ି, ତୋଟା ପଦର, ଧାନ ଚାଉଳ, ଟଙ୍କା ସୁନା, ହୀରାନୀଳା ମୋତି ମାଣିକ୍ୟ ଅକଳନା ଥାଏ । ସାତ ପୁଅଯାକ ବୋଇତ ବଣିଜ କରି ଦ୍ୱୀପ ଦ୍ୱୀପାନ୍ତରରୁ ଧନ ଲାଭ କରି ଆଣୁଥାନ୍ତି । ସେ ଦେଶର ରଜା ଓଗେର ସବୁ ଲୋକେ ସେହି ସୌଦାଗର ବୁଢ଼ାର ବଚସ୍କର ହୋଇ ରହିଥାନ୍ତି । ସେହିପରି କେତେକାଳ ଗଲାପରେ ତାର ସାନବୋହୂଟି ଗର୍ଭବାସ ହେଲା । ତାକୁ ତ ରଜାଘର ଝିଅ ବୋଲି ବଂଶଯାକ ଆଦର କରୁଥିଲେ, ପୁଣି ସେ ଗର୍ଭବତୀ ହେବାରୁ ଆହୁରି ଅଧିକ ଆଦର କଲେ । ମାତ୍ର ବୁଢ଼ା ଏ କଥା ଜାଣି ନ ଥାଏ । ଏହି ସମୟରେ ତାର ସାତପୁଅଯାକ ବୋଇତରେ ମାଲମତା ବୋଝେଇ କରି ବେପାର କରିବା ପାଇଁ ବୁଢ଼ାଠାରୁ ଅନୁମତି ନେଇ ଦ୍ୱୀପାନ୍ତରକୁ ଚାଲିଗଲେ । ଘରେ ସାତବୋହୂ ଏବଂ ବୁଢ଼ା ବୁଢ଼ୀ ଥାନ୍ତି । କେତେଦିନ ଗଲାପରେ ଦିନକର କୁଆଡ଼ୁ ଜଣେ ଭଲ ଜଉତିଷ ଆସି ସେ ବୁଢ଼ା ପାଖରେ ପହଞ୍ଚିଲା । ବୁଢ଼ା ତାର ଗୁଣ ଗ୍ରାମ ବୁଝାସୁଝା କରି ଜାଣିଲା, ସେ ଜଣେ ଅତି ଭଲ ଜଉତିଷ । ତେଣୁ ତାକୁ ବସା ସଞ୍ଚା ଦେଇ ସେ ଦିନକ ରଖିଲା । ଆରଦିନ ବଡ଼ି ସକାଳୁ ଉଠି ସେ ଜଉତିଷକୁ ଏକାନ୍ତ ସ୍ଥାନରେ ବସାଇ ପଚାରିଲା–ଭଲା ତୁମେ ଗଣନା କରି କହିଲ । ଦେଖୁଛ ତ ମୋର କେତେ ସମ୍ପତ୍ତି ହୋଇଛି । ଏହା ସବୁ ଆମ୍ଭ ଘରର କାହା କର୍ମରେ ହୋଇଛି, ଆଉ ଆମେ ସମସ୍ତେ କାହା ଭାଗ୍ୟ ବଳରେ ଏତେ ବଡ଼ ଭାଗ୍ୟ ଭୋଗ କରୁଅଛୁ । ବୁଢ଼ା ଏପରି ପଚାରିବାରୁ ଜଉତିଷ କୋଠୀ କାଟି ଲଗ୍ନ ବେଳ ନିଶ୍ଚୟ କରି କହିଲା–ତୁମ୍ଭ ଘରେ ଯେତେ ଲୋକ ଅଛ ସେ ମଧ୍ୟରୁ କାହାର ହେଲେ ଗୋଟିକର କପାଳରେ ଏ ସମ୍ପତ୍ତି ହୋଇନାହିଁ । କେବଳ ଗୋଟିଏ କାଳି ବିଲେଇ ତୁମ ଘରେ ଅଛି; ତାରି ଭାଗ୍ୟରେ ତୁମେ ସମସ୍ତେ ଭାଗ୍ୟ ଭୋଗ କରୁଛ । ଏହା ଶୁଣି ବୁଢ଼ା ଟିକିଏ ଆଶ୍ଚର୍ଯ୍ୟ ହେଲା ପରି କ୍ଷଣେ ମୌନ ହୋଇ କହିଲା, ଆଚ୍ଛା ତୁମେ ଯାଅ । ଆଉ ପନ୍ଦର ଦିନ ଛାଡ଼ି ଆସିବ । ମୁଁ ସେତେବେଳେ ତୁମ୍ଭଙ୍କୁ ଯାହା କିଛି ମେଲାଣି ବିଦାକୀ ଦେବି । ଏପରି କହିବାରୁ ଜଉତିଷ ଫେରିଯାଇ ମନେ ମନେ ବିଚାରିଲା, “ଲାଞ୍ଚ ମିଛ ମେଲାଣି, ହାତରେ ପଡ଼ିଲେ ଜାଣି ।’’ ଆଉ ମଧ୍ୟ ବଡ଼ ପୁରୁଷେ କହି ଅଛନ୍ତି–‘ଲବ୍‌ଧସ୍ୟ ବିତ୍ତଂ ରଣଶୂରଶସ୍ତ୍ରଂ ଅତ୍ୟୁଗ୍ର ଶାର୍ଦ୍ଦୃଳ ନଖାବଳୀ ଚ । ପତିବ୍ରତାୟାଃ କୁଚକୁମ୍ଭଯୁଗ୍ମ ଚତ୍ୱାରି ଦତ୍ତାନି ମୃତାନ୍ତରେ ଚ ।” ଲୋଭୀ ଲୋକର ଧନ, ବୀରପୁରୁଷର ଶସ୍ତ୍ର, ପ୍ରତାପୀ ବାଘର ଦଖ ଏବଂ ପତିବ୍ରତାର କୁଚ ଏହି ଚାରିକଥା ସେମାନେ ମଲାପରେ କିଏ ହେଲେ ନେବ ସିନା, କିନ୍ତୁ ଜୀଇଥିବା ଯାକ ସେ କାହାକୁ ଦେବେ ନାହିଁ, କି କିଏ ନେଇ ପାରିବ ନାହିଁ । ସୌଦାଗର ତ କିଛି ଦେଲା ନାହିଁ । ଦେଖିବା କହିଚି ତ, ଆଉ ଥରେ ପନ୍ଦର ଦିନ ଛାଡ଼ି ଆସିବା । ଜଉତିଷ ଏପରି ପାଞ୍ଚି ତା ସୁଖେ ସେ ଗଲା । ଏଣେ ସୌଦାଗର ବୁଢ଼ା ମନେ ମନେ ବିଚାର କଲା, ମୋ ଘରେ ଏତେ ମନୁଷ୍ୟ ଥାଇ ଗୋଟିକର କପାଳରେ ହେଲେ ଧନ ନାହିଁ । ବିଲେଇଟାର କପାଳରେ ଯେବେ ଆମେ ଖାଇ ପିଇ ରହିଛୁ ତା ହେଲେ ଆମର ବଡ଼ ପଣିଆ କେତେ ଦିନ ରହିବ ? ବିଲେଇଟାକୁ କିଏ ଖାଇଗଲେ ଗଲା, ନେଇଗଲେ ଗଲା; ଅଥବା ସେ କୁଆଡ଼େ ନ ଯାଇ ରହିଲେ ମଧ୍ୟ ଆଉ ବର୍ଷ ଦୁଇ ଚାରିଟାରେ ମରିଯିବ । ତେଣିକି ଆମେ ଦୁଃଖ ପାଇବାର କଥାଟି ନିଶ୍ଚୟ । ଏଥିପାଇଁ ବଡ଼ପୁରୁଷେ କହିଅଛନ୍ତି–“ଈର୍ଷୀ ଘୁଣୀତ୍ୱସନ୍ତୁଷ୍ଟକ୍ରୋଧେନ ନିତ୍ୟ ଶଙ୍କିତଃ । ପରଭାଗ୍ୟୋପଜୀବି ଚ ଷଡ଼େତେ ଦୁଃଖଭାଗିନଃ ।” ଏଣୁ ଯେ ପର ଭାଗ୍ୟରେ ବଞ୍ଚିଥାଏ, ଶେଷକୁ ତାର ଦୁଃଖଟି ଥୁଆ ହୋଇଥାଏ । ଯାହାହେଉ–“ବିଚାରି କାର୍ଯ୍ୟ କରୁଥିଲେ, ପ୍ରମାଦ ନ ପଡ଼େଟି ଭଲେ ।” ଏ ବିଲେଇଟିର କପାଳରେ ଯେବେ ଏଡ଼େ ବଡ଼ ଭାଗ୍ୟ ଅଛି, ତେବେ ମୁଁ ଏହାକୁ ମାଂସ କରି ଖାଇଦେଲେ ସେ ଭାଗ୍ୟଟା ଆସି ନିଶ୍ଚେଁ ମୋଠାରେ ରହିଯିବ । ଏମନ୍ତ ବିଚାର କରି କାହାକୁ କିଛି ନ କହି ସେ ବିଲେଇଟିକି ଦୁଧ ଭାତ ଗ୍ରୋସେ ଖାଇବାକୁ ଦେଇ ତାକୁ ଗୁପତ ସ୍ଥାନରେ ମାରି କଟାକଟି କରି ମାଂସଯାକ ପଦ୍ମପତ୍ରରେ ପୁଡ଼ିଆ ବାନ୍ଧି ଯତ୍ନରେ ରଖି ହାଡ଼ ଗୋଡ଼ ଚମ ଆଦି ଯାହା କିଛି ଥିଲା ସେ ଗୁଡ଼ିକ ବଗିଚା ଭିତରେ ଗାତ ଖୋଳି ଅଣ୍ଟେ ଗହୀରରେ ପୋତିଦେଲା । ସେଠାରୁ ଆସି ମାଂସ ପୁଡ଼ିଆଟି ନେଇ ସାଧବାଣୀ ବୁଢ଼ୀକୁ ଏକାନ୍ତ ସ୍ଥାନକୁ ଡାକିଆଣି କହିଲା, ଦେଖ୍‌, ଏ ମାଂସତକ ଖାଇଲେ ମୋର ଆଣ୍ଠୁ ଗଣ୍ଠି ବାତ ଛାଡ଼ିଯିବ ବୋଲି ବୈଦ୍ୟ କହିବାରୁ ମୁଁ ବହୁ କଷ୍ଟରେ କାଟିଙ୍ଗା ଗଦାପୁର ମାଳରୁ ଅଣାଇ ଅଛି । ତୁ ଏହାକୁ ନିଜେ ରାନ୍ଧି ମୋତେ ଆଣିଦେବୁ । ଏଥିରୁ ଧାନେ ସୁଦ୍ଧା କ୍ଷତି କରିବୁ ନାହିଁ କି କାହାକୁ ହେଲେ ଦେବୁ ନାହିଁ । ଧାନେ ଊଣାକରି ଦେବୁ ବୋଇଲେ ମୋର ବେମାରି ତୁଟିବ ନାହିଁ । ଆଉ ଜାଣିଥା ଯେବେ ଏତେଟିକେ ହେଲେ କାହାକୁ ଦେଇ ପକେଇବୁ, ତା ହେଲେ ତୋର ମୁଣ୍ଡଟା ହାଣି ଦେବି; ନୋହିବେ ମୁଁ ଆପେ ବିଷଖାଇ ମରିଯିବି । ଏହା ଶୁଣି ସାଧବାଣୀ ମହାଭୟରେ ସେ ମାଂସତକ ନେଇ ମଠା ପାଲଟି ଆପେ ରାନ୍ଧିବ ବୋଲି ରୋଷେଇ ଘରେ ପଶିଲା । ବୁଢ଼ୀ ରାନ୍ଧିବାକୁ ଯିବାର ଦେଖି ବୋହୂମାନେ ତାଟକା ହୋଇ ଆଜି ଏ କି କଥା ହେଲା । ଆମେ ସାତ ସାତଟା ବୋହୂ ଥାଉଁ ଥାଉଁ ବୁଢ଼ୀ କାହିଁକି ରାନ୍ଧିବାକୁ ଗଲେ ବୋଲି ୟା ମୁହଁକୁ ସେ ତା ମୁହଁକୁ ଇୟେ ଚାହିଁ ରହିଲେ । ଅବା ବଡ଼ବୋହୂ ତ ଟିକେ ଘରପଣିଚା ହୋଇ ଯାଇଥିଲା, ସେ ଧାଇଁଆସି ବୁଢ଼ୀକି ବୋଇଲା, “ମଲା ମୋର, ତୁମେ କାହିଁକି ରାନ୍ଧିବାକୁ ଲାଗିଚ ମ, ଆମେ ସାତ ସାତଟା ବୋହୂ ଅଛୁ, କଣ ରନ୍ଧାବଢ଼ା କରିପାରିବୁ ନାଇଁ ଯେ ତୁମେ ବୁଢ଼ୀଟେ ହୋଇ ଚୁଲି ଫୁଙ୍କିବ । କି ଆମେ କଣ ଦୋଷ ଅପରାଧ କଲୁ ଯେ ସେଥିପାଇଁ ତୁମେ ରାନ୍ଧିବାକୁ ପଶିଚ ? ବୁଢ଼ୀ ବୋଇଲା, “ନାଇଁ ଲୋ ମା, ତୁମେ କାହିଁକି ଦୋଷ କରନ୍ତ, ଏହା ମୋ କପାଳର ଦୋଷ । ଦେଖୁଛୁ ତ ବୁଢ଼ା ନିଅଁସିୟା କୁଆଡ଼ୁ ମାଂସଟିକେ ଆଣି ମତେ ଆକଟ କରି କହିଛି ତୁ ଏକା ରାନ୍ଧି ଆଣିଦେବୁ । ଆଉ କେହି ଛୁଇଁବେ ନାହିଁ କି ଦେଖିବେ ନାହିଁ । ସେଥିପାଇଁ ସିନା ମୁଁ ରନ୍ଧିବାକୁ ଆସିଛି । ନୋହିଲେ ମୋର କି ଗରଜ ପଡ଼ିଥିଲା ଯେ ମୁଁ ହାଣ୍ଡିଶାଳେ ପଶନ୍ତି ।” ଏହା ଶୁଣି ବଡ଼ବୋହୂ ବୋଇଲା, “ମଲା ମୋର ବୁଢ଼ା କଣ ଜଗି ବସିଛି ଯେ, ତୁମକୁ ଆସି ପିଟି ପକାଇବ । ଆଣ ମୁଁ ରାନ୍ଧି ଦେଉଛି, ଦେଲାବେଳେ କହିଦେବ ମୁଁ ନିଜେ ରାନ୍ଧି ଆଣିଅଛି ବୋଲି ।” ସେ ଏପରି କହିବାରୁ ବୁଢ଼ୀ ତାର କଥା ଭାଙ୍ଗି ନ ପାରି କହିଲା, ଆଚ୍ଛା ତୁ ରାନ୍ଧିଦେ ମାତ୍ର କାହାକୁ ଦେବୁ ନାହିଁ କି ଟିକେ ହେଲେ ପକେଇ ଦେବୁ ନାହିଁ-। ଏହା କହି ବୁଢ଼ୀ ଅନ୍ୟ କାମ ଦେଖିବାକୁ ଚାଲିଗଲା । ବଡ଼ବୋହୂ ଖୁବ ଯତ୍ନରେ ସେ ମାଂସ ରାନ୍ଧୁଛି, ସେତିକିବେଳେ ସବା ସାନବୋହୂ ସେଠାକୁ ଆସି ଟିକିଏ ଠିଆ ହେବାରୁ ସେ ମାଂସ ଲକେଇ ଯାଇ ବାସନା ମହକି ଉଠିଲା । ସେ ତ ଗର୍ଭିଣୀ ସ୍ତ୍ରୀ, ତାକୁ ଅରୁଚି କରିଥିବାରୁ ନାନା ମନସଧ ଖାଇବାକୁ ଲୋଡ଼ୁଥାଏ । ତେଣୁ ସେ ବଡ଼ ଯାଆକୁ ବୋଇଲା କି ଗୋ ନାନି ଆଜି କଣ ଅପୁରୁବ ରାନ୍ଧୁଛ କି, କେଡ଼େ ମହକି ଉଠୁଛି, ମତେ ଟିକିଏ ଦେଲ ମୁଁ ଚାଖେ । ବଡ଼ ଯାଆ ବୋଇଲା, ନାହିଁ ମ ଏ ଖାଇବା ପଦାର୍ଥ ନୁହେ । ବୁଢ଼ା ଓଷଧ କରିବ ବୋଲି କଣ କି ମାଂସ ଟିକେ ଦେଇଥିଲା ଯେ, ତାକୁଇ ରାନ୍ଧି ଦେଉଛି । ଏହା ଶୁଣି ସାନ ବୋଇଲା, “ମଲା ଗର୍ଭିଣୀ ମାଇପେ ମନସଧ କଲେ, ଗାଁ ଗଣ୍ଡା ଲୋକେ ଯାହା ବୋଇଲେ ତା ଦେଉଛନ୍ତି, ତୁମେ ପେଟ ଯା ହୋଇ ତୁଣଟିକେ ଦେବାକୁ ଏତେ ଛନ୍ଦ ମନ୍ଦକରି କହୁଛ ।” ଏହା ଶୁଣି ବଡ଼ ବୋହୂ ସମ୍ଭାଳି ନ ପାରି ଗୋଟିଏ ଗିନାରେ ସେଥିରୁ ଟିକିଏ ତାକୁ ଦେଇ ବୋଇଲା, “ପଣତ କାନି ଘୋଡ଼ାଇ ନେଇ ଯା, ତୋ ଶୋଇଲା ଘରେ ବସି ଖାଇଦେବୁ । କାହାକୁ କିଛି କହିବୁ ନାହିଁ ।” ଏହା ଶୁଣି ସାନ ସେ ମାଂସଟିକ ନେଇ ଚାଲିଗଲା । ଟିକେ ଗଲାରୁ ସାଧବାଣୀ ବୁଢ଼ୀ ଆସି ସେ ହାଣ୍ଡି ସୁଦ୍ଧା ବୁଢ଼ାକୁ ଦେଇ ଆସିଲା । ବୁଢ଼ା ସେହି ବିଲେଇ ମାଂସ ରନ୍ଧାଯାକ ପୋଛିପାଛି କରି ଖାଇ ମୁହଁ ହାତ ଧୋଇ, ହାଣ୍ଡିଟି ଧୁଆଧୋଇ କରି ଥୋଇଦେଇ ମନେ ମନେ ବିଚାରିଲା, ଏଥର ଏ ସମ୍ପତ୍ତି ମୋର ହୋଇଗଲା । ମାତ୍ର ଯାହା କଥା ଯେ ଜାଣେ, ସେଥିପାଇଁ ବଡ଼ ପୁରୁଷେ କହିଛନ୍ତି–

 

ନ ହି କର୍ମଣି କ୍ଷୀୟନ୍ତେ କଳ୍ପକୋଟିଶତୈରପି

ଅବଶ୍ୟମେବ ଭୋକ୍ତବ୍ୟଂ କୃତକର୍ମଂ ଶୁଭାଶୁଭଂ ।

 

ମନୁଷ୍ୟ ଯାହା ଅର୍ଜି ଆଣିଥିବ ଅବଶ୍ୟ ତାହା ଭୋଗ କରିବ । ଏହିପରି ୧୨, ୧୪ ଦିନ ଚାଲିଗଲା । ଠିକ୍ ପନ୍ଦରଦିନ ଦିନ, ପୁଣି ସେଇ ଜଉତିଷ ବୁଢ଼ା ପାଖରେ ପହଞ୍ଚିବାରୁ ବୁଢ଼ା ହସହସ ହୋଇ ତାକୁ ବୋଇଲା, “ଭଲା ଗଣିଲ ଏବେ ଆମ ଘରେ କିଏ କପାଳିଆ ଅଛି ?” ଜଉତିଷ କୋଠି କାଟି ଗଣାଗଣି କରି କହିଲା, “ଆରେ ସେ ବିଲେଇ ତ ଆଉ ନାହିଁ । ଏଣିକି ତୁମେ ସମସ୍ତେ ତୁମ ସବା ସାନବୋହୂର ଗର୍ଭରେ ଯେଉଁ ପୁଅ ଅଛି ତାରି କପାଳରେ ଏକା ଭାଗ୍ୟ ଭୋଗ କରି ବଞ୍ଚିବ । ଆଉ କାହାରି କପାଳରେ କଡ଼େ କଉଡ଼ି ସୁଦ୍ଧା ପାଇବାକୁ ନାହିଁ ।” ଏହା ଶୁଣି ବୁଢ଼ା ଚମକି ପଡ଼ିଲା ପରି ହୋଇ ଜଉତିଷକୁ ପାଞ୍ଚଟି ଟଙ୍କା ଦେଇ ବିଦା କରିଦେଲା । ସେ ଚାଲିଯିବାରୁ ସୌଦାଗର ବୁଢ଼ା ବଡ଼ ଆକୁଳ ହୋଇ ମନେ ମନେ ପାଞ୍ଚିଲା ବୁଢ଼ୀରାଣ୍ଡୀ ଏକା ମୋର ସର୍ବନାଶ କଲା । ସାନବୋହୂ ଗର୍ଭ ହୋଇଅଛି ବୋଲି ତାକୁ ନିଶ୍ଚେଁ ମାଂସ ରନ୍ଧାରୁ କିଛି ଖାଇବାକୁ ଦେଇଦେଲା, ଏଥିରେ ଆଉ ଖୋଜିଲେ କଣ ହେବ ? ଆଉ ବଞ୍ଚି ରହିବାରେ ପ୍ରୟୋଜନ ନାହିଁ । ଏପରି ପାଞ୍ଚି ଗୋଟିଏ ଘରେ ଦୁଆର କିଳି ଶୋଇଲା । ଖିଆପିଆ ବେଳ ହୁଅନ୍ତେ ବୁଢ଼ୀ ଆସି ଡାକିବାରୁ ବୁଢ଼ା ୫୦, ୬୦ ଡାକରେ କବାଟ ଫିଟାଇ କହିଲା, “ତୁ ଡାଆଣୀ ରାଣ୍ଡୀ ମୋର ସମ୍ପତ୍ତି ସାରିଲୁ । ତୋ ଲାଗି ମୋତେ ଭିକ ମିଳିବ ନାହିଁ । ତୁ ମୋର ମାଂସ କାହାକୁ ଦେଲୁ କହ ।” ବୁଢ଼ୀ ବୋଇଲା, “ମୁଁ ନିଜେ ଦୁଆର କିଳି ରାନ୍ଧି ଆଣିଲି ଯେ କୁଆ କୋଇଲି ସୁଦ୍ଧା ଦେଖି ନାହିଁ । ଆଉ ତୁମର ମାଂସଗୁଡାକ କିଏ କିମିତି ଖାଇଗଲା ଯେ ତୁମେ ପ୍ରକୃତିଛଡ଼ା ମଣିଷ ପରି ହେଉଛ ?” ବୁଢ଼ା ତ ଜଉତିଷଠାରୁ ମୂଳମଞ୍ଜି ପାଇଛି । ତା’ର ମନ କଉଁଠେଇ ବୋଧ ହେଉଛି । ସେ ବୁଢ଼ୀକି ସେଠାରୁ ତଡ଼ିଦେଇ ନ ଖାଇ ନ ପିଇ ଦୁଆର କିଳି ଶୋଇଲା । ଏପରି କିଛିଦିନ ଗଲା ଉତ୍ତାରୁ ତେଣେ ପୁଅମାନେ ଅନେକ ଧନ ଦୌଲତ ଲାଭ କରି ବୋଇତ ଆଣି କୂଳରେ ରଖାଇ ଘରକୁ ଖବର କହି ପଠାଇଲେ । ସାଧବଘର ପୁଅମାନେ ଆସିଲେ ବୋଲି ଚହଳ ପଡ଼ିଗଲା । ଦେଖିବାପାଇଁ ଗାଁ ଗଣ୍ଡା ଲୋକ ଧାଇଁଲେ । ସାଧବାଣୀ ବୁଢ଼ୀ ପୁଅମାନେ ଆସିବାରୁ ବୋହୂମାନଙ୍କୁ ବେଶଭୂଷା କରି ତାଙ୍କ ହାତରେ ଅର୍ଘ୍ୟଥାଳି ଧରାଇ ବୋଇତ ବନ୍ଦେଇବ ବୋଲି ଆନନ୍ଦରେ ଧାଇଁଲା । ସବୁରି ଛାତି କୁଣ୍ଢେ ମୋଟ । ସାଧବବୁଢ଼ା କିନ୍ତୁ ଘରୁ ବାହାର ହେଲା ନାହିଁ । ତାର ମନ ତ ପୋଡ଼ି ଯାଇଛି ସେ ଆଉ ପୁଅମାନଙ୍କୁ ଦେଖିଯିବ କଣ, ଦୁଆରଟି କିଳିଦେଇ ଘର ଭିତରେ ଶୋଇ ରହିଲା । ତେଣେ ପୁଅମାନେ ଦେଖିଲେ ଯେ ସମସ୍ତେ ଅଇଲେ ବୁଢ଼ା ଆସି ନାହିଁ । ତେଣୁ ବିଚାର କଲେ ବୁଢ଼ା ଅବା ମରିଗଲା କି ? ଥିଲେ ତ ସବୁରି ଆଗରେ ଧାଇଁ ଆସନ୍ତା, ଏବେ ସେ କାହିଁକି ଦିଶୁ ନାହିଁ । ଏପରି ପାଞ୍ଚୁ ପାଞ୍ଚୁ ମା’କୁ ଦେଖିଲେ ଯେ ତାର ବିଧବା ଲକ୍ଷଣ ଦିଶୁନାହିଁ । ସଧବା ଲକ୍ଷଣରେ ଥାଇ ଅଷ୍ଟଅଳଙ୍କାର ମଣ୍ଡି ହୋଇଅଛି । ସବୁ ପୁଅଯାକ ତା ଗୋଡ଼ତଳେ ମୁଣ୍ଡିଆ ମାରି ପଚାରିଲେ–ତୁମେ ସମସ୍ତେ ଆସିଲ; ବାପା କାହିଁକି ଆସି ନାହାନ୍ତି ? ବୁଢ଼ୀ କହିଲା, “ତାଙ୍କ ଦେହ ଟିକେ ଅସୁଗ ଥିବାରୁ ସେ ଆସି ନାହାନ୍ତି । ଚାଲ ଘରକୁ ଗଲେ ଦେଖିବ ନାହିଁ କି ?” ଏହା କହି ବୋହୂମାନଙ୍କୁ ଧରି ବୋଇତ ବନ୍ଦାଇଲା । ସାଧବ ପୁଅମାନେ ମାଲମତାଯାକ ବୁହାଇ ଘରକୁ ଆସି ଦେଖିଲା ବେଳକୁ ବୁଢ଼ା ଦୁଆର କିଳି ଶୋଇଅଛି । ତାକୁ ଅନେକ ଡାକିବାରୁ ଦୁଆର ଫିଟାଇ ଆଖି ମିଟି ମିଟି କରି ଘରପୋଡ଼ି ମୂଷା ପରି ବିକଳ ହୋଇ ବସିଲା । ପୁଅମାନେ ବୋଇଲେ, “ବାପା ତୁମେ କାହିଁକି ଏପରି ଦୁଃଖିତ ହୋଇଅଛ ? ତୁମକୁ କିଏ କ’ଣ ଅପମାନ ଦେଲା କି ?” ବୁଢ଼ା ବୋଇଲା, ମୋର ଦୁଃଖକଥା କଣ କହିବି ? ତୁମ୍ଭେମାନେ ଯେବେ ମୋର ସୁପୁତ୍ର ହୋଇଥିବ ତେବେ ମୋର ଆଜ୍ଞା ପାଳନ କରିବ । ପୁଅମାନେ ବୋଇଲେ ଯାହା କହିବ ଆମ୍ଭେ ତାହା ନିଶ୍ଚେ କରିବୁ । ବୁଢ଼ା ବୋଇଲା, “ସାନ ବୋହୂଟାକୁ ହାଣିଦିଅ, ନୋହିଲେ ଘରୁ ତଡ଼ିଦିଅ । ଏକଥା କଲେ ମୋର ମନ ଥଣ୍ଡା ହେବ, ମୁଁ ଖିଆପିଆ କରି ସୁଖରେ ରହିବି । ମୋର ଜୀବନକୁ ଆଶା ନାହିଁ, ମୁଁ ଉପାସ ଭୋକରେ ପଡ଼ି ପଡ଼ି ପ୍ରାଣ ହରାଇ ଦେବି ।” ଏହା ଶୁଣି ପୁଅମାନେ ବଡ଼ ଦୁଃଖିତ ହୋଇ କିଛି ଉତ୍ତର ନ ଦେଇ ଭିତରକୁ ଚାଲିଗଲେ । ଘରେ ବୁଢ଼ୀ ଓଗେର ସମସ୍ତଙ୍କୁ ବସାଇ ବୁଢ଼ା ଏପରି କାହିଁକି ରାଗିଛି ବୋଲି ପଚାରିଲେ । ବୋହୂମାନେ କହିଲେ, ଆମେ ତ କିଛି ଦୋଷ କରି ନାହୁଁ, ସେ କାହିଁକି ରାଗିଛନ୍ତି ତା ଆମେ କେମିତି କହିବୁଁ । କେଜାଣି ସେ କାହିଁକି ରାଗିଛନ୍ତି । ଶାଶୁଙ୍କୁ ପଚାର ସେ ଜାଣିଥିବେ । ବୁଢ଼ୀ କହିଲା, ବୁଢ଼ା ହେବାରୁ ସେଇଟାର ପ୍ରକୃତି ଅନ୍ତର ହେଲାଣି । ମୋର ବୋହୂମାନେ ତ ସତେ ସୁନାପରି ବୋହୂ ଯେ ମୁଁ ଯେମିତି ରଖିଥିବି ସେମିତି ଥିବେ ଆଉ ତୁମ୍ଭେମାନେ ଯିବା ଦିନଠାରୁ ଗୋଟିଏ ଦିନ ହେଲେ କିଛି ବୋଲଣା ନ କରି ଅତି ଆନନ୍ଦରେ ଘର ଚାଳୁ ଅଛନ୍ତି । ସାନବୋହୂ ମୋର ରଜାଘର ଝିଅ ଯେ ତା ଗର୍ଭ ଭାରିଲେ ସେ ଥାଏ, ପୁଣି ତା ପେଟରେ ନଅମାସ ପନ୍ଦର ଦିନ ହେଲାଣି । ଏ କଥା କଣ ତାର ସ୍ୱାମୀ ଜାଣିନାହିଁ କି ? ବୁଢ଼ାଟା ତୁଚ୍ଛାକୁ ପ୍ରକୃତିଛଡ଼ା ହୋଇ ତାକୁ ମାରିଦିଅ ଘରୁ ତଡ଼ିଦିଅ ବୋଇଲେ ତୁମେ ତାରି କଥାରେ ଅଦୋର୍ଷୀକି ଦଣ୍ଡ ଦେବ କି ? ଏହା ଶୁଣି ପୁଅମାନେ ସାନଭାଇକି କହିଲେ ମା’ତ ଏପରି କହୁଛନ୍ତି-। ତେଣେ ବାପା ତ ଏକା ଜିଦ୍ ଧରି ବସିଛନ୍ତି । ତେଣୁ ତୁ ତୋର ଭାରିଯାକୁ ନେଇ ଥୋଡ଼େ ଦିନ ବିଦେଶକୁ ଚାଲି ଯା । ବୁଢ଼ାକୁ ଆମେ ବୁଝେଇ ସୁଝେଇ ଥଣ୍ଡା କରିଦେଲା ପରେ ତୁ ତୋର ଭାରିଯାକୁ ଧରି ପୁଣି ବାହାରି ଆସିବୁ । ବଡ଼ଭାଇମାନେ ଏ କଥା କହିବାରୁ ସାନଭାଇ ତା’ର ଭାରିଯାକୁ ଧରି ସେହିକ୍ଷଣି ଘରୁ ପଳାଇଗଲା । ତାହା ଦେଖି ବୁଢ଼ା କ୍ରୋଧ ଶାନ୍ତିକରି ଖିଆପିଆ କଲା । ଆଉ ସମସ୍ତେ ଦୁଃଖ ମନରେ ଥାନ୍ତି । ତେଣେ ସେ ଦୁହେଁ ଯାଉଁ ଯାଉଁ ବେଳ ତିନିପହର ହୋଇଗଲା । କିଛି ଖାଇ ନାହାନ୍ତି, ଭୋକରେ ପେଟ ଜଳିଲା । ରଜାଝିଅ ଆଉ ଚାଲି ନ ପାରି ତାର ସ୍ୱାମୀକି କହିଲା–ମୋ ଲାଗି ତୁମେ ଭୋକରେ ମରିବ କି ? ମୁଁ ଏହି ନଈକୂଳରେ ବସିଛି । ତୁମେ ଯାଅ ଆଗରେ ଦିଶୁଥିବା ବଜାରରୁ କିଛି ଜଳଖିଆ ଆଣି ଖାଇବ, ତୁମଠାରୁ ଯାହା ବଳିବ ମୁଁ ମଧ୍ୟ ତାହା ଖାଇବି । ସାଧବପୁଅ ତା କଥାରେ ରାଜିହୋଇ ବଜାରକୁ ଗଲା । ସେ ରାଜଜେମା ସେଇଠି ଗୋଟିଏ ଗଛମୂଳ ଛାଇରେ ବସି ରହିଲା । ଏପରି ସମୟରେ ଦଇବର ଦୁର୍ଘଟଣା ଦେଖ ଯେ, ସାଧବପୁଅ ଅନ୍ତର ହେବା ସଙ୍ଗେ ସଙ୍ଗେ ସେ ସ୍ତ୍ରୀର ଗର୍ଭଶୂଳ ଜାତହୋଇ ଗୋଟିଏ ଦିବ୍ୟ ସୁନ୍ଦର ପୁଅ ଜନ୍ମ ହୋଇ ପଡ଼ିଲା । ରାଜଜେମା ସେ ପିଲାଟିକୁ ଜନ୍ମ କରି ମନେ ମନେ ପାଞ୍ଚିଲା, ମୋର ପୋଡ଼ା କପାଳକୁ ବଣ ମଝିରେ ପିଲା ଜନ୍ମ କଲି । ପାଖରେ କେହି ନାହିଁ । ମୁଁ ଯେପରି ଅବସ୍ଥାରେ ଅଛି, ମୋର ସେ କଥାଯାକ ସ୍ୱାମୀ ଦେଖିଲେ ତାଙ୍କ ମନରେ ଏପରି ଘୃଣା ହେବ ଯେ, ଆଉ ଦିନେ ହେଲେ ମୋ ପାଖକୁ ଆସିବେ ନାହିଁ କି ମୋ ହାତରେ ଖାଇବେ ନାହିଁ । ତେଣୁ ସେ ନ ଆସିବା ଆଗରୁ ମୁଁ ଯାଇ ନଈରେ ଧୂଆଧୋଇ ହୋଇ ଚାଲି ଆସିଥିବି । ଏ କଥା ବିଚାରି ପିଲାଟିକି ସେହି ଗଛ ମୂଳରେ କନା ଖଣ୍ଡିକରେ ଶୁଆଇ ଦେଇ ନଈକି ଚାଲିଗଲା ।

 

ଦଇବ ତ ବଡ଼ଲୋକ, ସେ ଯାହା ଘଟାଇଥିବ ତାହା କିଏ ଅନ୍ୟଥା କରିବ । ଏଠାରେ କିପରି ଆଶ୍ଚର୍ଯ୍ୟ ଘଟିଲା ଦେଖ ଯେ, ସେହି ପାଖ ଗାଁରେ ଗୋଟିଏ କେଉଟ ବୁଢ଼ାର ଘର । ତାର ପିଲାପିଲି କିଛି ନାହିଁ କେବଳ ଭାରିଯାଟି ଥାଏ ସେ ମଧ୍ୟ ବୁଢୀ ହୋଇଗଲାଣି । ତିନି ଚାରି ମାସ ହେଲା ସେ କେଉଟୁଣୀ ବୁଢ଼ୀ ବାପଘରକୁ ଯାଇଥିଲା ଯେ, ସେହିଦିନ ସଞ୍ଜବେଳକୁ ଆସିବ ବୋଲି କହି ପଠାଇଲା । ତେଣୁ କେଉଟବୁଢ଼ା କୁଣିଆ ଆସିବେ ବୋଲି ଜାଲ ଧରି ମାଛ ମାରି ନେବାପାଇଁ ସେ ବାଟରେ ଆସି ଦେଖିଲା ଯେ, ଗଛମୂଳରେ ଗୋଟିଏ ବାଳକ ପଡ଼ି କୁଆଁ କୁଆଁ କାନ୍ଦୁଅଛି । ସେଠାରେ କୁଆ କୋଇଲି ସୁଦ୍ଧା ଦେଖା ନାହିଁ । ବୁଢ଼ା କେଉଟ ଏ ଘଟଣା ଦେଖି ମନରେ ପାଞ୍ଚିଲା, ମୋର ପୁତ୍ର ନ ଥିବାରୁ ମୁଁ ସବୁବେଳେ ଈଶ୍ୱରଙ୍କୁ ଜଣାଉଥିଲି । ପ୍ରଭୁ ଦୟାକରି ମୋତେ ଏ ବାଳକଟି ଦେଇଅଛନ୍ତି । ନୋହିଲେ ଏ ମଧ୍ୟରେ ଏହିକ୍ଷଣି ଜନ୍ମ ହେବାର ସନ୍ତାନଟିକୁ କିଏ ଛାଡ଼ିଯାନ୍ତା । ଏ କଥା ବିଚାର କରି ଆଉ ମାଛ ମାରିବାକୁ ଯିବ କଣ ପିଲାଟାକୁ ଜାଲରେ ଗୁଡ଼ାଗୁଡ଼ି କରି ଘରକୁ ନେଇଗଲା । ଏ ଗଲାବେଳକୁ ତେଣୁ ବୁଢ଼ୀ ଆସି ଘରେ ବସିଛି । ତାକୁ ବୋଇଲା ଦେଖିଲୁଣି ଏ ପିଲାଟି ମୋତେ ପରମେଶ୍ୱର ଦେଇଛନ୍ତି । ତୁ ତୋର ପେଟରେ କନାକପଡ଼ା କେତେ ଖଣ୍ଡ ଗୁଡ଼ାଗୁଡ଼ି କରି ଦଶମାସୀ ପେଟପରି ପେଟୁଟେ କାଢ଼ । ସାଇ ପଡ଼ିଶାରେ ପାଞ୍ଚ ସାତ ଘରୁ ବୁଲି କରି ଆ । କିଏ ପଚାରିଲେ କହିବୁ, ହଁ ଈଶ୍ୱର ଏତେ ଦିନରେ କଣ ଦେଲାପରି ଦିଶୁଛି ? ନଅମାସ ତ ଗଡ଼ିଗଲାଣି କେଜାଣି କଣ ଯୋଗ ଅଛିଟି । ଏପରି କହି କହି ବେଗେ ଚାଲିଆ । ପରେ ଯାହା ମୁଁ କହିବି ତାହା କରିବୁ । ବୁଢ଼ୀ କେଉଟୁଣୀ ଏପରି ଶୁଣିବା ମାତ୍ରେ କପଟରେ ଦଶମାସ ପରି ପେଟ କାଢ଼ି ନିଆଁ ମାଗି ଆଣିବା ଛଳରେ ପାଖପଡ଼ିଶା କେତେଟା ଘରେ ପଶିଗଲା-। ସେ ଘରର ମାଇପୀମାନେ ପଚାରିଲେ, “କିଲୋ ଆଈ ତୋର ଏ କଣ, ଷାଠିଏବର୍ଷରେ ଷଠୀଘର କରିବୁ କି ?” ବୁଢ଼ୀ ହସି ହସି ବୋଇଲା, “ଏ ଅଲାଜୁକ କଥାଟା କଣ ଆଉ କହିବି ? ଦଶମାସ ପନ୍ଦର ଦିନ ତ ଭୋଗ ହୋଇଗଲାଣି ଯାହା ହେବ ଦିନେ ଓଳିକ ଭିତରେ ଜଣାଯିବ । ଆଜି ତ କାହିଁକି ମୋର ପେଟ ଟା ବଥେଇଲାଣି । ଏପରି ପାଞ୍ଚ ସାତ ଘରେ କହିଦେଇ ଝଟକିନା ଘରକୁ ଲେଉଟି ଆସିଲା । ସେ ଆସିଲା ବେଳକୁ ଏଣେ ବୁଢ଼ା କେଉଟ ଏନ୍ତୁଡ଼ି ଜାଳିଦେଇ ଚାହିଁ ବସିଛି । ବୁଢ଼ୀ ପେଟରୁ କନାପଟା ବୁଜୁଳାକ କାଢ଼ିଦେଇ ପିଲାଟିକୁ ଜଙ୍ଘରେ ଶୁଆଇ ସେକିବାକୁ ଲାଗିଲା । ଦୁଇ ଚାରି ଚାପୋଡ଼ ସେକି ଦେବାରୁ ସେ ପିଲାଟି ତାଜା ହୋଇ କୁଆଁ କୁଆଁ କରି କାନ୍ଦି ଉଠିଲା । ସାଇ ପଡ଼ିଶା ମାଇପୀମାନେ ସେ କାନ୍ଦ ଶୁଣି ହେଉଟି ବୁଢ଼ୀ କେଉଟୁଣୀ ପିଲା ପାଇଲାଣି ବୋଲି ଦଉଡ଼ି ଆସିଲେ । କିଏ ବୋଇଲା ଆଈ କଅଣ ପାଇଛୁ କହିଲୁ । ଆଗ ବୁଢ଼ୀ ବୋଇଲା ଦେଖ ହେଇଟି ନାଡ଼ ଟିକିଏ ଲାଗିଛି ତ । ମାଇପେ ବୋଇଲେ, ତୋର ବଡ଼ ଭାଗ୍ୟ, ବୁଢ଼ୀକାଳେ ପୁଅ ପାଇ କୁଳ ରଖିଲୁ । ଏହିପରି କୁହାପୋଛା କରି ସେମାନେ ଯେ ଯାହା ଘରକୁ ଚାଲିଗଲେ । କେଉଟୁଣୀ ଦେଖିଲା ଯେ ସେ ପିଲାର ନାଭିରେ ଖଣ୍ଡିଏ ହୀରା ଅଛି । ସେ ଖଣ୍ଡିକ ବୁଢ଼ାକୁ ଦେଇ ଅତି ଯତ୍ନରେ ପିଲାକୁ ପାଳିଲା । ପ୍ରତିଦିନ ସକାଳୁ ଦେଖିଲା ବେଳକୁ ତାର ନାଭିରେ ହୀରା ଖଣ୍ଡିଏ ଥାଏ । କେଉଟ ବୁଢ଼ା ସେ ହୀରାଯାକ ବିକାକିଣା କରି ଧନ ବଢ଼େଇବାକୁ ଲାଗିଲା । ସେ ପିଲାକୁ ହୀରାଲାଲ ବୋଲି ନାମ ଦେଲେ । ଏଣେ ତାର ଜନ୍ମ କଲା ମାଆ ନଈରୁ ଫେରି ଆସି ଦେଖିଲା ବେଳକୁ ପିଲାଟି ନାହିଁ । କି କଲି ବୋଲି ମୁଣ୍ଡ କୋଡ଼ି ହୋଇ ରୁଦ୍ର ଛିଣ୍ଡେଇ କାନ୍ଦୁଛି । ଏହି ସମୟରେ ତାର ସ୍ୱାମୀ ବଜାରରୁ ଜଳଖିଆ ପଦାର୍ଥ ଆଣି ସେଠାରେ ପହଞ୍ଚି ପଚାରିଲା–କାହିଁକି କାନ୍ଦୁଛୁ । ସେ ସବୁ ଘଟଣାଯାକ କହି ଅଧିକ କାନ୍ଦିଲା । ସାଧବପୁଅ ବୋଇଲା ଛି ଛି; ତୁ ଚଣ୍ଡାଳୁଣୀ କେଡ଼େ ହୀନକର୍ମ ନ କଲୁ, ଆଉ ତୋର ମୁହଁ ଚାହିଁବି ନାହିଁ । ଏହା କହି ସେ ଭାରିଯାକୁ ସେହି ବଣ ଭିତରେ ଛାଡ଼ିଦେଇ ଘରକୁ ଯାଇଁ ବାପ ଭାଇଙ୍କ ପାଖରେ ରହିଲା-। ତେଣେ ସେ ରାଜଜେମା ଆଉ କଣ କରିବ । ପୁଅ ହଜିଲା, ଘଇତା ଛାଡ଼ି ପଳେଇଲା, ଅଗତ୍ୟା ବଣମଝିରେ ପଡ଼ି କାନ୍ଦୁଛି । ଏପରି ସମୟରେ ଦଇବର ଘଟଣା ଦେଖ ଯେ, ସେହି ଆଖପାଖ ଗାଁର ଭାଗବତ ପଟ୍ଟନାୟକ ବୋଲି ଜଣେ କରଣ ବୁଢ଼ା ଆସି ସେଠାରେ ପହଞ୍ଚି ଗଲା । ସେ କନ୍ୟା ବିକଳରେ କାନ୍ଦୁଥିବାର ଦେଖି ତାକୁ ଆଶ୍ଵାସନା ଦେଇ ପଚାରିଲା–କିଲୋ ମା, ତୋର ଘର କେଉଁଠି ? ତୁ କାହାର ଝିଅ ବୋହୂ, ଏକାହୋଇ ଏ ବଣକୁ କିପରି ଆସିଲୁ କାହିଁକି ଏତେ ବିକଳରେ କାନ୍ଦୁଛୁ ? ସାଧବ ବୋହୂ ତାର ପୂର୍ବ ଚରିତଯାକ କହି ଅଧିକ କାନ୍ଦିବାକୁ ଲାଗିଲା । କରଣ ବୁଢ଼ା ବୋଇଲା, “ମୋର ପୁଅ ଝିଅ ନାହିଁ । ଆମେ ବୁଢ଼ା ଦୁଇ ଜଣ ମାତ୍ର ଅଛୁ । ତୁ ଆଜିଠାରୁ ମୋର ଧର୍ମଝିଅ ହେଲୁ । ଆ, ମୋରି ଘରେ ମହାସୁଖରେ ରହିବୁ । ମୁଁ ତୋର ବାପଘର ଆଉ ଶ୍ଵଶୁରଘର ବୁଝାସୁଝା କରି ପରେ ନେଇ ତୋତେ ଛାଡ଼ିଦେଇ ଆସିବି ।” ସାଧବ ବୋହୂ ବିଚାରିଲା ଶାସ୍ତ୍ର ଲେଖିଛି–“ପ୍ରୀତିରେ ବିପତ୍ତିରେ ପରଘରେ ଭାତ ଖାଇବା ଅଟଇ–ଏହା ପଣ୍ଡିତଙ୍କ ମତ ।” ମୋତେ ତ ଘୋର ବିପତ୍ତି ପଡ଼ିଅଛି, ଏତେବେଳେ ଆଉ ଜାତି କଣ ପଚାରିବି । ଯାଉଛି ଏହି ବୁଢ଼ୀ ଘରେ କେତେଦିନ ଆଗ ଠଉରି ଯିବି । କେଜାଣି ଦଇବ ମୋର ପିଲାଟିକୁ କୁଠେଇ ନେଇ ବଞ୍ଚାଇ ଥିବ, ତେବେ ମୁଁ ବଞ୍ଚିଥିଲେ ଅବା ତାକୁ ପାରିବି । ଏକଥା ବିଚାର କରି ସେହି କରଣ ବୁଢ଼ା ସଙ୍ଗେ ଯାଇ ତାରି ଘରେ ରହିଲା । ତାଙ୍କର ପୁଅ ଝିଅ ନ ଥିବାରୁ ସେ ବୁଢ଼ା ବୁଢ଼ୀ ତାକୁ ଧର୍ମଝିଅ କରି ଅତି ଯତ୍ନରେ ରଖିଲେ । କେଉଟ ଘରେ ସେ ପିଲାଟି ଚନ୍ଦ୍ରକଳା ବଢ଼ିଲା ପରି ଦିନକୁଦିନ ବଢ଼ିଲା । ପ୍ରତିଦିନ ତାର ନାଭିରୁ ହୀରା ଖଣ୍ଡିଏ ଲେଖାଏଁ ଜାତ ହେଉଥାଏ, କେଉଟ ବୁଢ଼ା ସେ ହୀରାଯାକ ବହୁମୂଲ୍ୟରେ ବିକ୍ରିକରି ଅଚଳାଚଳ ସମ୍ପତ୍ତି ବଢ଼େଇଲା । ବହୁତ ଧନ ହେବାରୁ ତାକୁ ସବୁଲୋକ ମାନିଲେ, ଚାରିଆଡ଼େ ତାର ନାମ ବିଖ୍ୟାତ ହେଲା । ପୁଅଟି ପାଠଶାଠ ପଢ଼ି ପଣ୍ଡିତରେ ଗାର ପଡ଼ିଲା । ରୂପ ତାର ସାକ୍ଷାତେ କନ୍ଦର୍ପ ପରି, ଗୁଣ ମଧ୍ୟ ସେହିପରି-। ତାକୁ ଚଉଦ ପନ୍ଦର ବରଷ ହୋଇଯିବାରୁ ତା ପାଇଁ ଅନେକ କନ୍ୟାପାତ୍ର ଆସିଲେ । ତାହା ଜାଣି ସେ ପିଲା ବାପାକୁ କହିଲା, “ତୁମ୍ଭେ ମତେ କେଉଁଠି ବିଭା କରାଇବ ବିଚାର କରି ଆଗ ମୋତେ ସେ କନ୍ୟାକୁ ଦେଖାଇବ । ମୋର ମନ ପାଇଲେ ମୁଁ ତାକୁ ବିଭା ହେବି ।” ଏହା ଶୁଣି କେଉଟ ବୁଢ଼ା କାହାକୁ ହେଲେ ଜବାବ ନ ଦେଇ ଯେତେ କନ୍ୟାପାତ୍ର ଆସନ୍ତି, ତାଙ୍କୁ କହେ, “ମୋର ପୁଅ କନ୍ୟା ନ ଦେଖିଲେ ବିଭା ହେବ ନାହିଁ ।” ସେ କଥା ଶୁଣି କନ୍ୟାଦାତାମାନେ ବିଚାରନ୍ତି ଏ କନ୍ୟା ଦେଖିଲେ ଯେବେ ୟାର ମନ ନ ପାଇବ, ତେବେ କଣ ହେଲେ ଗୋଟିଏ ଖୁଣ ବାହାର କରି କହିଦେବ । ତା ହେଲେ ଆମର କନ୍ୟାକୁ କେହି ନେବେ ନାହିଁ । ଏମନ୍ତ ବିଚାର ଯେତେ ଜୁଆଡୁ ଆସିଲେ ସମସ୍ତେ ଫେରିଗଲେ । କେତେ ଦିନ ଗଲାପରେ ତାର ଜନ୍ମକଲା ମା’କୁ ଯେଉଁ କରଣ ରଖିଥିଲା, ସେ ସେହି ସାଧବ ବୋହୂକୁ ପଚାରିଲା, ତୁ ତ ମୋର ଝିଅହୋଇ ମୋ ଘରେ ରହିଲୁ । ତୋର ଶାଶୁଘର କିଏତ କହିଲୁ ନାହିଁ ? ଦେଖୁ ଦେଖୁ ଚଉଦ ପନ୍ଦର ବରଷ ବହିଗଲା । ଆମ ତ ବୁଢ଼ା ବୁଢ଼ୀ ହେଲାଣି । ଆମେ ମରିଗଲେ ତତେ କିଏ ରଖିବ ? ପାଠ ତ ଲେଖିଛି–ସ୍ତ୍ରୀମାନଙ୍କୁ ବାଲ୍ୟକାଳରେ ପିତା, ଯୁବାକାଳରେ ଭର୍ତ୍ତା ଏବଂ ବୃଦ୍ଧାକାଳରେ ମାତ୍ର ରକ୍ଷା କରିବ । ତେଣୁ କହିବୁ ବୋଇଲେ, ମୁଁ ଜାଇଁ ଥାଉଁଥାଉଁ ତୋତେ ଗୋଟିଏ ଧନୀଘରେ ବିଭା କରାଇ ଦେବି । ଏହା ଶୁଣି ସେ କହିଲା, “ତୁମ୍ଭେ ତ ମୋର ବାପ - ତୁମର ଯାହା ଇଚ୍ଛା ହେଉଅଛି ତାହା କର ।” ସେ ଏପରି କହିବାରୁ କରଣ ବୁଢ଼ା ବାର ଖୋଜି ଯାଇ ସେହି କେଉଟ ଘରେ ପହଞ୍ଚିଲା । ତାହାର ବହୁତ ଧନ ଥିବାର ଦେଖି ବିଚାରିଲା ୟାର ପୁଅକୁ ଏକା ମୋର ଝିଅଟି ଦେଲେ, ନିଶ୍ଚିନ୍ତରେ ରହିବ । ଏକଥା ପାଞ୍ଚି କେଉଟ ବୁଢ଼ାକୁ କହିଲା । ସେ ବୋଇଲା ଯେବେ ବୋଲୁଛ ତୁମ୍ଭର କନ୍ୟାକୁ ମୋର ପୁଅ ଆଗେ ଦେଖିଲେ ପଛେ ବିଭାହେବ । କରଣ ବୁଢ଼ା ବୋଇଲା, ମୋର ଝିଅ ପରି ସୁନ୍ଦରୀ ତ ସଂସାରେ ନାହିଁ, ଆଉ ଦେଖିବ କଣ ? ଯେବେ ଏପରି କହୁଅଛି; ତେବେ ତୁମ୍ଭର ପୁଅଙ୍କୁ କହିଦିଅ ଆଠଦିନ ଭିତରେ ଯାଇ ଦେଖି ଆସନ୍ତୁ । ଏକଥା କହି କରଣ ବୁଢ଼ା ଘରକୁ ବାହୁଡ଼ି ଗଲା । ତେଣେ କେଉଟ ଘରେ ନିଶ୍ଚୟ ହେଲା ଯେ, ପୁଅ ଯାଇ କନ୍ୟା ଦେଖି ଆସିଲେ ଏହି ଆସନ୍ତା ମାଘ ଶୁକ୍ଳ ଦଶମୀ ଦିନ ବିଭାଘର କରାଇ ଦେବା । କେଉଟପିଲା କନ୍ୟା ଦେଖି ଯିବାକୁ ଭଲ ବେଳ ଖୋଜୁଥାଏ । ସେ ଭଲ ବଳଦ ହଳେ ପୋଷିଥାଏ । ଗୋଟିଏ ଶଗଡ଼ ଗାଡ଼ି ରଖିଥାଏ । ଯେଉଁଆଡ଼େ ଯାଏ ସେହି ଶଗଡ଼ ଗାଡ଼ିରେ ବସିକରି ଯାଏ । ରାତିରେ ସେ ବଳଦ ହଳକୁ ଯେଉଁଠି ବାନ୍ଧେ, ସେହି ପାଖରେ ଗୋଟିଏ ଖଟ ପକାଇ ତହିଁରେ ଶୁଏ । ଯେଉଁଦିନ କନ୍ୟା ଦେଖିବାକୁ ନିଶ୍ଚୟ କଲା, ତାରି ପୂର୍ବଦିନ ରାତ୍ରିରେ ବଳଦଙ୍କ ପାଖରେ ଶୋଇଛି, ତାକୁ ନିଦ ଲାଗିନାହିଁ, ଏତିକିବେଳେ ସେଥିରୁ ଗୋଟିଏ ବଳଦ ଆର ବଳଦକୁ କହିଲା ଆରେ ଭାଇ ଚାରିଦିନ ଗଲେ ମାଆକୁ ପୁଅ ବିଭା ହେବ । ଆର ବଳଦ ବୋଇଲା କିଏ ବିଭା ହେବ କହିଲୁ ? ସେ ବୋଇଲା ଆମରି ମାଲିକ ତ ବିଭା ହେବ । ଆର ବଳଦ ବୋଇଲା, ଆମର ମାଲିକ ପରା କରଣ ଝିଅକୁ ବିଭା ହେବ–ଆଉ ମା’କୁ କେମିତି ବିଭା ହେବ ? ସେ ବୋଇଲା ତୁ ଜାଣି ନାହୁଁ, କିରେ ସେଇଟା କରଣ ଝିଅ ନୁହେଁ, କି ଏଇଟା କେଉଟ ପୁଅ ନୁହେଁ । ଏ ହଳକ ଖୋଦରେ ମାପୁଅ । ଏପରି କଥାବାର୍ତ୍ତା ହୋଇ ବଳଦ ହଳକ ତୁନି ହେଲେ । କେଉଟ ପୁଅ ତାଙ୍କ କଥାଯାକ ଶୁଣି ବଡ଼ ଚମତ୍କାର ହୋଇ ବସି ରହିଲା । ସେ ରାତିଟାଯାକ ତାକୁ ଆଉ ନିଦ ଲାଗିଲା ନାହିଁ । ଆରଦିନ ସକାଳୁ ଉଠି ବୁଢ଼ାକୁ ବୋଇଲା–ବାପା, ମୋତେ କରଣ ଘରେ ବିଭା କରିବାକୁ ବୋଲୁଛ ଯେ ସେ କରଣ ଜାତ, ଆମେ କେଉଟ ଜାତି, ସେ କାହିଁକି ଆମ ଘରେ କନ୍ୟା ଦେବ ବୋଲି କହୁଅଛି । କେଜାଣି ଏଥିରେ ଆଉ କଣ ଅବା ଥିବ । ତେଣୁ ତୁମ୍ଭେ କପିଳନାଥଙ୍କ ଦେବାଳୟରେ ଗୋଟିଏ ସଭା ବସାଅ । ବ୍ରହ୍ମଣ, ବୈଷ୍ଣବ, ବୈଶ୍ୟ, ଶୂଦ୍ର ଭଲଲୋକ ଏବଂ ମନ୍ଦଲୋକ ସମସ୍ତେ ଆସନ୍ତୁ । ସମସ୍ତଙ୍କ ପାଇଁ ଭଲରୂପେ ଖାଇବା ପିଇବା ଯୋଗାଡ଼ କର । ତମ୍ବା ତୁଳସୀ ଶାଳଗ୍ରାମ ଓ ହରିବଂଶ ପୋଥି ରଖ । ଆମେ ବାପ, ପୁଅ, ମା ଯିବା । ସେ ମା, ଝିଅ, ବାପ ଆସନ୍ତୁ । ଆମ ଦୁଇକୁଳର ଯାହା ଯାହା କଥା ନିଶ୍ଚୟ ହେବ, ତାହା ସମସ୍ତେ ଥାଇ ନିଶ୍ଚୟ ହୋଇଥିଲେ ଭବିଷ୍ୟତରେ ଆଉ କିଛି ହଇରାଣ ଣ ଥିବ । ଏହା ଶୁଣି ବୁଢ଼ା ବୋଇଲା, ବାବୁ ରେ, ତୁ ପିଲା ହୋଇ ଭଲ କହିଲୁ ଯାଉଚି ସେହିପରି କରିବି । ଏପରି କହି କେଉଟ ବୁଢ଼ା କପିଳନାଥଙ୍କ ଦେବାଳୟରେ ସଭା ବସାଇଲା । ପୁଅ କହିବା ପ୍ରକାରେ ସବୁ ଠିକଣା କଲା । ନାନା ଜାତିର ଅନେକ ଭଦ୍ରଲୋକ ଆସି ବସିଲେ । କନ୍ୟାପକ୍ଷ ଏବଂ ବରପକ୍ଷ ଆସିଲେ । ସଭା ମଧ୍ୟରେ ଠିଆହୋଇ କେଉଟ ପୁଅ ତାର ମାଆଙ୍କୁ ଚାହିଁ ବୋଇଲା, “ମା । ଦେଖେ, କପିଳାନାଥ ବିଜେ କରିଅଛନ୍ତି । ଦେବାଳୟରେ ସବୁ ଜାତିର ଲୋକେ ବସି ମହାସଭା କରିଅଛନ୍ତି । ତୁ ଏ ସମସ୍ତଙ୍କୁ ଚାହିଁ ତମ୍ବା, ତୁଳସୀ, ଶାଳଗ୍ରାମ ଧରି କହଟି ତୁ ମୋତେ ଜନ୍ମ କରିଅଛୁ କି ଆଣିଛୁ । ଏହା ଶୁଣି କେଉଟୁଣୀ ବୁଢ଼ୀର ଛାତି ଥରି ଉଠିଲା, ତୁଣ୍ଡ ଖନି ମାରିଗଲା, ସେ ରିକେ ତୁନି ହୋଇ ଦୋଇଲା ନାଇଁରେ ପୁଅ, ମୁଁ ତୋତେ ଜନ୍ମ କରିନାହିଁ, କିଣି ନାହିଁ କି ଗୋଟେଇ ଆଣି ନାହିଁ । ବୁଢ଼ା କୁଆଡ଼େ ମାଛ ମାରି ଯାଇଥିଲା, ସେ ଜାଲରେ ଗୁଡ଼ାଗୁଡ଼ି କରି ଆଣି ଏତେ ନଟକୁଟ କଲା । ମୁଁ ତ ପିଲାରଙ୍କୁଣୀ ହୋଇଥିଲି, ତୋତେ ପାଇବାରୁ ପୁଅ ବୋଲି ପାଳିଲି । ଏ କଥା ଶୁଣି ସଭାଲୋକେ ନିର୍ବେଦ ହୋଇ ଚାହିଁ ରହିଲେ । ପୁଣି ସେ କେଉଟପିଲା କରଣ ବୁଢ଼ୀକି ଚାହିଁ ବୋଇଲା–ତୁମେ ଏ ସଭାରେ ତମ୍ବା, ତୁଳସୀ, ଶାଳଗ୍ରାମ ଧରି କହ ସେ କିପରି ତୁମର ଝିଅ । ସେ କହିଲା–ନାହିଁ ରେ ବାପ, ସେ କାହାର ଝିଅ ମୁଁ କିଛି ଜାଣିନାହିଁ-। ବୁଢ଼ା କୁଆଡ଼େ ଗଜଣା ଅସୁଲ କରିବାକୁ ଯାଇଥିଲା । ଆସିଲା ବେଳକୁ ତାର ସଙ୍ଗରେ ଆଣି ଘରେ ରଖିଲା । ମୋର ପିଲାଝିଲା କିଛି ନ ଥିବାରୁ ମୁଁ ତାକୁ ଝିଅ କରି ପାଳିଅଛି । ସେ ପିଲା ମୋ ଘରକୁ ଆସିଲାବେଳେ କଞ୍ଚା ପୋଖତୀ ପରି ତାର ଦେହ ହୋଇଥିଲା । ମୁଁ ପୋଖତୀ ଚିକିତ୍ସାରେ ରଖିବାରୁ ମାସକରେ ତାର ଦେହ ଶୁଖିଲା । ଆଉ ଏଡ଼େବଡ଼ ସଭାରେ ହଲପ ଧରି ମିଛ କହିବାକୁ ମୋତେ କି ଲାଭ । ତେଣୁ ସତ କଥାଟି କହି ଦେଲି । ଏହା ଶୁଣି ସଭାଲୋକେ ସେ କନ୍ୟାକୁ ପଚାରିଲେ, “ଏଥିରେ ତୋତେ କଣ ଜଣା ଅଛି ସତ୍ୟକରି କହଟି ।” ସେ କାନ୍ଦି କାନ୍ଦି ତାର ପୂର୍ବକଥାଯାକ ମୂଳରୁ ଶେଷଯାଏ ଗୋଟି ଗୋଟି କରି ଅଭିକଳ କହିଗଲା । ସଭାଲୋକେ ଏ ସବୁ ଘଟଣା ଶୁଣି ନିଶ୍ଚୟ କରି କହିଲେ, “ଏ ଦୁହେଁ ମାତା ପୁତ୍ର, ଏଥିରେ ସନ୍ଦେହ ନାହିଁ । କରଣ, କେଉଟ ଦୁହେଁ ଛାଡ଼ିଦିଅ, ସେ ମା ପୁଅ ଆନନ୍ଦରେ ତାଙ୍କ ଘରକୁ ଚାଲିଯାଆନ୍ତୁ ।” ସଭା ଲୋକଙ୍କଠାରୁ ଏପରି ଅନୁମତି ପାଇ ସାଧବପୁତ୍ର ତାର ମାତା ଚରଣରେ ଦଣ୍ଡପ୍ରଣାମ କରି ତାକୁ ଶଗଡ଼ରେ ବସାଇ ପିତାଘରକୁ ଯିବା ପାଇଁ ବାଟେ ବାଟେ ବାହାରିଲା । କେଉଟ କରଣ ଦୁହେଁ ବୋକା ହୋଇ ଯେ ଯାହାର ଘରେ ରହିଲେ । ସଭା ଭଙ୍ଗ କରି ଭଦ୍ରଲୋକେ ଗଲେ । ଏଣେ ମା ପୁଅ ଦୁହେଁ ଯେ ଯାହାର ଦୁଃଖ କୁହାକୁହି ହୋଇ ଶଗଡ଼ରେ ବସି ଯାଉ ଯାଉ କେତେକ ଦିନ ପରେ ଯାଇ ମନୋହରପୁର ନିକଟରେ ପହଞ୍ଚିଲେ । ଗଲାବେଳକୁ ସାଧବଘର ଭାଙ୍ଗିରୁଜି ଡିହ ହୋଇଗଲାଣି । ତହିଁରେ ଗଛ ଉଠି ଫଳ ଫଳଲାଣି । ପୁଅ ତ ପୂର୍ବକଥା କିଛି ଜାଣେ ନାହିଁ । ମା’କୁ ପଚାରିଲା ଆମ ଘର ପରା ଏହି ଗ୍ରାମରେ, କାଇଁ କେଉଁଘରେ ଦେଖଟି ? ମା ବୋଇଲା ଆରେ ପୁଅ ତୋତେ କଅଣ କହିବି ? ଏହି ପଡ଼ିଆ ଡିହରେ ଷୋଳପୁର ଉଆସ ଥିଲା । ସେହି ଉଆସରେ ତୋର ବାପ ବଡ଼ବାପ ଥିଲେ । ଦାଦିମାନେ ଏବଂ ବଡ଼ ମା ମାନେ ଥିଲେ, ଧନ ସମ୍ପଦରେ ଘର ପୁରି ଉଠୁଥିଲା । ଏବେ ତ କେହି ନାହାନ୍ତି । ଘର ଭାଙ୍ଗି ଡିହ ହୋଇଗଲାଣି । ତୋତେ ଆଉ କଣ ଦେଖାଇଛି । ଏହା ଶୁଣି ପୁଅ ବୋଇଲା, ଆମେ ଆଉ ଚିହ୍ନା ପଡ଼ିବା ନାହିଁ । ବେପାର କରି ଆସିଥିଲା ପରି ଗୋଟିଏ ଘରଭଡ଼ା କରି ରହିବା । ଏଠାରେ କେତେ ଦିନ ରହିଲେ ଅବଶ୍ୟ ସେମାନଙ୍କର ତଥ୍ୟ ଖବର ମିଳିବ । ଏମନ୍ତ ବିଚାର କରି ଗୋଟିଏ ଦୋତାଲା ଘରଭଡ଼ା ନେଇ ରହିଲେ । ଗୋଟିଏ ଲୁଗା ଦୋକାନ କରି ବିକାକିଣା କରୁଥାନ୍ତି । ସାଇପଡ଼ିଶା ଲୋକଙ୍କୁ ସାଧବ ଘର କଥା ପଚାରିବାରୁ ସେମାନେ କହିଲେ, ତାର ସାନବୋହୁ ଗଲାଦିନୁ ତା ଘରକୁ କି ପାପଦଶା ପଡ଼ିଲା ଯେ ଘର ପୋଡିଗଲା, ଧାନ ଦ୍ରବ୍ୟ କୁଆଡ଼େ ଉଭେଇଗଲା । ଖାଇବାକୁ ପିନ୍ଧିବାକୁ ନ ପାଇ ହିଡି ଗିଡି ହୋଇ ବଂଶଟାଯାକ ବଡ଼ ହିନଅବସ୍ତାରେ ଅଛନ୍ତି । ଘର ନାହିଁ ଯେ କାର ବାରଣ୍ଡାରେ କୁଠି ଡାଳପତ୍ର କୁଡିଆ କରି ରହିଅଛନ୍ତି । ପ୍ରତିଦିନ ବଂଶଯାକ ବଣକୁ ଯାଇ କାଠ ବୋଝେ ଲେଖେଁ ଅଶି ବଜାରରେ ବିକିଲେ ଯାହା ମିଳୁଅଛି ତହିଁରେ ଦରଖିଆ ଦରଜାଅ ହୋଇ ରହୁଛନ୍ତି । ଏହା ଶୁଣି ସାଧବ ବୋହୁ କପାଳରେ ହାତମାରି ବଡ଼ ବିକଳରେ କାନ୍ଦିଲା । ପୁଅ ବୋଇଲା, । ଆମେ ତ କିପରି ଦଶା ଭୋଗ କରି କେତେ ଦୁଃଖରେ ଏଠାକୁ ଆସିଲେ, ତାହା ନିଜେ ଭେଟିଅଛୁ, ଆଉ ପରପାଇଁ କାହିଁକି ଏତେ ଶୋକ କରିବା ।” ବଡ଼ ପୁରୁଷେ କହିଛନ୍ତି, “ଆପେ ମଲେ ଯୁଗବୁଡ, ପରମଲେ ପାଣିବୁଡ” ଏଥିପାଇଁ ଚିନ୍ତା କଣ ? ଦେଖିବ ମୁଁ ଭଲକରି ବୁଝେ । ମା’କୁ ଏପରି କହି ବଜାର ଦାଣ୍ଡକୁ ଯାଇ ଟିକିଏ ବସିଛି, ସେତିକିବେଳେ ସାଧବ ଘର ବଂଶଯାକ କାଠ ବୋଝେଲେଖେଁ ମୁଣ୍ଡରେ ଧରି ବିକ୍ରି କରିବାକୁ ଆସିଲେ । ତାକୁ ସେ ହୀରାଲାଲ କହିଲା, “କାଠ ବୋଝକ କେତେ ନେଇ ବିକୁଅଛି ।” ସେମାନେ କହିଲେ, “ଦୁଇଅଣା ଲେଖେଁ ଦେଉଅଛୁଁ ।” ହୀରାଲାଲ ବୋଇଲା, ମୁଁ ତିନିଅଣା ଦେବି । ପ୍ରତିଦିନ ମୋ ଦୁଆରେ ସବୁଯାକ ଦେଇ ପଇସା ନେଇ ଯାଉଥିବ । ଏହା ଶୁଣି ସେମାନେ ବଡ଼ ଆନନ୍ଦରେ ତାକୁ ସେ କାଠଯାକ ଦେଇ ପଇସା ଗଣିନେଲେ । ଏପରି ଦୁଇ ତିନିଦିନ ଗଲାପରେ ହୀରାଲାଲ କହିଲା କାଲି ମୋର ଗୋଟେ ଆଡ଼େ ଯିବାକୁ ଅଛି । ତୁମ୍ଭେମାନେ ବେଳ ପହରେ ଥାଇ ଆସିଲେ ମୁଁ ପଇସା ଦେଇ ଚାଲିଯିବି । ଏହା ଶୁଣି ସେମାନେ ସେହିପରି ଆସିବୁ ବୋଲି କହି ଫେରିଗଲେ । ଆରଦିନ ଏ ମା ପୁଅ ଦୁହେଁ ବେଳ ପ୍ରହରେ ଥାଉ ଥାଉ ଦେ ମହଲା ଉପରେ ବସି ଦାଣ୍ଡକୁ ଚାହିଁଛନ୍ତି, ତେଣୁ ସେ ପନ୍ଦରଜଣଯାକ କାଠ ବୋଝେ ଲେଖେଁ ମୁଣ୍ଡେଇ ଧାଡି ଲାଗି ଆସିଲେ । ହୀରାଲାଲ ବୋଇଲା–ମା, ଏମାନେ ତୋର କିଏ କଣ ହେବେ କହିଲ । ସାଧବ ବୋହୁ ତାଙ୍କର ଏ ଦାସ ଦେଖି ବିକଳରେ କାନ୍ଦି କାନ୍ଦି ଆଙ୍ଗୁଠି ଦେଖାଇ ଗୋଟି ଗୋଟି କରି ପୁଅକୁ ଚିହ୍ନଇ ଦେଲା । ତହିଁପରେ ହୀରାଲାଲ ତଳକୁ ଆସି ସେମାନଙ୍କୁ କହିଲା, “ତୁମ୍ଭେମାନେ ଆଜିଠାରୁ ଆଉ କାଠ ହାଣିବାକୁ ଯାଅ ନାହିଁ । ମୁଁ ଭଲ ଲୁଗାପଟା ଦେଉଅଛି ପିନ୍ଧ । ଆଉ ପାଞ୍ଚହଜାର ଟଙ୍କା ମୋ ଠାରୁ ନିଅ । ଗୋଟିଏ ଘର ଭଡ଼ା କରି ତହିଁରେ ରହି ପାଞ୍ଚଜଣ ପୁରୁଷ ବେପାର ବଣିଜ କର । ଆଉ ଦୁଇଜଣ ତୁମ୍ଭର ଯେଉଁଠି ଡିହ ଅଛି, ସେହି ଡିହରେ ଘର ତୋଳିବାକୁ ଲାଗ । ଅତି ସୁନ୍ଦର କୋଠାଘର ତିଆରି କର । ଯେତେ ତାଙ୍କ ଲାଗୁ ସବୁ ମୋଠାରୁ ଆସି ନେଇ ଯାଉଥିବ । ଆଜିଠାରୁ ତୁମ୍ଭର ସ୍ତ୍ରୀଲୋକମାନେ ଦାଣ୍ଡକୁ ବାହାରିବେ ନାହିଁ । ତୁମ୍ଭେ ବେପାରରେ ଲାଭ ପାଇଲେ ମୋର ଧନଯାକ ଆସ୍ତେ ଆସ୍ତେ ସୁଝିଦେବ-।” ଏହା କହି ତାଙ୍କୁ ଅନେକ ଲୁଗାପଟା ଦେଇ ନଗଦ ଦଶହଜାର ଟଙ୍କା ଗଣିଦେଲା । ସେମାନେ ଅନ୍ଧ ଚକ୍ଷୁଦାନ ପାଇଲା ପରି ଆନନ୍ଦ ହୋଇ ତକ୍ଷଣେ ଗୋଟିଏ ଘରଭଡ଼ା ନେଇ ରହିଲେ । ସେଦିନ ରାତିରେ ସାତଭାଇଯାକ ବସି କିଏ କଣ କରିବା ବୋଲି ବିଚାର କରୁଅଛନ୍ତି, ସେତିକିବେଳେ ବୁଢା ଉଠି କହିଲା, “କିରେ ! ଟଙ୍କାଗୁଡାକୁ କଣ ଗୁଡୁମୁଆଁ ବୋଲି ବିଚାରିଲେ କି ? ଲେଖା ନାହିଁ ପଢା ନାହିଁ, ଦସ୍ତାବେଜ ନାହିଁ, ପତ୍ରନାହିଁ, ସାକ୍ଷୀ ନାହିଁ, ସନ୍ତକ ନାହିଁ । କୁଆଡୁ ଅଚିହ୍ନା ଲୋକୁଟେ ଆସି ତୁମ୍ଭକୁ ଟଙ୍କାଗୁଡେ ଦେଇ ପକେଇଛି ବୋଲି ଆନନ୍ଦ ହୋଇଛ କି ? ମୁଁ ଏଥିରୁ ଜାଣୁଅଛି ସେଇଟା ବଡ଼ ଦୃଷ୍ଟ ଲୋକ ହୋଇଥିବ । ଟଙ୍କା ଦେଇ ଆମ ସଙ୍ଗେ ବିଶ୍ଵାସ କରି ଦିନେ ଆମ୍ଭଙ୍କୁ ମେରିଆ ଦେବ । ତା ଟଙ୍କାଯାକ ନେଇ ବେଗେ ତାକୁ ବାହୁଡାଇ ଦିଅ ।” ଏହା ଶୁଣି ପୁଅମାନେ ବୋଇଲେ–ତୋରି ବୁଦ୍ଧିରେ ପଡ଼ି ଆମେ ସାନବୋହୁକୁ ଛାଡ଼ି ଦେଲ ଯେ, ସେ ଗଲା ଦିନୁ ଆମର ସୁନା ଘର ଚୂନା ହୋଇଗଲା । ଆମେ ଯେତେ ହୀନଅବସ୍ଥା ହେଲ ତାହା କହିଲେ ନ ସରେ । ଏବେ ସେହିପରି ବୁଦ୍ଧି ଶିଖାଉଅଛୁ ଯେ, ଆମେ ତୋରି କଥାରେ ଥିବୁ କି ? ଏହା କହି ସାନ ପାଞ୍ଚଭାଇ ବେପାରରେ ଲାଗିଲେ । ବଡ଼ ଦୁଇଭାଇ ଘର ତୋଳାରେ ଲାଗିଲେ । ଚାରି ପାଞ୍ଚମାସ ସରିକି ବେପାରରୁ ଦୁଇଗୁଣ ଟଙ୍କା ଲାଭ ହେଲା । ଏଣେ ଘର ତୋଳା ଶେଷ ହୋଇଗଲା । ତହିଁପରେ ସେ ସମସ୍ତ ଯାଇ ହୀରାଲାଲକୁ କହିଲେ–ବାବୁ । ତୁମ୍ଭ ଦୟାରୁ ଆମ୍ଭେ ବେପାରରୁ ଅନେକ ଟଙ୍କା ଲାଭ କଲୁ । ଏଣେ କୋଠା ଘର ତିଆରି ସରିଲାଣି । ଏଣିକି ଯାହା କହିବ ତାହା କରିବୁ । ହୀରାଲାଲ ବୋଇଲା, ଭଲଦିନ ଦେଖି ଅଗ ଘର ପ୍ରତିଷ୍ଠା କର । ତହିଁ ପରେ ଯାହା କରିବ ମୁଁ କହିବି । ଏ କଥା ଶୁଣି ସାଧବ ପୁଅମାନେ ଭଲଦିନ ବୁଝି ପ୍ରତିଷ୍ଠା ବିଧି ଯୋଗାଡ କରି ହିରଲାଲକୁ ଯାଇ କହିଲେ, ସବୁ ଠିକଣା ହେଲା । କାଲି ସକାଳୁ ତୁମ୍ଭେ ଯାଇ ବସିଲେ ଘର ପ୍ରତିଷ୍ଠା ହେବ । ଏହା ଶୁଣି ହିରଲାଲ ତହିଁରେ ରାଜି ହୋଇ ଆର ଦିନ ସକାଳୁ ଯାଇ ନୂଆ ଘରେ ପହଞ୍ଚିଲା । ସାଧବଘର ସମସ୍ତେ ନୂଆଲୁଗା ପିନ୍ଧିଲେ । ପୁରୋହିତ ବସି କର୍ମ ଆରମ୍ଭ କଲେ । ସେତିକିବେଳେ ହିରଲାଲ ସାଧବାଣୀ ବୁଢିକି ପଚାରିଲା ତୁମ୍ଭର ସାତ ପୁଅ ଅଛନ୍ତି ଏବଂ ଛଅ ବୋହୁ, ଅଛନ୍ତି ଆଉ ଗୋଟିଏ ବୋହୁ କେଉଁଆଡ଼େ ଗଲା ?

 

ଏହା ଶୁଣି ବଂଶଯାକ କାନ୍ଦି ଉଠିଲେ । ବୁଢୀ ପୂର୍ବ କଥାଯାକ ସବୁ କହି ସେ ମଧ୍ୟ କାନ୍ଦିଲା । ତାହା ଶୁଣି ହିରାଲାଲ ବୋଇଲା ଆଜି ଶୁଭ ଦିନରେ ଆଉ ଏପରି କାନ୍ଦ ବୋବା କର ନାହିଁ ତୁମ୍ଭର ତ ଛଅ ବୋହୁ ଅଛନ୍ତି, ଏଠାକୁ ମୋର ମା ଆସନ୍ତୁ ଯେ ସାତଜଣ ହୋଇଯିବେ । ଆଜି ପ୍ରତିଷ୍ଠା ବିଧି ଶେଷ ହେଲେ ଆମେ ମା ପୁଅ ଦୁହେଁ ଆମ ଘରକୁ ଯିବୁଁ । ତୁମେ ସୁଖେ ତୁମେ ରହିବ-। ସେ ଏପରି କହିବାମାତ୍ରେ ସାଧବ ପୁଅମାନେ ତକ୍ଷଣେ ସୁଅରି ନେଇ ହୀରାଲାଲ ର ମାତାକୁ ଆଣିବା ପାଇଁ ଗଲେ । ହିରାଲାଲ ମଧ୍ୟ ତାଙ୍କ ସଙ୍ଗେ ଥାଏ । ସାଧବ ସାନବୋହୁ ହିରଲାଲ ର ମାତା ତାର ବିଭା ସମୟର ପାଟଶାଢ଼ୀ ଖଣ୍ଡିକ ରଖିଥିଲା-। ସେହି ଶାଢ଼ୀଟି ପିନ୍ଧି ସୁଅରିରେ ବସିଲା-। ସେ ଘରକୁ ଆସିବାରୁ ବଡ଼ ବୋହୁମାନେ ବୋଇଲେ ଏ ପାଟଶାଢ଼ୀ ତ ଆମ ସାନଯାଆର ବିଭାଘର ପାଟଶାଢ଼ୀ ? ଏ କେଉଁଠୁ ପାଇଲା । କି ଅବା ସତେ ଦଇବ ଆଣି ଆମର ସାନ ଯାଅକୁ ଦେଲା କି ? ଏପରି କହି ସବୁ ଯାଆଯାକ ବେଢି ଦେଖିଲା ବେଳକୁ ସତକୁ ସତ ସେହି ତାଙ୍କର ସାନ ବୋହୁ । ସେଠୁ କୁଣ୍ଢାକୁଣ୍ଢି ହୋଇ ଯାଆମାନେ କାନ୍ଦିଲେ । ସାନବୋହୂ ସବୁରି ଗୋଦା ତଳେ ପଡ଼ି ଯେତେ ଦୁଃଖ ପାଇଥିଲା, ପଛେ ପୁଅକୁ ଯେପରି ପାଇଲା ତା ସବୁ କହିଲା । ସାଇ ପଡ଼ିଶା ସଇସଙ୍ଗାତୁଣୀମାନେ ଆସି ପଚରାସଙ୍ଖୁଳା କଲେ । ଅନେକ ଉତ୍ସବରେ ଘର ପ୍ରତିଷ୍ଠା ହେଲା । ବାପା ଓ ଦାଦିମାନେ ହିରାଲାଲକୁ କୋଳକରି ମହାଆନନ୍ଦରେ ଘରେ ସରଦାର କରି ରଖିଲେ । ହିରାଲାଲର ପାଦ ପଡ଼ିବାମାତ୍ରେ ପୂର୍ବପରି ଘରେ ଅଚଳ ଲକ୍ଷ୍ମୀ ବିଜେ କଲେ । ଏହା ଦେଖି ସାଧବ ବୁଢ଼ା ଆଉ ସମ୍ଭାଳି ପାରିଲା ନାହିଁ । ସେ ରାଗରେ ଜରଜର ହୋଇ ଜିଭ ଉପୁଡ଼େଇ ମରିଗଲା । ପୁଅ ବୋହୂ ମାନେ ତାର ଏ ଗୁଣ ସବୁଦିନକୁ ଲୋକେ ଜାଣୁଥାନ୍ତୁ ବୋଲି ତାର ପ୍ରତିମୂର୍ତ୍ତିଟିଏ ପଥରରେ ଗଢ଼ାଇ ସେଠାରେ ବସାଇ ଦେଇ ଅଛନ୍ତି ଯେ, ଆଜି ପର୍ଯ୍ୟନ୍ତେ ସେହିପରି ଅଛି । ଆରେ ଅବୋଲକରା, ଏ କଥା ଏତିକି, ଫୁଲ ଫୁଟେ କେତକୀ ।

Image

 

ମୂର୍ଖ ପଣ୍ଡିତ କଥା

 

ଜିଭ ଉପୁଡ଼ା ସୌଦାଗର କଥା କହି ସାମନ୍ତ ବ୍ରାହ୍ମଣ ସେଠାରୁ ଯିବାପାଇଁ ବାହାରିଲେ । ଅବୋଲକରା ଲୁଗା ପଟା, ବାସନ କୁସନ ଭାର ଧରି ତାଙ୍କ ପଛେ ପଛେ ଚାଲିଲା । ଯାଉ ଯାଉ ଦୁଇ ତିନି ଓଳିର ବାଟ କ୍ରମେ କ୍ରମେ ପାର ହୋଇଗଲେ । ତହିଁ ପରେ ମଣିଭଦ୍ରପୁର ନାମକ ଗୋଟିଏ ଗ୍ରାମ ପଡ଼ିଲା । ସେଠାରେ ବେଳ ଉଛୁର ହୋଇ ଯିବାରୁ ସେହି ଗ୍ରାମର ପୋଖରୀ କୂଳ ବରଗଛ ମୂଳରେ ରହିଲେ । ସେଠାରେ ରନ୍ଧାବଢ଼ା କରି ଖିଆପିଆ ସାରିଲେ । ସାମନ୍ତଙ୍କୁ ଆଶକତ ଲାଗିବାରୁ ସେ ମୃଗଛାଲରେ ଶୋଇ ଟିକେ ବିଶ୍ରାମ କରିଅଛନ୍ତି । ଅବୋଲକରା ଏଠାରେ କଣ ହେଲେ ଆଶ୍ଚର୍ଯ୍ୟ କଥା ଥିବ ବୋଲି ଏଣେତେଣେ ବୁଲୁ ବୁଲୁ ଦେଖିଲା ଯେ ଗୋଟିଏ ତୁଳସୀ ଚଉରା ଅଛି । ତାରି ଚାରି ପଟରେ ଚାନ୍ଦିନୀ ବନ୍ଧାହୋଇ ଉପରେ ଛାମୁଣ୍ଡିଆ ହୋଇଅଛି । ସେ ଚାନ୍ଦିନୀର ବାଡ଼ରେ ଶିଳାଲିପିରେ ଲେଖାହୋଇଅଛି, ‘ମୂର୍ଖ ପଣ୍ଡିତଙ୍କ ପରି ଆଚରଣ କରନାହିଁ, କଲେ ନିଶ୍ଚେ ପ୍ରମାଦରେ ପଡ଼ିବ ।’ ଅବୋଲକରା ତାହା ପଢ଼ି ବିଚାରିଲା, କଣ ମୂର୍ଖ ପଣ୍ଡିତଙ୍କ ପରି କରିବ ନାହିଁ । ପଣ୍ଡିତ ଗୁଡାକ କିପରି ମୂର୍ଖ ହେଲେ ? ଏପରି କାହିଁକି ଲେଖା ହୋଇଅଛି ? ଏହି କଥା ଭାବି ଭାବି ଲେଉଟି ଆସି ସାମନ୍ତଙ୍କୁ ବୋଇଲା–ଗୋସାଇଁ, ଏହି ଗ୍ରାମର ତୁଳସୀ ଚଉରା ପାଖ ଚାନ୍ଦିନୀ ବାଡ଼ରେ ଶିଳାଲିପି ଖୋଳା ହୋଇଅଛି ସେହି ବାଟରେ ଯିବା । ଏପରି ପଣ୍ଡିତ ବୁଦ୍ଧିରେ ନିଶ୍ଚୟ କରି ସେ ଶବବୁହାଳୀଙ୍କ ଯିବା ବାଟରେ ଯାଇ ମଶାଣି ପଦାରେ ପହଞ୍ଚିଲେ । ସେ ମଶାଣି ପଦାରେ ଗୋଟିଏ ଗଧ ଚରୁଥିଲା । ସେ ଗଧଟାକୁ ଦେଖି ଏ ମୂର୍ଖ ପଣ୍ଡିତମାନେ ବିଚାର କଲେ–‘‘ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ଶତ୍ରୁ ବିଗ୍ରହେ । ରାଜଦ୍ୱାରେ ଶ୍ମଶାନେ ଚ ଯଃ ତିଷ୍ଠତି ସ ବାନ୍ଧବଃ ।” ଉତ୍ସବ କାଳରେ, ବ୍ୟସନ କାଳରେ - ଅର୍ଥାତ ଜୁଆଖେଳ, ବେଶ୍ୟାସଙ୍ଗ ବା ମାଲିମୋକଦ୍ଦମା କରିବାକୁ ମନ ପ୍ରବତ୍ତଥିବା ସମୟରେ, ଦୁର୍ଭିକ୍ଷ କାଳରେ, ଶତ୍ରୁ ଉପସ୍ଥିତ ହେବା କାଳରେ, ରାଜଦ୍ୱାରରେ ଏବଂ ଶ୍ମଶାନରେ ଯେ ବ୍ୟକ୍ତି ଉପସ୍ଥିତ ହୋଇଥାଏ, ତାହାକୁ ନିଜର ବନ୍ଧୁ ବୋଲି ଜାଣିବ ।

 

ଏପରି ଶ୍ଲୋକ ଅର୍ଥ କରି ସେ ମୂର୍ଖ ପଣ୍ଡିତମାନେ କହିଲେ, ଏ ଗଧ ଶ୍ମଶାନରେ ଉପସ୍ଥିତ ହୋଇଅଛି । ଶ୍ଲୋକ ଅର୍ଥକୁ ବିଚାର କଲେ ଏ ଆମ୍ଭର ବନ୍ଧୁ ହେଲା । ଚାଲ, ଚାରିଜଣ ଯାକ ଏହାକୁ ଆଦର କରି ଅଭ୍ୟର୍ଥନା କରିବା । ଏହା ନିଶ୍ଚୟ କରି ଜଣେ ପାଣି ଢ଼ାଳେ ଧରି ସେ ଗଧର ଗୋଡ଼ ଧୋଇବାକୁ ଗଲା । ଆଉ ଜଣେ ତାର ବେକକୁ କୁଣ୍ଢେଇ ମୁହଁରେ ଚୁମ୍ବନ ଦେବାକୁ ଲାଗିଲା । ଆଉ ଜଣେ ତାର ଗୋଡ଼ ଘଷିଦେବ ବୋଲି ଗଲା । ଆଉ ଜଣେ ପ୍ରିୟ ସମ୍ବାଦ ପଚାରିବେ ବୋଲି ଆଗରେ ଯାଇଁ ବସିଲା । ଏପରି ସେ ଗଧଟା ସଙ୍ଗେ ଲାଗିବାରୁ ସେ ସିନା ଠିଆ ହୋଇଥିଲା । ସେହିକ୍ଷଣି ଚମକି ପଡ଼ି ପଳାଇ ଯିବାକୁ ବାହାରିଲା । ଲୋକେ ତ କହନ୍ତି–ମଠୁଆ ନ ଚଳିଲେ ନାଇଁ ଚଳିଲେ ଲଙ୍ଗଳ ଯୁଆଳି ଭାଙ୍ଗେ । ସେହିପରି ଗଧ ଯେତେ ମଠୁଆ ହେଲେ କଣ ହେବ । ତାକୁ ଚାରିଆଡ଼ୁ ଏ ଚାରିଜଣ ବେଢ଼ି ଯିବାରୁ ଭଡ଼୍‌କିନା ଦଉଡ଼ି ପଳାଇବା ପାଇଁ ଏ ଚାରିଟାଯାକୁ ଚକଟା ମନ୍ଥାକରି ଡେଇଁଗଲା । ଏମାନେ ବୋଇଲେ ହାଁ ହାଁ ମହାଶୟ, ଆପଣ ଆମର ପରମବନ୍ଧୁ ବୋଲି ଅଭ୍ୟର୍ଥନା କରୁ କରୁ ଆପଣ କାହିଁକି ଏଡ଼େ କ୍ରୋଧ ହେଉଅଛନ୍ତି ? ସୁସ୍ଥିର ହୁଅନ୍ତୁ, ଆଉ ଆମ୍ଭର ଅପରାଧ ଥିଲେ କ୍ଷମା କରନ୍ତୁ ।

 

ଏପରି କହି କହି ତାର ପଛେ ପଛେ ଗୋଡ଼ାଇଲେ । ଏମାନେ ପଛଆଡ଼ୁ ଯେତେ ଗୋଡ଼ାଇଲେ, ସେ ତତୋଽଧିକରେ ଧାଇଁ ପଳାଇଲା । ସେ ସ୍ଥାନର ଜଣେ ଲୋକ ଏ ଘଟଣା ଦେଖି ଯାଇ ଯେଉଁ ଧୋବାର ସେ ଗଧ ତାକୁ କହିଲା–ତୋର ଗଧଟାକୁ କେଉଁଆଡ଼ୁ ଚାରିଟା ଚୋର ଆସି ବାନ୍ଧିନେବାକୁ ଲାଗିଅଛନ୍ତି । ଧୋବା ଏ କଥା ଶୁଣିବାମାତ୍ରେ ତାର ପୁଅ ଓ ଭାଇ ଓଗେର ପାଞ୍ଚ ସାତଜଣ ଠେଙ୍ଗା ପଟେ ପଟେ ଧରି କିଏରେ ଚୋର; ଆମର ଗଧ ନେଉଅଛ ବୋଲି ସେ ଚାରି ପଣ୍ଡିତଯାକଙ୍କୁ ପିଟିବା ପାଇଁ ଘେରିଗଲେ । ଧୋବାମାନଙ୍କର ଉଗ୍ରମୂର୍ତ୍ତ ଏବଂ ଠେଙ୍ଗା ଉଞ୍ଚାଇବା ଦେଖି ସେମାନେ ଭୟରେ ଥରି ଥରି କହିଲେ, ଆମେ ତୁମ୍ଭର ଗଧକୁ ନେଉ ନାହୁଁ । ପାଠ ଅନୁସାରେ ସେ ଆମ୍ଭର ବନ୍ଧୁ ହେଲେ ବୋଲି ତାଙ୍କୁ ଅଭ୍ୟର୍ଥନା କରୁଥିଲୁ । ଧୋବାଗୁଡ଼ିକ ଅଭ୍ୟର୍ଥନା ବୋଇଲେ କଣ ତାହା କାହିଁକି ବୁଝିବେ; ଚୋର ବୋଲି ସେ ଚାରିଜଣଯାକଙ୍କୁ ଚଉକାଠି କରି ବାନ୍ଧି ନେଇଗଲେ । ଗାଁକୁ ନେବାରୁ କେତେକ ଭଦ୍ରଲୋକ ଆସି ଦେଖିଲେ ସେ ଚାରିଜଣଯାକ ବ୍ରାହ୍ମଣ, ପୁଣି ପଣ୍ଡିତ ଅଟନ୍ତି । ତେଣୁ ଧୋବାକୁ ଗାଲିମନ୍ଦ ଦେଇ ଏମାନେ ଚୋର ନୁହଁନ୍ତି ବୋଲି ଫିଟାଇ ଦେଲେ । ପରେ ସଙ୍ଖୁଳା କରି ସେମାନଙ୍କର ଯାବତ ବିଷୟ ବୁଝିବାରୁ ଏମାନେ ଅନେକ ପାଠ ପଢ଼ିଥିବାର ଜାଣିପାରି ଗୋଟିଏ ବସାଘର ଦେଇ ରଖାଇଲେ । ତହିଁପରେ ତାଙ୍କୁ ଭୋଜନ ଦେବାପାଇଁ ସେହି ଗ୍ରାମର ଚାରିଘର ବ୍ରାହ୍ମଣ ସେ ଚାରିଜଣଙ୍କୁ ନିମନ୍ତ୍ରଣ କଲେ । ତହିଁ ମଧ୍ୟରୁ ଗୋଟିଏ ଘର ଚକୁଳି ପିଠା କରିଥିଲା । ତହିଁରୁ ଚକୁଳିଗୁଡ଼ିଏ, କ୍ଷୀର ମନ୍ଦେ, ଚିନିରୁ କିଛି ବାଢି ପ୍ରଥମ ଜଣକୁ ଡାକି ନେଲା । ସେ ଯାଇ ଖାଇବାକୁ ବସିଲାବେଳେ ଦେଖିଲା ଯେ, ଗୋଟେ ଗୋଟେ ଚକୁଳିରେ ୨୦/୩୦ ଟା ଲେଖାଏଁ କଣା ଅଛି । ତାହା ଦେଖି ବିଚାରିଲା–‘ଛିଦ୍ରେଷ୍ୱନର୍ଥା ବହୁଳୀ ଭବନ୍ତି ।’ ଛିଦ୍ରମାନଙ୍କରେ ବହୁତ ଅନର୍ଥ ଥାଏ । ଏ ଛିଦ୍ର ପିଠାଗୁଡ଼ିକ ଖାଇଲେ କେଜାଣି ନ ଅନର୍ଥ ଘଟିବ ? ଅତଏବ ଏହା ଖାଇବା ଉଚିତ ନୁହେ । ଏପରି ଶ୍ଲୋକ ଅର୍ଥକରି ଭଡ଼୍‌କିନା ଉଠି ଉପାସରେ ପଳାଇଗଲା । ଦ୍ୱିତୀୟ ଜଣକୁ ଯେଉଁ ଘର ଭୋଜନ ଦେବାକୁ ଡାକି ନେଇଥିଲା, ସେ ଗୋଟିଏ ଧନୀଘର । ସେ ଅତିଥି ସତ୍କାର କରିବା ପାଇଁ ଶ୍ରଦ୍ଧାରେ ଡାଲି, ଭଜା, ଆମ୍ବିଳ, ବେସର, ପାଚଡ଼ି, ଚାରୁ ଏହିପରି ଦଶପନ୍ଦର ପ୍ରକାର ତୁଣ ଶାଗ ବାଢିଥିଲା । ତାହା ଦେଖି ଏ ପଣ୍ଡିତ ବିଚାରିଲା, ଅତି ଦର୍ପେ ହତା ଲଙ୍କା, ଅତିମାନେ ଚ କୌରବାଃ-। ଅତିମାନେ ବଳିବଦ୍ଧୋ ସର୍ବମତ୍ୟନ୍ତ ଗର୍ହିତଂ ।” ଯେ କୌଣସି ବିଷୟ ଅତିଶୟ ହେଲେ ଗରହିତ ବିନା ହିତ ହୁଏ ନାହିଁ । ଏ ମୋ ପାଇଁ ଅତିଶୟ କରି ତୁଣ ଶାଗଗୁଡେ ବାଢ଼ି ଅଛି-। ମୁଁ ଏହା ଖାଇଲେ ନିଶ୍ଚେ ଗରହିତ ହେବ । ଏମନ୍ତ ବିଚାର କରି ତାହା ନ ଖାଇ ପଳାଇଗଲା ।

 

ତୃତୀୟ ଜଣକୁ ଯେ ଡାକି ନେଇଥିଲା, ସେ ତାକୁ ପ୍ରଥମେ ଅନେକ ଆଦର କରି ଫୁଲ ଚନ୍ଦନ ଦେଇ ବହୁତ ପ୍ରିୟକଥା ପଚାରି ଗୋଟିଏ ଖରଡ଼ ଆସନ ବସିବାକୁ ଦେଇ ତେଣେ ଭାତ ବଢ଼ାଉ ଅଛି । ତା ଦେଖି ସେ ପଣ୍ଡିତ ବିଚାର କଲା–“ଅତିଅନ୍ତ ପ୍ରୀତି କରେ ଲଣ୍ଡଭଣ୍ଡ, ଅତିଅନ୍ତ ପ୍ରୀତି ହଗେ ବାବୁ ତୁଣ୍ଡ ।” ଏପରି ପାଠରେ ଅଛି, ଏ ଲୋକ ମୋର ବନ୍ଧୁ ବାନ୍ଧବ ନୁହେ । ଏ କାହିଁକି ମୋତେ ଆଦର କରୁଅଛି ? ଏଥିରୁ ଜଣାଯାଏ ପ୍ରଥମେ ଆଦର କରୁଅଛି, ପରେ ନିଶ୍ଚେଁ ଲଣ୍ଡଭଣ୍ଡ କରିବ । ମୁଁ ଏହା ଘରେ କେବେ ମାତ୍ର ଖାଇବି ନାହିଁ । ଏମନ୍ତ ବିଚାର କରି ଖାଇବାକୁ ଡାକୁ ଡାକୁ ତରତର ହୋଇ ପଳାଇଗଲା ।

 

ଚତୁର୍ଥ ଜଣକୁ ଯେ ଡାକି ନେଇଥିଲା, ତାର ଦୁଆରେ ଛେଳିଗୁଡ଼ିଏ ବନ୍ଧା ହୋଇଥିଲେ । ତାଙ୍କୁ ଦେଖି ଏ ପଣ୍ଡିତ ବିଚାରିଲା, ଆଜି ମୁଠେ ଖାଇବାକୁ ଦେବ, କାଲି ସକାଳୁ ଛେଳି ଜଗିବାକୁ ପଠାଇବ । ଖାଇବି କାହିଁକି, ଏତେ ହଇରାଣରେ ପଡ଼ିବି କାହିଁକି ? ଏମନ୍ତ ବିଚାର କରି ସେ ମଧ୍ୟ ନ ଖାଇ ପଳାଇଗଲା । ଚାରିଜଣଯାକ ଉପାସରେ ରହି ରାତି ଘଡ଼ିଏ ଅଛି ଉଠିକରି ପଳାଇ ଗଲେ-। ଯାଉଁ ଯାଉଁ ବେଳ ସାତ ଘଡ଼ି ହେଲା । ଗୋଟିଏ ଜାଗାରେ ରୋଷେଇ କରିବାକୁ ବିଚାର କଲେ । ଜଣେ ଘିଅ କିଣିବାକୁ ଗଲା । ଜଣେ ପରିବା କିଣିବାକୁ ଗଲା । ଜଣେ ଚାଉଳ କିଣିବାକୁ ଗଲା । ଜଣେ ରାନ୍ଧିବ ବୋଲି ଗାଧୋଇ ଗଲା । ଚାଉଳ କିଣିବାକୁ ଯେ ଯାଇଥିଲା, ସେ ଅନେକ ପ୍ରକାର ଚାଉଳ ଦେଖି ଏଥିରେ ଏ ରୋଗ ଅଛି, ସେଥିରେ ସେ ରୋଗ ଅଛି, ଏପରି ବାଛି ବାଛି ପରିଶେଷକୁ ମୋଟା ବଗଡ଼ା ଉଷୁନା ଚାଉଳରୁ ଦୁଇସେର କିଣି ଆଣିଲା । ପରିବା କିଣିବାବାଲା ସେପରି ବାଛି ବାଛି କଦଳିମଞ୍ଜା, ମୂଳା, ବାଡ଼ିଓଲୁଅ ଏଥିରୁ କିଛି ଭଲ ପରିବା ବୋଲି ବାଛି ଆଣିଲା । ରାନ୍ଧିବା ଲୋକ ରାନ୍ଧୁ ରାନ୍ଧୁ ଭାତ ଫୁଟିଲାବେଳେ ଟକମକ ଶୁଭିବାରୁ ବିଚାରିଲା–ଟକମକ ଶଦ୍ଦସ୍ୟ କୋଽର୍ଥଃ ? ଏହି ଯେଉଁ ଟକମକ ଶଦ୍ଦ ବାହାରୁଅଛି, ଏହାର ଅର୍ଥ କଣ ? ଏପରି ଭାବି ଭାବି ତାକୁ ଆଉ ସେ ଶଦ୍ଦର ଅର୍ଥ ଜଣା ପଡ଼ିଲା ନାହିଁ । ତେଣୁ ଢ଼ିମା ପଥରଟେ ଆଣି ସେ ଭାତହାଣ୍ଡି ଉପରେ ଛେଚିଦେଲା । ପଥରଟା ପଡ଼ିବାରୁ ଠୋ ପରା ଶୁଭି ହାଣ୍ଡିଟା ଗୁଣ୍ଡା ହୋଇଗଲା, ଭାତଯାକ ପଶି ଚୁଲିଟା ଲିଭିଗଲା, ଆଉ ଟକମକ ଶୁଭିଲା ନାହିଁ । ତା ଦେଖି ସେ ପଣ୍ଡିତ ହସ ହସ ହୋଇ ବୋଇଲା–ଆରେ, ଟକମକ ଶଦ୍ଦସ୍ୟ ଠୋ ଶଦ୍ଦ ନିବର୍ତ୍ତକାଃ । ଠୋ ଶଦ୍ଦ ଏକା ଟକମକ ଶଦ୍ଦକୁ ବନ୍ଦ କରିଦେଲା । ଏମନ୍ତ ବିଚାରି ଉପରକୁ ମୁହଁ ଟେକି ବସି ରହିଲା । ଯେ ଘିଅ କିଣିବାକୁ ଯାଇଥିଲା, ସେ ଗୋଟିଏ ବେଲାରେ ଆଠଅଣାର ଘିଅ କିଣି ଆସିଲାବେଳକୁ ବାଟରେ ବିଚାରିଲା–“ପାତ୍ରାଧୀନଂ ଘୃତଂ, ଘୃତାଧୀନଂ ପାତ୍ରଂ ।” ଏ ପାତ୍ରର ଅଧୀନ ହୋଇ ଘୃତ ରହିଅଛି କି ଘୃତର ଅଧୀନ ହୋଇ ପାତ୍ର ଅଛି । ଏପରି ବିଚାରି ବିଚାରି କିଛି ନିଶ୍ଚୟ କରି ନ ପାରିବାରୁ ବେଲାଟାକୁ ଲେଉଟାଇ ଦେଲା । ଘିଅତକ ତଳେ ପଡ଼ିଗଲା, ବେଲାଟା ହାତରେ ଅଛି । ତାହା ଦେଖି ବିଚାରିଲା, “ଆରେ ପାତ୍ରାଧୀନଂ ଘୃତଂ ।” ଘିଅଗୁଡାକ ପାତ୍ରର ଅଧୀନ ହୋଇ ରହିଥିଲା । ଏମନ୍ତ ନ୍ୟାୟଶାସ୍ତ୍ର ତଥ୍ୟ ପାଇ ଖାଲି ବେଲାଟା ଧରି ଫେରି ଆସିଲା । ଏଣେ ତ ଭାତ ହାଣ୍ଡିଟା ଭାଙ୍ଗି ଯାଇଅଛି । ଆଉ ଖାଇବେ କଣ ? ମୁହଁଟିମାନ ଶୁଙ୍ଘା ଶୁଙ୍ଘା କରି ଉପବାସରେ ସେଠାରୁ ଚାଲିଗଲେ । ଯାଉ ଯାଉ ବାଟରେ ଗୋଟେ ନଈ ପଡ଼ିଲା, ଦଇବରେ ସେ ନଈଟା ବଢ଼ିଥିଲା । ଏ ଚାରି ପଣ୍ଡିତଯାକ କୂଳରେ ଠିଆ ହୋଇ ଜଣେ ଲୋକକୁ ଦେଖି ପଚାରିଲେ, ଏ ନଈରେ କେତେ ପାଣି ହେବ ? ସେ କହିଲା, ନଈ ତ ଦୁଇ ପା’ରେ ବଢ଼ିଅଛି, କେତେ ପାଣି ହେବ ତୁମ୍ଭେ ଜାଣି ପାରୁନାହଁ ଯେ ମୋତେ ପଚାରୁଅଛ । ସେ ଲୋକ ଏପରି କହି ତା ବାଟେ ସେ ଚାଲିଗଲା । ଏ ଚାରି ପଣ୍ଡିତଯାକ ବିଚାର କଲେ–ମନୁଷ୍ୟଟା ଚାରିପା, ନଈ ଦୁଇପା ହେଲେ ଅଣ୍ଟେ ପାଣି ହେବ । ଜାଣିଲେ ତ ଆଉ କାହିଁକି କାହାକୁ ପଚାରିବା ଚାଲ ପଶିଯିବା । ଏମନ୍ତ ବିଚାର କରି ଗାମୁଛା ଖଣ୍ଡେ ଖଣ୍ଡେ ପାଲଟିଲେ, ଲୁଗାପଟା ପୋଥିପତ୍ର ଓଗେର ବୁଜୁଳାବାନ୍ଧ ମୁଣ୍ଡରେ ଧରି ନଈରେ ପଶିବାକୁ ଧାଡ଼ି ହୋଇ ବାହାରିଲେ । ଆଗରେ ଥିବା ଜଣକ ଗୋଡ଼ ପକେଇ ପଶିଯିବ ବୋଇଲା ବେଳକୁ ଖସି ପଡ଼ିଲା ଯେ ଅକାତ ପାଣିରେ ବୁଡ଼ିଗଲା । ମୁଣ୍ଡରୁ ବୁଜୁଳାଟା ନଈ ସୁଅରେ ପଡ଼ି ଭାସିଗଲା । ମଣିଷଟା ଭଉଁରୀ ଗାତରେ ପଡ଼ି ଭିତରେ ଭିତରେ ଭାସି ଖଣ୍ଡେ ଦୂର ଠାରେ ବାହାରିଲା । କୂଳରେ ଥିବାର ବାକି ତିନି ପଣ୍ଡିତଯାକ ଭାସିଗଲା ଭାସିଗଲା କହି କୂଳେ କୂଳେ ଧାଇଁଥାନ୍ତି । କେତେଦୂର ଗଲା ଉତ୍ତାରୁ ଯେଉଁ ମଣିଷଟା ଭାସି ଯାଉଥିଲା ସେ ଭଉଁରୀ ମୋଡ଼ରେ ପଡ଼ି କୂଳକୁ ଲାଗିଯିବାରୁ ତିନିଜଣ ମଧ୍ୟରୁ ଜଣେ ତାର ଗୋଡ଼ ଦିଟାକୁ ଧରି ପକାଇଲା । ଆର ଜଣେ ବୋଇଲା, ଚାହିଁଛ କଣ ରେ–“ସର୍ବନାଶ ସମୁତ୍ପନ୍ନେ ଅର୍ଦ୍ଧଂ ତ୍ୟଜନ୍ତି ପଣ୍ଡିତଃ ।” ସବୁନାଶ ହୋଇ ଯାଉଥିଲା ବେଳେ ପଣ୍ଡିତଲୋକ ଅଧେ ଛାଡ଼ି ଅଧେ ରଖି ପକାଇବ । ଏତ ସବୁଯାକ ଭାସି ଯାଉଅଛି । ପାଠ ଅନୁସାରେ ଆସ ଆମେ ଅଧେ ରଖି ଅଧେ ଛାଡ଼ିଦେବା । ଏହା ଶୁଣି ଆର ପଣ୍ଡିତ ଜଣକ ହଁ ହଁ ସତ ସତ କହି ଫାରସା ଟେକି ତାର ଅଣ୍ଟାଠାରୁ ହାଣିଦେଲା; ମୁଣ୍ଡଆଡ଼ୁ ଅଧିକ ନଈରେ ଭାସିଗଲା-। ଗୋଡ଼ଆଡ଼ୁ ଅଧିକ ଏ ତିନିଜଣ ଯାକ ଧରି ପଦାକୁ ଟାଣି ଆଣିଲେ । ଜଣେ ବୋଇଲା, ଏତେ କଷ୍ଟରେ ଆଣିଲେ ସିନା ଏ କଣ ଆଉ ବଞ୍ଚିବ କି ? ଆଉ ଦୁଇଜଣ ବୋଇଲେ, ପାଠ ଅନୁସାରେ କାର୍ଯ୍ୟ କଲା ଉତ୍ତାରୁ ନ ବଞ୍ଚିଲେ ଆମେ କଣ କରିବା । ଏମନ୍ତ କହି ଗୋଡ଼ ଦିଟା ସେଠି ଫିଙ୍ଗି ଦେଇ ଗୋଟିଏ ଡ଼ଙ୍ଗାରେ ସେ ନଈକି ପାରହୋଇ ଚାଲିଗଲେ । ଯାଉ ଯାଉ ଦୁଇ ତିନି ଦିନର ବାଟ ଚାଲିଲା ପରେ ଗୋଟାଏ ବଣ ପଡ଼ିଲା । ସେ ବଣ ମଝିରେ ଦେଖିଲେ ଯେ ଜଣେ ଲୋକ ଭାଲୁ ଧରିଅଛି । ସେ କିପରି ଭାଲୁ ଧରିଥିଲା ତା ଆଗେ କହୁଅଛି ଶୁଣ ।

 

ଏକୁଟିଆ ହୋଇ ସେ ଲୋକଟି ସେହିବାଟେ ଯାଉଥିଲା । ଯାଉ ଯାଉ ଗୋଟେ ଭାଲୁ ବଣ ଭିତରୁ ବାହାରି ତାକୁ ଆଗୁଳି ଦେଲା । ଭୟରେ ଭାଲୁ ମୁହଁରୁ ପଳାଇ ଯିବ ବୋଇଲା ବେଳକୁ ପାଖରେ କୁଣ୍ଢେ ମୋଟରେ ଗୋଟେ ଶାଳଗଛ ଥିଲା । ସେ ଗଛ ପାଖରେ ହୋଇଛି, ଭାଲୁ ଦଉଡ଼ିଯାଇ ତାକୁ ଧରି ପକାଇବାକୁ ଗଲା ବେଳକୁ ଗଛଟା ମଝିରେ ରହିଲା । ଭାଲୁ ଦୁଇ ପାଖରୁ ହାତ ବୁଲାଇ ଧରି ପକାଇଲା । ଗଛଟା ମଝିରେ ଅଛି । ମନୁଷ୍ୟ ଏପାଖେ ଭାଲୁ ସେ ପାଖେ, ଭାଲୁର ହାତ ଯୋଡାକୁ ମନୁଷ୍ୟ ଧରିଅଛି । ଦୁହେଁ ସେ ଗଛର ଚାରିପାଖ ଯାକ ବୁଲୁ ଅଛନ୍ତି । ସେ ମନୁଷ୍ୟର ଅଣ୍ଟାରେ ଦଶ ପନ୍ଦରଟା ଟଙ୍କା ଥିଲା । ଭାଲୁଧରି ବୁଲୁ ବୁଲୁ ଟଙ୍କାତକ ଚାରିଆଡ଼େ ବିଞ୍ଚିହୋଇ ପଡ଼ିଅଛି । ଏହି ସମୟରେ ଏ ତିନି ପଣ୍ଡିତଯାକ ଯାଇ ତାକୁ ପଚାରିଲେ–କିରେ କାହିଁକି ଏ ଜୀବଟାକୁ ଧରିଅଛୁ ? ସେ ବୋଇଲା ମୁଁ ଏକା ନୋହେ । ମୋପରି କେତେ ଲୋକ ଏ ଭାଲୁକୁ ଧରି ଧରି ଟଙ୍କା ନେଲେଣି । ଦେଖ ଏ ଭାଲୁ କେତେ ଟଙ୍କା ହଗିଛି । ତୁମେ ଜଣେ ଧର, ମୋ ଟଙ୍କାତକ ମୁଁ ଗୋଟେଇ ନେବି ? ଏଣିକି ଯେତେ ଟଙ୍କା ହଗିବ ତୁମେ ନେବ । ଏହା ଶୁଣି ସେ ତିନି ଜଣ ମଧ୍ୟରୁ ଜଣେ ଯାଇ ଭାଲୁର ଦୁଇ ହାତକୁ ଧରିଲା । ପୂର୍ବରୁ ଧରିଥିବା ଲୋକ ତାର ପଡ଼ି ଯାଇଥିବା ଟଙ୍କାତକ ଗୋଟାଗୋଟି କରି ଖଣ୍ଡେ ଦୂର ଯାଇ କହିଲା–‘ଗୋସାଇଁ ଭାଲୁକୁ ଭିଡ଼ିକରି ଧରି ଥା । ଛାଡ଼ିଦେବୁ ବୋଇଲେ ଖାଇ ଦେବଟି । ମାତ୍ର ତୁ ଆଉ ଟଙ୍କା ପାଇବୁ ନାହିଁ ।” ଏହା କହି ତା ବାଟେ ବାଟେ ସେ ଚାଲିଗଲା । ଆଉ ଦୁଇଜଣ ତାକୁ ଭାଲୁ ଧରିବାର ଦେଖି ତାକୁ ଛାଡ଼ି ଦେଇ ପଳାଇଗଲେ । ଏ ବିଚରା ଭାଲୁ ଧରି ବଣରେ ରହିଲା । ସେ ଦୁଇ ଜଣ ଯାଇ ଆପଣା ଗ୍ରାମରେ ପହଞ୍ଚିଲେ । ବାଟରେ ଯେତେ କଥା ଚଳିଥିଲା, ତାହା ଆଉ କାହାରି ଆଗରେ କହିଲେ ନାହିଁ । କେତେଦିନ ଗଲାପରେ ଦୁଇଜଣରୁ ଜଣକର ଶ୍ୱଶୁରଘର ଜୁଆଇଁକି ତୋରାଣିପିଆ କରିବାକୁ ଡାକି ଆସିଲା । ଗଲାବେଳେ ତାର ମାଆ କହିଲା–ଶାଶୁଘର ଯିବୁ ଯେ, ଲୋକହସା କଥା କିଛି କରିବୁ ନାହିଁ । ବଡ଼ଲୋକିଆ ପଣରେ ଗଉରଭାରି ହେବୁ, ଉଞ୍ଚ ପିଣ୍ଡାରେ ବସିବୁ, କୋକିଳ ପରି ଭାଷିବୁ ଦେଖି ଚାହିଁ କରି ଦୁଇ ଚାରିଦିନ ଗଲେ ଫେରି ଆସିବୁ । ମାତା ଠାରୁ ଏ କଥା ଶୁଣି ଡାକି ଆସିଥିବା ଲୋକ ସଙ୍ଗେ ଯାଇ ଶ୍ୱଶୁର ଘରେ ପହଞ୍ଚିଲା । ଗଲାବେଳକୁ ବେଳ ବୁଡ଼ି ଆସିଲାଣି । ଶାଶୁ ଶ୍ୱଶୁରଙ୍କୁ ମାନ୍ୟଧର୍ମ କରି ଖିଆପିଆ କଲା ପରେ ରାତିରେ ଶୋଇଲା । ଆର ଦିନ ଖୁବ୍ ସକାଳୁ ଉଠି ମନେ ମନେ ବିଚାରିଲା–ସକାଳ ହେଲେ ଶଙ୍ଖୁଳା ପଚରା କରିବାକୁ କେତେ ନାଇଁ କେତେ ଲୋକ ଆସିବେ । ମାଆ ତ କହିଛନ୍ତି, ଗଉରଭାରି ହୋଇ ଉଞ୍ଚ ପିଣ୍ଡାରେ ବସି କୋକିଳ ପରି ଭାଷିବାକୁ । ଏବେ କେହି ନ ଆସୁଣୁ ଯାଉଛି ଆଗ ସେହିପରି କରିବି । ଏମନ୍ତ ବିଚାର କରି ଗଉରଭାରି ହେବ ବୋଲି ଗୋଟେ ବଡ଼ପଥର ମୁଣ୍ଡେଇଲା । ଶ୍ୱଶୁର ଘର ଆଗ ସାମନାରେ ଗୋଟେ ଖତଗଦା ଥିଲା, ତାରି ଉପରେ ବସି କୋକିଳ ପରି କୁ କୁ ହୋଇ କୁହାଟିଲା । ରାତି ପାହିଯିବାରୁ ଗାଁ ଲୋକେ ଏ କଥା ଦେଖି ପିଲାରୁ ବୁଢ଼ା ପର୍ଯ୍ୟନ୍ତେ ଆସି ସେଠାରେ ଜମା ହୋଇଗଲେ । କେ ବୋଇଲା ପାଗଳାଟେ କେ ବୋଇଲା ୟାକୁ ଭୂତ ଲାଗିଅଛି । ଏପରି କିଏ କଣ କହି ହସବୃଷ୍ଟି କଲେ । ଶ୍ୱଶୁର ଆଉ ଶଳାମାନେ ବଡ଼ ଦୁଃଖିତ ହୋଇ ତା’ର ମୁଣ୍ଡରୁ ପଥରଟା କାଢ଼ିଦେଇ ହାତଧରି ଭିଡ଼ିନେଲେ । ତହିଁପରେ ଗାଧୁଆ ପାଧୁଆ ସାରି ଖିଆପିଆ କଲେ । ସନ୍ଧ୍ୟା ବେଳକୁ ଜୁଆଇଁ ପାଇଁ ଜଳଖିଆ ଦିଆହେଲା । ସେହି ସଙ୍ଗେ ଛେନାପଣା ଢାଳେ ଦେଇଥିଲେ । ଏ ମୂର୍ଖ ପଣ୍ଡିତ ଜଳଖିଆ ଖାଇସାରି ପଣା ପିଇବ ବୋଇଲା ବେଳକୁ, ଦେଖିଲା ଯେ ଛେନା ପଣା ଢାଳେ ଦେଇଥିଲେ । ଏ ମୂର୍ଖ ପଣ୍ଡିତ ଜଳଖିଆ ଖାଇସାରି ପଣା ପିଇବ ବୋଇଲା ବେଳକୁ, ଦେଖିଲା ଯେ ଛେନା ଭାସୁଅଛି । ଢାଳ ଭିତରେ ହାତ ପୁରାଇ ଛେନାଯାକ ମୁଠାକରି ଧଇଲା । ମୁଠାଟି ଆଉ ଢାଳରୁ ବାହାରେ ନାହିଁ କି ଏ ଆଉ ଛାଡ଼ି ଦିଏ ନାହିଁ । ସେମିତି ହାତଟି ଘୋଡ଼ାଘୋଡ଼ି କରି ବସିଥାଏ । ବସୁ ବସୁ ରାତି ଦିଘଡ଼ି ହେଲା । ରନ୍ଧାବଢ଼ା ସରିଲା । ଖାଇବାକୁ ଯିବା ପାଇଁ ଶଳାମାନେ ଡାକିବାରୁ କିଛି କହେ ନାହିଁ କି ଉଠେ ନାହିଁ ଚୁପ୍ ହୋଇ ହାତଟି ଘୋଡ଼ାଇ ବସିଥାଏ । ଶ୍ୱଶୁର ଡାକିଲା, ଶାଶୁ ଡାକିଲା–ହାତ ତ ଢାଳରୁ ବାହାରୁ ନାହିଁ, କେମିତି ଖାଇବ ଯେ କାହିଁକି ଯିବ-। କିଛି ନ କହି ସେମିତି ଚୁପହୋଇ ବସି ରହିଲା । ବଂଶଯାକ ଡାକି ଡାକି ଥକା ହେଲେ । ସେ କେଭେ ଉଠିଲା ନାହିଁ । ପରିଶେଷକୁ ତା ଭାରିଯା ଆସି ଡାକିବାରୁ କହିଲା, ଢାଳରୁ ହାତଟା ବାହାରୁ ନାହିଁ, କେମିତି ଖାଇବାକୁ ଯିବି । ସେ ବୋଇଲା ବାଃ ଭଲ ପଣ୍ଡିତ, ଏମିତି ପାଠ ପଢ଼ିଛ ପରା । ଛେନାମୁଠାକ ଛାଡ଼ି ଦେଉ ନା ? ଏହା ଶୁଣି ଛେନାମୁଠାକୁ ଛାଡ଼ି ଦେବାରୁ ହାତଟି ବାହାର ହେଲା । ସେଠୁ ଉଠିଯାଇ ଖିଆପିଆ କଲା ।

 

ଖାଇବସିଲା ବେଳେ ଶଳାମାନେ ଥଟାକରି କଣ ନାଇଁ କଣ କହିଲେ । ଏ ତ ମୂର୍ଖପଣ୍ଡିତ, ୟାକୁ ଥଟାଫଟା କି ଜଣା ? ବଳଦ ଭଳିଆ ପେଟେ ଖାଇ ଉଠିଲା । ଆରଦିନ ସକାଳୁ ଘରକୁ ଯିବି ବୋଲିବାରୁ ଶ୍ୱଶୁର ତାକୁ ଆଠଅଣା ପଇସା ଦେଇ କହିଲେ, ଏହି ପଇସା ଦେଇ ବାଟରେ କି ହେଲେ ଦିଶୁ କିଣି ଜଳଖିଆ କରି ଘରକୁ ଯିବ । ଏହା କହି ବିଦା କରିଦେଲେ । ସେ ଆସୁ ଆସୁ ବାଟରେ ଭୋକ ଲାଗିବାରୁ ଗୋଟିଏ ଗାଁକୁ ଯାଇ ପ୍ରତିଘରେ ପଚାରିଲା, ମତେ ଦିଶୁ ଆଠଅଣାର ଦେଲ ଜଳଖିଆ କରିବି । ଦିଶୁ ବୋଇଲେ ଅବା କି ପଦାର୍ଥ ଯେ କିଏ କଣ ଦେବ ? ସମସ୍ତେ ନାହିଁ ନାହିଁ କଲେ । ପରିଶେଷକୁ କେହି ଜଣେ ଖୁଣ୍ଟିଆ ଲୋକ ଥିଲା । ସେ ବୋଇଲା ମୋ ପାଖରେ ଦିଶୁ ଅଛି, ମୁଁ ଦେବି । ଏହା କହି ତା’ଠାରୁ ପଇସାତକ ନେଇ ବଣ ଓଲୁଅଟେ ଖୋଳିଆଣି ତାକୁ ଧୁଆଧୋଇ କରି କାଟି ତହିଁରୁ ୨୦/୨୫ ଖଣ୍ଡ ନେଇ ଦେଲା । ମୂର୍ଖ ପଣ୍ଡିତ ତାହା ନେଇ ବାଟରେ ଗୋଟିଏ ନଈ କୂଳରେ ବସିଲା । ତାକୁ ତ ବଡ଼ ଭୋକ କରୁଥିଲା । ଟାଉ ଟାଉ କରି ୧୦/୧୨ ଖଣ୍ଡ ଖାଇଦେଲା ବେଳକୁ ତୁଣ୍ଡ ଗଲୁ କରି ନାଳ ଗରଳ ବୋହି ବୋହି ତୋଟି ନଳଟା ଫୁଲିଗଲା, ଆଉ ପାଣି ସୁଦ୍ଧା ଗଳିଲା ନାହିଁ, କି କଥା କହି ପାରିଲା ନାହିଁ । ସେ ପ୍ରାଣ ବିକଳରେ ଯାଇ ଘରେ ପହଞ୍ଚିଲା । ଏ ଘଟଣା ଦେଖି ମା ତାର ବଡ଼ ଦୁଃଖିତ ହୋଇ ଦୁଇ ତିନିଟା ବଇଦ ଆଣି ତାର ସେ ବେମାରି ଭଲ କରାଇଲା । ମୂର୍ଖ ପଣ୍ଡିତମାନଙ୍କର ଏ ସବୁ ଦୁର୍ଘଟଣା ଦେଖି ଦେଖି ଗ୍ରାମଲୋକେ ଭବିଷ୍ୟତରେ ଆଉ ଏପରି କେହି ନୋହୁ ବୋଲି ସ୍ୱୃତିଚିହ୍ନ ରଖିବାକୁ ଶିଳାଲିପି ଖୋଳାଇ ତୁଳସୀ ଚଉରା ବାଡ଼ରେ ସ୍ଥାପନ କରିଅଛନ୍ତି ଯେ ତାହା ଅଦ୍ୟାବଧି ରହିଅଛି । ଆରେ ଅବୋଲକରା ଶୁଣିଲୁ ତ କଥାର ସାର, ପଥ ବାହିଯିବା ଉଠା ଭାର ।

Image

 

ଚର୍ମବେଶ କଥା

 

ମୂର୍ଖ ପଣ୍ଡିତ କଥା ଶୁଣି ଅବୋଲକରା ଆନନ୍ଦରେ ଭାର ଧରି ବାହାରିଲା । ସାମନ୍ତ ଆଗେ ଆଗେ ଯାଉଥାନ୍ତି । ଯାଉଁ ଯାଉଁ ଅନେକ ଦୂର ଗଲାପରେ ଗୋଟିଏ ପାର୍ବତ୍ୟ ଦେଶରେ ପହଞ୍ଚିଲେ ବେଳ ଉଛୁର ହେବା ଦେଖି ଗୋଟିଏ ଦେବୀ ମନ୍ଦିର ନିକଟରେ ବସି ପଡ଼ିଲେ । ଜାଗାଟି ବଡ଼ ନିର୍ମଳ, ପାଖରେ ଗୋଟିଏ ପୋଖରୀ ଅଛି । ସାମନ୍ତ ବୋଇଲେ–ଅବୋଲକରା, ତୁ ଯା ସଉଦାପତ୍ର କିଣି ଆଣିବୁ । ମୁଁ ସ୍ନାନ ତର୍ପଣ ଆଦି ନିତ୍ୟକର୍ମ ଶେଷ କଲା ବେଳକୁ ସଉଦା ଆଣିଥିଲେ ରୋଷେଇ କରିବା । ଏହା କହି ସେ ସ୍ନାନ କରିବାକୁ ଗଲେ । ଅବୋଲକରା ପଇସା କଉଡ଼ି ନେଇ ବଜାରକୁ ଗଲା । ଡାଲି ଚାଉଳ ପ୍ରଭୃତି ସଉଦା କିଣାକିଣି କରି ଫେରିଲା ବେଳକୁ ଦେଖିଲା ଯେ, ଗୋଟିଏ ମଣ୍ଡପରେ ଚର୍ମରେ ତିଆରି ହୋଇଥିବାର ମନୁଷ୍ୟ ମୂର୍ତ୍ତଟିଏ ବସିଅଛି । ଅନୁମାନ କଲେ ସେ ନବେ ବର୍ଷର ବୁଢ଼ାପରି ଦେଖା ଯାଉଅଛି । ତାକୁ ରଜାଘର ପ୍ରହରୀମାନେ ଜଗି ଅଛନ୍ତି । ଅନେକ ଦେଶ ବିଦେଶର ଲୋକେ ଦେଖିବାକୁ ଆସୁଛନ୍ତି । ତାହା ଦେଖି ଅବୋଲକରା ସେ ପ୍ରହରୀମାନଙ୍କୁ ପଚାରିଲା–ଏ ଚର୍ମ ପ୍ରତିମା କିଏ ବସାଇଛି ? ସେମାନେ କହିଲେ–ଆମ୍ଭେ ତାହା ଜାଣି ନାହୁଁ । କେବଳ ଶୁଣୁଅଛୁ ଯେ ଅନେକ କାଳରୁ ଏହା ଏହିପରି ଅଛି, ମାତ୍ର ରଜାଘର ଆକଟ କରି ଜଗାଇ ଅଛନ୍ତି । ଏହା ଶୁଣି ଅବୋଲକରା ଆସି ସାମନ୍ତଙ୍କୁ ପଚାରିଲା–ଗୋସାଇଁ ! ଏ ବଜାର ବାହାର ମଣ୍ଡପରେ ଚର୍ମବେଶ ଗୋଟିଏ କିଏ ବସାଇଅଛି ? ତାକୁ କାହିଁକି ଏ ଦେଶର ରଜାଘର ଲୋକେ ଜଗି ଅଛନ୍ତି ? ସାମନ୍ତ ବୋଇଲେ ଆରେ ଏ ତ ବହୁତ କାଳର କଥା । ତୁ ଯେବେ ପଚାରିଲୁଣି ତା ହେଲେ କହିବା । ଏତେ କହି ସାମନ୍ତ ରୋଷେଇ ବସାଇ କହିଲେ–ପକା କମ୍ବଳ ପୋତ ଛତା, ବସ ଅବୋଲକରା ଶୁଣୁ କଥା । ପୂର୍ବକାଳେ ଏକ ଦେଶରେ ଧରାପାଳ ନାମରେ ଜଣେ ପ୍ରତାପୀ ରାଜା ଥିଲେ । ସେ ରାଜା ବଡ଼ ଦୟାବାନ୍‌, ନ୍ୟାୟବାନ୍‌, ଧନବାନ୍ ଓ ବଳବାନ । ତାଙ୍କର ସାତପୁଅ ଓ ସାତଝିଅ ଥିଲେ । ତାଙ୍କର ଶାଗଖରଡ଼ାରେ ବଡ଼ ପ୍ରିୟ । ସେଥିପାଇଁ ଏହି ଗଡ଼ ନିକଟବର୍ତ୍ତୀ ଝିଣ୍ଟିକାପଲ୍ଲୀ ଗ୍ରାମର କାଳୁପଣ୍ଡା ନାମକ ଜଣେ ପନୀୟାରୀ ବ୍ରାହ୍ମଣ ନାନାଦି ପ୍ରକାର ଶାଗ ଆମଦାନି କରି ବାରମାସ ଯାକ ପ୍ରତିଦିନ ନେଇ ତାଙ୍କୁ ଦେଉଥାଏ । ଏହିପରି ଅନେକ ବର୍ଷ ଗଲାପରେ ଗୋଟିଏ ଭୂତ କାଳିଆ ବଳଦ ରୂପ ହୋଇ ରାତିରେ ଆସି କାଳୁପଣ୍ଡାଙ୍କ ଶାଗ ପଟାଳିଯାକ ଦଳା ଚକଟା କରି ଖାଇଗଲା । ସେହି କାରଣରୁ ପଣ୍ଡା ଆଉ ଶାଗ ଦେଇ ନ ପାରି ସେ କଥା ରାଜାଙ୍କୁ ଜଣାଇଲେ । ରଜା ତାହା ଶୁଣିବାମାତ୍ରେ କ୍ରୋଧରେ କମ୍ପମାନ ହୋଇ ଦେଶରେ ନାଗରା ଦିଆଇ କହିଲେ ଯେ, ଏଣିକି ରାତିରେ ଯେ ଗୋରୁଗାଈ ନ ବାନ୍ଧି ପଦାରେ ଛାଡ଼ିବ ତାକୁ ଶୂଳୀ ଦିଆଯିବ । ଏହା ଶୁଣି ଦେଶବାସୀ ଲୋକେ ଭୀତ ଓ ତ୍ରସ୍ତ ହୋଇ ଯେ ଯାହାର ଗୋରୁମାନଙ୍କୁ ରାତିରେ ଆଉ ପଦାକୁ ନ ଛାଡ଼ି ଅତି ଯତ୍ନରେ ବାନ୍ଧି ରଖିଲେ । ତଥାପି ସେ ଭୂତ ସେହିପରି କଲା । କାଳୁପଣ୍ଡେ ରାତିଯାକ ଜଗି ଜଗି ତାକୁ ଧରି ପାରନ୍ତି ନାହିଁ । ସକାଳେ ଦେଖିଲା ବେଳକୁ ଶାଗ ପଟାଳିଯାକ ଅସ୍ତବ୍ୟସ୍ତ ହୋଇଥାଏ । ପାଇକ ରାଉତ; ପାତ୍ର ମନ୍ତ୍ରୀ ଏ ସମସ୍ତେ ଯାଇ ଜଗିଲେ, କିନ୍ତୁ କେହି ହେଲେ କାଳିଆ ବଳଦକୁ ଧରି ପାରିଲେ ନାହିଁ । ପରିଶେଷକୁ ରଜା ଯାଇ ନିଜେ ଜଗିଲେ । ରାତି ଅଧ ହେଲା ସମୟରେ ସେ କାଳିଆ ବଳଦ ଆସି ପୂର୍ବପରି ଶାଗ ପଟାଳିରେ ଚରିଲା । ତାକୁ ଦେଖି ଧରିବା ପାଇଁ ରଜା ଗୋଡ଼ାଇଲେ । ସେ ଆଗେ ଆଗେ ପଳାଇଗଲା; ରଜା ତାର ପଛେ ପଛେ ଧାଉଁଥାନ୍ତି । ଯାଉ ଯାଉ ଘୋର ବଣ ମଝିରେ ପଶିଗଲେ । ସେଠାରେ କାଳିଆ ବଳଦ ଭୂତ ରୂପ ଧରି ରଜାଙ୍କର ତଣ୍ଟି ଚିପି ପ୍ରାଣ ନାଶ କରିଦେଲା । ତହିଁପରେ ସେହି ଭୂତ ରାଜାଙ୍କର ବେଶଭୂଷାଯାକ ପିନ୍ଧି ସେଠାରୁ ଆସି ରଜାଙ୍କର ଉଆସର ପାଚେରୀ ଉପରେ ବସି ରହିଲା । ରାତି ପାହିବାରୁ ପାତ୍ର ମନ୍ତ୍ରୀ ପ୍ରଭୃତି ଲୋକମାନେ ଦେଖିଲେ ଯେ ରଜା ମୂକ ପରି ପାଚେରୀ ଉପରେ ବସିଛନ୍ତି । ମନ୍ତ୍ରୀ ତାଙ୍କ ପାଖକୁ ଯାଇ କାହିଁକି ଏପରି ମଉନ ହୋଇ ପାଚେରୀ ଉପରେ ବସିଅଛ ବୋଲି ପଚାରିବାରୁ ସେ କିଛି ହେଲେ ଉତ୍ତର ନ ଦେଇ ସେହିପରି ବସି ରହିଲା । ଲୋକେ ତ କଥା ପଡ଼ିଲେ କହନ୍ତି ଭୂତ ପରି ବସିଅଛ ବୋଲି । ଏ ତ ସତେ ଭୂତ, ଉତ୍ତର ଦେବ କଣ ? ସେହିପରି ବସି ରହିଅଛି । ମନ୍ତ୍ରୀ ଅନେକ ପ୍ରକାର କହି କହି ହାଲିଆ ହେଲେ, ରଜା, ଆଉ ଉତ୍ତର ଦେଲେ ନାହିଁ କି ପାଚେରୀ ଉପରୁ ଓହ୍ଲାଇଲେ ନାହିଁ । ତହୁଁ ମନ୍ତ୍ରୀ ଆସି ଏ ବିଷୟ ତାଙ୍କ ପୁଅମାନଙ୍କୁ ଜଣାଇଲେ । ରାଜପୁତ୍ରମାନେ ତାହା ଶୁଣି ବଡ଼ ଚମତ୍କାର ହୋଇ ଯୁବରାଜ ଠାରୁ ଟିକାୟତ ପର୍ଯ୍ୟନ୍ତ ଗୋଟି ଗୋଟି ହୋଇ ଆସି ରଜାଙ୍କୁ ଡାକିବାକୁ ଲାଗିଲେ । ତଥାପି ରଜା ତାହା ଶୁଣିଲେ ନାହିଁ କି ସେଠାରୁ ଆସିଲେ ନାହିଁ । ଏହିପରି ଗୁରୁ, ପୁରୋହିତ, ଦଳେଇ, ଦଳବେହେରା ପ୍ରଭୃତି ଯେତେ ଲୋକ ଡାକିଲେ ସେ କାହାରି କଥାରେ ଉତ୍ତର ଦେଲେ ନାହିଁ କି ସେଠାରୁ ଆସିଲେ ନାହିଁ । ପରିଶେଷରେ ରାଣୀ ଆସି ଡାକିବାରୁ ରଜା ତାଙ୍କୁ କିଛି ନ କହି ସେଠାରୁ ଓହ୍ଲାଇ ଆସି ତାଙ୍କ ପଛେ ପଛେ ନଅର ଭିତରକୁ ଚାଲିଗଲେ । ସେ ତ ରଜା ନୁହେ, ଭୂତଟା ରଜା ବେଶରେ ଆସିଥିଲା । ସେ ଅନ୍ତଃପୁର ଭିତରେ ପଶିବାରୁ ସେ ଭିତରେ ନାନାଦି ଉପଦ୍ରବ କଲା । କାହାକୁ ପିଟିଲା, କାହାକୁ ମାଇଲା, କାହାକୁ ଗାଳି କଲା, ଏପରି କେତେ ନାଇଁ କଣ ଉପଦ୍ରବ କଲା । ଏହା ଦେଖି ରାଜାଙ୍କର ସାନ ପୁଅ ଏବଂ ସାନ ଝିଅ ଉଭୟେ ନଅର ଛାଡ଼ି ପଳାଇଗଲେ । ସେ ରାଜପୁତ୍ରର ନାମ ମନମୋହନ, ସେ ବଡ଼ ସୁନ୍ଦର ଏବଂ ତାର ଦେହରେ ସିଂହପରି ବଳ ଥାଏ । ଝିଅଟିର ନାମ କନକମଞ୍ଜରୀ, ସେ ବଡ଼ ରୂପବତୀ ଏବଂ ଚତୁରୀ ଅଟେ । ଭାଇ ଭଉଣୀ ଦୁହେଁ ଅନ୍ତଃପୁରରୁ ବାହାର ହୋଇ ଚାଲିଗଲେ । ଯାଉଁ ଯାଉଁ ଅନେକ ଗ୍ରାମ, ପାଟଣା, ବନ ପର୍ବତ, ନଈନାଳ ପାର ହୋଇ ଚାଲି ଅଛନ୍ତି । ତାଙ୍କ ମନରେ ଟିକେ ହେଲେ ସୁଖ ନାହିଁ । ଏହି ସମୟରେ ସେ ରାଜପୁତ୍ର ଦେଖିଲା ଯେ ବାଟରେ ଖଣ୍ଡିଏ ଦଉଡ଼ି ପଡ଼ିଅଛି । ସେ ଦଉଡ଼ି କହିଲା–ହେ ରାଜକୁମାର, ମୁଁ ତୁମ୍ଭର ନାମ ଏବଂ ବଳ ପରାକ୍ରମ ଶୁଣିଥିଲି । ଏବେ ସାକ୍ଷାତରେ ଦେଖିଲି । ତୁମ୍ଭଙ୍କୁ ଦେଖିବାରୁ ମୋର ମନେରେ ବଡ଼ ସନ୍ତୋଷ ଜାତ ହେଲା । ମାତ୍ର ମୁଁ ତୁମ୍ଭଙ୍କୁ ଗୋଟିଏ କଥା ମାଗିବି ତାହା ଦେଇ ପାରିବ କି ? ମନମୋହନ ବୋଇଲେ–ଆଚ୍ଛା, କଣ ମାଗିବ କହ ? ଦଉଡ଼ି କହିଲା–ମୁଁ ଏତିକି ମାତ୍ର ମାଗୁଅଛି ଯେ ତୁମ୍ଭେ ମୋତେ ସର୍ବଦା ସଙ୍ଗେ ସଙ୍ଗେ ରଖିଥିବ । ଯାହାକୁ ଯେତେବେଳେ ବାନ୍ଧିବାକୁ ତୁମ୍ଭର ଇଚ୍ଛା ହେବ ସେତେବେଳ ମୋତେ ଆଜ୍ଞା ଦେଲେ ସେ ଯେଡ଼େ ଅସାଧ୍ୟ ହୋଇଲେ ସୁଦ୍ଧା ମୁଁ ତାକୁ ବାନ୍ଧି ପକାଇବି; ମାତ୍ର ପ୍ରତିଦିନ ସକାଳୁ ଥରେ ମୋତେ ଧୋଇ ଦେଉଥିବ ଏବଂ ସନ୍ଧ୍ୟାବେଳେ ମୋ ନାମରେ ଗୋଟିଏ ଘିଅ ବଳିତା ଜାଳି ଦେଉଥିବ । ଏହା ଶୁଣି ମନମୋହନ ସେ ଦଉଡ଼ିଟିକୁ ଅତି ଆଗ୍ରହରେ ନେଲେ । ତା ଉତ୍ତାରୁ ଆଉ ଖଣ୍ଡେ ଦୂର ଯାଇଅଛନ୍ତି, ବାଟରେ ଗୋଟିଏ ଠେଙ୍ଗା ପଡ଼ିଥିବାର ଦେଖିଲେ । ଠେଙ୍ଗା ତାଙ୍କୁ ପ୍ରଣାମ କରି କହିଲା–ଆପଣ ଆସିବେ ବୋଲି ପୂର୍ବରୁ ଜାଣି ମୁଁ ଏଠାରେ ବର୍ଷେ ହେଲା ଜଗିଥିଲି । ଆଜି ଭାଗ୍ୟବଳରୁ ଭେଟ ହେଲା । ଆପଣ ଦଉଡ଼ିକି ଯେପରି ନେଇ ଅଛନ୍ତି, ମୋତେ ମଧ୍ୟ ସେହିପରି ନିଅନ୍ତୁ । ମୁଁ ଆପଣଙ୍କ ସଙ୍ଗରେ ଥିବି । ଯେତେବେଳେ ଯାହାକୁ ପିଟ ବୋଲି ଆଜ୍ଞା ଦେବ ସେ ଯେଡ଼େ ଅସାଧ୍ୟ ହୋଇଥିଲେ ସୁଦ୍ଧା ମୁଁ ତାକୁ ପିଟି କରି ଗୁଣ୍ଡାକରି ଦେବି । ଏହା ଶୁଣି ମନମୋହନ ସେ ଠେଙ୍ଗାକୁ ମଧ୍ୟ ନେଲେ । ସେଠାରୁ ଆଉ କେତେଦୂର ଗଲାପରେ ଦେଖିଲେ ଯେ ବାଟରେ ଗୋଟିଏ ଛୋଟ ନଳୀ (ପିସ୍ତଲ ବା ବନ୍ଧୁକ) ପଡ଼ିଅଛି । ସେ ନଳୀ କହିଲା–ହେ ରାଜପୁତ୍ର, ମୋତେ ସାଙ୍ଗରେ ନିଅ-। ମୁଁ ତୁମ୍ଭର ବହୁତ ଉପକାର କରିବି । ମନମୋହନ ବୋଇଲେ–ତୁ ମୋର କି ଉପକାର କରିବୁ ? ନଳୀ କହିଲା–ତୁମ୍ଭେ ଆଜ୍ଞା ଦେବା ମାତ୍ରେ ମୁଁ ମୂହୁର୍ତ୍ତକେ ତିନିଶହ ଥର ଫୁଟି ତୁମ୍ଭର ଯେତେ ଶତ୍ରୁ ଥିବେ ତାଙ୍କୁ କ୍ଷୟ କରି ଦେବି । ଏହା ଶୁଣି ମନମୋହନ ସେ ନଳୀକି ମଧ୍ୟ ସାଙ୍ଗରେ ଧଇଲେ । ଏହିପରି ତିନିଗୋଟି ଦୁର୍ଲ୍ଲଭ ପଦାର୍ଥ ପାଇ ଭାଇ ଭଉଣୀ ଦୁହେଁ ଆନନ୍ଦ ମନରେ ଚାଲିଗଲେ । ଯାଉ ଯାଉ ଅନେକ ଦେଶ ପାର ହୋଇ ଗଲା ପରେ ଗୋଟିଏ ନିବିଡ଼ ଅରଣ୍ୟ ପଡ଼ିଲା । ଅରଣ୍ୟର କଥା ଶୁଣିଲେ ଭୟରେ ହୃଦୟ ଥରି ଉଠିବ । ବାଘ, ଭାଲୁ, ବରାହ, ଗଣ୍ଡା, ଗୟଳ, ବଣହାତୀ ପ୍ରଭୃତି ଅନେକ ହିଂସ୍ରଜନ୍ତୁ ପୁରି ଅଛନ୍ତି । ମନୁଷ୍ୟମାନଙ୍କ ସଞ୍ଚାର ନାହିଁ ଅଥବା କେହି ଗଲେ ତାର ଜୀବନର ଆଶା ନ ଥାଏ । ସେ ବଣରେ ଗତାୟାତ କରିବାକୁ ଯେଉଁ ବାଟ ସେ ବଡ଼ ସଂକୀର୍ଣ୍ଣ । ଜଣେ ଗଲେ ଆଉ ଜଣେ ଫେରି ଯିବାକୁ ବାଟ ନାହିଁ । ଦୁଇ ପାଖରେ କୂଅ ପରି ଗହୀର ନାଳ, ମଝିରେ ଯେଉଁ ବାଟ ପଡ଼ିଅଛି ତାହା ହାତେ ଚଉଡ଼ାରୁ ଅଧିକ ନୁହେଁ । ଯାହା ବୋଲନ୍ତି–ମୁଖେ ରାମ, ପାଦେ ଧ୍ୟାନ, ସେ ବାଟ ସେହିପରି ଅଟେ । ମନୁଷ୍ୟ ଦୁଇଜଣ ଯେବେ କଥାବାର୍ତ୍ତା ହୁଅନ୍ତି ତେବେ ସେହି କଥାର ପ୍ରତିଧ୍ଵନି ଉଠି ନିଜ ମନରେ ଭୟ ଜାତ କରାଏ । ପତ୍ରଟେ ପଡ଼ିଲେ କୁଲାଟେ ପଡ଼ିଲା ପରି, କାଠ ଖଣ୍ଡେ ପଡ଼ିଲେ ଢ଼ିଙ୍କିଟେ ପଡ଼ିଲା ପରି ଶୁଭେ । ଅଗ୍ନାଅଗ୍ନି ବଣ ଭିତରେ ସେ ଭାଇ ଭଉଣୀ ଦୁହେଁ ଯାଉ ଯାଉ ବ୍ରହ୍ମରାକ୍ଷସ ଗୋଟାକୁ ଦେଖିଲେ । ସେ ବ୍ରହ୍ମରାକ୍ଷସ ତାଙ୍କୁ କହିଲା–ତୁମ୍ଭେ ମୋତେ ସାଙ୍ଗରେ ନିଅ । ମନମୋହନ ବୋଇଲେ–ମୁଁ ବଡ଼ ଗରିବ, ମୋର ଘର ନାହିଁ, ଧନ ନାହିଁ, ଦ୍ରବ୍ୟ ନାହିଁ, ସହାୟ ନାହିଁ । ଭିକ୍ଷା ମାଗିଲେ ଆମ୍ଭେ ଭାଇ ଭଉଣୀ ଯୋଡ଼ିକ ଖାଉଅଛୁ । ଆପଣ ଦେବତା କି ରାକ୍ଷସ ପରି ଦିଶୁଅଛନ୍ତି । ମୁଁ ଆପଣଙ୍କୁ ନେଲେ କଣ ଖାଇବାକୁ ଦେବି, କେଉଁଠାରେ ରଖିବି । ବ୍ରହ୍ମରାକ୍ଷସ ବୋଇଲା–ତୁମ୍ଭେ ସାମାନ୍ୟ ଲୋକ ନୁହଁ-। ମୁଁ ତୁମ୍ଭଙ୍କୁ ଭଲରୂପେ ଜାଣେ । ତେଣୁ କହୁଅଛି ମୋତେ ସାଙ୍ଗରେ ନିଅ । ମୋତେ ଖାଇବାକୁ ଦେବାକୁ ଲୋଡ଼ା ନାହିଁ । ମୋ ସକାଶେ ଘର ଆବଶ୍ୟକ ନାହିଁ, କି ତୁମ୍ଭେ ମୋତେ ବହି ନେବ ନାହିଁ-। କେବଳ ତୁମ ଦେହରେ ତିଳ ପ୍ରମାଣରେ ଟିକିଏ ସ୍ଥାନ ମୋତେ ଦେଲେ ମୁଁ ମାଛିରୂପ ଧରି ସେହି ସ୍ଥାନରେ ଥିବି । ସମୟ ପଡ଼ିଲେ ତୁମ୍ଭର ବହୁତ ଉପକାର କରିବି । ତୁମ୍ଭେ ଯେତେବେଳେ ମୋ ନାମ ସ୍ମରଣ କରି ଯାହା କରିବାକୁ ବୋଲିବ, ସେ ଯେଡ଼େ ଅସାଧ୍ୟ ହେଲେ ସୁଦ୍ଧା ମୁଁ ସେହିକ୍ଷଣି କରିଦେବି । ଏହା ଶୁଣି ମନମୋହନ ଆନନ୍ଦ ହୋଇ ସେ ବ୍ରହ୍ମରାକ୍ଷସକୁ ନିଜର ଦେହରେ ସ୍ଥାନଦେଇ ନେଇ ଗଲେ । ବ୍ରହ୍ମରାକ୍ଷସମାନେ ତ କାମରୂପୀ, ସେ ତକ୍ଷଣେ ମାଛିରୂପ ହୋଇ ତାଙ୍କ ଦେହରେ ବସିଲା । ସେଠାରୁ ଭାଇ ଭଉଣୀ ଦୁହେଁ ଚାଲିଗଲେ । କେତେଦୂର ଗଲା ପରେ ବଣ ଶେଷ ହୋଇ ମେଲା ମୁକୁଳା ଦେଶ ଦେଖାଗଲା । ଗ୍ରାମପାଟଣା, ପୁରପଲ୍ଲୀ ଲୋକବାକ, ଗାଈଗୋରୁ ପ୍ରଭୃତି ଦେଖାଗଲେ । ତାହା ଦେଖି ଏ ଦୁହେଁ ଟିକେ ନିର୍ଭୟ ହୋଇ ଗଣ୍ଡେଦୂର ଗଲାପରେ ଦେଖିଲେ ଯେ ଦେବୀ ମନ୍ଦିର, ଫୁଲ ବଗିଚା ପୋଖରୀ ଏହା ସବୁ ଗୋଟିଏ ଜାଗାରେ ଅଛି । ସେହି ପାଖରେ ବାଟୋଇମାନେ ରହିବା ପାଇଁ ଗୋଟିଏ ଧର୍ମଶାଳା ଅଛି । ସେ ସ୍ଥାନଟି ଅତି ମନୋହର ଦେଖି କନକମଞ୍ଜରୀକି ଚାହିଁ ମନମୋହନ କହିଲେ, ଆମ୍ଭେ ଏହିଠାରେ ରହିବା । ଏ ସ୍ଥାନଟି ବଣ ନିକଟ । ମୁଁ ପ୍ରତିଦିନ ବଣକୁ ଯାଇ ଶିକାର କରି ଭଲ ମାଂସ ଆଣୁଥିବି । ତହିଁରୁ କେତେକ ଖାଇବା, ଆଉ କେତେକ ବିକ୍ରିକଲେ ଅନ୍ୟାନ୍ୟ ଖର୍ଚ୍ଚ ଅନାୟାସରେ ଚଳିଯିବ । ଆଉ ତୁ ଫୁଲହାର ଗୁନ୍ଥି ପ୍ରତିଦିନ ଏହି ଦେବୀଙ୍କି ଦେଲେ ସେ ସନ୍ତୁଷ୍ଟ ହୋଇ ଆମ୍ଭଙ୍କୁ ନିରାପଦରେ ରଖିବେ-। ଏହିପରି କଥାବାର୍ତ୍ତା ହୋଇ ଭାଇ ଭଉଣୀ ଦୁହେଁ ସେହି ଧର୍ମଶାଳାରେ ରହିଲେ । ମନମୋହନ ପ୍ରତିଦିନ ବଣରୁ ଶିକାର କରିଆଣି ତହିଁରେ ଜୀବିକା ନିର୍ବାହ କଲେ । କନକମଞ୍ଜରୀ ନାନାଦିପ୍ରକାର ଫୁଲମାଳ ଗୁନ୍ଥି ପ୍ରତିଦିନ ସେହି ଦେବୀଙ୍କି ଦେଉଥାଏ । ସେ ଯେଉଁ ରାଜ୍ୟରେ ରହିଲେ ତାର ନାମ ସୁବର୍ଣ୍ଣପୁର । ସେ ଦେଶର ରାଜାଙ୍କ ନାମ ଚନ୍ଦ୍ରଭାନୁ; ଯୁବରାଜଙ୍କ ନାମ ବିକ୍ରମକେଶରୀ-। ବିକ୍ରମକେଶରୀ ସୁନ୍ଦର ଏବଂ ଅତ୍ୟନ୍ତ ବଳବାନ ଅଟନ୍ତି । ଦିନେ ସେ ମୃଗୟା କରିବାପାଇଁ ଗଲାବେଳେ ସେହି ଦେବୀ ମନ୍ଦିର ନିକଟରେ କନକମଞ୍ଜରୀକୁ ଦେଖିଲେ । ସେ କନ୍ୟାର ରୂପ ଯୌବନ ଦେଖି ଯୁବରାଜଙ୍କର ମନ ତା’ରିଠାରେ ଲାଖି ରହିଲା । କିନ୍ତୁ ହଠାତ୍ ତାକୁ କିଛି କହି ନ ପାରି ଗୃହକୁ ଫେରିଗଲେ । ଦିନେ ଓଳିଏ ଗଲାପରେ ଅନୁସନ୍ଧାନ କରି ବୁଝିପାରିଲେ ଯେ ସେ ସାମାନ୍ୟ ଘରର ଝିଅ ନୁହେଁ, ଜଣେ ରାଜକନ୍ୟା ଅଟେ । ତେଣୁ ସେ ସୁବର୍ଣ୍ଣପୁର ଯୁବରାଜ ଏକାନ୍ତ ସମୟରେ ଯାଇ ସେ କନ୍ୟାକୁ ନିଜର ପରିଚୟ ଦେଇ କହିଲେ, ତୁମ୍ଭେ ଯେବେ ମୋତେ ବିବାହ ହେବ, ତା ହେଲେ ଏ ରାଜ୍ୟରେ ପାଟ ମହାଦେଇ ହୋଇ ମୋ ସହିତ ରାଜଶ୍ରୀ ଭୋଗ କରିବ । ପୁଣି ତୁମ୍ଭ ଗର୍ଭରୁ ଯେଉଁ ପୁତ୍ର ଜନ୍ମ ହେବ ସେ ଏ ରାଜ୍ୟରେ ଯୁବରାଜ ହେବ । ଏଥିରେ ଯେବେ ମନ ବଳୁଅଛି ତେବେ କପଟ ନ ରଖି ମୋତେ କହି ଦିଅ । କନକମଞ୍ଜରୀ ବୋଇଲା ମୋର ଭାଇ ଅଛନ୍ତି, ମୁଁ ବାପା ମା’ଙ୍କୁ ଛାଡ଼ି ତାଙ୍କରି ସଙ୍ଗେ ଆସି ବିଦେଶରେ ରହିଅଛି । ସେ ମହା ବୀରପୁରୁଷ, ମନ କଲେ କ୍ଷଣକ ଭିତରେ ତିନିପୁର ଜିଣି ପାରିବେ । ତୁମ୍ଭେ ମୋ ପାଖକୁ ଆସି ଏପରି କହୁଥିଲ ବୋଲି ସେ ଶୁଣିଲେ ତୁମ୍ଭର ରାଜ୍ୟଯାକ ଧ୍ଵଂସକରି ତୁମ୍ଭର ଜୀବନ ଘେନି ଯିବେ । ଏଣୁ ତାଙ୍କ ଅଜଣାରେ ଆଉ ଦିନେ ଏଠାକୁ ଆସିବ ନାହିଁ । ଏହା ଶୁଣି ବିକ୍ରମକେଶରୀ ବୋଇଲେ, ତୁମ୍ଭର ମନ ଯେବେ ମୋଠାରେ ବଳୁଅଛି ତା ହେଲେ ମୁଁ କହିବା ଉପାୟରେ ସେ ଭାଇକି ଆଗ ମାରିଦିଅ । ପରେ ମୋତେ ବିଭା ହେବ । ଏହା ଶୁଣି କନକ କାନରେ ହାତ ଦେଇ କହିଲା, ନିଜ ଭାଇକି ସ୍ଵହସ୍ତରେ ମାରି ଏ ମହାପାପ ମୁଁ ଅର୍ଜିବି କି ? ବିକ୍ରମକେଶରୀ ବୋଇଲେ, ତୁମ୍ଭେ ସ୍ଵହସ୍ତରେ କାହିଁକି ମାରିବ ? ଏହି ଆଗରେ ଯେଉଁ ତିନ୍ତୁଳି ଗଛ ଦିଶୁଅଛି ତହିଁରେ ଗୋଟେ ଭୂତ ବାସ କରି ରହିଅଛି । ସେ ଗଛରେ ଯେ ଚଢ଼ିବ ତାକୁ ସେ ଖାଇ ଦେଉଅଛି । ତୁମ୍ଭର ଭାଇକି ତୁମ୍ଭେ କାଲି ସକାଳୁ ବୋଲିବ, ଏହି ଗଛରୁ ତିନ୍ତୁଳି ଗୁଡ଼ିଏ ତୋଳି ଆଣ, ମାଂସ ସାକେରା କରିବା । ସେ ତିନ୍ତୁଳି ତୋଳିବାକୁ ସେ ଗଛରେ ଚଢ଼ିବାମାତ୍ରେ ତାକୁ ବେକମୋଡ଼ି ଭୂତ ଖାଇଦେବ । ସେ ମଲା ପରେ ତୁମ୍ଭର ଆଉ ଭୟ କଣ ? କନକକୁ ଏ କୁମନ୍ତ୍ରଣା ଦେଇ ସେ ରାଜପୁତ୍ର ଚାଲିଗଲା । ନାରୀଜାତି ବଡ଼ ଅବିଶ୍ଵାସୀ–ସେଥିପାଇଁ ବଡ଼ପୁରୁଷେ କହିଅଛନ୍ତି–“ଅଶ୍ଵମ୍ଳୁତଂ ବାରିଦ ଗର୍ଜନଂ ଚ ସ୍ତ୍ରୀଣାଂ ଚରିତ୍ରଂ ଭବିତବ୍ୟତା ଚ । ଆକର୍ଷଣଂ ଚାପ୍ରତିବର୍ଷଣଂ ଚ ଦେବା ନ ଜାନାନ୍ତି କୁତୋ ମନୁଷ୍ୟାଃ ।” ସ୍ତ୍ରୀମାନଙ୍କ ଚରିତ୍ର ଦେବତାଙ୍କୁ ଗୋଚର ହୁଏ ନାହିଁ । ମନୁଷ୍ୟମାନେ ଅବା କେତେକର-। ବିଶେଷରେ ଯୁବତୀ ସ୍ତ୍ରୀମାନେ ଯୁବାପୁରୁଷକୁ ପାଇଲେ–ବାପ, ମା, ଭାଇ ପ୍ରଭୃତି କାହାରିଠାରେ ଖାତିର ରଖନ୍ତି ନାହିଁ । କନକମଞ୍ଜରୀ ବିକ୍ରମକେଶରୀଙ୍କ ପରିଚୟ ପାଇବାରୁ ଭାଇଠାରେ ଥିବା ମମତା ଛାଡ଼ିଦେଇ ଆରଦିନ ମନମୋହନକୁ କହିଲା–ଭାଇ, ଦେଖ ଏ ଗଛରେ କେତେ ତିନ୍ତୁଳୀ ପାଚିଅଛି, ଏଥିରୁ ଗୁଡ଼ିଏ ତୋଳି ଆଣନ୍ତ ବୋଇଲେ ମାଂସ ସାକେରା କରିବାକୁ ଭଲ ହୁଅନ୍ତା । ତାହା ଶୁଣି ମନମୋହନ ଯାଇ ଗଛରେ ଚଢ଼ିଲେ । ସେ ଗଛରେ ଭୂତ ଘର କରି ରହିଥିଲା । ସେ ତକ୍ଷଣେ ତାଙ୍କୁ ଖାଇବା ପାଇଁ ମାଡ଼ିବସିଲା । ମନମୋହନ ତା ହାତରୁ ଫିଟି ନ ପାରି ବ୍ରହ୍ମରାକ୍ଷସକୁ ମନେ ମନେ ଧ୍ୟାନ କଲେ । ସେ ସୁମରିବା ମାତ୍ରେ ବ୍ରହ୍ମରାକ୍ଷସ ପବନ ପରି ଧାଇଁ ଆସି ଭୂତକୁ ଧଇଲା । ଭୂତ ମନମୋହନକୁ ଛାଡ଼ି ଦେଇ ବ୍ରହ୍ମରାକ୍ଷସକୁ ଧଇଲା ସେ ଦୁହେଁ ଘଡ଼ିଏ ପର୍ଯ୍ୟନ୍ତେ ଘୋର ଯୁଦ୍ଧ କଲେ । ଶେଷକୁ ଭୂତର ବଳ କମିଯିବାରୁ ବ୍ରହ୍ମରାକ୍ଷସ ତାକୁ ମାରିଦେଇ ପୁଣି ମାଛି ହୋଇ ଉଡ଼ିଗଲା । ଭୂତ ମରିଯିବାର ଦେଖି ମନମୋହନ ନିର୍ଭୟରେ ସେ ଗଛରେ ଯେତେ ତିନ୍ତୁଳୀ ଥିଲା ସବୁଯାକ ତୋଳି ତହିଁରୁ ମୁଠିଏ ବାନ୍ଧି ଆଣିଲେ–ଆଉ ସବୁ ସେ ଗଛମୂଳରେ ପଡ଼ି ରହିଲା । କନକ ତିନ୍ତୁଳୀ ରସ ଦେଇ ମାଂସ ରାନ୍ଧିଲା, ଦୁହେଁ ଖାଇଲେ । ଆରଦିନ ସକାଳୁ ମନମୋହନ ଶିକାର କରିବା ପାଇଁ ବଣକୁ ଚାଲିଗଲେ । ସେହି ସମୟରେ ବିକ୍ରମକେଶରୀ ଆସି ଦେଖିଲେ ଯେ, ଗଛରେ ତିନ୍ତୁଳୀ ଆଉ ଗୋଟିଏ ନାହିଁ । ଭୂତଟା ମରିକରି ଖଣ୍ଡିଆ ପର୍ବତ ପରି ପଡ଼ିଅଛି । ତାହା ଦେଖି ସେ ବଡ଼ ଆଶ୍ଚର୍ଯ୍ୟ ହୋଇ କନକମଞ୍ଜରୀକି କହିଲେ–ତୁମ୍ଭେ ଯେପରି କହୁଥିଲ ମୁଁ ସାକ୍ଷାତେ ଦେଖିଲି ତୁମ୍ଭର ଭାଇ ସେହିପରି ବଳୁଆ । ସେ ଜୀବନରେ ଥିଲେ ମୁଁ ତୁମ୍ଭକୁ ନେଇ ପାରିବି ନାହିଁ । ଯେ ଏଡ଼େବଡ଼ ଭୂତଟାକୁ ମାରିଦେଲା, ତାଙ୍କୁ ମୁଁ ପାରିବି କି-? ମାତ୍ର ମୁଁ କହୁଅଛି ତୁମ୍ଭେ ଆଉ ଗୋଟିଏ ଉପାୟ କର । କନକ ବୋଇଲା–କଣ କରିବି ? ବିକ୍ରମକେଶରୀ କହିଲେ–ପୋଖରୀରେ ଗୋଟେ ବଡ଼ କୁମ୍ଭୀର ଅଛି । ସେ କୁମ୍ଭୀର ଅନେକ ଲୋକଙ୍କୁ ଖାଇ ଦେଲାଣି । ପଦ୍ମଫୁଲ ଆଣିଲେ ମାଳ ଗୁନ୍ଥିକରି ଠାକୁରାଣୀଙ୍କୁ ଦେବି ବୋଲି ତୁମ୍ଭେ କହିବ ବୋଇଲେ ସେ ପଦ୍ମଫୁଲ ତୋଳିବାକୁ ଯିବ । ପାଣିରେ ପଶିବା ମାତ୍ରେ ତାକୁ ନିଶ୍ଚେଁ କୁମ୍ଭୀର ଗିଳି ଦେବ । ଏପରି ଉପାୟ କହି ଦେଇ ସେ ଚାଲିଗଲେ । ସେ ଗଲାପରେ ମନମୋହନ ମାଂସ ଧରି ବଣରୁ ଆସିଲେ-। କନକ ରାନ୍ଧିଲା, ଦୁହେଁ ଖାଇଲେ । ଆଉ ଦିନ ସକାଳୁ କନକ ବୋଇଲା–ଭାଇ ଦେଖ, ଏ ପୋଖରୀରେ କେତେ ପଦ୍ମଫୁଲ ଫୁଟିଅଛି । ଏଥିରୁ ଗୁଡ଼ିଏ ତୋଳି ଆଣନ୍ତ ବୋଇଲେ ମାଳଗୁନ୍ଥି ଦିଅଁଙ୍କୁ ଦିଅନ୍ତେ । ତାହା ଶୁଣି ମନମୋହନ ହେଉ କହି ପଦ୍ମଫୁଲ ତୋଳିବାକୁ ସେ ପୋଖରୀରେ ପଶିଲେ । ସେ ଯେମିତି ପଶିଲେ, କୁମ୍ଭୀର ସେମିତି ଧାଇଁଆସି ଗିଳିଦେବ ବୋଲି ତାଙ୍କର ଗୋଡ଼ ଯୋଡ଼ିକୁ ଭିଡ଼ି ଧଇଲା । ମନମୋହନ ତାହା ଜାଣିପାରି ମନେ ମନେ ଦଉଡ଼ିକୁ ସୁମରଣା କଲେ । ଦଉଡ଼ି ତକ୍ଷଣେ ଦୌଡ଼ିଆସି ସାପ ପରି ପାଣି ଭିତରେ ବଡ଼ କୁମ୍ଭୀରଟିକୁ ଚଉକାଠିଆ କରି ବାନ୍ଧି ପକାଇଲା ଯେ, ତାର ଆଉ କର ଚରଣ ଚଳିଲା ନାହିଁ । ତହିଁ ପରେ ମନମୋହନ ଠେଙ୍ଗାକୁ ସୁମରଣା କରିବାରୁ ସେ ଠେଙ୍ଗା ଭୀମଙ୍କ ଗଦା ପରି ଉଗ୍ରମୂର୍ତ୍ତ ଧରି କୁମ୍ଭୀରକୁ ଘନ ଘନ ପ୍ରହାର କଲା । କୁମ୍ଭୀରର ଚମଡ଼ା ବଡ଼ ଟାଣ, ତହିଁରେ ଠେଙ୍ଗାମାଡ଼ ଯେତେ ବାଜିଲେ ସୁଦ୍ଧା ସେ ନ ମରିବାରୁ ମନମୋହନ ମନେ ମନେ ନଳୀକୁ ସୁମରଣା କଲେ । ନଳୀ ତକ୍ଷଣେ ଧାଇଁଆସି ପିଟିଲା ଯେ, ଏକା ଚୋଟକେ କୁମ୍ଭୀରଟା ମରିଗଲା । ଦଉଡ଼ି, ଠେଙ୍ଗା, ଓ ନଳୀ ଏମାନେ ଯେ ଯାହାର ସ୍ଥାନକୁ ଚାଲିଗଲେ । ମନମୋହନ ମନ ଇଛାରେ ପଦ୍ମଫୁଲ ତୋଳିଆଣି କନକକୁ ଦେଲେ । ବ୍ରହ୍ମରାକ୍ଷସ କୁମ୍ଭୀରର ମୃତ ପିଣ୍ଡଟାକୁ ଆଣି କୂଳରେ ଫିଙ୍ଗିଦେଲା । ଏହିପରି ସେଦିନକ ଗଲା । ଅରଦିନ ମନମୋହନ ଶିକାର କରିବାକୁ ବଣକୁ ଯାଇ ଅଛନ୍ତି, ସେହି ସମୟରେ ବିକ୍ରମକେଶରୀ ଆସି ଦେଖିଲେ ଯେ, କୁମ୍ଭୀରଟି ମରି ପଦାରେ ପଡ଼ିଅଛି । ତାହା ଦେଖି ସେ ବଡ଼ ଆଶ୍ଚର୍ଯ୍ୟ ହୋଇ କନକ ପାଖକୁ ଯାଇ ତାକୁ କହିଲେ, ତୁମ୍ଭର ଭାଇକି କୌଣସି ଉପାୟରେ ମାରି ହେବ ନାହିଁ । ତୁମ୍ଭେ ଏତିକିବେଳେ ମୋ ସାଙ୍ଗରେ ଚାଲିଆସ । ମୁଁ ନେଇ ତୁମ୍ଭକୁ ଯେଉଁ ସ୍ଥାନରେ ରଖିବି ସେ ଜାଣିପାରିବ ନାହିଁ । ଅଥବା ଜାଣିଲେ ମଧ୍ୟ ସେଠାକୁ ଯାଇ ପାରିବ ନାହିଁ । ସୁନ୍ଦର ପୁରୁଷ ଦେଖି କନକର ମନ ତ ଛନ୍ନଛନ୍ନ ହେଉଥିଲା । ସେ ଭାଇଠାରୁ ଭୟ ଆଉ ଓପ୍ରୋଧ ଛାଡ଼ି ବିକ୍ରମକେଶରୀଙ୍କ ସଙ୍ଗେ ଚାଲିଗଲା । ଏଥିପାଇଁ ବଡ଼ ପୁରୁଷେ କହିଛନ୍ତି–ସ୍ଥାନଂ ନାସ୍ତି କ୍ଷଣଂ ନାସ୍ତି ନାସ୍ତି ପ୍ରାର୍ଥୟିତା ନରଃ । ନାସ୍ତି ସ୍ଵାଧୀନତା ସୃଣାଂ ସତୀତ୍ଵମୁପତାୟତେ । ସ୍ଥାନ ନ ଥିବ, ସମୟ ନ ଥିବ, ପ୍ରାର୍ଥନା କରିବା ପୁରୁଷ ନ ଥିବ, ସ୍ଵାଧୀନତା ନ ଥିବ ବୋଇଲେ ସ୍ତ୍ରୀମାନଙ୍କର ସତୀତ୍ଵ ରହେ, ନୋହିଲେ ରହି ପାରେ ନାହିଁ । ଆହୁରି ମଧ୍ୟ କହିଅଛନ୍ତି–ଘୃତକୁମ୍ଭ ସମା ନାରୀ ତପ୍ତାଙ୍ଗାର ସମଃ ପ୍ରମାନ୍ । ତସ୍ମାଦ୍ ଘୃତଂ ଚ ବହ୍ନିଞ୍ଚ ନୈକତ୍ର ସ୍ଥାପୟେଦ୍ ବୁଧଃ । କନକମଞ୍ଜରୀ ପକ୍ଷେ ଏସବୁ ଆକଟ ନ ଥିବାରୁ ସେ ଯୁବାପୁରୁଷକୁ ଦେଖି ତା ସଙ୍ଗେ ଚାଲିଗଲା । ବିକ୍ରମକେଶରୀ ସେ କନ୍ୟା ସହିତ ଗନ୍ଧର୍ବମତରେ ବିଭାହୋଇ ତାକୁ ରାଣୀ କରି ଅନ୍ତଃପୁର ଭିତରେ ରଖିଲେ । ଏଣେ ମନମୋହନ ଶିକାର ଧରି ବଣରୁ ଫେରିଆସି ଦେଖିଲେ ଯେ ବସାରେ କନକମଞ୍ଜରୀ ନାହିଁ । ତେଣୁ ସେ ଅସ୍ତବ୍ୟସ୍ତ ହୋଇ ଚାରିଆଡ଼େ ଖୋଜି ଖୋଜି ପାଇଲେ ନାହିଁ । ତହିଁପରେ ବ୍ରହ୍ମରାକ୍ଷସକୁ ଡାକି ତାକୁ ଏ କଥା ପଚାରିଲେ । ସେ ମୂଳରୁ ଶେଷଯାଏ ଯାହା ଘଟିଥିଲା ସବୁ କହିଗଲା । ତାହା ଶୁଣି ମନମୋହନ ବଡ଼ ଦୁଃଖିତ ହୋଇ ବ୍ରହ୍ମରାକ୍ଷସକୁ ବୋଇଲେ, ତୁମ୍ଭେ ମୋ ସକାଶେ ଅଶୀବର୍ଷିୟା ବୁଢ଼ାର ବେଶ ଗୋଟିଏ ଚମଡ଼ାରେ ନିର୍ମାଣ କରି ଆଣିଦିଅ । ତାହାଶୁଣି ବ୍ରହ୍ମରାକ୍ଷସ ସେ କହିବା ପ୍ରକାରେ ଚର୍ମବେଶ ଗୋଟିଏ ତିଆରି କରି ଆଣିଦେଲା । ମନମୋହନ ସେ ବୃଦ୍ଧ ବେଶଟିକି ଦେଖି ମନେ ମନେ ବିଚାର କଲେ, କନକ ତାର ସ୍ଵ-ଇଛାରେ ଏ ଦେଶର ରାଜକୁମାରକୁ ବରଣ କରି ଯେବେ ତା ସାଙ୍ଗରେ ଚାଲିଗଲାଣି ତେବେ ମୁଁ ଯୁଦ୍ଧକରି ତହିଁରେ ବାଧା ଦେଲେ ଆଉ କି ପ୍ରୟୋଜନ ହେବ ? ସେ କଥା ଥାଉ, ପରେ ବୁଝିବି । ଆଗ ଯାଉଛି ମୋର ନିଜ କାର୍ଯ୍ୟ ମୁଁ ଦେଖିବି । ଏମନ୍ତ ବିଚାର କରି ସେ ଚର୍ମବେଶଟିକୁ ନିଜେ ପିନ୍ଧିଲେ । ଦଉଡ଼ି, ଠେଙ୍ଗା, ନଳୀ ଏବଂ ବ୍ରହ୍ମରାକ୍ଷସ ଏହି ଚାରୋଟି ଜିନିଷ ସାଙ୍ଗରେ ନେଇ ସେଠାବରୁ ଚାଲି ମହାରାଷ୍ଟ୍ର ଦେଶରେ ପହଞ୍ଚିଲେ । ସେ ଦେଶର ଜଣେ ବୃଦ୍ଧକୁମ୍ଭାର ହାଣ୍ଡି ଗଢ଼ୁଥିଲା । ତା ପାଖକୁ ଯାଇ ତାକୁ କହିଲେ–ମୁଁ ବୁଢ଼ାକୁ ତୁମ୍ଭେ ବୁଢ଼ା, ତୁମ୍ଭର ଏହି ଶାଳଘରେ ମୋତେ ଟିକିଏ ସ୍ଥାନ ଦେବ ବୋଇଲେ ମୁଁ ଭିକ୍ଷାପାତ୍ର କରି ଖାଇବି । ସମୟେ ସମୟେ ତୁମ୍ଭର ହାଣ୍ଡିଗୁଡ଼ିକ ଶୁଖାଇ ଦେଉଥିବି । ରାତିବେଳେ ଆମ୍ଭେ ଦୁଇ ବୁଢ଼ା ବସି ଦୁଃଖସୁଖ କଥାବାର୍ତ୍ତା ହେଉଥିବା । ଏହା ଶୁଣି କୁମ୍ଭାର ବୁଢ଼ା ତାଙ୍କ ରହିବା ପାଇଁ ସ୍ଥାନ ଟିକିଏ ଦେଲା । ବୃଦ୍ଧବେଶଧାରୀ ମନମୋହନ ସେଠାରେ ରହି ସେ ଦେଶର ହାଲଚାଲ ବୁଝୁଥାନ୍ତି-। ରାତିବେଳେ ସେ ଦୁଇବୁଢ଼ା ଏବଂ ଆହୁରି ଅନ୍ୟାନ୍ୟ କେତେକ ବ୍ୟକ୍ତି ବସି ନାନା କଥାବାର୍ତ୍ତା ହୁଅନ୍ତି । ଏହିପରି କେତେଦିନ ଚାଲିଗଲା ପରେ ଦଇବର ଘଟଣା ଦେଖ ଯେ ସେ ଦେଶ ରାଜାଙ୍କ ନାମ ବ୍ରଜେନ୍ଦ୍ର ସିଂହ । ତାଙ୍କର ସାତଗୋଟି କନ୍ୟା ଥାନ୍ତି । ସେ କନ୍ୟାଗୁଡ଼ିକ ବଡ଼ ସୁନ୍ଦରୀ; ସବା ସାନଟିର ନାମ ସରୋଜିନୀ । ଦିନେ ଅନ୍ତଃପୁର ଭିତରେ ରାଜା ସେ କନ୍ୟାମାନଙ୍କୁ ଏବଂ ରାଣୀଙ୍କୁ ବସାଇ ପଚାରିଲେ–ତୁମ୍ଭେମାନେ କାହା କର୍ମରେ ରାଜଶିରୀ ଭୋଗ କରୁଅଛ ? ତାହା ଶୁଣି ରାଣୀ ଆଉ ବଡ଼ ଛଅ କନ୍ୟା କହିଲେ–ଆମ୍ଭେମାନେ ତୁମରି କର୍ମରେ ଏ ସମ୍ପଦ ଭୋଗ କରୁଅଛୁଁ । ସରୋଜିନୀ କହିଲା–ତା ନୁହେ, ଏ ସଂସାର ମଧ୍ୟରେ କେହି କାହାରି କର୍ମ ଭୋଗ କରୁନାହିଁ । ସମସ୍ତେ ନିଜ ନିଜ କର୍ମଫଳ ଲୋଭକରି ସମୟ ଯାପନ କରୁଅଛନ୍ତି । ତୁମ୍ଭେମାନେ ଯାହା କହିଲ ସେ ସବୁ ମନ ଧରିବା କଥା । ମୁଁ କହୁଅଛି ଯେ ମୋ ନିଜର କର୍ମ ମୁଁ ଭୋଗ କରୁଅଛି-। ଏହା ଶୁଣି ରାଜା ମନେ ମନେ ରାଗି ଯାଇ ସେଠାରୁ ଉଠିଗଲେ । ଆରଦିନ ସକାଳୁ ମନ୍ତ୍ରୀକି ବୋଇଲେ ତୁମ୍ଭେ ଖୋଜି ଖୋଜି ୮୦। ୯୦ ବର୍ଷର ଗୋଟିଏ ବୁଢ଼ା ପୁରୁଷ ଆଣ । ମନ୍ତ୍ରୀ ବୋଇଲା–ଏପରି ବୁଢ଼ାଟେ କଣ ଦରକାର ପଡ଼ିଲା କି ? ରାଜା ବୋଇଲେ,ମୋର ସାନ ଝିଅକୁ ସେହି ବୁଢ଼ା ସହିତ ବିଭା କରାଇ ଦେବି । ମନ୍ତ୍ରୀ କାନରେ ହାତଦେଇ କହିଲା, ମହାରାଜ । ଏପରି ଦୁର୍ବିଚାର କାହିଁକି କରୁଅଛନ୍ତି ? ରାଜା ବୋଇଲେ–ଏଥିରେ ତୁମ୍ଭେ ଆଉ କିଛି କହ ନାହିଁ । ମୋ ଆଜ୍ଞା ପାଳନ କରି ଗୋଟିଏ ବୁଢ଼ା ଖୋଜିଆଣ । ମନ୍ତ୍ରୀ ଯେ ଆଜ୍ଞା କହି ପାଇକ ଚାରି ପାଞ୍ଚଜଣ ସାଙ୍ଗରେ ନେଇ ବୁଢ଼ା ଖୋଜିବାକୁ ଗଲା । ଅନେକ ଆଡ଼େ ଖୋଜି ଖୋଜି କେଉଁଠାରେ ହେଲେ ସେପରି ବୁଢ଼ା ପାଇଲା ନାହିଁ । ପରିଶେଷରେ ହତାଶ ହୋଇ ଫେରିଆସିଲା ବେଳକୁ କୁମ୍ଭାର ଶାଳରେ ବୁଢ଼ାବେଶଧାରୀ ମନମୋହନଙ୍କୁ ଦେଖିଲା । ଦାନ୍ତଯାକ ସବୁ ପଡ଼ିଗଲାଣି, ମୁଣ୍ଡବାଳ ଝୋଟପରି ଦିଶୁଅଛି; ଦେହର ଚମଯାକ ଲୋଚା ଲୋଚା ହୋଇ ଗଣ୍ଠିଯାକ ପଦାକୁ ଦିଶୁଅଛି । କଥା ପଦେ କହିଲେ ପାଟିରୁ ନାଳ ବହିପଡ଼ି ବାକ୍ୟ ଉଚାରଣ ହେଉ ନାହିଁ । ଉଠିବାକୁ ହେଲେ ବାଡ଼ିଖଣ୍ଡେ ନ ଧଇଲେ ଉଠି ପାରୁନାହିଁ, ଆଖିକି ମଧ୍ୟ ଦିଶୁନାହିଁ । ସେପରି ବୁଢ଼ା ଜଣେ କୁମ୍ଭାର ଶାଳରେ ବସିଥିବାର ଦେଖି ମନ୍ତ୍ରୀ ମନେ ବିଚାର କଲା, ଯେଉଁପରି ରାଜା ଆଦେଶ ଦେଇଥିଲେ ଆଜି ସେପରି ବୁଢ଼ା ପାଇଲି । ଏହାକୁ ନେଇ ରାଜାଙ୍କୁ ଦେଲେ ମୁଁ ରକ୍ଷା ପାଇଯିବି; ମାତ୍ର ସରୋଜିନୀର କପାଳ କେଡ଼େ ମନ୍ଦ ଯେ–ରାଜକନ୍ୟା ହୋଇ ଏ ପାଚଲା ବୁଢ଼ାଟାକୁ ବିଭା ହୋଇ ଜୀବନ ରଖିବ । ହାୟରେ ବିଧାତା ! ତୁ ଏଡ଼େ ମନ୍ଦକୃତ୍ୟ କଲୁ ? ରାଜାଙ୍କୁ ଏ ଦୁର୍ବୁଦ୍ଧି କିଏ ଦେଲା-? ମୁଁ ଯାହା ଏହାକୁ ଖୋଜିନେବାପାଇଁ ଆସିଲି; ମୋତେ ଧିକ୍ କାର ହେଉ । ଏପରି ଅନେକ ବ୍ୟାକୁଳ ହୋଇ ତହିଁ ପରେ ସେ ବୁଢ଼ା ପାଖକୁ ଯାଇ କହିଲା, ତୁମ୍ଭକୁ ଆମ୍ଭ ରାଜାଙ୍କର ଡାକରା ହୋଇଅଛି, ଚାଲଯିବ । ଏହା କହି ସେ କପଟ ବେଶଧାରୀ ବୁଢ଼ାକୁ ଶୁଆରିରେ ବସାଇ ବହିନେଲେ । ରାଜା ଲଡ଼ଲଡ଼ିଆ ବୁଢ଼ାକୁ ଦେଖି ଭାରି ଆନନ୍ଦ ହୋଇ ବସାଦେଇ ରଖାଇଲେ । ସେତିକି ବେଳେ ମନ୍ତ୍ରୀ ରାଜାଙ୍କୁ ପଚାରିଲା–ମହାରାଜ । ଆପଣ ଏ ଅନ୍ୟାୟ କାହିଁକି କରୁଅଛନ୍ତି-? ରାଜା ବୋଇଲେ–ସରୋଜିନୀ ମୋତେ କଥାରେ ଅପମାନ ଦେଇ ଗର୍ବ କରି ‘ମୋ କର୍ମ ମୁଁ ଭୋଗ କରୁଅଛି’ ବୋଲି କହିବାରୁ ମୁଁ ତାକୁ ଏ ବୁଢ଼ା ସହିତ ବିଭା କରାଇ ଦେବି । ପରିଶେଷରେ ଦେଖିବା ଯେ ତାର କର୍ମ ସେ କିପରି ଭୋଗ କରିବି ? ଏହା ଶୁଣି ମନ୍ତ୍ରୀ ଆଉ କିଛି ନ କହି ଚାଲିଗଲା । ଆରଦିନ ରାଜା ସେ ବୁଢ଼ା ସହିତ ସରୋଜିନୀକୁ ବିଭା କରାଇ ଦେଲେ । ଚଉଠି ଗଲାପରେ ବରକନ୍ୟା ଦୂହିଁଙ୍କୁ ଉଆସରୁ ବାହାର କରି ବିଦା କରିଦେଲେ । ଏହା ଦେଖି ରାଣୀ ଆଉ ପୁରା ସ୍ତ୍ରୀଗଣ କାନ୍ଦି କାନ୍ଦି ଲୋତକଧାରାରେ ପୃଥିବୀରେ ଚଢ଼ି ମଡ଼ାଇ ଦେଲେ । ତଥାପି ସରୋଜିନୀ ବିଚଳିତ ନ ହୋଇ ସେମାନଙ୍କୁ ‘ମୋ ସକାଶେ କାନ୍ଦ ନାହିଁ’ ବୋଲି କହି ଏବନ ନିଜର କର୍ମକୁ ଆଦରି ସେହି ବୃଦ୍ଧ ପତି ସଙ୍ଗେ ଆନନ୍ଦ ମନରେ ଚାଲିଗଲା । ସେହି ଦେଶର ଗୋଟିଏ ପଲ୍ଲୀ ଗ୍ରାମରେ ପତି ପତ୍ନୀ ଦୁହେଁ ଖଣ୍ଡିଏ ବସାଘର କରି ରହିଲେ । ତାଙ୍କ ପଡ଼ିଶା ଘରେ ଗୋଟିଏ ମାଳିଘର ଥାଏ । ତାର ଦିଅଁ ସେବା ଥାଏ ଯେ ସେ ତହିଁରୁ ପ୍ରତିଦିନ ଭୋଗ ପାଇ ଏ ଦୁହିଁଙ୍କୁ ଭୋଗରୁ କିଛି ଖାଇବାକୁ ଦିଏ । ଏ ଦୁହେଁ ସେତିକିରେ ସନ୍ତୁଷ୍ଟ ହୋଇ ରହିଥାନ୍ତି । ସରୋଜିନୀ, ପ୍ରାଣ ପ୍ରଣେ ଲାଗି ହରଷ ମନରେ ସେହି ବୃଦ୍ଧପତିର ସେବାକରି କାଳ କାଟୁଥାଏ । ଏହିପରି କେତେଦିନ ଗଳାପରେ ରାଜାଘର ବାର୍ଷିକ ଉତ୍ସବ ହେଲା ଯେ, ସେ ଉତ୍ସବ ଦେଖିବା ପାଇଁ ସବୁ ଗ୍ରାମର ଲୋକ ଗଲେ । ତାହା ଜାଣି ସରୋଜିନୀ ଉତ୍ସବ ଦେଖିବାକୁ ଯିବ ବୋଲି ନିଜର ପତିକି କହିଲା । ସେ କପଟ ବେଶଧାରୀ ବୁଦ୍ଧ ଭାର୍ଯ୍ୟାର ସ୍ନେହରେ ଅବଦ୍ଧ ହୋଇ ‘ହେଉ ତେବେ ଯାଅ’ ବୋଲି କହିବାରୁ ସରୋଜିନୀ ତାଙ୍କର ସେବାକାର୍ଯ୍ୟ ବଢ଼ାଇ ସାରି ପଡ଼ୋଶୀ ମାଇପିଙ୍କ ସଙ୍ଗେ ସାଥିହୋଇ ଯାତ୍ରା ଦେଖିବକୁ ଗଲା । ସରୋଜିନୀ ଘରୁ ଯିବାର କିଛିକ୍ଷଣପରେ ମନମୋହନ ଚର୍ମ ବେଶ ବାହାର କର ଯତ୍ନରେ ରଖିଦେଲେ, ନିଜର ପୂର୍ବବେଶରେ ଅଳଙ୍କୃତ ହୋଇ ସେ ମଧ୍ୟ ଯାତ୍ରା ଦେଖିବା ପାଇଁ ରାଜାଘରକୁ ଗଲେ । ଗଲାବେଳେ ବ୍ରହ୍ମରା କ୍ଷସକୁ ଡାକି କହିଲେ–ତୁମ୍ଭ ଅଦୃଶ୍ୟରେ ଥାଇ ସରୋଜିନୀର ପଛେ ପଛେ ରହିଥିବ । ସେ ନିରାପଦରେ ଯାତ୍ରା ଦେଖି ଫେରିଆସ । ଏହା ଶୁଣି ସେ ସରୋଜିନୀକୁ ଜଗିବାକୁ ଗଲା । ପୁଣି ମନମୋହନ ଠେଙ୍ଗାକୁ ଡାକି କହିଲେ, ତୁ ଘର ଜଗିଥା, ମୁଁ ଯାଉଛି ଯାତ୍ରା ଦେଖି ଆସିବି । ପୁଣି ମନମୋହନ ଦଉଡ଼ିକି ବୋଇଲେ, 'ମୋର ଘୋଡ଼ାକୁ ବାନ୍ଧି ଅଣେ । ଆଜ୍ଞା ମାତ୍ରେ ଦଉଡ଼ି ଯାଇ ଘୋଡା କୁ ବାନ୍ଧି ଆଣିଦେଲା । ଠେଙ୍ଗା, ଘର ଜଗିଲା । ମନମୋହନ ଘୋଡ଼ାରେ ବସି ଯାତ୍ରା ଦେଖିବାକୁ ଗଲେ । ଘଡ଼ିଏ ପ୍ରହରେ ଦେଖି ତାହା ଶେଷ ନ ହେଉଣୁ ଫେରଆସି ପୁଣି ବୃଦ୍ଧବେଶ ଧରି ବସାରେ ରହିଲେ । ଠେଙ୍ଗା, ଦଉଡ଼ି, ଘୋଡ଼ା ଏମାନେ ଯେ ଯାହାର ସ୍ଥାନକୁ ଚାଲିଗଲେ । ଟିକିଏ ଗଲାଉତ୍ତାରୁ ସରୋଜିନୀ ଆସି ବସାରେ ମିଳିଲା । ପତି ପତ୍ନୀ ଦୁହେଁ ପୂର୍ବପରି ସେ ରାତିକ କଟାଇଲେ । ଆରଦିନ ସକାଳୁ ପଡ଼ିଶାଘର ମାଲୁଣୀ ସରୋଜିନୀକି ଦେଖି ଅନନ୍ଦରେ ହସି ହସି କହିଲା–ତୋ ପରି ଭାଗ୍ୟବତୀ ସଂସାରରେ କଏ ନାହିଁ । ତୁ ଯେଉଁ ପତି ପାଇଅଛୁ, ନାରୀମାନେ କୋଟି ଜନ୍ମରେ ତପସ୍ୟା କଲେ ସୁଦ୍ଧା ସେପରି ପତି ପାଇବେ ନାହିଁ । ସରୋଜିନୀ ବୋଇଲା ରୂପ ଦେଖି ବୟସ ପଚାରିଲା ପରି କହୁଅଛୁ କି ? ତୁମ୍ଭେ ଯେତେ ଥଟ୍ଟାକରି କହିଲେ ମଧ୍ୟ ମୁଁ କଣ ସେ ବୃଦ୍ଦପତିଙ୍କି ଦେବତା ବୋଲି ନ ମାନିବି କି ? ଶାସ୍ତ୍ର ତ ଲେଖିଅଛି–ଚାରୁଚଗ୍ନି ଦ୍ୱିଜାତୀନଂ ବର୍ଣ୍ଣନା ବ୍ରାହ୍ମଣୋ ଗୁରୁଃ । ପତିରେକୋ ଗୁରୁଃ ସ୍ତ୍ରୀଣାଂ ସର୍ବସ୍ୟାଭ୍ୟାଂ ଗତୋ ଗୁରୁଃ । ଅଗ୍ନି ବାହ୍ମଣମାନଙ୍କର ଗୁରୁ, ସବୁ ବର୍ଣ ମାନଙ୍କର ବ୍ରାହ୍ମଣ ଗୁରୁ । ସ୍ତ୍ରୀମାନଙ୍କର ଏକମାତ୍ର ପତି ଗୁରୁ ଏବଂ ଅତିଥି ଏ ସମସ୍ତଙ୍କର ଗୁରୁ ଅଟନ୍ତି । ଏହା କାରଣରୁ ତୁମ୍ଭେ ଯିଏ ଯାହା ବୋଲୁଥାଅ ପଛେ ମୋର ସେହି ବୃଦ୍ଧପତି ଏକା ସର୍ବସ୍ଵ ବୋଲି ମୁଁ ଜାଣେ । ମାଲୁଣୀ ବୋଇଲା–ମୁଁ ଏକଥା ଥଟ୍ଟାକରି କହଲି ବୋଲି ବିଚାରିଲୁ କି ? ନାଇଁ ନାଇଁ, ଲୋକେ ସିନା କନ୍ଦର୍ପ ବୋଲି ଉପମା ଦେଇ କହନ୍ତି, କିନ୍ତୁ ମୁଁ ସାକ୍ଷାତରେ ଦେଖିଲି ତୁମ୍ଭ ପତି ଯୁବା ଏବଂ କନ୍ଦର୍ପରୁ ଅଧିକ ସୁନ୍ଦର । ସେ କପଟରେ ବୃଦ୍ଧାବେଶ କେଜାଣି କାହିଁକି ଧରି ଅଛନ୍ତି । ଏହା ଶୁଣି ସରୋଜିନୀ ଆଶ୍ଚର୍ଯ୍ୟ ହୋଇ ଚିରପ୍ରତିମା ପରି ମାଲୁଣୀକି ଚାହିଁ ରହିଲା । ମାଲୁଣୀ ଗତ ରାତିରେ ଯାହା ଦେଖିଥିଲା, ସେ କଥା ସବୁ ମୂଳରୁ ଶେଷଯାଏ କହିଗଲା । ସରୋଜିନୀ ବୋଇଲା–ଯେବେ ସତ କହୁଅଛ, ମୋତେ ଦେଖାଇ ଦେଇ ପାରବ କି ? ମାଲୁଣୀ କହଲା–ଆଜି ସଞ୍ଜବେଳେ ତୁମ୍ଭେ ରଜାଘରକୁ ଯାତ୍ରା ଦେଖିଯିବ ବୋଲି କହି ମୋ ଘରେ ଲୁଚି ରହିଲେ ତ ନିଜେ ଦେଖିବ, ମୁଁ ଆଉ ଦେଖାଇଦେବି କଣ ? ଏପରି ସେ ଦୁହେଁ ବିଚାର ଛିଣ୍ଡାଇ ସେଝା କାମରେ ଲାଗିଲେ । ସଞ୍ଜବେଳ ହେବାରୁ ସରୋଜିନୀ ପତିସେବା ସାରି ତାଙ୍କୁ ଖାଇବାକୁ ଦେଇ ବିନୟରେ ହାତଯୋଡ଼ି କହିଲା,ଆଜି ପୁଣି କାଲିଠାରୁ ଅଧିକ ଯାତ୍ରା ହେଉଅଛି, ମୋତେ ଅଜିକ ଦେଖିଯିବା ପାଇଁ ଆଜ୍ଞା ଦିଅ । ତାହା ଶୁଣି ସେ ବୃଦ୍ଧ ଯାଅ ବୋଲି କହିବାରୁ ସରୋଜିନୀ ଘରୁ ଯାଇ ମାଲୁଣୀ ଘରେ ଲୁଚି ରହିଲା । ତହିଁ ଉତ୍ତାରୁ କିଛି ସମୟ ଗଲା ପରେ ମନମୋହନ ଚର୍ମବେଶ ବାହାର କରି, ଘରେ ଥୋଇଦେଇ ନିଜ ବେଶରେ ଘୋଡ଼ା ଉପରେ ବସି ଯାତ୍ରା ଦେଖିବା ଇଚ୍ଛାରେ ରଜାଘରକୁ ଯିବାପାଇଁ ବାହାରିଲେ । ସରୋଜିନୀ ତ ମାଲୁଣୀ ଘରେ ଲୁଚି ଥିଲା । ସେ ମନମୋହନଙ୍କର କନ୍ଦର୍ପ ତୁଲ୍ୟ ରୁପକୁ ଦେଖି ମନେ ମନେ ବିଧାତାଙ୍କୁ ବହୁତ ପ୍ରଶଂସା କଲା । ତହିଁପରେ ଆନନ୍ଦରେ ହସି ହସି ମାଲୁଣୀ କୁ ଚାହିଁ ବୋଇଲା–ତୁମ୍ଭେ ଯାହା କହୁଥିଲ ତାହା ତିଳେ ମିଛ ନୁହେଁ । ସବୁ ସତ, ହେଲେ ଏବେ କଣ କରିବା କହିଲ ? ମଲୁଣୀ ବୋଇଲା–ତାଙ୍କର ଏ ଚର୍ମ ବେଶଟି ପୋଡ଼ିଦେଲେ ଭଲ ହୁଅନ୍ତା, ମାତ୍ର ସେ କାହିଁକି ଏପରି ବୁଢ଼ା ବେଶ ଧରି ଅଛନ୍ତି ତାହା ତ ଆମ୍ଭେ ଜାଣି ନ ଥାଇଁ । ପୋଡ଼ିଦେବା ବୋଇଲେ କେଜାଣି ତହିଁରୁ କଣ ବିପଦ ଘଟିପାରେ ? ଏଣୁ ମୁଁ କହିଅଛି ସେ ତ ଯାତ୍ରା ଦେଖିବାକୁ ନିଜ ବେଶରେ ବାହାରି ଗଲେଣି-। ତୁମ୍ଭେ ଏବେ ତାଙ୍କର ସେ ଚର୍ମବେଶଟିକି ଲୋଚାକରି ବୁଜୁଳା ବାନ୍ଧି ସଙ୍ଗେ ସଙ୍ଗେ ଧରି ଆସ । ଆମେ ମଧ୍ୟ ଯାତ୍ର। ଦେଖିବାକୁ ଯିବା, ତେଣୁ ଫେରିଅସିଲା ବେଳକୁ ସେ ଆଗ ହେଇ ବାହାରି ଅସି ଚର୍ମ ବେଶ ଖୋଜୁଥିବେ । ତୁମ୍ଭେ ସେତିକିବେଳେ ଆସିଲେ ବଳେ ସାର କଥାଟା ଜଣା ପଡ଼ିଜିବ । ଏହା ଶୁଣି ସରୋଜିନୀ ସେ ଚର୍ମବେଶଟିକି ବନ୍ଧାବନ୍ଧି କରି କାଖରେ ଜାକିଲା । ମାଲୁଣୀ ସଙ୍ଗେ ମିଶି ଦୁହେଁ ଯାତ୍ରା ଦେଖିବାକୁ ଚାଲିଗଲେ । ଦଇବରେ ସରୋଜିନୀର ବଡ଼ ଭଉଣୀମାନେ ଯେଉଁଠାରେ ରହି ଉତ୍ସବ ଦେଖୁଥିଲେ ସେହିଠାରେ ଏ ଦୁହେଁ ଯାଇ ଦେଖିଲେ । ବଡ଼ ଭଉଣୀମାନେ ତାଙ୍କର ନିଜ ନିଜ ପତିମାନଙ୍କୁ ଚିହ୍ନାଇବାରୁ ସରୋଜିନୀ ମଧ୍ୟ ମନମୋହନଙ୍କୁ ଚିହ୍ନାଇ କହିଲା–ଏହି ମୋର ସ୍ଵାମୀ ଅଟନ୍ତି । ତାଙ୍କୁ ଦେଖି ବଡ଼ ଭଉଣୀମାନେ ଆଶ୍ଚର୍ଯ ହୋଇ କହିଲେ–ବାପା ତ ତୋତେ ବୁଢ଼ା ବରଟେ ବିଭା କରାଇଲେ, ତୁ ଏବେ କନ୍ଦର୍ପ ପରି ରୂପବନ୍ତ ଷୋଳ ସମର୍ଥ ଯୁବାପୁରୁଷ ଜଣକୁ ମୋର ପତି ବୋଲି ଦେଖାଉଛୁ ଯେ, ଏଥିରୁ ଜଣାଯାଊଅଛି ତୁ ନିଶ୍ଚେ କୁଳଧର୍ମ ଛାଡ଼ି ବ୍ୟଭିଚାରିଣୀ ହେଲୁଣି । ଏହା କହି ସେମାନେ ସେହିକ୍ଷଣି ସେଠାରୁ ଧାଇଁ ଯାଇ ସେ କଥା ରାଜାଙ୍କ ଆଗରେ କହିଲେ । ରାଜା ଶୁଣିବା ମାତ୍ରେ ସରୋଜିନୀର ନିକଟକୁ ଯାଇ ତାକୁ ପଚାରିଲେ–ମୁଁ ତ ତୋତେ ବୁଢ଼ାବର ଗୋଟେ ବିଭା କରାଇ ଦେଇଥିଲି, ତୁ ଏବେ ଅନ୍ୟ ଯୁବକ ପୁରୁଷ ଜଣକକୁ ପତି ବୋଲି କିପରି ଦେଖାଉଅଛୁ ? ସରୋଜିନୀ ବୋଇଲା–ବାପା ମୁଁ ପରା କହିଥିଲି, ଏ ସଂସାରରେ ସମସ୍ତ ନିଜ ନିଜ କର୍ମ ଭୋଗ କରନ୍ତି ବୋଲି । ତୁମେ ମୋତେ କପଟରେ ବୁଢ଼ା ବରଟା ବିଭା କରାଇ ଦେଲ ଯେ କଣ ହେବ ? ସେହି ବୁଢ଼ା ବର ମୋ କର୍ମକୁ ଯୁବା ହୋଇଗଲେ । ରାଜା ଏ କଥା ଶୁଣି ଅସମ୍ଭବ ମନେକରି ସରୋଜିନୀ ତୁ ବ୍ୟଭିଚାରିଣୀ ହେଲ ବୋଲି କହି ଧିକ୍‌କାର କଲେ । ସରୋଜିନୀ ବୋଇଲା–ବାପା ଆଖି ଥାଉ ଥାଉ ଅନ୍ଧ ହେଲାପରି ତୁଚ୍ଛାଟାରେ କାହିଁକି ମୋତେ ଧିକ୍‌କାରୁଛ ? ଯେବେ ସତ ମିଛ ବୁଝିବାକୁ ମନ ହେଉଅଛି, ତାହାହେଲେ ସେ ପୁରୁଷଙ୍କୁ ଏଠାକୁ ଡକାଇ ଅଣ । ମୁଁ ସାକ୍ଷାତରେ ସତ ମିଛ ଦେଖାଇ ଦେବି । ଏହା ଶୁଣି ରଜା ଚପରାଶି ପଠାଇ ମନମୋହନଙ୍କୁ ସେଠାରୁ ଡାକି ଆଣିଲେ । ସରୋଜିନୀ ଯେଉଁ ଚର୍ମବେଶଟି କାଖରେ ଜାକିଥିଲା, ସେଇଟା ତାଙ୍କ ଉପରକୁ ଫିଙ୍ଗି ଦେଲା ଯେ, ମନମୋହନ ତକ୍ଷଣେ ପୂର୍ବପରି ବୁଢ଼ା ହୋଇଗଲେ । ତାହା ଦେଖି ରାଜା ଆବାକ୍ ହୋଇ କ୍ଷଣକାଳ ପରେ ମନମୋହନଙ୍କୁ କହିଲେ–ତୁମ୍ଭେ ଆଜିଠାରୁ ଏ ବୃଦ୍ଧବେଶ ତ୍ୟାଗ କରି ନିଜ ବେଶ ଧାରଣ କର । ତୁମ୍ଭେ କେଉଁ କୁଳରେ ଜନ୍ମ ହୋଇଅଛ, ତୁମ୍ଭର ନାମ କଅଣ, ତୁମ୍ଭର ପିତାମାତା କିଏ ସେ ସବୁର ପରିଚୟ ଦିଅ । ରାଜା ଏପରି କହିବାରୁ ମନମୋହନ ନିଜ ବେଶ ଧରି କୁଳଗୋତ୍ର ଅଦି ସକଳ ବିଷୟରେ ପରଚୟ ଦେଲେ । ରାଜା ସେ ଚରିତ ଶୁଣିବା ମାତ୍ରେ ବଡ଼ ଆନନ୍ଦ ହୋଇ ସରୋଜିନୀ ସହିତ ତାଙ୍କୁ ପାଲିଙ୍କିରେ ବସାଇ ଘରକୁ ନେଇ ଗଲେ । ରାଣୀ ଆଦି ଅନ୍ତଃପୁର ନାରୀମାନଙ୍କର ମନ ଅନନ୍ଦରେ ଉଛୁଳି ପଡ଼ିଲା । ଆରଦିନ ସକାଳୁ ରାଜା ସାତ ଜ୍ଵାଇଁଙ୍କୁ କହିଲେ–ତୁମ୍ଭେମାନେ ଶିକାର କରିବାକୁ ଯାଇ ସମସ୍ତେ ଗୋଟିଏ ଗୋଟିଏ ମୃଗ ମାରିଆଣ, ଆଜି ବନ୍ଧୁ ବାନ୍ଧବମାନଙ୍କୁ ଭୋଜି ଦେବା । ଏହା ଶୁଣି ବଡ଼ ଛଅ ଜ୍ଵାଇଁ ଏକମେଳ ହୋଇ ଘୋଡ଼ାରେ ବସି ଅସ୍ତ୍ର ଶସ୍ତ୍ର ଧରି ଶିକାର କରିବା ପାଇଁ ବଣକୁ ବାହାରିଲେ । ସେମାନେ ମନମୋହନଙ୍କୁ ସଙ୍ଗରେ ଯିବାପାଇଁ ଡାକିଲେ ନାହିଁ ତାହା ଦେଖି ମନମୋହନ ମନେ ମନେ ରାଗିଯାଇ ଏକ ଘୋଡ଼ାରେ ବସି ବଣ ନିକଟରେ ପହଞ୍ଚିଲେ । ସେଠାରେ ବ୍ରହ୍ମରାକ୍ଷସକୁ ମନେ ମନେ ସୁମରଣା କରିବାରୁ ସେ ତକ୍ଷଣେ ଆସି ପହଞ୍ଚିଲା ଦଉଡ଼ି, ଠେଙ୍ଗା, ନଳୀ ଏମାନଙ୍କୁ ସୁମରଣା କରିବାରୁ ସେମାନେ ଅସିଗଲେ । ତହିଁପରେ ମନମୋହନ ବ୍ରହ୍ମରାକ୍ଷସକୁ ବୋଇଲେ ତୁମ୍ଭେ ଏ ବଣ ମଝିରେ ମାୟାରେ ଗୋଟିଏ ଋଷି ଆଶ୍ରମ ନିର୍ମାଣ କର । ସେ ଆଶ୍ରମଟି ଚାରିକ୍ରୋଶ ଅଯତନ ହୋଇଥିବ । ତାର ଚାରି ପାଖରେ ମେଘନାଦ ପାଚେରି ବୁଲିଥିବ । ଚଉପାର୍ଶ୍ଵରେ ଚାରିଗୋଟି କୋଲିଆ ଦୁଆର ଥିବ । ଆଶ୍ରମ ଭିତରେ ପୋଖରି ଏବଂ ମନୋହର ଫଳ ଫୁଲର ବଗିଚା ଥିବ । ଏହା ଶୁଣି ବ୍ରହ୍ମରାକ୍ଷସ ତକ୍ଷଣେ ସେହିପରି ଅଶ୍ରମଟିଏ ମାୟାରେ ଭିଆଣ କରିଦେଲେ । ମନମୋହନ ଦଉଡ଼ିକି ଚାହିଁ କହିଲେ–ବଣରେ ଯେତେ ପ୍ରକାର ଜୀବଜନ୍ତୁ ଅଛନ୍ତି, ତୁ ସେଥିରୁ ଗୋଟିଏ ନ ଛାଡ଼ି ସମସ୍ତଙ୍କୁ ଏହି ଆଶ୍ରମ ଭୀତରକୁ ବାନ୍ଧି ଅଣେ । ସେ ଆସି ଗଲା ପରେ ଠେଙ୍ଗା ପୂର୍ବଦ୍ଵାରେ ଜଗି ରହୁ, ଆଉ ତିନିଦ୍ଵାର ବନ୍ଦ କରିଦିଅ । ଏପରି ଅଦେଶ ଦେଇ ନିଜେ ତପସ୍ଵୀ ବେଶ ଧରି ତପସ୍ୟା କରିବାକୁ ବସିଲେ । ଦଉଡ଼ି ସବୁ ଜୀବଜନ୍ତୁଙ୍କୁ ବାନ୍ଧି ଆଣି ଭିତରେ ଛାଡ଼ିଦେଲା । ଠେଙ୍ଗା ଦ୍ୱାର ଜଗିଲା, ବ୍ରହ୍ମରାକ୍ଷସ ଶିଷ୍ୟ ହୋଇ ସେ ମାୟାତପସ୍ଵୀର ସେବାରେ ରହିଲା ।

 

ଏଣେ ରାଜାଙ୍କର ବଡ଼ ଛଅ ଜ୍ଵାଇଁଯାକ ବଣରେ ବୁଲି ବୁଲି ଗୋଟିଏ ହେଲେ ମୃଗ ପାଇଲେ ନାହିଁ କି ପକ୍ଷୀଟିଏ ସୁଦ୍ଧ। ପାଇଲେ ନାହିଁ । ବୁଲି ବୁଲି ଦଶଘଡ଼ି ହୋଇଗଲା । ପରିଶେଷରେ ନିରାଶ ହୋଇ ଫେରିଲା ବେଳକୁ ସେହି ଋଷିଆଶ୍ରମରେ ଯାଇ ପହଞ୍ଚିଲେ । ଦେଖିଲେ ସେ ବଣର ଯେତେ ଜୀବଜନ୍ତୁ ସବୁ ସେ ଭିତରେ ବୁଲୁଛନ୍ତି । ଏଥରୁ କେତେଟା ମାରିନେବା ବୋଲି କାଣ୍ଡ ବାନ୍ଧିବା ପାଇଁ ଧନୁରେ ଗୁଣ ଦେବାରୁ ବ୍ରହ୍ମରାକ୍ଷସ ଶିଷ୍ୟ ରୂପରେ ଧାଇଁଯାଇ ତାଙ୍କୁ ମନକଲା । ସେମାନେ ବଡ଼ଗର୍ବରେ ତାର ମନା ନ ମାନି ଜନ୍ତୁ ମାରିବାକୁ ଅଗ୍ରସର ହେବାରୁ ବ୍ରହ୍ମରାକ୍ଷସ କ୍ରୋଧରେ ଚକ୍ରପରି ଅଖି ବୁଲାଇ ଗୋଟାକୁ ଧରି ଗୋଟାକ ଉପରେ ଛେଚି ଦେଲା ଯେ, ଛଅଟାଯାକ ଝଲକେ ଝଲକେ ରକ୍ତବାନ୍ତି କରି ପଡ଼ି ରହିଲେ । ଦଣ୍ଡେକାଳ ଗଲାପରେ ଚେତା ପାଇ ଋଷିଙ୍କ ପାଖକୁ ଯାଇ କରଯୋଡ଼ି ତାଙ୍କୁ କହିଲେ, ଆମ୍ଭେ ନ ଜାଣିବା ପଣରେ ଅପଣଙ୍କ ଶିଷ୍ୟ ହାତରେ ଯେଉଁ ମାଡ଼ ଖାଇଲୁ ତାହା ଜୀବ ଥିବାଯାକ ମନେ ପଡ଼ୁଥିବ । ଏଥିରେ ଅଧିକ ଆଉ କଣ କହିବୁ, ଆପଣ ଦୟାକରି ଅମ୍ଭକୁ ଗୋଟିଏ ଲେଖାଁ ମୃଗ ଦିଅନ୍ତୁ, ଅମ୍ଭେ ମାରିନେବୁ ନ ଦେଲେ ଅମ୍ଭର ଗୌରବ ରକ୍ଷା ହେବ ନାହିଁ । ଏହା ଶୁଣି ସେ ମାୟା ତପସ୍ଵୀ କହିଲେ–ତୁମ୍ଭେମାନେ ଯେବେ ମୋର ଦାସ ହେଲ ବୋଲି ସ୍ୱୀକାର କରିବ ତା ହେଲେ ତୁମ୍ଭ ପିଛାରେ ଚିହ୍ନ ରଖି ତୁମ୍ଭକୁ ଛ’ ଗୋଟି ମୃଗ ଦେବି, ନୋହିଲେ ଦିଆଯିବ ନାହିଁ । ଏହା ଶୁଣି ସେମନେ ବିଚାର କଲେ ଏ ଋଷି ଆଜକ ଏଠାରେ ଅଛନ୍ତି, ପୁଣି ମନ ହେଲେ କୁଆଡ଼େ ତୀର୍ଥ କରିବାକୁ ଚାଲିଯିବେ । ଆମ୍ଭେ ଏହାଙ୍କର ଦାସ । ହେଲେ ବୋଲି କିଏ କାହିଁକି ଜାଣିବ ଯେ, ଆମ୍ଭକୁ ନିନ୍ଦା ଆସିବ । ଦାସ ହେଲୁ ବୋଲି କହିଦେଇ ଚାଲ ମୃଗ ଛଅଟା ମାରିନେବା । ଏମନ୍ତ ବିଚାର କରି ହେଉ ବୋଲି ତାଙ୍କ କଥାରେ ରାଜି ହଲେ । ଋଷି ଗୋଟିଏ ତମ୍ବା ଚିତ୍ର ନିଆଁରେ ତତାଇ ସେ ଛଅ ଜଣଙ୍କ ପିଚାରେ ଛାପା ଦେଇ ଶିଷ୍ୟକୁ ବୋଇଲେ ଏମାନଙ୍କୁ ଛଅଗୋଟି ମୃଗ ବାଛି ବାଛି ଦେଖାଇ ଦିଅ, ଏ ମାରି ଦିଅନ୍ତୁ । ବ୍ରହ୍ମରାକ୍ଷସ ତାଙ୍କ କଥା ଜାଣି ଛଅଟା ରୋଗଣା ବୁଢା ମିରିଗ ତାଙ୍କୁ ଦେଖାଇଦେଲା । ସେମାନେ ସେ ଛଅ ଯାକଙ୍କୁ ମାରି। ବହି ନେଲେ । ତହିଁପରେ ମନମୋହନ ଋଷି ବେଶ ଛାଡ଼ି ବାଛିକରି ତରୁଣ ମୃଗ ଦୁଇଟି ମାରି ସେ ଅଶ୍ରମ ଭାଙ୍ଗିଦେଇ ବ୍ରହ୍ମରାକ୍ଷସକୁ ବୋଇଲେ; ସେମାନେ ନ ଯିବା ପୂର୍ବରୁ ଏ ମୃଗ ଦୁଇଟା ସହିତ ମୋତେ ବହିନେଇ ଶ୍ଵଶୁରଙ୍କ ଦୁଆରେ ଛାଡ଼ିଦେ । ବ୍ରହ୍ମରାକ୍ଷସ ନିଜ ରୂପ ଧରି ଘୋଡ଼ା ଆଉ ମୃଗ ଦୁଇଟା ସହିତ ମନମୋହନଙ୍କୁ ଅକାଶମାର୍ଗରେ ଉଡ଼ାଇ ନେଇ ବଡ଼ ଛଅଜଣ ନ ଯିବା ପୂର୍ବରୁ ରାଜାଙ୍କ ଗଡ଼ ପାଖରେ ଛାଡ଼ିଦେଲା । ମନମୋହନ ସେ ମୃଗ ଦୁଇଟି ନେଇ ଶ୍ୱଶୁରଙ୍କୁ ଦେଲେ । ଆଉମାନେ କୁଆଡ଼େ ଗଲେ ବୋଲି ରାଜା ପଚାରିବାରୁ ସେ କହିଲେ–ଗଲାବେଳରୁ ତାଙ୍କର ମୋର ଭେଟ ନାହିଁ । ଏପରି ପଚାରୁ ପଚାରୁ ବଡ଼ ଛଅ ଜ୍ଵାଇଁ ଅସି ସେମାନେ ମାରି ଆଣିଥିବା ଛଅଗୋଟି ମୃଗ ରାଜାଙ୍କୁ ଦେଲେ । ସାତ ଜ୍ଵାଇଁ ଆଣିଥିବା ମାଂସରେ ସାତହାଣ୍ଡି ତରକାରୀ ରନ୍ଧା ହେଲା । ପୂର୍ବରୁ ପିଠାପଣା କ୍ଷୀରି ଖେଚେଡ଼ି ରନ୍ଧା ହୋଇଥିଲା । ସୂପକାରମାନେ ପାକ ନିର୍ଭାକରି ରାଜାଙ୍କୁ ଜଣାଇଲେ । ରାଜା ସେ ସାତ ଜ୍ଵାଇଁ ଏବଂ ଭାଇ ବନ୍ଧୁ ବିରାଦଙ୍କୁ ଧରି ଭୋଜନରେ ବସି ଭୋଜନ କଲାବେଳେ ସାନ ଜ୍ଵାଇଁ ଆଣିଥିବା ମାଂସକୁ ସମସ୍ତେ ବଡ଼ ପ୍ରଶଂସା କଲେ । ବଡ଼ ଜ୍ଵାଇଁମାନେ ତ ବୁଢା ମୃଗ ମାରି ଆଣିଛନ୍ତି ସେ ମାଂସଗୁଡ଼ାକ ଦଉଡ଼ିପରି ଦାନ୍ତରେ ରେକଟିଲେ ସୁଦ୍ଧା ଛିଡିଲା ନହିଁ-। ତେଣୁ ତାହା କେହି ନ ଖାଇ ଛି ଛି କଲେ । ରାଜା ତହିଁର କାରଣ ପଚାରିବାରୁ ମନମୋହନ କହିଲେ–ସେ ଛଅଜଣଯାକ ମୋର ଚାକର । ତେଣୁ ମୁଁ ଆଣିବା ମାଂସ ସଙ୍ଗେ ସେମାନେ ଆଣିଥିବା ମାଂସ କିପରି ସମାନ ହେବ ? ଏହା ଶୁଣି ରାଜା ଅଶ୍ଚର୍ଯ୍ୟ ହୋଇ ବୋଇଲେ–ତୁମ୍ଭର ସେମାନେ ଚାକର ବୋଲି କଣ ଚିହ୍ନ ରଖି ଅଛି କି ? ମନମୋହନ ବୋଇଲେ, ମୁଁ ସେମାନଙ୍କ ପଚାରେ ଚିତ୍ର ଚିହ୍ନ ରଖିଅଛି, ଦେଖ । ଏହା ଶୁଣି ଶଳା ପ୍ରଭୃତି ଯେତେ ପରିହାସ ଲୋକଥିଲେ, ସେମାନେ ବଳପୂର୍ବକ ତାଙ୍କ ପିଚାରୁ ଲୁଗା ଟେକି ଦେଖିଲା ବେଳକୁ ସତକୁ ସତ ସେହିଦିନ ଚିତ୍ର ଚିହ୍ନର ଛପା ଦିଆଯାଇଛି ଯେ ଘା ଶୁଖିନାହିଁ । ତାହା ଦେଖି କେତେ ଲୋକ ଟହ ଟହ ହସିଲେ । ଆଉ କେତେକ ତହିଁର କାରଣ ପଚାରିବାରୁ ମନମୋହନ ସବୁ କଥାଯାକ ତାଙ୍କୁ କହିଗଲେ । ତାହା ଶୁଣି ମହାରାଷ୍ଟ୍ର ରାଜା କହିଲେ–ମୋର ସାନଝିଅ ଯାହା କହୁଥିଲା ତାହା ଅକ୍ଷରେ ଅକ୍ଷରେ ସତ୍ୟ-। ଏ ସଂସାରରେ କେହି କାହାରି କର୍ମ ଭୋଗ କରୁ ନାହିଁ । ସମସ୍ତେ ନିଜ ନିଜ କର୍ମ ଭେଗ କରୁଅଛନ୍ତି-। ପିତା, ମାତା, ଭାଇ, ଭାର୍ଯ୍ୟା ଇତ୍ୟାଦି ଯେ ଅନୁବନ୍ଧ ରହିଅଛି, ତାହା ସବୁ ସଂସାରରେ ଧର୍ମ ଅଟେ-। ଏହା କହି ତାଙ୍କର ତ ପୁଅ ନ ଥିଲା, ତେଣୁ ମନମୋହନକୁ ନିଜ ରାଜ୍ୟରେ ରାଜା କରାଇଲେ । ସରୋଜିନୀ ନିଜ କର୍ମବଳରେ ମନମୋହନଙ୍କୁ ପତିରୂପେ ପାଇ ପିତାଙ୍କ ରାଜ୍ୟରେ ରାଣୀ ହେଲା-। ବଡ଼ ଛଅ ଭଉଣୀଯାକ ମୁହଁଟିମାନ ଶୁଖେଇ ଦେଇ ଯେ ଯାହାର ସ୍ୱାମୀ ସଙ୍ଗେ ଚାଲିଗଲେ-। ମନମୋହନ ମହାରାଷ୍ଟ୍ର ଦେଶରେ ରାଜା ହୋଇ ଅପଣାର ପିତା, ମାତା ଏବଂ ଭାଇ ଭଊଣୀମାନଙ୍କ କଥା ମନେ ପକାଇ ଭାବିଲେ, ଯେ ଯାହାର କର୍ମ ଫଳ ଭୋଗ କରୁଅଛନ୍ତି । ତେଣୁ ତାଙ୍କର ସାନଭଉଣୀକୁ (କନକକୁ) ଯେଉଁ ରାଜପୁତ୍ର ହରି ନେଇଥିଲେ ଭାଙ୍କ ଉପରେ କିଛହେଲେ ବିଦ୍ଵେଷ ନ କରି ନିଜ ସୁଖରେ ନିଜେ ରାଜତ୍ଵ କଲେ । ମନମୋହନଙ୍କର ସେହି ଚର୍ମ ବେଶ ନିଜର ସ୍ମୃତି ଚିହ୍ନ ରହିଥାଉ ବୋଲି ରଖାଇ ଦେଇଅଛନ୍ତି ଯେ ତାହା ଅଦ୍ୟାବଧି ରହିଅଛି । ଆରେ : ଅବୋଲକରା ! ଶୁଣିଲୁ ତ କଥାର ମୂଳ । ପଥବାହି ଯିବା ଉଠ ଚଞ୍ଚଳ ।

Image

 

Unknown

ବାନରମୁଖୀ କଥା

 

ସାମନ୍ତ ଚର୍ମବେଶ କଥା କହି ସାରି ସେଠାରୁ ବାହାରିଲେ । ଅବୋଲକରା ଲୁଗାପଟା ଭାର ଧରି ତାଙ୍କ ପଛେ ପଛେ ଚାଲିଲା । ଯାଉ ଯାଉ କେତେଦୂର ପଥ ଲଙ୍ଘିଗଲା ପରେ ପାପନାସିନୀ ତୀର୍ଥରେ ଯାଇ ପହଞ୍ଚିଲେ । ସେଠାରେ ସ୍ନାନ ପ୍ରକାର । ଶେଷକରି ଖିଆପିଆ କଲେ-। ଉପରବେଳା ସାମନ୍ତ ସନ୍ଧ୍ୟା । ଉପାସନା କଲା ପରେ ଅଳ୍ପ କିଛି ଜଳଖିଆ କରି ମୃଗଛାଲରେ ବସିଅଛନ୍ତି, ସେତିକିବେଳେ ଅବୋଲକରା ବୋଇଲା–ଗୋସେଇଁ । ଏ ତୀର୍ଥର ନାମ ପାପନାଶିନୀ କାହିଁକି ହୋଇଅଛି । ପୃଥିବୀରେ ଯେତେ ତୀର୍ଥ ଅଛି, ସେ ତୀର୍ଥମାନଙ୍କରେ ସ୍ନାନ କଲେ ପାପ ଛାଡ଼ିଯାଏ ବୋଲି ତ ଅପଣ କହୁଥିଲେ, ଆଉ ଏ ତୀର୍ଥର ନାମ ପାପନାସିନୀ ବୋଲି ହେଲା କାହିଁକି ? ଏଥିର କାରଣ ମୋତେ ବୁଝାଇ ଦିଅ । ସାମନ୍ତ ବୋଇଲେ ଏ ତୀର୍ଥର ମହମା ବିଷୟରେ ଗୋଟିଏ ପୁରାତନ ଇତିହାସ ଅଛି । ତୁ ଯେବେ ଶୁଣିବା ପାଇଁ ମନ କରୁଅଛୁ, ତାହା ହେଲେ–ପକା କମ୍ବଳ ପୋତ ଛତା, ବସ ଅବୋଲକରା ଶୁଣୁ କଥା । ପୂର୍ବକାଳରେ ଏହି ତୀର୍ଥ ଅତି ଗୁପ୍ତରେ ଥିଲା । ଏହାର ଚାରିପଟରେ ବାଉଁଶ ବଣ ଘେରି ରହିଥିଲା ଯେ ତହିଁରେ ମାଛି ଗଳିବାକୁ ବାଟ ନ ଥାଏ । କେବଳ ଏହାର ଉତ୍ତର ଦିଗରେ ଏକ ମାର୍ଗ ଗୋଟିଏ ଥାଏ ସେ, ସେହି ବାଟରେ କେହି କେହି ମୁନି ଋଷି ପ୍ରଭୃତି ଜାଣିବା ଶୁଣିବା ଲୋକ ସ୍ନାନ କରିବାକୁ ଆସନ୍ତି । ଏଥିରେ ଯେ ଥରେ ମାତ୍ର ସ୍ନାନ କରେ ତାକୁ ଅନାୟାସରେ ସ୍ଵର୍ଗପଦ ଲାଭ ହୁଏ । କେତେଦିନ ଗଲାପରେ ବିନ୍ଧ୍ୟ ପର୍ବତରୁ ହନୁମାଙ୍କଡ଼ ପଲେ ଚରିବୁଲି ଆସୁ ଆସୁ କ୍ରମେ ଆସି ଆସି ଏଠାରେ ପହଞ୍ଚି ଗଲେ-। ଏହା ନିକଟରେ ଅନେକ ଫଳବୃକ୍ଷ ଥାଏ । ତାକୁ ପ୍ରଚୁର ଭାବରେ ଖାଇବାକୁ ମିଳିବାରୁ ଏଠାରେ ସେ ମାଙ୍କଡ଼ ପଲକ ଅନେକ କାଳ ରହିଥିଲେ । ମାଙ୍କଡ଼ମାନଙ୍କର ତ “ମାଙ୍କେଡ଼ିୟା ସ୍ଵଭାବ, ତେଣୁ ସେମାନେ ତୁଚ୍ଛାକୁ ଏ ଗଛରୁ ସେ ଗଛକୁ ଢେଉଁଥାନ୍ତି । ଦିନକର ସେ ମଧ୍ୟରୁ ଗୋଟିଏ ମାଈମାଙ୍କଡ଼ ଡେଇଁ ପଡ଼ିବ ବୋଇଲା ବେଳକୁ ଦଇବରେ ଖସି ପଡ଼ିଲା ଯେ ଏହି ତୀର୍ଥ ନିକଟ ବାଉଁଶ କୁମ୍ଭରେ ପଡ଼ିଗଲା । ସେ ସମୟକୁ ଚୋଟେ ବଡ଼ ବୁଢ଼ା ବାଉଁଶ ଦୁଇଫାଳ ହୋଇ ରହିଥିଲା । ସେହି ଦି' ଫାଳିଆ ବାଉଁଶର ସନ୍ଧାରେ ମାଙ୍କୁଡ଼ିର ବେକଟା ପଶିଗଲା ଯେ ଆଉ ବାହାରିଲା ନାହିଁ । ମାଙ୍କୁଡ଼ିଟି ପ୍ରାଣ ବିକଳରେ ଘଡ଼ିଏ ଯାଏ ଛଟପଟ ହୋଇ ମରିଗଲା । ତାହା ଦେଖି ଅନ୍ୟ ମାଙ୍କଡ଼ ସବୁ ଭୟ କରି ଏଠାରୁ ପଳାଇ ଗଲେ । ଯେଉଁ ମାଙ୍କୁଡ଼ିଟି ମରି କରି କୁମ୍ଭରେ ଲାଖିଥିଲା, ତାର ମୁଣ୍ଡଟି ମାତ୍ର ସେ ବାଉଁଶ ସନ୍ଧାରେ ଲାଗି ରହିଲା, ବାକୀ ସର୍ବାଙ୍ଗ ଶରୀର ମିଳାଇ ଖସି ପଡ଼ିଲା । ମାଂସଯାକ ପଡ଼ିକରି ଖତମ ହୋଇଗଲା । ହାଡ଼ଯାକ ସେହି କୁମ୍ଭମୂଳେ ପଡ଼ିଥାଏ । ଦିନକର ବଡ଼ ବର୍ଷା ହେବାରୁ ସେହି ବର୍ଷା ପାଣିରେ ସେ ହାଡ଼ଯାକ ଭାସି ଭାସି ଏହି ପାପନାଶିନୀ ତୀର୍ଥରେ ପଡ଼ିଗଲା-। ପୂଣ୍ୟ ତୀର୍ଥରେ ହାଡ଼ ଗୁଡ଼ିକ ପଡ଼ିଯିବାରୁ ସେ ବାନରୀର ଆତ୍ମା ପବିତ୍ର ହୋଇ ଦଶାର୍ଣ୍ଣ ଦେଶ ରାଜାଙ୍କର ଗୃହରେ କନ୍ୟା ହୋଇ ଜନ୍ମ ଗ୍ରହଣ କଲା । ସେ କନ୍ୟାର ପାଦଠାରୁ ବେକ ପର୍ଯ୍ୟନ୍ତ ଏପରି ସୁନ୍ଦର ଦେଖାଗଲା ଯେ ତାକୁ ରତି ପାର୍ବତୀ ଅବା ସମାନ ହେବେ । କିନ୍ତୁ ମୁହଁଟି ତାର ମାଙ୍କଡ଼ ମୁହଁ ହୋଇଥାଏ । ଏପରି ଅସମ୍ଭବ ଘଟଣା ଦେଖି ପିତା ମାତା ତାର ନାମ ବାନରମୁଖୀ ବୋଲି ଦେଇଥିଲେ । ମୁହଁକୁ ଛାଡ଼ି ତାର ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗମାନଙ୍କୁ ଦେଖିଲେ ଋଷି ହେଲେ ମଧ୍ୟ ମୋହିତ ହୋଇଯିବ । ତାଠାରେ ସକଳ ପ୍ରକାର ଗୁଣ ଏବଂ ସର୍ବ ସୁଲକ୍ଷଣ ପୁରି ରହିଥିଲା । ଏ ସବୁ ଥିଲେ କଣ ହେବ, ଦେହଯାକରେ ତ ମୁହଁଟି ସାର; ମୁହଁଟି ତ ମାଙ୍କଡ଼ ମୁହଁ ହୋଇଛନ୍ତି; ତେଣୁ ସେ କନ୍ୟା ଲଜ୍ଜାରେ କାହାରି ମୁଖକୁ ଚାହେଁ ନାହିଁ-। ସବୁବେଳେ ମୁହଁଟିକି ଘୋଡ଼ାଇ ରଖିଥାଏ । ମାତ୍ର ଏ ତୀର୍ଥର ପୂଣ୍ୟ ପ୍ରଭାବରୁ ସେ ପୂର୍ବଜନ୍ମର କଥାଯାକ ଜାତିସ୍ମର ହୋଇ ଜାଣି ପାରୁଥାଏ । ପୂର୍ବେ ଯେପରି ମାଙ୍କୁଡ଼ୀ ହୋଇଥିଲା, ଯେପରି ମଲା, ମୁଣ୍ଡ ଯେଉଁଠାରେ ରହିଲା, ଗଣ୍ଡି ଭାସିଯାଇ ପାପନାଶିନୀ ତୀର୍ଥରେ ଯେପରି ପଡ଼ିଲା ତା ସବୁ ଅବିକଳ ତାକୁ ଦିଶୁଥାଏ । ସେ କଥା କାହାରି ଆଗରେ ନ କହି ମନେ ମନେ ଉଦ୍ଧାରର ବାଟ ଚିନ୍ତା କରୁଥାଏ । ଏହିପରି କେତେକାଳ ବହିଗଲା ପରେ ତାର ବିବାହ ବୟସ ହେଲା । ଦଶାର୍ଣ୍ଣ ଦେଶ ରାଜା ତାକୁ ବିଭା କରାଇବା ପାଇଁ ବରପାତ୍ର ଖୋଜାଇଲେ । ଅନ୍ୟ ଦେଶର ରାଜପୁତ୍ରମାନେ ସେ କନ୍ୟାର ମାଙ୍କଡ଼ ମୁହଁ ହୋଇଥିବାର ଶୁଣି ତାକୁ ବିଭା ହେବାକୁ ରାଜି ହେଲେ ନାହିଁ ।

 

ଚିତ୍ରାଙ୍ଗଦ ନାମରେ କାଶୀଦେଶର ଯୁବରାଜ ଥିଲେ । ସେ ବଡ଼ ଧାର୍ମିକ, ଗୁଣବାନ୍, ରୂପବାନ୍, ବଳବାନ୍, ପ୍ରଜାବତ୍ସଳ ଏବଂ ଭବିଷ୍ୟତଜ୍ଞାତା ଅଟନ୍ତି । ସେ ଦିନେ ବିଦେଶୀ ବ୍ରାହ୍ମଣମାନଙ୍କଠାରୁ ସେହି ବାନରମୁଖୀ କନ୍ୟାର ଗୁଣାବଳୀ ଏବଂ ସୁନ୍ଦରପଣ ଶ୍ରବଣ କରି ତାଙ୍କର ପାଟଜ୍ୟୋତିଷକୁ ତା କଥା ପଚାରିଲେ । କାଶୀଧାମରେ ସକଳ ପ୍ରକାର ଉତ୍ତମ ଉତ୍ତମ ଦୂରଦର୍ଶୀ ପଣ୍ଡିତ ସମୂହ ଥାନ୍ତି । ସେ ପଣ୍ଡିତମାନଙ୍କୁ ସଙ୍ଗେ ଧରି ପାଟ ଜ୍ୟୋତିଷ କହିଲେ ମହାରାଜ । ବନାରିମୁଖୀ କନ୍ୟା ବଡ଼ ଭାଗ୍ୟବତୀ । ତାର ମୁହଁଟି ମାତ୍ର ମାଙ୍କଡ଼ ପରି ହେଲେ କଣ ହେଲା, ଏ ପୃଥିବୀରେ ଯେତେ ସୁନ୍ଦରୀ ସ୍ତ୍ରୀ ଅଛନ୍ତି, ତାର ଗୋଡ଼ତଳକୁ କେହି ସମାନ ନୁହନ୍ତି । ସେ କନ୍ୟାର ଯେତେ ସୁଗୁଣ ଅଛି, ସ୍ଵର୍ଗ ସ୍ତ୍ରୀମାନଙ୍କର ମଧ୍ୟ ସେପରି ସୁଗୁଣ ନ ଥିବ । ଜ୍ୟୋତିଷ ଶାସ୍ତ୍ର ଗଣନା କଲେ ଜଣାଯାଉଅଛି ଯେ ଆଉ ସାତବର୍ଷ ମଧ୍ୟରେ ତାର ବାନର ମୁଖ କୁଆଡ଼େ ଉଭେଇ ଯାଇ ପୂର୍ଣଚନ୍ଦ୍ର ପରି ହୋଇଯିବ । ଏଣୁ ତୁମ୍ଭେ କିଛି ବିଚାର ନ କରି ସେ କନ୍ୟାକୁ ଶୀଘ୍ର ବିବାହ ହୁଅ । ଏହା ଶୁଣି ଚିତ୍ରାଙ୍ଗଦ ଆନନ୍ଦ ମନରେ ଦଶାର୍ଣ୍ଣ ଦେଶ ରାଜାଙ୍କୁ ମାଗି ସେ କନ୍ୟାକୁ ବିଭାହେଲେ । ନାନାଦି ବିଭାଘର ବଢ଼ିଲା, ଚଉଠି ଦିନ କନ୍ୟାକୁ ଘେନି ଚିତ୍ରାଙ୍ଗଦ ନିଜ ଦେଶକୁ ଚାଲିଗଲେ । ଚିତ୍ରାଙ୍ଗଦଙ୍କୁ ପତିରୂପେ ପାଇ ତାଙ୍କୁ ସେବାରେ ବାନରମୁଖୀ ଏପରି ତତ୍ପର ହେଲେ ଯେ ତାହା କହିଲେ ନ ସରେ । ଚିତ୍ରାଙ୍ଗଦ ତହିଁ ରେ ସନ୍ତୁଷ୍ଟ ହୋଇ ଏପରି ହୃଷ୍ଟ ହେଲେ ଯେ ଭାର୍ଯ୍ୟାର ମୁଖ ବାନର ପରି ହେଲେ ସୁଦ୍ଧା ସେଥିପାଇଁ ତାଙ୍କ ମନରେ ଲବମାତ୍ର ଶୋଚନା ରହିଲା ନାହିଁ । ଲୋକେ ତ କହନ୍ତି–'ଯାହାର ମନ ଯହିଁକି ରସେ, ଅସୁନ୍ଦର ହେଲେ ସୁନ୍ଦର ଦିଶେ ।' ସେହିପରି ମନ ଯେବେ ମିଳିଗଲା ମଣିଷ ମୁହଁ ହେଲେ କଣ ହେବ, ମାଙ୍କଡ଼ ମୁହଁ ହେଲେ କଣ ହେବ ଦୁହେଁ ପରସ୍ପର ସ୍ନେହରେ ବୁଡ଼ି କାଳ କଟାଇଲେ । କିଛିଦିନ ଗଲା ପରେ ସେ ବାନରମୁଖୀ ମଣିକର୍ଣ୍ଣିକା ନିକଟରେ ଗୋଟିଏ ଧର୍ମଶାଳ ତୋଳାଇ ସେଠାରେ ପ୍ରତିଦିନ କୋଡ଼ିଏ ଜଣ ବ୍ରାହ୍ମଣଙ୍କ ପାଇଁ ଉତ୍ତମ ଭୋଜନ ଖଞ୍ଜିଦେଲେ । ଆଉ ଦୁଇଜଣ ଚପରାଶିଙ୍କୁ ସେଠାରୁ ରଖାଇ ତାଙ୍କୁ କହୁଥାନ୍ତି ଦକ୍ଷିଣ ଦେଶରୁ ଯେବେ କେହି ବ୍ରାହ୍ମଣ ଆସିବେ, ସେ ବ୍ରାହ୍ମଣଙ୍କୁ ମୋ ପାଖକୁ ଡାକି ଆଣିବ । ଚପରାଶି ଦୁହେଁ ଯେ ଆଜ୍ଞା କହି ସେଠାରେ ସର୍ବଦା ଜଗି ରହିଲେ । ଖାଇବାକୁ ମିଳିବାରୁ ନାନାଦି ଦେଶ ବିଦେଶରୁ ବ୍ରାହ୍ମଣମାନେ ପ୍ରତ୍ୟହ ସେଠାକୁ ଆସି ଭୋଜନ କରୁଥାନ୍ତି । ଏହିପରି କେତେଦିନ ଗଲା ପରେ ଜଗନ୍ନାଥ ଦେଶର ଆର୍ତ୍ତତ୍ରାଣ ହୋତା ନାମକ ପବିତ୍ର ବ୍ରାହ୍ମଣ ଜଣେ ଯାଇ ସେଠାରେ ଭୋଜନ କରିବାକୁ ଉପସ୍ଥିତ ହେଲେ । ଚପରାଶି ଦୁହେଁ ତାଙ୍କୁ ଉତ୍ତମ ଭୋଜନ ଦେଇ ରାଣୀଙ୍କ ନିକଟକୁ ଡାକି ନେଲେ । ବାନରମୁଖୀ ସେ ବ୍ରାହ୍ମଣଙ୍କୁ ଶହେ ସୁବର୍ଣ୍ଣମୁଦ୍ରା ନେଇ ଅନେକ ବିନୟ ହୋଇ କହିଲେ–ଆପଣ ବର୍ତ୍ତମାନ ଏହି ସୁବର୍ଣ୍ଣମୁଦ୍ରାତକ ନେଇ ମୋର ଗୋଟିଏ କାର୍ଯ୍ୟ କରିଦେବେ । ମୁଁ ସେ କାର୍ଯ୍ୟର ଫଳ ପାଇଲା ପରେ ଆପଣଙ୍କୁ ଚାରିଗୋଟି ଗ୍ରାମ ଏବଂ ତଦନୁରୂପ ଧନ ପ୍ରଦାନ କରିବି । ଏହା ଶୁଣି ବ୍ରାହ୍ମଣ ବୋଇଲେ–ମୁଁ ତୁମ୍ଭର କି କାର୍ଯ୍ୟ କରିବି କହ ? ରାଣୀ ବୋଇଲେ, ତୁମ୍ଭେ ଏଠାରୁ ଯାଇ ପାପନାଶିନୀ ତୀର୍ଥରେ ପ୍ରବେଶ ହେବ । ସେ ତୀର୍ଥର ଉତ୍ତର ପଶ୍ଚିମ କୋଣରେ ଗୋଟିଏ ବଡ଼ ବାଉଁଶ କୁମ୍ଭ ଅଛି । ସେ କୁମ୍ଭରେ ଥିବା ଗୋଟିଏ ପୁରୁଣା ବାଉଁଶର କୀଚକ ରନ୍ଧ୍ରରେ ଗୋଟିଏ ମାଙ୍କଡ଼ ମୁଣ୍ଡରେ ହାଡ଼ଗୁଡ଼ିକ ଲାଖି ରହିଅଛି । ତୁମ୍ଭେ ତାହା ନିରୂପଣ କରି ସେଠାରୁ ସେ ହାଡ଼ତକ ଆଣି ପାପନାଶିନୀ ଜଳରେ ପକାଇ ଦେବ । ମୋର ଏତିକି ମାତ୍ର ଉପକାର କଲେ ମୁ ତୁମ୍ଭଙ୍କୁ ଯାହା କହିଅଛି, ତାହା ଅବଶ୍ୟ ଦେବି । ବ୍ରାହ୍ମଣ ବୋଇଲେ–ମୁଁ ହରଦ୍ଵାରକୁ ଯିବାପାଇଁ ଆସିଥିଲି । ତୁମ୍ଭେ ଯେବେ ଏତେ ବିନୟ ହୋଇ କହୁଅଛ, ତା ହେଲେ ଯାଉଅଛି ଆଗ ତୁମ୍ଭ କାର୍ଯ୍ୟ କରିବି । ପରେ ଆଉ ଥରେ ହରଦ୍ଵାରା ଯିବାପାଇଁ ଆସିବି । ଏହା କହି ସେ ବ୍ରାହ୍ମଣ ସେହି ଠାରୁ ଫେରି ଆସି ବହୁତ ଦିନ ପରେ ଏହି ପାପ ନାଶିନୀ ତୀର୍ଥ ନିକଟରେ ମିଳିଲେ । ଏଠାରେ ବାରମ୍ବାର ନିରୀକ୍ଷଣ କରି ସେ ଦେଖିଲେ ଯେ, ରାଣୀ ଯେଉଁପରି କହିଥିଲେ ସେହିପରି ଗୋଟିଏ ବାଉଁଶର କୀଚକ ରନ୍ଧ୍ରରେ ଶୁଖିଲା ମାଙ୍କଡ଼ ମୁଣ୍ଡଟିଏ ଲାଖିଥିଲା । ତାକୁ ବଡ଼ ଲମ୍ବା ନଳରେ କେଞ୍ଚାକେଞ୍ଚି କରି ତଳକୁ ଖସାଇ ଆଣି ପାପନାଶିନୀ ଜଳରେ ପକାଇଦେଲେ । ସେ ସମୟକୁ ସନ୍ଧ୍ୟାବେଳ ହୋଇଥିଲା ସେ ମୁଣ୍ଡ ଜଳରେ ପଡ଼ିବ ମାତ୍ରେ ତେଣେ ବାନର ମୁଖୀର ମାଙ୍କଡ଼ ମୁହଁ କୁଆଡ଼େ ଉଭେଇ ଯାଇ ଅକଳଙ୍କ ପୂର୍ଣ୍ଣଚନ୍ଦ୍ର ପରି ମୁଖମଣ୍ଡଳ ଦେଖାଗଲା । ସେ ଦର୍ପଣରେ ନିଜର ମୁଖଶୋଭା ଦେଖି ଆନନ୍ଦ ମନରେ ଆର୍ତ୍ତତ୍ରାଣ ହୋତାଙ୍କୁ ଶତ ଶତ ପ୍ରଣାମ କରି ସେ କଥା କାହାକୁ କିଛି ନ କହି ସେ ରାତିକ ଅନ୍ଧାରରେ କଟାଇଲେ । ଆରଦିନ ସକାଳୁ ଚିତ୍ରାଙ୍ଗଦ ନୃପତି ଦେଖିଲେ ଯେ ବାନରମୁଖୀର ମୁଖମଣ୍ଡଳ ଚନ୍ଦ୍ରମଣ୍ଡଳଠାରୁ ଅଧିକ ଆହ୍ଲାଦିତ ଦିଶୁଅଛି । ତେଣୁ ସେ ଅତି ଆନନ୍ଦିତ ହୋଇ ବୋଇଲେ–ପ୍ରିୟେ ! ତୁମ୍ଭେ କଣ ଆଜି ପର୍ଯ୍ୟନ୍ତ ମୋଠାରେ କପଟ କରିଥିଲ ? ଯେବେ କପଟ ନ କରିଥାନ୍ତ ତା ହେଲେ ବିନା ଔଷଧରେ ତୁମ୍ଭର ବାନର ମୁଖଟା ପୂର୍ଣ୍ଣଚନ୍ଦ୍ର ପରି କିପରି ହୋଇଯାନ୍ତା ! ବାନରମୁଖୀ ବୋଇଲେ, ନାରୀ ମାନଙ୍କର ପତି ଏକା ଇଷ୍ଟଦେବତା । ଯେଉଁ ନାରୀ ସ୍ଵାମୀଠାରେ କପଟ କରେ, ତାଠାରୁ ପାପିନୀ ହୋଇ ଏ ସଂସାରରେ ଆଉ କିଏ ଅଛି ? ବର୍ତ୍ତମାନ ମୋର ବାନରମୁଖ ଯେଉଁ କାରଣରୁ ପୂର୍ଣ୍ଣଚନ୍ଦ୍ର ପରି ହୋଇଅଛି, ତାହା ଆଜି ତୁମ୍ଭକୁ କହିବି ନାହିଁ । ଚାଲ, ମୁଁ ଯେଉଁ ତୀର୍ଥର ନାମ କହିବି ସେହି ତୀର୍ଥକୁ ଯିବା । ସେଠାରେ ତୁମ୍ଭେଏଥିର କାରଣ ସାକ୍ଷାତରେ ଦେଖି ପାରିବ ଏହା ଶୁଣି ଚିତ୍ରାଙ୍ଗଦ ନୃପତି ସୈନ୍ୟ ସାମନ୍ତ, ପାଇକ ରାଉତ, ହାତୀ, ଘୋଡ଼ା, ରଥୀ ପଦାତି ପ୍ରଭୃତି ଚତୁରଙ୍ଗ ବଳ ସଜକରି ଗୁରୁ ପୁରୋହିତଙ୍କ ସହିତ ପାପନାଶିନୀ ତୀର୍ଥକୁ ଯିବାପାଇଁ ଅନୁକୂଳ କଲେ । ଅନ୍ତଃପୁର ସ୍ତ୍ରୀମାନଙ୍କ ସହିତ ରାଣୀ ହାନ୍ଦୋଳାରେ ବସି ବାହାରିଲେ । ମହାସମାରୋହରେ ଥାଟ ଚାଳାଇ ରାଜା ରାଣୀ ଦୁହେଁ ଆସି କେତେଦିନ ପରେ ଏହି ପାପନଶିନୀ ତୀର୍ଥରେ ପ୍ରବେଶ ହେଲେ । ଏଠାରେ ପ୍ରବେଶ ହେଲା ପରେ ଚିତ୍ରାଙ୍ଗଦଙ୍କୁ ବାନରମୁଖୀ ତାଙ୍କର ପୂର୍ବ ଚରିତଯାକ କହିଗଲେ । କାଶୀଶ୍ଵର ସେ ଚରିତଯାକ ଶ୍ରବଣ କରି ଅତି ଆଶ୍ଚର୍ଯ୍ୟ ହୋଇ ଏ ତୀର୍ଥର ଚାରି ପାଖରୁ ବାଉଁଶ ବଣଯାକ କଟାଇ ପରିଷ୍କାର କରି ତୀର୍ଥର ଚାରିତୀରରେ ଘାଟ ବନ୍ଧାଇ ଦେଲେ । ତହିଁ ପରେ ଯେଉଁ ବ୍ରାହ୍ମଣ ଆସି ବାନର କପାଳକୁ ତୀର୍ଥଜଳରେ ପକାଇଥିଲେ, ସେହି ଆର୍ତ୍ତତ୍ରାଣ ହୋତାଙ୍କୁ ଡ଼କାଇ ଆଣି ତାଙ୍କ ଦ୍ଵାରା ଏଠାରେ ଯଜ୍ଞକରି ଯଜ୍ଞ ଶେଷରେ ତାଙ୍କୁ ଚାରିଖଣ୍ଡ ଗ୍ରାମ, ହାତୀ, ଘୋଡ଼ା, ଗାଈ, ଗୋରୁ, ଦାସ ଦାସୀ, ଧନରତ୍ନ, ବାଡ଼ି ବୃତ୍ତି ଏପରି ଅକଳନା ସମ୍ପତ୍ତି ପୁରସ୍କାର ଦେଇ, ପାପନାଶିନୀ ତୀର୍ଥରେ ଏକ ମାସ ରହି ତହିଁପରେ ଅତିଥି ଆଉ ଗରିବମାନଙ୍କୁ ଅନ୍ନ ବସ୍ତ୍ରରେ ସନ୍ତୋଷ କରି ସୈନ୍ୟ ସାମନ୍ତ ଧରି ରାଣୀଙ୍କ ସହିତ ଯାଇ ନିଜ ରାଜ୍ୟ କାଶୀଧାମରେ ପ୍ରବେଶ ହେଲେ । ଆରେ ଅବୋଲକରା । ସେହି ଦିନଠାରୁ ଏ ତୀର୍ଥର ମହିମା ଚାରିଆଡ଼େ ବିଖ୍ୟାତ ହେଲା । ଏହାର ନାମ ପାପନାଶିନୀ ତୀର୍ଥ ବୋଲି ସବୁଲୋକେ ଜାଣିଲେ । ଆରେ ଅବୋଲକରା, ଶୁଣିଲୁ ତ କଥାର ମଞ୍ଜି, ପଥ ବହିଯିବା ହୁଅ ସଜ ।

Image

 

ପୁରୁଷର ବିଶ୍ଵାସଘାତକ କଥା

 

ବାନରମୁଖୀ କଥା କହିଲା ପରେ ସାମନ୍ତ ଏବଂ ଅବୋଲକରା ସେହି ପାପନାଶିନୀ ତୀର୍ଥରେ ସ୍ନାନ କରି ସେଠାରୁ ଚଳିଗଲେ । ଯାଉ ଯାଉ ଅନେକ ଦେଶ, ଗ୍ରାମ ପାରହୋଇ ମୀନକେତନପୁର ନାମକ ଗୋଟିଏ ପାଟଣାରେ ପହଞ୍ଚିଲେ । ସେଠାକୁ ଗଲାବେଳକୁ ଦିନ ଦୁଇପ୍ରହର ହେଲାଣି । ଏତେ ବାଟ ଚାଲି ଚାଲି ହାଲିଆ ହୋଇଥିଲେ, ତେଣୁ ଆଉ ଯାଇ ନ ପାରି ସେହି ନଗର ପ୍ରାନ୍ତ ଦେବାଳୟରେ ବସି ପଡ଼ିଲେ । ଜାଗାଟି ଅତି ନିର୍ମଳ, ନିକଟରେ ଗୋଟିଏ ମନୋହର ପୁଷ୍କରିଣୀ ଅଛି, ତାହା ଦେଖି ସାମନ୍ତ ଅବୋଲକରାକୁ ବୋଇଲେ–ତୁ ଚଞ୍ଚଳ ଯାଇ ସଉଦାପତ୍ର କିଣି ଆଣେ, ମୁଁ ସ୍ନାନ କରି ଚୁଲି ଲଗାଉଅଛି । ଆଜି ମେତେ ବଡ଼ ଭୋକ ଲାଗୁଅଛି । ଏତେବେଳେ ଆଉ କିଛି ହଇରାଣ ନକରି ଚଞ୍ଚଳ ଚାଲିଆସେ । ଏହା କହି ସେ ସ୍ନାନ କରିବାକୁ ଗଲେ । ଅବୋଲକରା ସଉଦା କିଣିବାକୁ ଗଲା । ବଜାରରୁ ସଉଦା ପତ୍ର କିଣାକିଣି କରି ଫେରିଆସିଲା ବେଳକୁ ମନେ ମନେ ବିଚାରିଲା; ଏଠାରେ କେଜାଣି କଣ ଆଶ୍ଚର୍ଯ୍ୟ କଥା ଥିବ, ଆଗେ ଟିକେ ବୁଲାବୁଲି କରି ଦେଖେ । ଏମନ୍ତ ବିଚାର କରି ବୁଲୁ ବୁଲୁ ଦେଖିଲା ଯେ ସାଧାରଣ ଜାଗାରେ ଗୋଟିଏ ପଥର ଘର ଅଛି, ସେହି ଘରର ବାରନ୍ଦାରେ ଗୋଟିଏ ପୁରୁଷର ଛବି ଲେଖା ଯାଇଅଛି । ତାର ଆଗରେ ଗୋଟିଏ ଦିବ୍ୟସୁନ୍ଦରୀ ସ୍ତ୍ରୀର ଛବି ଲେଖା ହୋଇଅଛି । ସେହି ଦୁହିଙ୍କ ମଧ୍ୟସ୍ଥାନରେ “ପୁରୁଷଜାତି ବଡ଼ ଅବିଶ୍ଵାସୀ, ଏହାଙ୍କୁ କେହି ବିଶ୍ଵାସ କର ନାହିଁ’’ ବୋଲି ଚାରି ପାଞ୍ଚ ଭାଷାର ଅକ୍ଷରରେ ଲେଖା ହୋଇ ଚାରିପାଖରେ ଲୁହାବାଡ଼ ବନ୍ଧା ହୋଇଅଛି । ତାହା ଦେଖି ଅବୋଲକରା ସେ ସ୍ଥାନରେ ଥିବା ଲୋକଙ୍କୁ ତହିଁର କାରଣ ପଚାରିଲା । ସେମାନେ ଏପରି କାହିଁକି ହୋଇଅଛି, ତାହା କେହି କିଛି କହି ପାରିଲେ ନାହିଁ । ତେଣୁ ଅବୋଲକରା ମୁହଁଟି ଶୁଖେଇ ଦେଇ ସେଠାରୁ ଫେରିଲା ସାମନ୍ତ ତାର ମୁହଁକୁ ଦେଖି ଜାଣିଲେ ଯେ, ଆଜି କୁଠେଇ କଣ ଦେଖିଲାଣି । ଏ ପୁତୁଖାଇର ପୁଅକୁ ସାଙ୍ଗରେ ଆଣି ବଡ଼ ହଇରାଣ ହେବାକୁ ପଡ଼ିଲା । ସେ ଏପରି ବିଚାରୁ ବିଚାରୁ ଅବୋଲକରା ବୋଇଲା–ଗୋସାଇଁ, ଆଉ ବିଚାରିଲେ କଣ ହେବ ? କହିବ ତ କୁହ, ନୋହିଲେ ମୋ ବାଟ ମୋର, ତୁମ ବାଟ ତୁମର । ସାମନ୍ତ ଭିତରେ ଭିତରେ ରାଗିଯାଇ ପଦାକୁ ହସିଲା ପରି ହୋଇ ବୋଇଲେ–କିରେ କଣ ଦେଖିଲ କି ? ଅବୋଲକରା ବୋଇଲା, ଏହି ସଦର ନିକଟ ଧର୍ମଶାଳାର କାନ୍ଥରେ ଗୋଟିଏ ପୁରୁଷ ଏବଂ ଗୋଟିଏ ସ୍ତ୍ରୀର ଛବି ଅଙ୍କିତ ହୋଇ ସେ ଦୁହିଙ୍କ ମଧ୍ୟରେ ପୁରୁଷ ଜାତି ଅବିଶ୍ଵାସୀ ବୋଲି କାହିଁକି ଲେଖା ହୋଇଅଛି । ତହିଁର ମୂଳ କାରଣ ମୋତେ କହିଦିଅ । ସାମନ୍ତ ବୋଇଲ–ସେ ତ ବଡ଼ ଅଡ଼ୁଆ କଥା, କହିବାକୁ ଅନେକ ସମୟ ଲାଗିବ । ଆଜି ଆଉ ଭୋକିଲାରେ କହି ପାରିବି ନାହିଁ । ରନ୍ଧା ସରୁ, ଖାଇ ସାରିଲେ କହିବି । ଏହା କହି ଧଡ଼ପଡ଼ ହୋଇ ମୁଠେ ରାନ୍ଧିଲେ । ଖିଆପିଆ ସାରିଲା ସାମନ୍ତ ବୋଇଲେ–ପକା କମ୍ବଳ ପୋତ ଛତା, ବସ ଅବୋଲକରା ଶୁଣୁ କଥା । ପୂର୍ବ କାଳରେ ପର୍ଣ୍ଣାଦ ନାମରେ ଜଣେ ଋଷି ଥିଲେ-। ସେ ନାସିକ-ତ୍ର୍ୟମ୍ବକ ତୀର୍ଥରେ ବସି ତପ କଲେ । ତାଙ୍କର ସେ ତପସ୍ୟା ପ୍ରଭାବରେ ପବନ ସ୍ଥକିତ ହୋଇଗଲା, ଅଗ୍ନି ଜଳିଲା ନାହିଁ, ଭୂମି କମ୍ପିଲା, ନିରନ୍ତର ଆକାଶରୁ ଉଲ୍‌କାପାତ ହେଲା । ତାହା ଦେଖି ଦେବଗଣ ଯାଇ ଇନ୍ଦ୍ରଙ୍କୁ ସେ କଥା କହିଲେ । ଇନ୍ଦ୍ର ଭୟ ପାଇ ତାଙ୍କ ତପସ୍ୟା ଭଙ୍ଗ କରିବା ସକାଶେ ଜାଳପଦି ନାମକ ଅପ୍‌ସରାକୁ ଡ଼କାଇ କହିଲେ, "ତୁ ସତ୍ଵର ମର୍ତ୍ତ୍ୟପୁରକୁ ଯାଇ ପର୍ଣ୍ଣାଦ ଋଷିର ତପସ୍ୟା ନଷ୍ଟ କର ।’’ ଇନ୍ଦ୍ରଙ୍କ ଆଜ୍ଞା ରେ ସେ ଅପ୍‌ସରା ସ୍ଵର୍ଗରୁ ଆସି ସେହି ପର୍ଣ୍ଣାଦ ଋଷିଙ୍କର ତପସ୍ଥାନରେ କୁଟୀର ନିର୍ମାଣ କରି ତାଙ୍କ ଛିଦ୍ର ଜଗି ରହିଲା । ଦଇବ ଯୋଗରୁ ଦିନେ ସେ ଋଷିଙ୍କର ଦୃଷ୍ଟି ସେ ଅପ୍‌ସରା ଉପରେ ପଡ଼ିଲା । ତାର ଅଦ୍ଭୁତ ନବଯୌବନ ଏବଂ ମନୋହର ରୂପ ଦେଖି ସେ ଋଷି ଅଧୈର୍ଯ୍ୟ ହୋଇ ତାକୁ କହିଲେ–ତୁମ୍ଭର ଘର କେଉଁଠାରେ, ତୁମ୍ଭେ କାହାର ଝିଅ, ନାମ କଣ ? କାହିଁକି ଏଠାରେ ଏକା ହୋଇ ରହିଅଛ ? ଅପ୍‌ସରା ବୋଇଲା–ମୋହର ନାମ ଜାଳପଦି, ମୁଁ ସ୍ଵର୍ଗର ଅପ୍‌ସରା ଅଟେ । ଏହି ତୀର୍ଥରେ ସ୍ନାନ କରିବାକୁ ଆସିଥିଲି । ଏ ସ୍ଥାନକୁ ଅତି ମନୋହର ଦେଖି ଏଠାରେ କେତେଦିନ ପାଇଁ ରହିଅଛି । ଋଷି ବୋଇଲେ–ତୁ ଯେବେ ସ୍ଵର୍ଗ ର ଅପ୍‌ସରା, ତା ହେଲେ ଭଲ ହେଲା–ମୋ ସହିତ ବିବାହ କରି ମୋର କାମବେଦନା ଛଡ଼ାଇ ଦିଅ-। ଏହା ଶୁଣି ଅପ୍‌ସରା ମୁଡ଼ୁକି ହସାଦେଇ କହିଲା–ତୁମ୍ଭେ ପରା ବ୍ରହ୍ମଋଷି । ପୁଣି ତ ଉର୍ଦ୍ଧଚେତା ହୋଇ ତପ କରୁଅଛ, ଏପରି ଅନୀତ କଥା କାହିଁକି କହିଲ ? ଋଷି ବୋଇଲେ–ସନ୍ମାର୍ଗେ ତବଦାସ୍ତେ ପ୍ରଭାବିତ ପୁରୁଷସ୍ତାବ ଦେବେନ୍ଦ୍ରୟାଣାଂ, ଇଚ୍ଛାଂ ତାବଦ ବିଷୋଧତ୍ତେ ବିନୟମପି ସଦାଲମ୍ବତେ ତାବଦେବ । ଭ୍ରୂଚାପାକୃଷ୍ଣମୁକ୍ତଃ ଶ୍ରବଣପଥଗତା ନୀଳପକ୍ଷ୍ମାଣ ଏତେ । ଯବଲ୍ଲୀଳାବତୀନାଂ ନଚ ହୃଦି ଧୃନିମ ଦୃଷ୍ଟିବାଣାଃ ପତନ୍ତି । ଯେତେ କାଳ ପର୍ଯ୍ୟନ୍ତ ନାରୀମାନଙ୍କର ଦୃଷ୍ଟବଣ ହୃଦୟରେ ପଡ଼ି ନାହିଁ ସେତେକାଳ ପର୍ଯ୍ୟନ୍ତ ପୁରୁଷମାନେ ଜପତପ କରି ସାଧୁ ମାର୍ଗରେ ଥିବେ । ବିଳାସିନୀ ନାରୀମାନଙ୍କର ଭ୍ରୂଲତା ଧନୁରୁ ବାହାର ହୋଇ କଟାକ୍ଷ ବାଣ ପଡ଼ିବା ମାତ୍ରେ ତାହା ସବୁ କୁଆଡ଼େ ଛାଡ଼ି ପଳାଇବ । ଏଣୁ ତୁ ମୋତେ ଆଉ କିଛି ନ କହି ଶୀଘ୍ର ସୁରତି ଦାନକରି ମୋର ଜୀବନ ରକ୍ଷା କର । ଏହା ଶୁଣି ସେ ଅପ୍‌ସରା ତାର ମନୋରଥ ସିଦ୍ଧ ହେଲା ବୋଲି ବିଚାରି ସେହି ଋଷିଙ୍କ କଥାରେ ରାଜି ହେଲା । ଋଷି ସେହି ଦିନଠାରୁ ଜପତପ ଛାଡ଼ି ସେହି ଅପ୍‌ସରା ସଙ୍ଗେ ମାତିଲେ । ଆଠ ନଅମାସ ଗଲା ପରେ ଋଷି ବହୁତ ନିନ୍ଦାକରି ସେ ଅପ୍‌ସରାକୁ ଛାଡ଼ି ପୁଣି ତପ କରିବାକୁ ହିମାଳୟକୁ ଚାଲିଗଲେ । ଅପ୍‌ସରା ସେ ଋଷିଙ୍କ ଔରସରେ ଗର୍ଭବତୀ ହୋଇଥିଲା । ସେ ଗୋଟିଏ କନ୍ୟା ଜନ୍ମକରି ସେ କନ୍ୟାଟିକୁ କାଠ ମଞ୍ଜୁଷାରେ ପରାଇ ଗୋଦାବରୀ ନଦୀରେ ଭସାଇ ଦେଇ ସ୍ଵର୍ଗକୁ ଚାଲିଗଲା । ସେ କାଠ ମଞ୍ଜୁଷାଟି ନଦୀସ୍ରୋତରେ ଭାସିଯାଇ ଲବଣ ସମୁଦ୍ରରେ ପଡ଼ି ଭାସୁଥାଏ । ଏଣେ ଏହି ଦେଶରେ ଆଦିକନ୍ଦ ନାମକ ଜଣେ ସୌଦାଗର ବୋଇତରେ ମାଲମତା ବୋଝେଇ କରି ଦ୍ଵୀପାନ୍ତରକୁ ଯାଉଥିଲା । ସେହି ସୌଦାଗର ଯୋଡ଼ିଏ ପୁଅ ଥାନ୍ତି । ଝିଅଟିଏ ନଥିବାରୁ ସବୁବେଳେ ଝିଅଟିଏ ପାଇଁ ଈଶ୍ଵରଙ୍କୁ ପ୍ରାର୍ଥନା କରୁଥାଏ-। ଦଇବରେ ସେ କାଠ ମଞ୍ଜୁଷାଟି ସମୁଦ୍ର ଜଳରେ ଭାସି ଭାସି ଯାଇ ବୋଇତ ଆଗରେ ଦେଖାଗଲା । ଏ କଣ ଭାସୁଅଛି ବୋଲି ସୌଦାଗର ମାଝିମାନଙ୍କୁ କହି ଜାଳଦ୍ଵାରା ସେହି ମଞ୍ଜୁଷାଟିକୁ ଛାଣିନେଇ ଫିଟାଇ ଦେଖିଲା ବେଳକୁ ତହିଁରେ ଗୋଟିଏ ଅପୂର୍ବ ସୁନ୍ଦରୀ କନ୍ୟା ଅଛି । ତାକୁ ଦେଖି ମନେ ମନେ ବିଚାରିଲା, ମୁଁ କନ୍ୟାଟିଏ ପାଇଁ ସବୁବେଳେ ଈଶ୍ଵରଙ୍କୁ ପ୍ରାର୍ଥନା କରୁଥିବାରୁ ପ୍ରଭୁ ଦୟାକରି ମୋତେ ଏ କନ୍ୟାଟି ଦେଇଅଛନ୍ତି । ତା ନୋହିଲେ ମହାସମୁଦ୍ର ମଧ୍ୟରେ ଏ କାହୁଁ ମିଳନ୍ତା ? ଅଥବା କେହି ଯେବେ ଭସାଇ ଦେଇଥାନ୍ତା ତେବେ ଏ ଦଶ ପନ୍ଦର ଦିନର ପିଲା ଆହାର ନ ଖାଇ କିପରି ବଞ୍ଚିଥାନ୍ତା ? ଏଣୁ ଇଶ୍ଵର ନିଶ୍ଚେ ଦୟାକରି ଦେଇ ଅଛନ୍ତି । ଏମନ୍ତ ବିଚାର କରି ସେ କନ୍ୟାକୁ ଅତି ଯତ୍ନରେ ପାଳିଲା । କେତେ ଦିନପରେ ତାର କାରବାର ଓ ବଣିଜ ଦ୍ଵୀପାନ୍ତରର ସରିବାରୁ ଅନେକ ଧନ ଲାଭ କରି ଦେଶକୁ ବାହୁଡ଼ିଲା । ଘରକୁ ଆସି ସାଧବାଣୀକି ସେ ଅପୂର୍ବ ସୁନ୍ଦରୀ କନ୍ୟଟି ଦେଇ ସୌଦାଗର କହିଲା–ଏ ପିଲାଟିକୁ ମୁଁ ସମୁଦ୍ର ଭିତରୁ ପାଇଲି । ଆମ୍ଭର ଝିଅ ନ ଥିବାରୁ ଇଶ୍ଵର ଦୟା କରି ଏ ପଦାର୍ଥ ଆମ୍ଭଙ୍କୁ ଦେଇ ଅଛନ୍ତି । ତୁ ଏହାକୁ ଜନ୍ମକଲା ଝିଅଠାରୁ ଅଧିକରେ ପାଳିବୁ । ଏହା ଯୋଗରେ ଆମ୍ଭର ସାତପୁରୁଷ ଉଦ୍ଧାର ହେବେ । ଏହା କହି ତା କୋଳରେ ସେ କନ୍ୟାକୁ ସମର୍ପଣ କଳା । ସେ କନ୍ୟାର ଦେହକାନ୍ତି ବିଜୁଳି ପରି ଝଟକୁ ଥିବାରୁ ତାର ନାମ ସୌଦାମିନୀ ବୋଲି ଦେଇଥିଲେ । ଶୁକ୍ଲପକ୍ଷରେ ଚନ୍ଦ୍ର କଳା ବଢ଼ିଲା ପରି ସେ କନ୍ୟା ଦିନକୁ ଦିନ ବଢ଼ିଲା । ସଂସାରରେ ଯେତେ ସୁଗୁଣ ଅଛି ତାହା ସବୁ ତାଠାରେ ପୁରି ରହିଥାଏ । କ୍ରମେ କ୍ରମେ ସେ ପିଲାକୁ ଦଶ ବାରବର୍ଷ ହୋଇ ଯିବାରୁ ସେ ନିଜର ଚତୁର ଗୁଣରେ ସାଇ, ପଡ଼ିଶା, ବନ୍ଧୁ, ମିତ୍ର ଏବଂ ସଈ ସଙ୍ଗାତୁଣୀମାନଙ୍କର ମନକୁ ମୋହି ନେଲା । ସେ କନ୍ୟାର ରୂପ ଓ ଗୁଣ ଦେଖି ସବୁଲୋକ ତାଙ୍କୁ ପ୍ରଶଂସା କରୁଥାନ୍ତି । କେତେ ଦିନ ପରେ ସେ ଯୁବତୀ ହେବାରୁ ତାକୁ ବିଭା ଦେବାପାଇଁ ସୌଦାଗର ଚାରିଆଡ଼େ ବରପାତ୍ର ଖୋଜାଇଲା । ନାନା ଦେଶରୁ ଅନେକ ସୌଦାଗର ପୁତ୍ର ଆସି ତାକୁ ବିଭା ଦେବାପାଇଁ ମାଗୁଥାନ୍ତି, କିନ୍ତୁ ଆଦିକନ୍ଦ ସୌଦାଗର ସେ କନ୍ୟାର ଅନୁରୂପ ବର ନ ଦେଖିବାରୁ କାହାକୁ ହେଲେ ଦେଉ ନ ଥାଏ । ଏହିପରି ବର୍ଷେ ଖଣ୍ଡେ ଚାଲିଯିବାରୁ ଦିନେ ସାଧବାଣୀ ସୌଦାଗରକୁ କହିଲା–ଝିଅ ତିନିବର୍ଷ ହେଲା ଯୁବତୀ ହୋଇ ଘରେ ରହିଲା । ତୁମ୍ଭେ ନ ଜାଣିଲା ପରି କାହିଁକି ବସି ରହୁଅଛ ? ଲୋକେ ତ କହନ୍ତି, ଝିଅ ଘିଅ ସାଇତି ରଖିବ ନାହିଁ; ରହିଲେ ତହିଁରୁ ଦୁର୍ବାସନା ବାହାରେ । ଏଣୁ ଶୀଘ୍ର ଝିଅକୁ ବିଭା ଦେବ ପାଇଁ ବର ଖୋଜି ଆଣ । ଏହା ଶୁଣି ଆଦିକନ୍ଦ ବଡ଼ ଉଦବେଗ ହୋଇ ବରପାତ୍ର ଖୋଜାଇଲା । ଦଇବର ଘଟଣା ଦେଖ ଯେ, ଦେଶଠାରୁ ପନ୍ଦର ଦିନ ବାଟ ଦୂରରେ ମଦନରାଜ ନାମକ ଆଉ ଜଣେ ଧନୀ ସୌଦାଗର ଥାଏ ଯେ, ତାକୁ ସମସ୍ତେ ଜାଣନ୍ତି । ପ୍ରତି ମାସରେ ତାର ବୋଇତ ଚାଲିଥାଏ । ଘରେ ଅକଳନା ଧନ, ତାହାଠାରେ ହୀରା ନୀଳା ପ୍ରଭୃତି ପାଣିଦ୍ରବ୍ୟ ଯେତେ ଥାଏ ରଜାଘରେ ନ ଥିବ । ତାର ପୁଅବୋଲି ଗୋଟିଏ । ଝିଅ ଝିଆଣିୟା, ଭାଇଭଗାରୀ ବୋଳିବାର ମେଣ୍ଟ ଆଦୌ ନାହିଁ । ପୁଅଟିର ନାମ ବିଦ୍ୟାଧର । ସେ ବାପ ମାଆର ଗୋଟିଏ ପୁଅ ହେବାରୁ ତାକୁ ବଡ଼ ଗେହ୍ଲାଦୁଲା କରି ବଢ଼ାଇ ଥାନ୍ତି । ପାଠ ତ ଲେଖିଅଛି–“ଲାଳନେ ବହବୋ ଦୋଷ ତାଡ଼ନେ ବହବୋ ଗୁଣାଃ । ତସ୍ମ।ତ୍ ପୁତ୍ରଞ୍ଚ ଶିଷ୍ୟଞ୍ଚ ତାଡ଼ୟେନତୁ ଲାଳୟେତ୍ । ଲାଳନାରେ ବହୁତ ଦୋଷ, ତାଡନାରେ ବହୁ ଗୁଣ ଅଛି । ଏଣୁ ପୁତ୍ର ହେଉ ବା ଶିଷ୍ୟ ହେଉ ତାହାକୁ ତାଡ଼ନ କରୁଥିବ ସିନା ଲାଳନ କରିବ ନାହିଁ । ମଦନରାଜ ସୌଦାଗରର ଗୋଟିଏ ପୁଅ ବୋଲି ତାକୁ ଅତି ଲାଳନ କରିବାରୁ ପୁଅଟି କ୍ରମେ କ୍ରମେ ଅକର୍ମ ହୋଇ ବେଶ୍ୟାସଙ୍ଗ, ଜୁଆଖେଳ ପ୍ରଭୃତି ବ୍ୟସନରେ ମାତି ଘରେ ଥିବା ଧନଯାକ କ୍ଷୟ କରିବାକୁ ଲାଗିଲା । ବାପ ବୁଢ଼ା ହୋଇ ଆଉ ଉପାର୍ଜନ କରି ପାରିଲା ନାହିଁ । ପୁଅ ଅନ୍ୟାୟରେ ବ୍ୟୟ କରୁ କରୁ ଧନ ଶେଷହୋଇ ଘରଟି ଭିତର ପୋଲା ହୋଇଗଲା । ବାପର ଅଜଣାରେ ଅନ୍ୟ ମହାଜନମାନଙ୍କଠାରୁ ପୁଅ ତାର ଦଶ ପନ୍ଦର ହଜାର ଟଙ୍କା ଧାରିଥାଏ । ମାତ୍ର ଲୋକେ ଜାଣିବାକୁ ବଡ଼ ଧନୀଘର ବୋଲି ପଦାକୁ ନାମଟା ମାତ୍ର ଥାଏ ସିନା, ଭିତରେ ହାତୀ ଖାଇବା କଇଥ ପରି ଫମ୍ପା ହୋଇ ଯାଇଥିଲା । ଏହି ସମୟରେ ବୁଢ଼ା ମରିଗଲା । ପୁଅକୁ ମହାଜନ ମାନେ ରୁନ୍ଧିବାରୁ ସେ ଘର ଛାଡ଼ି ଲୁଚିକରି ବିଦେଶକୁ ପଳାଇଗଲା । ଯାଉ ଯାଉ ଦଇବରେ ଏହି ଦେଶକୁ ଆସି ଆଦିକନ୍ଦ ସୌଦାଗର ଦୂଆରେ ପହଞ୍ଚିଲା । ଆଦିକନ୍ଦ ସୌଦାଗର ତାର ବାପକୁ ତ ଭଲରୂପେ ଜାଣେ, ସେ ତାର ପୁତ୍ରବୋଲି ପରିଚୟ ଦେବାରୁ ତାକୁ ବଡ଼ ଆଦର କରି ରଖିଲା । ସେ ଆଉ ଜାଣେ ନାହିଁ ଯେ ଏଇଟା ବ୍ୟସନରେ ପଡ଼ି ଧନ ଦ୍ରବ୍ୟ ସବୁ ହରାଇ ଦେଲାଣି ବୋଲି । ପୂର୍ବେ ଜାଣିଥିବା ପ୍ରକାରେ ଏ ବଡ଼ ଧନୀ ସୌଦାଗର ପୁଅବୋଲି ତାକୁ ନିଜର ଝିଅକୁ ବିଭା କରାଇବା ପାଇଁ ନିଶ୍ଚୟ କଲା । ଲୋକେ ତ କହନ୍ତି–ଯିଏ ଯାହାର ହାଣ୍ଡିରେ ଚାଉଳ ପକାଇଥିବ ସେ ତାହା ଘରକୁ ଯିବ । ଆହୁରି ମଧ୍ୟ କହନ୍ତି–ବାପ ମାଆ ଅନ୍ଧ, ପ୍ରଜାପତି ସମ୍ବନ୍ଧ । ଶାସ୍ତ୍ର ଲେଖିଅଛି–ପୂର୍ବଜନ୍ମନି ଯା ବିଦ୍ୟା ପୂର୍ବଜନ୍ମନି ଯଦ୍ଧନଂ । ପୂର୍ବଜନ୍ମନି ଯା କନ୍ୟା ଅଗ୍ରେ ଧାବତି ଧାବତି । ପୂର୍ବଜନ୍ମରେ ବିଦ୍ୟା, ଯେଉଁ ଧନ, ଯେଉଁ କନ୍ୟା ଅର୍ଜିଥିବ ସେ ତାହାର ଆଗେ ଆଗେ ଧାଇଁଥିବ । ଆଦିକନ୍ଦ ସୌଦାଗର ସୌଦାମିନୀ କନ୍ୟାକୁ ପାଇ କେତେ ଯତ୍ନରେ ପ୍ରାଣରୁ ଅଧିକ କରି ପାଳିଥିଲା । କେତେ କେତେ ଧନୀ ସୌଦାଗର ପୁଅ ସେ କନ୍ୟାକୁ ବିଭା ହେବାପାଇଁ ଆସିଥିଲେ ଯେ ମନ ନ ମାନିବାରୁ ବଡ଼ ଧନୀଘରେ ଦେବା ବୋଲି ରଖିଥିଲା । ଏତେ ଖୋଜିଲେ କଣ ହେବ ପରିଶେଷକୁ ଦଇବ ଘଟଣାରେ ପଡ଼ି ସେହି ମଦନରାଜ ସୌଦାଗରର ପୁଅ ବିଦ୍ୟାଧରକୁ ବଡ଼ ଧନୀଘର ପୁଅ ବୋଲି ଜାଣି ବିଭା କରାଇଦେଲା । ସେ ସମୟକୁ ବିଦ୍ୟାଧର ତ ଜୁଆଖେଳ ଏବଂ ବେଶ୍ୟା ସଂସର୍ଗରେ ପଡ଼ି ଧନଦ୍ରବ୍ୟ ଯାକ ହରାଇ ଦେଇ ମହାଜନ ପରିଶୋଧ କରି ନ ପାରିବାରୁ ଘରଦ୍ଵାର ଛାଡ଼ି ଛତରାଙ୍କ ପରି ବୁଲୁଥିଲା । ସେ ସୌଦାମିନୀ କନ୍ୟାକୁ ପାଇ ଶ୍ଵଶୁର ଘରେ ଦିନାକେତେ ରହି ଭାରି ମଜାରେ ସମୟ କଟାଇଲା । ଜ୍ଵାଇଁଟେ ଶ୍ଵଶୁରଘରେ କେତେଦିନ ବା ରହିବ । ଦୁଇ ତିନିମାସ ଗଲା ପରେ ଦେଶକୁ ଯିବ ବୋଲି କହିବାରୁ ତାର ଶ୍ଵଶୁର ଆଦିକନ୍ଦ ସୌଦାଗର ଝିଅକୁ ଅଷ୍ଟ ଅଳଙ୍କାରରେ ମଣ୍ଡିତ କରି ଅନେକ ଧନ ଯଉତୁକ ଦେବାପାଇଁ ଯୋଗାଡ଼ କଲା । ତାହା ଦେଖି ବିଦ୍ୟାଧର କହିଲା–କଂସା ପିତ୍ତଳ ପେଡ଼ି ପୁଟିକା ଏଥିରୁ ଗୁଡ଼େ ସମ୍ଭାର ଦେବାକୁ ଯୋଗାଡ଼ କରୁଅଛ ଯେ, ମୁଁ ଏ ଗୁଡାକ ନେଇ ପାରିବି ନାହିଁ । ମୋର ଘର ବହୁତ ଦୂର, ତେଣୁ ଏ ସବୁ ଜିନିଷ ନେବାକୁ ବଡ଼ ଅଡ଼ୁଆ ହେବ । ଯାହା ଦେବାକୁ ଅଛି ଟଙ୍କା ସୁନା ଆକାରେ ମେତେ ଦେଇ ଦିଅ । ମୁଁ ସେଠାରେ ଜିନିଷ ପତ୍ର ଖରିଦ କରି ତୁମ୍ଭେ ଦେଇଅଛ ବୋଲି ଲୋକଙ୍କୁ ଦେଖାଇ ଦେବି । ଏହା ଶୁଣି ଆଦିକନ୍ଦ ସୌଦାଗର ସତ ବିଚାର ତାକୁ ନଗଦ ଦୁଇହଜାର ଟଙ୍କା ଦେଲା । ଝିଅକୁ ଅନେକ ଅଳଙ୍କାର ପିନ୍ଧାଇ ସେ ଦୁହିଙ୍କୁ ବିଦାକରି ଦେଲା । ବିଦ୍ୟାଧର ସେ ଟଙ୍କା ଆଉ କନ୍ୟା ନେଇ ଚାଲିଗଲା । ଯାଉ ଯାଉ ଦୁଇ ତିନି ଦିନର ବାଟ ଗଲାପରେ ଗୋଟିଏ ବଣ ବାଟ ପଡ଼ିଲା । ସେଠାରେ ବିଦ୍ୟାଧର ସୌଦାମିନୀକି ଚାହିଁ କହିଲା–ପ୍ରିୟେ, ଦେଖୁଛ ତ ଏ ବଣବାଟ କିପରି ଦୁର୍ଗମ, ତୁମେ ଅଳଙ୍କାର ଗୁଡାକ ପିନ୍ଧିଥିବା ଦେଖିଲେ ଚୋର ଖଣ୍ଟମାନେ ଛଡ଼ାଇ ନେବେ; ତେଣୁ ସବୁ ଅଳଙ୍କାରଯାକ ଦେହରୁ କାଢ଼ି ମୋତେ ଦେଇ ପକାଅ । ମୁଁ ବୁଜୁଳା ଭିତରେ ବାନ୍ଧି ରଖିଥିବି, ତୁମ୍ଭେ ଘରକୁ ଗଲେ ପିନ୍ଧିବ । ଏହା ଶୁଣି ସେ କନ୍ୟା ସତ ବିଚାରି ଦେହରୁ ସବୁ ଅଳଙ୍କାରଯାକ କାଢ଼ି ତାକୁ ଦେଇ ପକାଇଲା । ତହିଁପରେ ବିଦ୍ୟାଧର ମନେ ମନେ ପାଞ୍ଚିଲା, ମୁଁ ମହାଜନମାନଙ୍କର ଅନେକ ଟଙ୍କା ଧାରିଅଛି । ସେମାନେ ଦେଖିଲାମାତ୍ରେ ମୋତେ ନାନା ହଲାପଟା କରିବେ । ଏ ମାଇପୀଟାକୁ ନେଇଥିବି ବୋଇଲେ ନିଶ୍ଚେ ଘରକୁ ଯିବାକୁ ପଡ଼ିବ । ତେଣୁ ଏହି ବଣଭିତରେ ଏହାକୁ କୂଅକୁ ପେଲିଦେଇ ମୋ ବାଟେ ମୁଁ ଚାଲିଗଲେ ନଗଦ ଦୁଇ ହଜାର ଟଙ୍କା ଅଛି, ଏସବୁ ଅଳଙ୍କାର ଯାକ ବିକିଲେ ଆହୁରି ପାଞ୍ଚହଜାର ଟଙ୍କା ପାଇବି । ଏଥର ଖୁବ୍ ମଜାରେ କାଳ କଟାଇବି । ଏମନ୍ତ ବିଚାର କରି ଆଗରେ ଗୋଟିଏ କୂଅ ଦେଖି ସୌଦାମିନୀକି ବୋଇଲା, ପ୍ରିୟେ ! ଦେଖିଲ ଏ କୂଅଟି କେଡ଼େ ସୁନ୍ଦର ପଥର ବନ୍ଧା ହୋଇଅଛି । ତାହା ଶୁଣି ସୌଦାମିନୀ କି ଆଶ୍ଚର୍ଯ୍ୟ କୂଅ ହୋଇଥିବ ବୋଲି ଚାହିଁ ଦେଲାବେଳକୁ ତାକୁ ପଛଆଡ଼ୁ ଧକେ ମାରି ପେଲିଦେଲା ଯେ ସେ କୂଅଭିତରେ ଭୁଷ୍‌କିନା ପଡ଼ିଲା । ମାତ୍ର ଖରାଦିନ ହେତୁ ସେ କୂଅରେ ବେଶି ପାଣି ନ ଥିଲା, ଆଣ୍ଠୁଏ ପାଣି ମାତ୍ର ଥିଲା । ସୌଦାମିନୀ ତହିଁରେ ପଡ଼ିଲା ବେଳେ ତାର କିଛିହେଲେ ଆଘାତ ହୋଇ ନାହିଁ । କିନ୍ତୁ ପ୍ରାଣ ବିକଳରେ ମୋତେ କାଢ଼ିନିଅ ବୋଲି ରଡ଼ି କରୁଥିଲା । ଯେଉଁ ଲୋକ ଘର ପୋଡ଼ି ଦେଇଥାଏ ସେ କଣ ଆଉ ଥରେ ରୁଅବାଉଁଶ ଦିଏ କି ? ବିଦ୍ୟାଧର ତା ଡାକ ଅବା କାହିଁକି ଶୁଣିବ । ଧନ ବୁଜୁଳାକ ଧରି ତା ବାଟେ ଚାଲିଗଲା । ସୌଦାମିନୀ ସକାଳୁ କୂଅରେ ପଡ଼ିଲା ଯେତେବେଳ ତିନିପ୍ରହର ହେଲା ସେଠାକୁ କେହି ହେଲେ ପାଣି ନେବାପାଇଁ ଆସିନାହାନ୍ତି । ତିନିପ୍ରହର ଗଡ଼ିଗଲା ପରେ କେତେଜଣ ବଳଦିଆ ମହାଜନ ଆସି ସେହି ନିକଟରେ ବସି ପଡ଼ିଲେ-। ସେମାନେ ରୋଷେଇ କରିବେ ବୋଲି ପାଣି ଆଣିବାକୁ ଯାଇ ଦେଖିଲେ ଯେ, କୂଅ ଭିତରେ ମାଇପି ଜଣେ କାନ୍ଦୁଅଛି । ତାଙ୍କ ମଧ୍ୟରୁ ଚାରି ପାଞ୍ଚଜଣ ଲାଗି ତାକୁ ଉପରକୁ କାଢ଼ି ଆଣିଲେ । ଆଉ କେତେ ଜଣ ନିଆଁ ଜଳାଇ ସେକି ପକାଇଲେ । ସୌଦାମିନୀ ଟିକିଏ ଅଶ୍ଵସ୍ତ ହୋଇ ସେମାନଙ୍କୁ କହିଲା–ଆମେ ମାଇପୀ ତିନି ଚାରିଜଣ ଏବାଟେ ଯାଉଥିଲୁ । ମୁଁ ପାଣି ଢ଼ାଳେ କାଢ଼ୁ କାଢ଼ୁ ଗୋଡ଼ ଖସିଗଲା ଯେ କୂଅରେ ପଡ଼ିଗଲି । ମୋ ସାଙ୍ଗ ମାଇପେ ମୋତେ କାଢ଼ି ନ ପାରି ପଳାଇ ଗଲେ । ଏବେ ମୋ କପାଳକୁ ତୁମ୍ଭେମାନେ କୁଆଡୁ ଆସି ମୋର ଜୀବ ରକ୍ଷା କଲ । ମୋତେ ନେଇ ମୋ ବାପଘରେ ଛାଡ଼ିଦିଅନ୍ତ ବୋଇଲେ ତୁମ୍ଭର ବହୁତ ଧର୍ମ ହୁଅନ୍ତା । ଏତେ ବୋଲି ବାପଘର ଠିକଣା ତାଙ୍କୁ କହିଦେଲା । ବଳଦିଆମାନେ କେତେଥର ବେପାର କରି ତାର ବାପକୁ ଚିହ୍ନିଥିଲେ । ସେ ନାମ ଶୁଣିବା ମାତ୍ରେ ତାକୁ ବହୁତ ଯତ୍ନରେ ନେଇ ତାକୁ ପିତା ଘରେ ଛାଡ଼ିଦେଲେ । କନ୍ୟାର ଏ ଦୁର୍ଦ୍ଦଶା ଦେଖି ପିତାମାତା ଛେଚି କୋଡ଼ି ହୋଇ କାରଣ ପଚାରିବାରୁ ସେ କହିଲା–ଆମେ ଗୃହସ୍ଥ ଭାର୍ଯ୍ୟା ଦୁହେ ଯାଉ ଯାଉ ବଣ ମଝିରେ ଚୋର ଖଣ୍ଟମାନେ ଆସି ମୋର ସ୍ଵାମୀଙ୍କୁ ବାନ୍ଧି ପକାଇଲେ । ମୋର ଅଳଙ୍କାରଯାକ ଛଡ଼ାଇ ନେଇ ମୋତେ କୂଅକୁ ପେଲିଦେଲେ । ତାଙ୍କୁ ତ ବାନ୍ଧିଥିଲେ, ମାଇଲେ କି ରଖିଲେ, କି କୁଆଡ଼େ ନେଲେ ମୁଁ କୂଅ ଭିତରେ ପଡ଼ିଥିଲି । ଭାଗ୍ୟବଳକୁ ବଳଦିଆମନେ ଆସି ମୋତେ କୂଅ ଭିତରୁ କାଢ଼ି ଆଣିଲେ । ମୁଁ ତାଙ୍କୁ ବିନୟ ହୋଇ କହିବାରୁ ଏଠାରେ ଆଣି ଛାଡ଼ିଦେଲେ । ଏହା ଶୁଣି ପିତାମାତା ବଡ଼ ଦୁଃଖିତ ହୋଇ ତାକୁ ପୂର୍ବପରି ପାଳି ରଖିଲେ । ଏହିପରି ବର୍ଷେ ଖଣ୍ଡେ ଚାଲିଗଲା । ତେଣେ ବିଦ୍ୟାଧର ଯେଉଁ ଟଙ୍କା ଆଉ ଅଳଙ୍କାରଯାକ ନେଇଥିଲା ଖୁବ୍ ମଜାକରି ଜୁଆଖେଳି ବେଶ୍ୟାଘରେ ଦେଇ ବର୍ଷେ ପୁରିଲା ବେଳକୁ ସବୁ ଧନଯାକ ସାରିଦେଲା । ପାଠ ତ କହୁଛି–ସର୍ବଶୂନଂ ଦରିଦ୍ରତା । ଦରିଦ୍ର ଲୋକକୁ ଚାରିଆଡ଼ ଶୂନ୍ୟ ଦିଶେ । ସେ ତ ବିଧିରେ ବେଶ୍ୟାସକ୍ତ, ପୁଣି ଜୁଆଡ଼ିଆ । ଧନ ନ ଥିଲେ ତାର କ୍ଷଣେ ଚଳିବ ନାହିଁ । ଚୋରି କରୁ ଅବା କାହାରି ମୁଣ୍ଡ ପିଟୁ, ଯେ କୌଣସି ପ୍ରକାରେ ପଇସା ନ ପାଇଲେ ନ ଚଳେ । ତେଣୁ ମନେ ମନେ ବିଚାରିଲା–ଯାଉଚି ଆଉଥରେ ଶ୍ଵଶୂର ଘରକୁ ଯିବି । ମୁଁ ତାର ଝିଅକୁ କୂଅକୁ ପେଲିଦେଇ ମାରିଦେଇଥିବାର ସେ ତ ଜାଣନ୍ତି ନାହିଁ, ମୁଁ ଯାଇ ତାଙ୍କୁ କହିବି ତୁମ୍ଭ ଝିଅର ଗୋଟିଏ ପୁଅ ହୋଇଅଛି । ସେ ଏହା ଶୁଣିଲେ ଆନନ୍ଦ ମନରେ ନାତି ପାଇଁ ଅବଶ୍ୟ ଅଳଙ୍କାର ଦେବେ । ଝିଅ ପାଇଁ କିଛି ଦେବେ, ମୋତେ ମଧ୍ୟ କିଛି ଦେବେ । ସେ ସବୁ ଦ୍ରବ୍ୟଯାକ ପାଇଲେ ମୋର ଆଉ କିଛିଦିନ ଆନନ୍ଦରେ ଚାଲିଯିବ । ଏମନ୍ତ ବିଚାର କରି ପୁଣି ଯାଇ ଶ୍ଵଶୁରଘର ଦୁଆରେ ପହଞ୍ଚିଲା । ଏ ଗଲା ବେଳକୁ ଶାଶୁ ଶ୍ଵଶୁର ଦୁହେଁ କୁଆଡ଼େ ଭୋଜି ଖାଇବାକୁ ଯାଇଥିଲେ-। କେବଳ ସୌଦାମିନୀ ଏକୁଟିଆ ଘରେ ଥିଲା । ଏ ଅଣ୍ଡିରି ପୁଅ ଯାଇ ଦୁଆରେ ଡାକିବାରୁ ସୌଦାମିନୀ ଆସି ଦୁଆର ଫିଟାଇ ଦେଇ ସେଠାରେ ଠିଆ ହେଲା । ତାକୁ ଦେଖିବାମାତ୍ରେ ଏହାର ତାଳୁ ରକ୍ତ ଏକବାରେ ତଳିପାକୁ ବୋଲି ଖସି ପଡ଼ିଲା । କଣ କରିବି; କୁଆଡ଼େ ଯିବି, କେଡ଼େ ବିପଦରେ ପଡ଼ିଲି ବୋଲି ଭାବି ଭାବି ଜଳକା ପରି ଚାହିଁ ରହିଲା । ନିଜ ସ୍ଵାମୀର ଏ ଅବସ୍ଥା ଦେଖି ସୌଦାମିନୀ ଧୈର୍ଯ୍ୟ ଦେଇ ଅତି କୋମଳରେ ତାକୁ କହିଲା ତୁମ୍ଭେ କାତର ହୁଅ ନାହିଁ । ମୁଁ ତୁମ୍ଭର ଦୋଷ କାହାରି ଆଗରେ ନ କହି, ଚୋରମାନେ ମୋର ଅଳଙ୍କାର ନେଇ ମୋତେ କୂଅକୁ ପେଲି ଦେଲେ, ମୋର ସ୍ଵାମୀଙ୍କୁ ବାନ୍ଧି ନେଇଗଲେ ବୋଲି କହିଅଛି । ତୁମ୍ଭେ ମଧ୍ୟ ମୁଁ କହିଲା ପରି କହିବ-। ତା ହେଲେ ମୋର ପିତାମାତା ତୁମ୍ଭକୁ ଆଦରି କରି ଆହୁରି ଅନେକ ଧନ ଦେବେ । ଏପରି କହିବାରୁ ବିଦ୍ୟାଧର ଟିକିଏ ସୁସ୍ଥ ହୋଇ ବସିଲା । ମାତ୍ର ତାର ମନରୁ ଭୟ ଛାଡ଼ି ନ ଥାଏ । ତହିଁପରେ ସୌଦାମିନୀଟାକୁ ପିଢ଼ା ପାଣି ଦେଇ ବସିବାକୁ ଆସନ ଦେଲା । ଖାଇବା ପାଇଁ ଜଳଖିଆ ଆଣି ଦେଲା । ବାଟରେ ଆସିବାର କୁଶଳବାର୍ତ୍ତା ପଚାରି ଅନେକ ଗୌରବ କଲା । ସେ କୂଅକୁ ପେଲି ଦେଇଥିଲା ବୋଲି ତାହାଠାରେ କିଛି ହେଲେ ରାଗ ନ ରଖି ସ୍ଵାମୀ ଦର୍ଶନ ପାଇଲି ବୋଲି ମନେ ମନେ ଆନନ୍ଦ ହେଉଥାଏ । ଏହି ସମୟରେ ତାର ପିତାମାତା ଘରକୁ ଆସି ଦେଖିଲେ ଯେ ଜୁଆଇଁ ଆସି ଅଛନ୍ତି । ସେମାନେ ତ ପୂର୍ବର ଘଟଣା ଜାଣନ୍ତି ନାହିଁ । ଚୋରମାନେ ବାନ୍ଧି ନେଇଥିଲେ ବୋଲି ତ ଝିଅ କହିଥିଲା । ତେଣୁ ଜୁଆଇଁ ଜୀବନରେ ବଞ୍ଚିଅଛନ୍ତି ବୋଲି ବଡ଼ ଆନନ୍ଦିତ ହୋଇ ବିଦ୍ୟାଧରକୁ ଅନେକ ଗୌରବ କଲେ । ବିଦ୍ୟାଧର ନିଶ୍ଚିନ୍ତରେ ଖାଇପିଇ ଶ୍ଵଶୁର ଘରେ ମାସେ ଖଣ୍ଡେ ରହି ଘରକୁ ଯିବ ବୋଲି କହିବାରୁ ଆଦିକନ୍ଦ ସୌଦାଗର ପୁନର୍ପି ଝିଅକୁ ଅଷ୍ଟ ଅଳଙ୍କାରରେ ମଣ୍ଡି ସ୍ଵାମୀ ସହିତ ଛାଡ଼ିଦେଲା । ସୌଦାମିନୀ ମନରେ କିଛି ହେଲେ ଶଙ୍କା ନ କରି ପତିପରାୟଣା ହୋଇ ବିଦ୍ୟାଧର ସଙ୍ଗେ ଚାଲିଗଲା । ଚାରି ପାଞ୍ଚ ଦିନର ବାଟ ଗଲା ପରେ ବିଦ୍ୟାଧର ବିଚାର କଲା ଆରଥର କୂଅକୁ ପେଲି ଦେବାରୁ ସିନା ଏ ବଞ୍ଚିକରି ପଳାଇଲା । ଏଥର ଏକବାରେ ପ୍ରହାର କରି ଦେବି ଯେ ଆଉ ଯାଇ ପାରିବ ନାହିଁ । ଅଳଙ୍କାର ପତ୍ରତକ ଧରି ମୋ ସୁଖେ ମୁଁ ଚାଲିଯିବି । ଏମନ୍ତ ବିଚାର କରି ବେଳ ଥାଉଁ ଗୋଟିଏ କାତି ଘଷିକରି ରଖିଥାଏ । ରାତିରେ ଖିଆପିଆ କରି ଶୋଇଲେ । ସୌଦାମିନୀକି ନିଦ ଲାଗିଯିବାର ଦେଖି ବିଦ୍ୟାଧର ସେ କାତିଟି ଉଞ୍ଚାଇ ତାର ବେକ ସଳଖେ ହାଣି ଦେବ ବୋଇଲା ବେଳକୁ ସେ କାତିଟା ଦୁଆର ବନ୍ଧରେ ବାଜି ତାର ହାତରୁ ଖସି ପଡ଼ିଲା ଯେ ଘରବାଲାର ଗୋଟିଏ ତରଳହାଣ୍ଡି ଥିଲା ତାରି ଉପରେ ପଡ଼ିଲା । ସେ ହାଣ୍ଡିଟା ଗୁଣ୍ଡା ହୋଇ ତୈଳଯାକ ବହିଗଲା । କାତି ପଡ଼ି ଦୁମ ପରି ଶବ୍ଦ ଶୁଭିବାରୁ ଘରବାଲା ଧଡିପଡ଼ି ହୋଇ ଉଠି ଧାଇଁ ଯାଇ ଦେଖିଲା ବେଳକୁ ତୈଳ ହାଣ୍ଡିଟା ଗୁଣ୍ଡ ହୋଇ ଘରଯାକ ଭାସୁଛି । ମାଇପିଟା ବରଡ଼ା ପତ୍ର ପରି ଥରୁଛି । ବିଦ୍ୟାଧର ପୁଣି ତାକୁ ହାଣିଦେବ ବୋଲି କାତି ଟେକିଅଛି । ଏହା ଦେଖି ସେ ଡ଼କା ଛାଡ଼ିଲା ଯେ ସାଇପଡ଼ିଶା ଲୋକେ ଧାଇଁ ଆସି ବିଦ୍ୟାଧରକୁ ବାନ୍ଧି ପକାଇଲେ । ରାତି ପାହିବାରୁ ସେକଥା ଦେଶଯାକରେ ଚହଳ ପଡ଼ିଗଲା । ସେ ଦେଶର ରଜା କଟୁଆଳ ପଠାଇ ବିଦ୍ୟାଧରକୁ ବାନ୍ଧି ନେଲେ । ନ୍ୟାୟ ବିଚାର କଲାବେଳେ ସୌଦାମିନୀକି ପଚାରିବାରୁ ସେ କହିଲା–ଏ ମୋର ସ୍ଵାମୀ ମୋତେ ହାଣି ଦିଅନ୍ତେ କି ? ତାଙ୍କର ମିଞ୍ଜାସ ଟିକିଏ ଖରାପ ଅଛି ଯେ ସେ ଦିନେ ଦିନେ ପାଗଳ ହୋଇଯାନ୍ତି । ଏହା ଶୁଣି ରାଜା ସତ୍ୟ ବିଚାରି ବିଦ୍ୟାଧରକୁ ପାଗଳ କୋଠକି ପଠାଇ ଦେଲେ । ସୌଦାମିନୀ ସେହିଠାରୁ ସ୍ଵାମୀ ଆଶା ଛାଡ଼ି ପିତା ଘରକୁ ନ ଯାଇ ବ୍ରହ୍ମଚାରିଣୀ ହୋଇ ତପସ୍ୟା କଲା । ସେ ତ ରୁଷିବୀର୍ଯ୍ୟରୁ ଜାତ ହୋଇଥିଲା, ତେଣୁ ବହୁଚର୍ଯ୍ୟ ପାଳନ କରି ବ୍ରହ୍ମତେଜ ପ୍ରଭାବରେ ପରମପଦ ଲାଭ କଲା । ସେ ଦେହତ୍ୟାଗ କରିବାକୁ କେତେଦିନ ଥାଉ ଥାଉ ଏହି ଧର୍ମଶାଳାଟି ତୋଳାଇ ତହିଁରେ ପୁରୁଷ ଓ ନାରୀର ଛବି ଅଙ୍କିତ କରି ପୁରୁଷ ଜାତି ଅବିଶ୍ଵାସୀ ବୋଲି ଲେଖି ଦେଇଅଛି ଯେ ତାହା ଅଦ୍ୟପି ରହିଅଛି । ଆରେ ଅବୋଲକରା, ଏ କଥା ଏତିକି ! ଫୁଲ ଫୁଟେ କେତକୀ ।

Image

 

ବୁଢ଼ାବାପାର କଥା

 

କଥାକୁହା ଶେଷକରି ସାମନ୍ତ ଓ ଅବୋଲକରା ଦୁହେଁ ସେଠାରୁ ଦକ୍ଷିଣ ମୁଖରେ ଚଳିଗଲେ । ଯାଉ ଯାଉ ବାଟରେ ଅନେକ ଦେଶ, ପୁର, ଗ୍ରାମ, ପଲ୍ଲୀ, ପାଟଣା, ବଣ, ପର୍ବତ, ନଈ, ନାଳ ଦେଖି ଦେଖି ଠାକୁ ଠା ! ବସା ପାଡ଼ି ପାଡ଼ି ଯାଉଥାନ୍ତି । ଏପରି କେତେଦିନ ଗଲା ପରେ ବେଙ୍କଟାଚଳ ନିକଟ ଗୋଟିଏ ସହର ପାଖରେ ପହଞ୍ଚିଲେ । ସେହିଠାରେ ବେଣୀନଦୀର ଗୋଟିଏ ଶାଖା ଧାର ବହୁଥାଏ । ଜାଗାଟି ଅତି ନିର୍ମଳ । ନିକଟରେ ଶିବ ମନ୍ଦିର ଅଛି । ଏମାନେ ତ ତୀର୍ଥଯାତ୍ରୀ, ଦେବାଳୟ କିମ୍ବା ବୃକ୍ଷମୂଳ ଛାଡ଼ି ଅନ୍ୟ ସ୍ଥାନରେ ରହିବେ ନାହିଁ । ବେଳ ଉଛୁର ହେବାର ଦେଖି ସାମନ୍ତ ବୋଇଲେ, ଆଜି ଏହି ଶିବ ମନ୍ଦିର ନିକଟରେ ରହି କାଲି ସକାଳୁ ଉଠି ଚାଲିଯିବା । ଅବୋଲକରା ହେଉ କହି ଲୁଗାପଟା ଭାର ଥୋଇ ଦେଇ ସଉଦା କିଣିବାକୁ ଗଲା । ସାମନ୍ତ ସ୍ନାନ ସନ୍ଧ୍ୟା ଶେଷକରି ସଉଦା ଆଣିଲେ ରାନ୍ଧିବେ ବୋଲି ଚାହିଁ ବସିଅଛନ୍ତି । ତେଣେ ଅବୋଲକରା ବଜାରକୁ ଯାଇ ସଉଦାପତ୍ର କିଣାକିଣି କଲା । ଫେରି ଆସିଲା ବେଳକୁ ମନେ ମନେ ବିଚାରିଲା ସତେ କଣ ମୋ ଜୀବନରେ ଆଉ ଥରେ ୟାଡ଼େ ଆସିବି କି ? ଭଲା ଟିକେ ବୁଲାବୁଲି କରି ଦେଖେ, କେଜାଣି କେଉଁଠି କଣ ଆଶ୍ଚର୍ଯ୍ୟ କଥା ଥିବ । ଏମନ୍ତ ବିଚାରି ବଲୁ ବୁଲୁ ଦେଖିଲା ଯେ ସେହି ସହର ପାଖରେ ଗୋଟିଏ ଛତ୍ରଘର ଅଛି । ସେ ଛତ୍ର ଘରର ଆଗ ସାମନାରେ ଗୋଟିଏ ମଣ୍ଡପ ଅଛି । ସେ ମଣ୍ଡପ ମଧ୍ୟରେ ପଥରରେ ଗଢ଼ା ହୋଇ ଗୋଟିଏ ବୁଢ଼ା ବସିଅଛି । ବୁଢ଼ାର ଗୋଡ଼ତଳେ ଗୋଟିଏ ଯୁବା ପୁରୁଷ ମୁଣ୍ଡରେ ହାତ ଯୋଡ଼ି ବସିଅଛି । ଏହା ଦେଖି ଅବୋଲକରା ପବନ ବେଗରେ ଧାଇଁ ଆସି ସଉଦାଗୁଡ଼ିକ ଥୋଇଦେଇ ସାମନ୍ତକୁ ପଚାରିଲା–ଗୋସାଇଁ, ମୁଁ ଗୋଟିଏ କଥା ଦେଖିଲି, କହିଲ । ସାମନ୍ତ ବୋଇଲେ–କଣ ଦେଖିଲ କି ? ଅବୋଲକରା ବୋଇଲା, ଏହି ସହର ନିକଟ ଛତ୍ରଘର ପାଖ ମଣ୍ଡପରେ ପଥର ନିର୍ମିତ ବୁଢ଼ା ଜଣେ ବସିଛି । ତାର ଗୋଡ଼ତଳେ ଆଉ ଜଣେ ସୁନ୍ଦର ଯୁବା ପୁରୁଷ ମୁଣ୍ଡରେ ହାତ ଯୋଡ଼ି ଅତି ବିନୟରେ କଣ ହେଲେ ଜଣାଉଁଥିଲା ପରି ବସିଅଛି । ସେ ବୁଢ଼ା କିଏ, ସେ ଯୁବା କିଏ ? ସେହି ଦୁହିଙ୍କର ପ୍ରତିମୂର୍ତ୍ତି କାହିଁକି ସେଠାରେ ବସା ଯାଇଅଛି, ତାହା କାହିଁକି କିଏ ବସାଇ ଥିଲା, ତହିଁର କାରଣ ମୋତେ କହିଦିଅ । ସାମନ୍ତ ବୋଇଲେ–ଆଚ୍ଛା, କହିବି ଯେ, ଟିକିଏ ଦମ୍ଭ ଧର । ମୁଁ ଆଗ ରୋଷେଇ ବସାଇ ଦିଏ । ଏହା କହି ସାମନ୍ତ ଡାଲି ଭାତ ବସାଇ ଦେଇ ବୋଇଲେ–ପକା କମ୍ବଳ ପୋତ ଛତା, ବସ ଅବୋଲକରା କହିବା କଥା ।

 

ପୂର୍ବକାଳେ ଏହି ଗ୍ରାମରେ କ୍ରୋଡ଼ିମଲ୍ଲ ନାମକ ଜଣେ ସାଧବ ଥିଲା । ତାର ବହୁତ ଧନ ଥାଏ । ସେ ନାନାଦି ପ୍ରକାର ବଣିଜ ଓ ବେପାର କରୁଥାଏ ସିନା କିନ୍ତୁ କାହାରିଠାରେ ବିଶ୍ଵାସ କରେ ନାହିଁ କି କାହାରି ଅନିଷ୍ଟ କରେ ନାହିଁ । ସଂସାର ମଧ୍ୟରେ ତାର ବିଶ୍ଵାସୀ ବୋଲି ଜଣେ ମାତ୍ର ଅଛି । ସେ ଲୋକଟିର ଘର ସେହି ପାଖ ଗ୍ରାମରେ । ତାହାର ନାମ ଟଙ୍କଧର ସାହୁ । ସେ ଦୁହେ ମିତ୍ର ବସି ଏକପ୍ରାଣ ହୋଇଥାନ୍ତି । ଯାହା ବୋଲନ୍ତି ଗୋଟେ ଗଣ୍ଡିରେ ଯୋଡ଼େ ମୁଣ୍ଡ, ସେ ଦୁହେଁ ସେହିପରି ଚଳୁଥାନ୍ତି । କ୍ରୋଡ଼ିମଲ୍ଲର ପୁଅବୋଲି ଗୋଟିଏ । ଆଉ ଝିଅ ଝିଆଣିଆ ଭାଇ ବନ୍ଧୁ ହୋଇ ଗୁଡ଼େ ନ ଥାନ୍ତି । ସେ ପୁଅଟିର ନାମ ଶତମଲ୍ଲ । ଗୋଟିଏ ପୁଅ ବୋଲି ବାପ ମାଆ ତାକୁ ବଡ଼ ଆଦରରେ ବଢ଼ାଇ ଥାନ୍ତି । ଯେତେବେଳେ ସେ ପୁଅକୁ ପନ୍ଦର କୋଡ଼ିଏ ବର୍ଷ ବୟସ ହୋଇଗଲା, ସେ ସେତେବେଳେ ଟିକିଏ ଖଣ୍ଡିଉଡ଼ା ଦେଲା ପରି ମାମଲତକାର ହୋଇ ବାହାରିଲା । ବାପର ସିନା ଗୋଟିଏ ମିତ୍ର, ସେ ଶଏ କି ଦେଢ଼ଶହ ହେବ ମିତ୍ର ସମ୍ପାଦିଲା । ପ୍ରତିଦିନ ସନ୍ଧ୍ୟାବେଳେ ଯାଏ ଯେ, ଏ ମିତ ପାଖରେ ଘଡ଼ିଏ, ସେ ମିତ ପାଖରେ ଘଡ଼ିଏ, ଆର ମିତ ପାଖରେ ଦି ଘଡ଼ି,ଏପରି ବସୁ ବସୁ ରାତି ଦୁଇ ପ୍ରହର ହୁଏ । ଏଣେ ତାର ବାପ ବୁଢ଼ାଟି ଚାହିଁ ବସିଥାଏ ପୁଅ ଆସିଲେ ମୁଠେ ଖାଇବ ବୋଲି । ପୁଅ ମିତମାନଙ୍କର ପାଖେ ବସି ମାମଲତି ବୁଝି ବୁଝି ଅଧରାତିକି ଆସିଲା ବେଳକୁ ଭାତ ତିଉଣ ତକ କାକର ହୋଇ ଯାଇଥାଏ । ବୁଢ଼ାର ତଣ୍ଟିରେ ଗଳୁ କି ନ ଚଳୁ ପେଟ ବିକଳରେ ମୁଠେ ମୁଠେ ଖାଆନ୍ତି । ଏହିପରି ପ୍ରତିଦିନ ଲାଗିଥାଏ । ଗୋଟିଏ ପୁଅବୋଲି ବାପା ମା ତାକୁ ଆଉ କିଛି କହୁ ନ ଥାନ୍ତି । ଏପରି ବର୍ଷେ ଚାଲିଗଲା ପରେ ଦିନେ ବୁଢ଼ା ରାଗ କରି ବୋଇଲା–କିରେ ପୁଅ, ତୁ ସବୁଦିନେ ଏତେ ରାତି ପର୍ଯ୍ୟନ୍ତ କୁଆଡ଼େ ଯାଉଛୁ ଯେ, ତୋ ଲାଗି ମୁଁ ମୁଠେ ଖାଇ ନ ପାରି ଚାହିଁ ଚାହିଁ ମୋର ହାଲୁକ ଶୁଖି ଯାଉଛି ? ପୁଅ ବୋଇଲା–ବାପା, କଣ କରିବି, ମୋର ପଚାଶେ କି ଷାଠିଏ ମିତ ଅଛନ୍ତି, ତାଙ୍କରି ପାଖରେ ଟିକିଏ ଟିକିଏ ବସି କରି ଆସିଲା ବେଳକୁ ତ ରାତି ଅଧ ହୋଇ ଯାଉଛି । ଦିନେ ନ ଗଲେ ମିତମାନେ ଦୁଃଖ କରୁଅଛନ୍ତି । ତେଣୁ ବାଧ୍ୟହୋଇ ଯିବାକୁ ପଡ଼ୁଛି । ଏହା ଶୁଣି ବୁଢ଼ା ଟିକିଏ ମୁଡ଼ୁକି ହସା ଦେଇ ବୋଇଲା–ବାଃ, ତୁ ମୋଠାରୁ ବଳିଗଲୁ, ତୋହର ଏ ଯୋଗ୍ୟପଣ ଶୁଣି ମୁଁ ବଡ଼ ଆନନ୍ଦ ହେଲି । କାହିଁକି ବୋଲିବୁ, ପାଠ ଲେଖିଅଛି–ସର୍ବତ୍ର ଜୟମାଦିଚ୍ଛେତ୍ ପୁତ୍ର ଦିଚ୍ଛେତ୍ ପରାଜୟଂ । ସଂସାର ଲୋକେ ସମସ୍ତଙ୍କଠାରୁ ଜୟ ପାଇବାକୁ ଇଚ୍ଛା କରିଥାନ୍ତି । କାରଣ ପୁଅ ଯେବେ ସକଳ ଗୁଣରେ ଅଧିକ ହେବ, ତା ହେଲେ ବାପକୁ ପରାଜୟ କରିବ । ଏବେ ମୁଁ ଜାଣିଲି ଯେ, ତୁ ମୋଠାରୁ ବଳିଗଳୁ । କିପରି ବୋଲବୁ, ମୋତେ ୭୦ବର୍ଷ ହେଲାଣି । ମୁଁ ମୋ ଜୀବନରେ ଅନେକ ଧନ ଅର୍ଜିଲି, ଅନେକ ଯଶ ପୌରୁଷ ମଧ୍ୟ ଅର୍ଜିଲି । କିନ୍ତୁ ସଂସାରରେ ମୋର ଗୋଟିଏ ଛାଡ଼ି ଯୋଡ଼ିଏ ମିତ ନାହାନ୍ତି । ତୋତେ କୋଡ଼ିଏ କି ବାଇଶ ବର୍ଷ ହୋଇଛି, ତୁ ଯେବେ ଏତିକି ବୟସରେ ଷାଠିଏ କି ସତୁରି ମିତ୍ର ଅର୍ଜିଲୁଣି, ତା ହେଲେ ଆହୁରି କେତେ ମିତ୍ର ଅବା ଅର୍ଜିନ ପାରିବୁ ? ଏଣିକି ତୁ ଯେତେ ରାତିକି ଆସିଲେ ମଧ୍ୟ ଆଉ ତୋତେ କିଛି କହିବି ନାହିଁ । ଏହା ଶୁଣି ପୁଅ ଆନନ୍ଦରେ ଫୁଲିଗଲା । ଚାରି ପାଞ୍ଚଦିନ ଗଲାପରେ ଦିନେ ବୁଢ଼ା କଣ କଲା ନା, ତାର ଗୋଟିଏ ଚାକର ଟୋକା ଥାଏ । ତାକୁ ସଞ୍ଜବେଳୁ ଡାକି ପେଟେ ଖାଇବାକୁ ଦେଇ କହିଲା–ତୁ ଏହି ଧାନ କୋଠିଘର ଭିତରେ ମଲାପରି ପଡ଼ିଥିବୁ, ଯିଏ ଯେତେ ଡାକିଲେ ଶୁଣିବୁ ନାହିଁ କି ଗଡ଼ାଗଡ଼ି କଲେ ହଲଚଲ ହେବୁନାହିଁ । ମୁଁ ଯେତେବେଳେ ତୋର ନାକଟି ଧରି ମୋଡ଼ି ଦେବି ସେତିକିବେଳେ ଉଠି ବସିବୁ । ଏହା କହି ତାକୁ ସେ କୋଠିଘର ଭିତରେ ଶୁଆଇ ଦେଇ ଆପେ ଆସି ନିଜ ଦୁଆର ମୁହଁଟିରେ ନିର୍ବେଦ ହେଲାପରି ବସିଥାଏ । ପୁଅ ତେଣେ ମିତ୍ରମାନଙ୍କ ସଙ୍ଗେ କଥାବାର୍ତ୍ତା ହୋଇ ଆସିଲା ବେଳକୁ ରାତି ଅଧ ହେଲାଣି । ଆସି ଦେଖିଲା ଯେ, ବାପଟି ତାଟକା ହେଲା ପରି ବସିଅଛି । ତାକୁ ବୋଇଲା–ବାପା, ଉଠ ଖାଇବ । ବୁଢ଼ା ଟିକିଏ ସକସକ ହୋଇ କାନ୍ଦିଲା ପରି ବୋଇଲା, ଖାଇବା କଣ ? ଆଜି ମୁଁ ଯେଉଁ ବିପଦରେ ପଡ଼ିଅଛି, ତହିଁରୁ କିପରି ରକ୍ଷା ପାଇବା ସେ କଥା ଆଗ ବିଚାର କଲୁ । ପୁଅ ବୋଇଲା–କଣ ବିପଦ ? ବୁଢ଼ା ବୋଇଲା–ଚାକର ପିଲାଟା ବୋଲ ନ କଲା ବୋଲି ମୁଁ କ୍ରୋଧରେ ତାକୁ ଚଟକଣାଟେ ମାରିଦେଲି ଯେ, ସେ ଏକା ଚଟକଣାକେ ମରିଗଲା । ତାକୁ ଧାନଘରେ ପକାଇ ଦୁଆର କିଳି ଦେଇଅଛି । ଏହା ଆଉ କେହି ଜାଣି ନାହାନ୍ତି । ଏବେ ଏଥକୁ କଣ କରିବା କହିଲୁ ? ପୁଅ ବୋଇଲା–ଏହି ଛାର କଥାକୁ ଏତେ କାହିଁକି ଡରୁଅଛ ? ବସ ମୁଁ ଯାଉଛି ମୋର ମିତମାନଙ୍କୁ ଡାକିଆଣି ଏହି ରାତି ଭିତରେ କୁଆଡ଼େ ନେଇ ହଜେଇ ଦେବି ଯେ ପତ୍ତା ମିଳିବ ନାହିଁ । ତୁମ୍ଭେ କାହିଁକି ଭୟ କରୁଅଛ ? ଏହା କହି ଲାଠି ଖଣ୍ଡେ ହାତରେ ଧରି ସେହିକ୍ଷଣି ଚାଲିଗଲା । ପ୍ରଥମେ ଯାଇ ଗୋଟିଏ ମିତକୁ ଡାକିବାରୁ ସେ ବଡ଼ ବ୍ୟସ୍ତ ହେଲାପରି ଉଠି ବୋଇଲା–କାହିଁକି ଏତେ ରାତିରେ ଆସିଅଛ ? ସାଧବପୁଅ ତାକୁ ଚଳିଥିବା କଥାଟି କହିଦେଇ ବୋଇଲା–ବେଗେ ଆସିଲେ, ଟିକିଏ ରାତି ନ ପାହୁଣୁ ଲାସଟାକୁ କୁଆଡ଼େ ନେଇ ହଜାଇ ଦେବା । ଏହା ଶୁଣି ସେ ମିତ ବୋଇଲା, କଣ କହିଲ–ତୁମେ ମଣିଷଟେ ମାରିଦେଇଛ, ମୋତେ ଡାକୁଛ ଆସିଲ ହଜାଇ ଦେବା ବୋଲି ପଳା ପଳା । ଯାହା ତ ହେବାର ହେଲାଣି । ମୋ ପାଖକୁ ଆସିଥିଲ ବୋଲି କାହାରି ଆଗରେ କହିବ ନାହିଁ । ଏହା କହି ସେ କବାଟଟା ଧଡ଼ୋପରା କିଳି ଦେଲା । ସାଧବପୁଅ ଆଉ କଣ କହିବ ସେଠାରୁ ଯାଇ ଆଉ ଗୋଟେ ମିତକୁ ଉଠାଇଲା । ତାକୁ କହିବାରୁ ସେ ବୋଇଲା–ଆମେ ସାଙ୍ଗ ସୁଖ ହୋଇ ମେଳା ମଉଜ କରୁଥିଲେ ସିନା, ତୁମେ ମଣିଷଟେ ମାରି ଦେଇ ଆସି ଡାକୁଅଛ ଯେ, ମୁଁ ତୁମ୍ଭ ପାଇଁ ଫାଶି ହେବାକୁ ଯିବି କି ? ଯାଅ ଯାଅ ପଳାଅ, ପଳାଅ । ଏହା ଶୁଣି କାକୁତିରେ ସେଠାରେ ଯାଇ ଆହୁରି କେତେଟା ମିତଙ୍କୁ ଉଠାଇ ତାଙ୍କୁ କହିବାରୁ ସେମାନେ ଆଗ ମିତମାନଙ୍କ ପରି କହି ପଳା ପଳା ବୋଲି ତଡ଼ିଦେଲେ । ଲୋକେ ତ କହନ୍ତି–ତୁଣ୍ଡେ ତୁଣ୍ଡେ କି ହୁଏ ସଙ୍ଗାତ, ପାଳ ନିଆଁରେ କି ଛାଡ଼ଇ ଶୀତ । ସେହିପରି ତୁଣ୍ଡେ ତୁଣ୍ଡେ ସିନା ସଙ୍ଗାତ ମିତ ହୋଇ ମଉଜ ମଜଲିସ କରୁଥିଲେ, ଯେତେବେଳେ ବିପଦର ଶେଷ ସୀମା ଆସି ପହଞ୍ଚିଗଲା, ସେତେବେଳକୁ କିଏ ମିତ କାର, କିଏ କାହା ପାଇଁ ଫାଶିରେ ଚଢ଼ିବାକୁ ଯିବ । ଗୋଟିଏ କେହି ବାହାରିଲେ ନାହିଁ । ସାଧବପୁଅ ଆଉ କଣ କରିବ, ବାହୁଡ଼ି ଅଇଲା ଯେ, ତା ମୁହଁରେ ଆଉ ଟୋପେ ପାଣି ନାହିଁ । ଘରକୁ ଆସିବାରୁ ବାପ ବୋଇଲା, କିରେ ପୁଅ, ମିତମାନେ କାହାନ୍ତି ? ପୁଅ ଆଖିରେ ଲୁହ ଢଳ ଢଳ କରି ବୋଇଲା–ବାପା । ସବୁ ମିତମାନଙ୍କୁ ଡାକିଲି ଯେ ଗୋଟିଏ କେହି ଆସିଲେ ନାହିଁ । ଥରକୁ ଦି ଥର କହିବାରୁ ଅଧିକରେ ନାନା ଭର୍ତ୍ସନା କରି ଗାଳିଦେଇ ପାଖରୁ ତଡ଼ିଦେଲେ । ବୁଢ଼ା ବୋଇଲା ଏହିପରି ମିତଗୁଡ଼ିଏ ସମ୍ପାଦି ପ୍ରତିଦିନ ରାତି ପୁହାଇ ଦେଉଥିଲୁ । କିରେ ବଡ଼ପୁରୁଷେ କହିଅଛନ୍ତି–‘ଜାନୀୟାତ୍ ପ୍ରେଷଣେ ଭୃତ୍ୟ ନ୍ ବନ୍ଧବାନ୍ ବ୍ୟସନାଗମେ, ମିତ୍ରଂ ଚାପଦିକାଳେ ଚ ଭାର୍ଯ୍ୟାଂ ଚ ବିଭବକ୍ଷୟେ ।’ ଚାକରମାନଙ୍କୁ ଗୋଟିଏ କାର୍ଯରେ ପଠାଇବ, ସେମାନେ ସେ କାର୍ଯ୍ୟଟି କରିଦେଇ ଆସିଲା ପରେ ତାଙ୍କୁ ଭଲ କି ମନ୍ଦ-ଚିହ୍ନିବ-। ବ୍ୟସନ ସମୟରେ ବନ୍ଧୁମାନଙ୍କୁ ଚିହ୍ନିବ, ବିପଦ କାଳରେ ମିତ୍ରମାନଙ୍କୁ ଚିହ୍ନିବ । ଧନ ସରିଗଲାବେଳେ ଭାର୍ଯ୍ୟାକୁ ଭଲ କି ମନ୍ଦ ବୋଲି ଚିହ୍ନିବ; ତୋର ମିତ୍ରମାନଙ୍କର ମିତ୍ରପଣିଆ ଏବେ ଜଣାଗଲା । ଯାହା ହେଉ ମୋର ଗୋଟିଏ ମାତ୍ର ମିତ ଅଛନ୍ତି; ତାଙ୍କ ନାମ ଟଙ୍କଧର ସାହୁ । ତୁ ଏବେ ତାଙ୍କରି ପାଖକୁ ଯା । ତାଙ୍କୁ ଏ କଥା କହି ବାପା କହିଛନ୍ତି ଆସ ବୋଲି ଡାକିବୁ; ଦେଖିବା ସେ କଅଣ କହିବେ । ଏହା ଶୁଣି ଶତମଲ୍ଲ ତକ୍ଷଣେ ଯାଇ ଟଙ୍କଧର ସାହୁଙ୍କ ଦୁଆରେ ଡାକିଲା । ସେ ସେହିକ୍ଷଣି ଉଠି ବୋଇଲେ–କିରେ ବାପା, କାହିଁକି ଏତେ ରାତିରେ ଆସି ଡାକୁଅଛୁ ? ଶତମଲ୍ଲ ତାଙ୍କୁ ସବୁ ଘଟଣାଯାକ କହି ତୁମ୍ଭଙ୍କୁ ଡାକି ନେବାପାଇଁ ବାପା ପଠାଇ ଅଛନ୍ତି ବୋଲିବାରୁ ସେ ତକ୍ଷଣେ ଗାମୁଛା ଖଣ୍ଡେ ପିନ୍ଧି ଠେଙ୍ଗାଟେ ଧରି ବୋଇଲେ, ଚାଲ ଏହି ଭିତରେ ଠିକଣା କରିଦେବା । ଏଇ କଥାକୁ ଏତେ ଡରୁଅଛ ? ଏହା କହି ତାର ସଙ୍ଗେ ସଙ୍ଗେ ଚାଲି ଆସିଲାବେଳକୁ ସାଧବ ବୁଢ଼ାଟି ମୁଣ୍ଡରେ ହାତ ଦେଇ ବସିଅଛି । ଟଙ୍କଧର ସାହୁ ବୋଇଲେ, ମିତ ତୁମ୍ଭ ପୁଅଠାରୁ ସବୁ ଶୁଣିଲିଣି । ତୁମ୍ଭେ ଆଉ କିଛି କହ ନାହିଁ । ସେ ପିଲାଟା କୁଠେଇଁ ପଡ଼ିଛି, କାଇଁ ଟିକେ ଆଗ ଦେଖାଇ ଦେଲ । ସେ କେଡ଼ୁଟେ ମୁଁ ଦେଖେଁ । ଏହା ଶୁଣି ସାଧବ ବୁଢ଼ା କୁନ୍ଥୁ କୁନ୍ଥୁ ହୋଇ ଧାନଘର କବାଟ ଫିଟାଇ ଦେଇ ବୋଇଲା, ହେଇଟି ଏଇ ପିଲାଟା ଦେଖ । ଟଙ୍କଧର ସାହୁ ବୋଇଲା, ଏଇଟାକୁ ମୁଁ ତ ଏକାକେ ଟେକି ନେବି । ତୁମ୍ଭେ ବାପ ପୁଅ ଦୁହେଁ ଲୁଣ ଦୁଇ ନୌତି, କୋଡ଼ି ଶାବଳ ଧରି ବେଗେ ଆସିଲ । ନଈ ତଳଆଡ଼େ ନେଇ ଠିକଣା କରିଦେବା ଯେ ତାର ଆଉ ପତ୍ତା ମିଳିବ ନାହିଁ । କିଏ ପଚାରିଲେ କହିବା ଗୋରୁ ଚରାଇ ଯାଇଥିଲା, ତାକୁ ବଣରେ ବାଘ ଖାଇଗଲା । ଏହା ଶୁଣି ସାଧବ ବୁଢ଼ା ଯାଇ ସେ ଟୋକାର ନାକଟାକୁ ମୋଡ଼ିଦେଇ ବୋଇଲା, ଉଠ ଉଠ, ସଞ୍ଜବେଳୁ ତୁ ଶୋଇଲୁଣି, ଆଉ କେତେ ଶୋଇଥିବୁ । ସେ ଏପରି ଉଠାଇ ଦେବାରୁ ଚାକରଟି ଉଠି ବସିଲା । ତାହା ଦେଖି ଟଙ୍କଧର ସାହୁ ବୋଇଲେ–ମିତ ଏ କି ରହସ୍ୟ, ଏପରି ଘଟଣା କାହିଁକି କରିଥିଲ ? ସାଧବ ବୁଢ଼ା ବୋଇଲା, ପୁଅ ମୋର ଷାଠିଏ କି ସତୁରି ଜଣ ମିତ୍ର ଅର୍ଜିଅଛି ବୋଲି କହିବାରୁ ଆଜି ତାର ସେହି ମିତ୍ରମାନଙ୍କୁ ପରୀକ୍ଷା କରିଥିଲି । ଏବେ ତାକୁ ପଚାରିଲ ତାର ମିତ୍ରମାନେ କିପରି, ତୁମ୍ଭେ ମୋର ଏକମାତ୍ର ମିତ୍ର, ତୁମ୍ଭେ କିପରି ? ଏହା ଶୁଣିବା ମାତ୍ରେ ପୁଅ ସେ ଦୁହିଁଙ୍କ ଗୋଡ଼ ତଳେ ପଡ଼ି ବୋଇଲା–ଆଉ ପଚାରିବେ କଣ, ମୁଁ ତ ସାକ୍ଷାତରେ ଅନୁଭବ କରି କାନ ମୋଡ଼ି ହେଲାଣି ଯେ ଆଉ ସେ ଶଠ ମିଛ ଗୁଡ଼ାକର ମୁହଁ ଚାହିଁବି ନାହଁ । ତୁମେ ଆଉ ଶିକ୍ଷା ଦେବ କଣ ? ଟଙ୍କଧର ସାହୁ ବୋଇଲା–ନାହିଁରେ ତୁ ଆହୁରି ଜାଣି ନାହୁଁ କିପରି ଲୋକ ସଙ୍ଗେ ମିତ୍ର ହେବ । ଏବେ ମୁଁ ବାପ କହୁଅଛି ଶୁଣିଥା–ପରୋକ୍ଷେ କାର୍ଯ୍ୟହନ୍ତାରଂ ପ୍ରତ୍ୟକ୍ଷେ ପ୍ରିୟବାଦୀନଂ । ବର୍ଜୟେତ୍ତାଦୃଶମ୍ ମିତ୍ରମ୍ ବିଷକୁମ୍ଭ ପୟୋଗମୁଖମ୍ । ସେ ପ୍ରିୟ କଥା କହି ପଛରେ କାର୍ଯ ନାଶ କରୁଥିବ ତାକୁ ବିଷପୂର୍ଣ୍ଣ କୁମ୍ଭ ମୁଖରେ କ୍ଷୀର ଥିଲା ପରି ଜ୍ଞାନକରି ପରିତ୍ୟାଗ କରିବ । ଏପରି ସେ କଥାବାର୍ତ୍ତା ହେଉ ରାତି ପାହିଲା। ଟଙ୍କଧର ସାହୁ ତାର ଘରକୁ ଚାଲିଗଲା । ସାଧବଘର ପିତା ପୁତ୍ର ନିଜ ଘରେ ରହିଲେ । ସେହିଦିନଠାରୁ ଶତମଲ୍ଲ ଆଉ ସେ ମିତମାନଙ୍କର ସୀମାକୁ ଗଲା ନାହିଁ । କେତେ କାଳ ପରେ ସାଧବ ବୁଢ଼ାର ମରିବା ସମୟ ଉପସ୍ଥିତ ହେବାରୁ ସେ ପୁଅକୁ ବସାଇ କହିଲା, ଦେଖେ, ମୁଁ କେତେ କଷ୍ଟରେ ଉପାର୍ଜନ କରି ଏ ସବୁ ସମ୍ପଦଯାକ ତୋରିପାଇଁ ରଖିଅଛି । ଏବେ ମୋର ମରିବାକାଳ ଆସି ନିକଟ ହେଳଣି, ଆଉ ଚାରିଦିନ କି ଆଠ ଦିନରେ ମରିଯିବି । ମାତ୍ର ମୁଁ କେତେଗୋଟି କଥା ତୋତେ କହିବି । ତୁ ସେଗୁଡ଼ିକୁ ମନେ ରଖି ଯେବେ କାର୍ଯ୍ୟ କରିବୁ ତେବେ ଏ ସମ୍ପଦ ଭୋଗ କରି ନିଶ୍ଚିନ୍ତରେ ରହିବୁ । ନୋହିଲେ ବୁଢ଼ା ବାଳୁଙ୍ଗା ପରି ହୋଇ କୁଆଡ଼େ ଛତ୍ର ଖାଇଯିବୁ । ପୁଅ ବୋଇଲା–କଣ କରିବି କହିଲ ? ବୁଢ଼ା ବୋଇଲା, ନ ଖେଳିବୁ ଯୁଆ । ନ ଡେଇଁବୁ କୂଅ । ନ ଚାଲିବୁ ଖଞ୍ଜେ । ନ ଖାଇବୁ ସଞ୍ଜେ । ନ ଶୋଇବୁ ମଠେ । ନ ଗାଧୋଇବୁ ତୁଠେ । ନାରୀଙ୍କୁ ବିଶ୍ଵାସର କଥା । ନ କହି ପୋତୁଥିବୁ ମଥା । ଯାହାକୁ ଦେବୁ ତାକୁ ନ ମାଗିବୁ । ସଜ୍ଜନେ ନ କରି କପଟ । ବାରିଦ୍ଵାରେ ବସାଇବୁ ହାଟ । ଘର ଛପର ନ କରିବୁ । ତିନି ମୁଣ୍ଡିଆକୁ ପଚାରି ବୁଝିବୁ । ଏହି ନୀତି ଯାକ ପାରିଲେ କରି । ନିଶ୍ଚୀନ୍ତେ ଭୁଞ୍ଜିବୁ ସକଳ ଶିରୀ । ଏହା ଶୁଣି ପୁଅ ଟିକିଏ ହସିଦେଇ କହିଲା–"ଜଂଘେ ବଳ ଥିଲେ ଡେଇଁବି କୂଅ । ଦାନ ପଡ଼ୁଥିଲେ ଖେଳିବି ଯୁଅ । ବେଳ ଯେବେ ଥିବ ଚାଲିବି ଖଞ୍ଜେ । ପାକ ଯାଉଥିଲେ ଖାଇବି ସଞ୍ଜେ । ନିଦ ନ ଭାଙ୍ଗିଲେ ଶୋଇବି ମଠେ । ପାହାଚ ମିଳିଲେ ଗାଧୋଇ ତୁଠେ । ଆଉ ବାକି କଥା କଥା କାଳକୁ ଦେଖି । ପାରିଲେ କରିବି ମନକୁ ଯୋଖି ।” ଏହା ଶୁଣି ବୁଢ଼ା ବୋଇଲାତୁ ତ ମୋଠାରୁ ବଳି ଗଲୁଣି । ଆଉ ମୁଁ ତୋତେ ଉପଦେଶ କଣ ଦେବି-? ହେଉ ହେଉ, ମୁଁ ତ ନିକଟରେ ମରିବି । ପାଣି ପଣା ପ୍ରାନ୍ତରେ ବୁଝିବୁ । ଏହା କହି ବାପଟି ମରିଗଲା। ପୁଅ ତାର ଶୁଦ୍ଧବୋଧ କରି ଘର ବୁଝିଲା । ମାତ୍ର ବାପ କହିଥିବା କଥାଯାକ ମନେ ମନେ ଭାବୁଥାଏ । ଦିନକର ସେ କୁଆଡ଼େ ଗଲାବେଳକୁ ଦେଖିଲା ସେ ଦାଣ୍ଡରେ ଗୋଟିଏ ଖଣିଗାଡ଼ ଖୋଳା ହୋଇଅଛି । ମନରେ ପାଞ୍ଚିଲା ବାପ ତ ମୋର କୂଅ ଡେଇଁବାକୁ ମନା କରିଅଛି-। ଦେଖିବା, ଆଜି ମୁଁ ଗାତଟାକୁ ଡିଏଁ । ଏହା ବିଚାରି ଧାଇଁ ଯାଇଁ ଡେଇଁ ପଡ଼ିବି ବୋଇଲା ବେଳକୁ ଝୁଣ୍ଟିଦେଲା ଯେ, ଉପରକୁ ଗୋଡ଼ ଦୁଇଟା ତଳକୁ ମୁଣ୍ଡ କରି ସେ ଖଣି ଗାତରେ ଯାଇ ଛେଚିହୋଇ ପଡ଼ିଲା । ଦେଖୁଥିବା ଲେକେ ନାକରେ ହାତଦେଇ ଟହ ଟହ କରି ହସିଲେ । ଆଣ୍ଠୁଗଣ୍ଠି ସହିତରେ ଚାରି ଚକିଜାକ ଖଣ୍ଡିଆ ହୋଇଗଲା । ଘଡ଼ିକରେ ସେ ଗାତରୁ ଉଠି ଛୋଟେଇଛୋଟେଇ ଘରକୁ ଯାଇ ବିଚାରିଲା–ବାପ କଥା ସତ, ଆଜି ଯେବେ କୂଅ ହୋଇଥାନ୍ତା, ମୋର ଭଲା ପ୍ରାଣ ନ ଥାନ୍ତା-। ଏମନ୍ତ ବିଚାରି ମୁଣ୍ଡ କାନ ଆଉଁସି ରହିଲା । ପୁଣି କେତେ ଦିନ ଗଲା ପରେ ଦନେ ଯୁଅ ଖେଳରେ ଲୋକେ ଜିଣିବାର ଦେଖି ଖେଳିବି ବୋଲି ଦୁଇଶହ ଟଙ୍କା ନେଇ ବସିଲା । ଯୁଅରମାନେ ତାକୁ ଆଗ ପଟେ ଦିପଟ ଜିଣାଇ ଦେଲେ ସେତେବେଳେ ବିଚାରିଲା ବାପ କଥା ମିଛ । ଆଜି ଖେଳରେ ମୁଁ ଅନେକ ଧନ ଜିଣି ନେବି । ଏମନ୍ତ ବିଚାର କରି ଲୋଭରେ ଖେଳୁ ଖେଳୁ ସେ ଦୁଇଶହ ଟଙ୍କା ହାରି ଆହୁରି ଶହେ ଟଙ୍କା ବାକି ହୋଇଗଲା । ସିଠୁଁ ବାପ କହିବା କଥା ସତ ବିଚାରି ଆଉ ନ ଖେଳି ଘରକୁ ଯାଇ ଶୋଇପଡ଼ିଲା । ସଞ୍ଜବେଳଯାଏ ଶୋଇ ଉଠିଲା ବେଳକୁ ଦୁଇ ହଜାର ଟଙ୍କା ଲାଭ ମିଳିଥାନ୍ତା, ଗୋଟେ ବେପାରୀ ଅସିଥିଲା ଯେ ତାକୁ ଅନ୍ୟ ଜଣେ ନେଇଗଲା । ଏ ନିଦରୁ ଉଠି ଶୁଣିଲା ଯେଏପରି ଘଟଣା ଘଟିଅଛି । ସେଠୁଁ ବିଚାରିଲା ବାପର କଥାଯାକ ସବୁ ସତ, ମୁଁ ତୁଚ୍ଛାଟାକୁ ଗର୍ବ ସିନା କରୁଥିଲି, ଆଜିଠାରୁ ବାପ କହିବା ପ୍ରକାରେ ଚଳିବି । ଏମନ୍ତ ବିଚାର କରି ତୁନିହୋଇ ରହିଲା । ପୁଣି କେତେଦିନ ଗଲାପରେ ଦିନେ ଗୋଟିଏ ଖାତକଠାରୁ ଚାରିଶହ ତାଙ୍କର ଗୋଟିଏ ସୁନା ହାର ଅଦାୟ କରି ଆସିଲା ବେଳକୁ ଦିନ ଦୁଇପ୍ରହର ହେଲାଣି । ଖରା ଲାଗି ଦେହ କାଉଲୁ ବାଉଲୁ ହେଉଛି । ତେଣୁ ଗଧୋଇବ ବୋଲି ଅଣତୁଠରେ ପଶିଲା । ହାରଟି କୂଳରେ ଥୋଇଦେଇ ଘଡିଏ ପର୍ଯ୍ୟନ୍ତେ ପାଣିରେ ବୁଡିଗାଧୋଇଲା । ତହିଁପରେ ଉଠିଆସି ପୋଛାପୋଛି ହୋଇ ଲୁଗାପାଲଟିଲା-। ପେଟ ତ ଜଳୁଅଛି, ଆଉ ମନେ ନାହିଁ, ହାରଟି ଛାଡ଼ି ଦେଇ ଘରକୁ ଚଳି ଆସିଲା-। ଖାଇସାରି ଦେଖେତ ହାର ଗୋଟିକ ନାହିଁ। କି କଲି ବୋଲି ଧାଇଁ ଯାଇ ଦେଖିଲ ଯେ, ସେ ମାଳାଟି କେହି ନେଇନାହିଁ । ଯୁଠି ସିଠେଇ ଥୁଆ ହୋଇଅଛି । ସେତେବେଳେ ବିଚାରିଲା, ତୁଠରେ ଗାଧୋଇବା ପାଇଁ ବାପ ଏହି କାରଣରୁ ମନା କରିଥିଲା । ଆଜି ମୁଁ ତୁଠରେ ଗାଧୋଇଥିଲେ କେଭେ ଏ ମାଳାଟି ପାଇ ନ ଥାନ୍ତି । ଏବେ ଯାଉଛି ବାପା ଯାହା ଯାହା କହିଅଛି, ସେ କଥାଗୁଡ଼ିକ ସବୁ କରିଦେବି । ଏମନ୍ତ ବିଚାର କରି ଯାହାକୁ ଦେଲା, ତାକୁ ଆଉ ମାଗିଲା ନାହିଁ-। ଘରଗୁଡ଼ିକ ଉଲାରି ଦେଲା । ଆଉ ଛପର କଲା ନାହିଁ । ବାଡ଼ିଦୁଆରେ ଗୋଟିଏ ହାଟ ବସାଇ ଦେଲା । ଏକାଳେ ତ ଶହେଥର ମାଗିଲେ ମଧ୍ୟ ଲୋକେ ଧନ ନେଇଥିଲେ ଦେଉ ନାହାନ୍ତି; ଆଉନ ମାଗିଲେ କିଏ ଦେଉଛି । ତେଣୁ ଯାହାକୁ ଯାହା ଦେଲା ନ ମାଗିବାରୁ ଯାଚିକରି କେହି ଦେଲେ ନାହିଁ । ଛପର ନ କରିବାରୁ ଘରଯାକ ଭାଙ୍ଗି ଭୁଙ୍ଗି ଡିହ ହୋଇଲୋ । ବାରି ଦୁଆରେ ହାଟ ବସାଇଲା ଯେ ମାଇପେ ଘରୁ ବାହାରି ଆଉ ହଗି ମୁତି ଯାଇ ପାରିଲେ ନାହିଁ-। ସେତୁ ସେ ବିଚାର କଲା, ବାପ କହିବା କଥା କଲେ ହଇରାଣ । ନ କଲେ ହଇରାଣ । କେତୋଟି କଥା ନ କଲି ଯେ ପ୍ରମାଦରେ ପଡ଼ିଲି । ଯାହାହେଉ ସେ ଯେତେ କଥା କହିଥିଲା, ତାହା ସବୁ ପରୀକ୍ଷା କରି ଭଲ ମନ୍ଦ ଯାହା ହେଲା ଜାଣିଲି । ଆଉ କେବଳ ତିନି ମୁଣ୍ଡିଆ ସଙ୍ଗେ ବିଶ୍ଵାସ କରିବା କଥା ବାକି ଅଛି । ସେ କଥାଟି ଥରେ ପରୀକ୍ଷା କରି ଦେଲେ ମନରୁ ସନ୍ଦେହ ଛାଡ଼ିଯିବ । ଏମନ୍ତ ବିଚାର କରି ତିନିମୁଣ୍ଡିଆ ଖୋଜିବାକୁ ଗଲା । ଯେଉଁ ଗ୍ରାମକୁଯାଏ ସେ ଗ୍ରାମରେ ଏ ମୁଣ୍ଡ ସେମୁଣ୍ଡ ଯାଏ ପଚାରି ବୋଲେ କାହା ଘରେ ତିନିମୁଣ୍ଡିଆ ଅଛି, ଭାଇ ମୋତେ ଟିକିଏ ଦେଖେଇ ଦିଅ । ତିନିମୁଣ୍ଡିଆ ମନୁଷ୍ୟଟେ କାହା ଘରେ ଅଛି ଯେ, କିଏ ତାକୁଦେଖାଇ ଦେବ । ସମସ୍ତେ ନାହିଁ କରନ୍ତି-। ଏହିପରି କୋଡ଼ିଏ କି ତିରିଶଖଣ୍ଡ ଗାଁ ପାର ହେଇ ଗୋଟେ ଗାଁ ରେ ବଡ଼ି ସକାଳୁ ପଶି ଗଲା ବେଳକୁ ଦେଖିଲା ଯେ, ସେ ଗାଁ ଦାଣ୍ଡର ପଶ୍ଚିମ ମୁଣ୍ଡରେ ଗୋଟିଏ ପଚେଲା ବୁଢା ବସି ଖରା ପୁଆଉଁ ଅଛି । ତାର ମୁଣ୍ଡଟି ଦୁଇଆଣ୍ଠୁ, ସନ୍ଧିରେ ପଶିଯାଇ ଆଣ୍ଠୁ ଯୋଡ଼ିକ ଉପରକୁ ବାହାରି ପଡ଼ିଥିବାରୁ ସେ ସାକ୍ଷାତ ତିନିମୁଣ୍ଡିଆ ପରି ଦିଶୁଅଛି । ତାକୁ ଖଣ୍ଡେ ଦୂରରୁ ଦେଖି ବିଚାରିଲା, ଏଇ ଏକା ତିନିମୁଣ୍ଡିଆ । ଯାଉଛି ୟାରି ସଙ୍ଗେ ବିଶ୍ଵାସ କଲେ ବାପା କହିଥିବା କଥା ଜଣାଯିବ । ଏମନ୍ତ ବିଚାରି କରି ସେହି ବୁଢ଼ା ପାଖରେ ଯାଇ ବସିଲା । ଘଡିଏ ଦୁଇଘଡ଼ି ବସିଲାରୁ ସେ ବୁଢ଼ା ପଚାରିଲା; କିରେ ବାପ, ତୋର ଘର କେଉଁଠି, ତୁ କି ଲୋଡ଼ାରେ ଅସି ମୋ ପାଖରେ ବସିଅଛୁ । ଶତମଲ୍ଲ ବୋଇଲା, ମୋର ଘର ଗୋଦାବରୀ ନଦୀର ଦକ୍ଷିଣାଞ୍ଚଳରେ, ମୋ ବାପର ନାମ କ୍ରୋଡ଼ିମଲ୍ଲ, ମୋର ନାମ ଶତମଲ୍ଲ । ବାପ ମରିବା ସମୟରେ ମୋତେ କେତେଗୋଟି ଉପଦେଶ କଥା କହିଥିଲା । ମୁଁ ତହିଁରୁ କେତେକ ପରୀକ୍ଷା କଲି , ଯେ ଭଲ ମନ୍ଦ ଦୁଇ କଥା ଘଟିଲା । କୂଅ ଡେଇଁବାକୁ, ଯୂଆ ଖେଳିବାକୁ, ତୁଠରେ ଗାଧୋଇବାକୁ, ମଠରେ ଶୋଇବାକୁ । ମନା କରଥିଲା ଯେ ମୁଁ ତାହା କରିବାରୁ ପ୍ରମାଦ ପାଇଲି । ଆଉ ଘର ଛପର କରିବୁ ନାହିଁ, ଦେଲେ ମାଗିବୁ ନାହିଁ । ବାଡ଼ି ଦୁଆରେ ହାଟ ବସାଇବୁ ବୋଲି କହିଲା । ଏ ତିନି କଥା କରିବାରୁ ଯେ ନେଲା ସେ ଦେଲାନାହିଁ । ଘର ଭାଙ୍ଗି ପଡ଼ିଲା, ମାଇପେ ଘରୁ ବାହାରି ପାରିଲେ ନାହିଁ । ବାକିକହିଥିଲା ତିନିମୁଣ୍ଡିଆ ସଙ୍ଗେ ବିଶ୍ଵାସ ରଖିବୁ ବୋଲି ଯେ ମୁଁ ତିନିମୁଣ୍ଡିଆ ଖୋଜି ଖୋଜି ମାସେ ହେଲା ବୁଲୁଥିଲି, ଆଜି ତୁମ୍ଭକୁ ତିନିମୁଣ୍ଡିଆ ଦେଖି ବିଶ୍ଵାସ କଥା ପଚାରୁଛି । ଶତମଲ୍ଲ ଏପରି କହିବାରୁ ସେ ବୁଢ଼ା ବୋଇଲା–ବାପ ତୋର ଯାହା ଯାହା କହିଥିଲା ତାହା ସବୁ ଅକ୍ଷରେ ଅକ୍ଷରେ ସତ୍ୟ ଅଟେ । ମାତ୍ର ତୁ କେତେକ ତହିଁରୁ ବୁଝିଲୁ କେତେକ ବୁଝିପାରିଲୁ ନାହିଁ । ବାପ ତୋର କହିଥିଲା–ଦେଲେ ମାଗିବୁ ନାହିଁ ବୋଲି । ତାର ଅର୍ଥ ହେଉଛି, ଦଶଙ୍କାର ସୁନା ବନ୍ଧା ରଖିଲେ ପାଞ୍ଚଙ୍କା ହିସାବରେ ଦେବୁ ଯେ ତାଙ୍କୁ ଆଉ ମାଗିଯିବାକୁ ପଡ଼ିବ ନାହଁ । ଦେଲେ, ତ ମୂଳକଳନ୍ତର ଦେଇ ତାର ସୁନା ସେ ନେଲା, ନ ଦେଲେ ପାଞ୍ଚଟଙ୍କା ମୂଳକଳନ୍ତର ସ୍ଥଳେ ତୁ ଦଶଟଙ୍କାର ସୁନା ପାଇଲୁ । ପୁଣି ତୋର ବାପ କହିଥିଲା, ଘର ଛପର କରିବୁ ନାହିଁ ବୋଲି ଯେ, ତାର ଅର୍ଥ ହେଉଅଛି, ଘରଖଣ୍ଡିକ କୋଠା କରିଦେବୁ ଯେ, ଆଉ ଛପର କରିବାକୁ ପଡ଼ିବ ନାହିଁ, ନିଶ୍ଚିନ୍ତରେ ରହିବୁ । ବାଡ଼ି ଦୁଆରେ ହାଟ ବସାଇବା କଥାର ଅର୍ଥ ହେଉଅଛି; ବାଡ଼ିରେ ହାଟ ପରି ଆଳୁ, ବାଇଗଣ, ଜହ୍ନି, ଭେଣ୍ଡି, ଶାଗ, ଲଙ୍କାମରିଚ ପ୍ରଭୃତି ଫସଲ କରି ଦେଇଥିବୁ ଯେ, ତୁ ଘରେ ନ ଥିଲେ ସୁଦ୍ଧା ମାଇପେ ସେହି ବାଡ଼ିରୁ ଫଳପରିବା ଆଣି ତରକାରୀ କରି ଦେଇଥିବେ ଯେ ତୋତେ ଆଉ ହାଟକୁ ଯିବାକୁ ପଡ଼ିବ ନାହିଁ । ତୁ ଏହା ନ ବୁଝି ତାର ବିପରୀତ ଦିଗରେ ଯିବାରୁ କଷ୍ଟ ପାଇଲୁ । ତିନିମୁଣ୍ଡିଆ ବୋଲି ଯାହା ମୋତେ ଚିହ୍ନି ବିଶ୍ୱାସ କଥା ପଚାରିଲୁ ଏ କଥା ଠିକ ହେଉଛି କାହିଁକି ବୋଲିବୁ, ମୋ ଭଳି ବୁଢ଼ାମାନଙ୍କର ରାଗ ତମ ଛାଡ଼ି ଯାଇଥାଏ । ତେଣୁ ସେମାନେ କାହାରି ଅନିଷ୍ଟ ଚିନ୍ତା ନ କରି ଯାହା କଲେ ପ୍ରାଣୀମାନଙ୍କର ଭଲ ହେବ ସେହି କଥାଟି ଭୂତ ଭବିଷ୍ୟତ ବିଚାର କରି କହି ଦିଅନ୍ତି । ଏହା ଶୁଣି ଶତମଲ୍ଲ ସେ ବୁଢ଼ାକୁ ନମସ୍କାର କରି ସେଠାରୁ ଫେରି ଯାଇ ବାପ କହିବା ପ୍ରକାରେ ଚଳିବାରୁ ନିରାପଦରେ ସମ୍ପତ୍ତି ଭୋଗ କଲା । ବାପର ସ୍ମୃତିଚିହ୍ନ ଯୁଗେ ଯୁଗେ ଥାଉ ବୋଲି ସେ ଛତ୍ରଘରଟିଏ ତୋଳାଇ ସେଠାରେ ବାପର ପ୍ରତିମୂର୍ତ୍ତି ବସାଇ ନିଜେ ପିତୃଭକ୍ତି କରିଥିବାରୁ ନିଜର ପ୍ରତିମୂର୍ତ୍ତି ମଧ୍ୟ ତାହାର ଗୋଡ଼ ତଳେ ବସାଇ ଦେଇଅଛି ଯେ, ତା ଅଦ୍ୟାବଧି ରହିଅଛି । ଆରେ ଅବୋଲକରା, ଶୁଣିଲୁ ତ କଥାର ମୂଳ । ଭାର ଧରି ଉଠ ଯିବା ଚଞ୍ଚଳ ।

Image

 

ପକ୍ଷୀତୀର୍ଥ କଥା

 

ସାମନ୍ତ ଅବୋଲକରାକୁ ସଙ୍ଗରେ ଧରି ସେଠାରୁ ଯାଉଁ ଯାଉଁ ଗୋଟିଏ ଦେଶରେ ପହଞ୍ଚିଲେ । ସେ ଦେଶର ଲୋକଗୁଡାକ ତେଲୁଗୁ ବିନା ଅନ୍ୟ କିଛି ଭାଷା ଜାଣନ୍ତି ନାହିଁ । ଭାଷା ନ ବୁଝିବାରୁ ବଡ଼ ଅଡ଼ୁଆ ପଡ଼ିଲା । ହେଲେ ମଧ୍ୟ କଣ କରିବେ ? ପକ୍ଷୀତୀର୍ଥ ନାମକ ଗୋଟିଏ ମନୋହର ଜାଗା ଥିଲା, ସେହିଠାରେ ବସି ପଡ଼ିଲେ । ସେ ଦିନ ଆଉ ରୋଷେଇ ନ କରି ପାରି ବୁଜୁଳାରୁ ଚୂଡ଼ା, ଛତୁଆ, ଚିନି ବାହାର କରି ଜଳଖିଆ କଲେ । ହାଲିଆ ଲାଗିବାରୁ ସାମନ୍ତ ମୃଗଛାଲ ଉପରେ ଟିକିଏ ବିଶ୍ରାମ କରୁଅଛନ୍ତି, ଦିନ ଦୁଇପ୍ରହରରୁ ଅଧିକ ହୋଇଗଲାଣି । ଅବୋଲକରା ବସି ତାଙ୍କର ଗୋଡ଼ ମୋଡ଼ୁଅଛି; ଏହି ସମୟରେ ସେ ଦେଖିଲା ଯେ, ସେହି ନିକଟରେ ଗୋଟିଏ ବଡ଼ ଅକର୍ମଶିଳା ପଥର ଅଛି । ସେ ପଥରଟା ତିନିଶହ ହାତ ଉଚ୍ଚ । ତାହାର ଉଚ୍ଚ ଯେତିକି ଓସାର ସେତିକି ହେବ । ସେଠାରେ ସେବକ ଜଣେ କମା ବ୍ରାହ୍ମଣ । ସେ ଦହିଭାତ ହାଣ୍ଡିଏ ନେଇ ସେ ପଥର ଉପରକୁ ଉଠିଯାଇ ସେ ଭାତହାଣ୍ଡିକ ଦୁଇଭାଗ କରି ସେ ଉପରେ ବାଢ଼ିଦେଲା । ତହିଁପରେ ଟିକିଏ ଗଲାଉତ୍ତାରୁ ଆକାଶ ମାର୍ଗରେ ଯୋଡ଼ିଏ ଶ୍ୟେନ ପକ୍ଷୀ ଉଡ଼ିଆସି ସେହି ପଥର ଉପରେ ବସିଲେ । ସେବକ ବ୍ରାହ୍ମଣ ଯେଉଁ ଦହିଭାତ ଦୁଇ ଠାରେ ବାଢ଼ି ଦେଇଥିଲା, ତାକୁ ସେ ଦୁଇ ପକ୍ଷୀ ଖାଇଦେଇ ପୁଣି ଉଡ଼ିଗଲେ । ଏହା ଦେଖି ଅବୋଲକରା ସାମନ୍ତଙ୍କୁ ପଚାରିଲା; ଗୋସାଇଁ କହିଲ ଏ କଥା କଅଣ ? ଏ ପକ୍ଷୀଯୋଡାକ କେଉଁଠାରୁ ଆସିଲେ; ଏ କାହିଁକି ଏପରି ଆସି ଖାଉଅଛନ୍ତି । ପ୍ରତିଦିନ କାହିଁକି ତାଙ୍କୁ ଦହିଭାତ ଦିଆ ହେଉଅଛି ? ଏପରି କିଏ ଖଞ୍ଜାଇ ଅଛି ? ଏଥିର ମୂଳକାରଣ ମୋତେ ବୁଝାଇ ଦିଅ । ସାମନ୍ତ କହିଲେ–ଏ ତ ସତ୍ୟ ଯୁଗର କଥା, ମୂଳରୁ କହିଲେ ତିନିଓଳି ଲାଗିବ । ଯାହା ହେଉ ତୁ ଯେବେ ଶୁଣିବୁ ବୋଲୁଅଛୁ ତେବେ ସଂକ୍ଷେପରେ କହିଦେବା । ଏତେ କହି ସାମନ୍ତ ବୋଇଲେ–ପକା କମ୍ବଳ ପୋତ ଛତା । ବସ ଅବୋଲକରା ଶୁଣୁ କଥା ।

 

ପୂର୍ବକାଳରେ ପ୍ରହ୍ଲାଦବଂଶରେ ପ୍ରହେତି ବୋଲି ଗୋଟେ ବଡ଼ ଦୁଷ୍ଟ ଅସୁର ଜନ୍ମ ହେଲା-। ସେ ଅସୁର କଥା କଣ କହିବି–ତାର ଦେହଟା ପର୍ବତ ପରି । ସେ ଏଡ଼ିକି ବଳୁଆ ଯେ ମନ କଲେ ପୃଥିବୀଟାକୁ ଉପାଡ଼ି ଫିଙ୍ଗିଦେବ । ସେ କଠୋର ତପ କରି ବ୍ରହ୍ମାଙ୍କ ଠାରୁ ବର ପାଇ ତିନିପୁର ଜିଣିଲା । ତା ଭୟରେ ଦେବତାମାନେ ସ୍ୱର୍ଗ ଛାଡ଼ି ପର୍ବତ କନ୍ଦରା ଭିତରେ ଲୁଚିଥାନ୍ତି । ବ୍ରାହ୍ମଣମାନେ ହୋମ ଯାଗ କରି ପାରିଲେ ନାହିଁ । ସେ ଦୁଷ୍ଟର ବାହୁବଳରେ ପ୍ରତାପୀ ହୋଇ ଅସୁରଗଣ ତିନିପୁରର ଶିରୀ ଭୋଗ କଲେ । ଏହିପରି କେତେକାଳ ବହିଗଲା ପରେ ତିନିଭୂବନ ଛାରଖାର ହେବାର ଦେଖି ଦେବତାମାନେ ସେ କଥା ଯାଇଁ ବ୍ରହ୍ମାଙ୍କୁ କହିଲେ । ବ୍ରହ୍ମା ବୋଇଲେ, ସେ ଅସୁର ମୋ ଠାରୁ ବର ପାଇ ବଳୁଆ ହୋଇଅଛି । ତୁମ୍ଭେମାନେ ଯୁଦ୍ଧ କଲେ ତାକୁ ମାରି ପାରିବ ନାହିଁ । କେବଳ ତୁମ୍ଭେ ଯାଇ ଗରୁଡଙ୍କୁ କହିବ ବୋଇଲେ ସେ ବିଚରିଲେ ତାକୁ ମାରିଦେଇ ପାରିବେ । ଏହା ଦେଖି ଦେବତାମା‌ନେ ରମ୍ୟକ ଦ୍ୱୀପକୁ ଯାଇ ଗରୁଡ଼ଙ୍କୁ କହିଲେ । ଗରୁଡ଼ ବୋଇଲେ ମୁଁ ସେ ଅସୁରକୁ ମାରି ଦେଲେ ତୁମ୍ଭେମାନେ ମୋତେ କଣ ଦେବ ? ଦେବତାମାନେ ବୋଇଲେ, ତୁମ୍ଭେ ତ ବିଷ୍ଣୁଙ୍କ ବାହନ, ତୁମ୍ଭଙ୍କୁ କଣ ଅଭାବ ଅଛି ଯେ ଆମ୍ଭେ ଅବା ତୁମ୍ଭଙ୍କୁ କଣ ଦେଇ ସନ୍ତୁଷ୍ଟ କରିବୁଁ । ମାତ୍ର ତୁମ୍ଭର କୀର୍ତ୍ତି ସବୁକାଳକୁ ଯେପରି ରହିବ, ସେହିପରି ମର୍ତ୍ତ୍ୟଭୂବନରେ ଗୋଟିଏ ତୀର୍ଥ ତୁମ୍ଭ ନାମରେ କରିଦେବୁଁ । ଏହା ଶୁଣି ଗରୁଡ଼ ବଡ଼ ସନ୍ତୁଷ୍ଟ ହୋଇ କହିଲେ ତୁମ୍ଭେମାନେ ଏତିକି କରିଦେଲେ ମୋର ସବୁ ହେଲା । ଏବେ ଯାଇଁ ପୂର୍ବ ପରି ଗୁପ୍ତ ସ୍ଥାନରେ ଲୁଚିଯାଅ । ମୁଁ ଅଳ୍ପ ଦିନ ମଧ୍ୟରେ ତୁମ୍ଭର ଶତ୍ରୁକୁ ମାରିଦେବି । ଏହା ଶୁଣି ଦେବତାମାନେ ଗରୁଡ଼ଙ୍କୁ ନମସ୍କାର କରି ଯେ ଯାହାର ସ୍ଥାନକୁ ଚାଲିଗଲେ । ସେମାନେ ଗଲା ଉତ୍ତାରୁ ଗରୁଡ଼ ମନେ ମନେ ପାଞ୍ଚିଲେ, ମୁଁ କିପରି ଏ ଅସୁରକୁ ମାରିବି ? ଯେବେ ମାରି ନ ପାରିବି ତା ହେଲେ ମୋର ବଡ଼ପଣ ଆଉ ରହିବ ନାହିଁ । ଏମନ୍ତ ଭାବନା କରି କ୍ଷୀର ସମୁଦ୍ରରେ ବିଷ୍ଣୁ ଅନନ୍ତ ଶଯ୍ୟାରେ ଶୋଇଅଛନ୍ତି, ତାଙ୍କ ପାଖରେ ଯାଇଁ ମିଳିଲେ । ବିଷ୍ଣୁ ସେ କଥା ଜାଣିପାରି ନିଦ୍ରାରୁ ଉଠି ପଚାରିଲେ, କିହୋ ଗରୁଡ଼ ! ଦେଶର ହାଲଚାଲ ସବୁ ଭଲ ତ ? ଗରୁଡ଼ ହାତ ଯୋଡ଼ି ବୋଇଲେ–ଭଲ କଥା କଣ କହିବି । ଦେବତାମାନେ ସ୍ୱର୍ଗ ଛାଡ଼ି ଗିରି କନ୍ଦରାରେ ଲୁଚି ଅଛନ୍ତ । ମନୁଷ୍ୟମାନେ ଘରୁ ବାହାରି ପାରୁନାହାନ୍ତି । ପାତାଳ ଲୋକେ ଗାତରେ ପଶିଅଛନ୍ତି । ଋଷିମାନେ ଯଜ୍ଞ ପାସୋରୀ ଦେଲେ । ଯାହା ବୋଲନ୍ତି, ଅବିବେକ ହେଲେ ଘର ନାୟକ, ପଥର ମଳଇ ପାରୁଡ଼ାପୋକ । ସେହିପରି ଆପଣ ପୃଥିବୀ ପାଳକ ହୋଇ ନିଶ୍ଚିନ୍ତରେ ଶୋଇଅଛନ୍ତି । ସଂସାରର ଭଲ କିଏ କରିବ ଯେ, ସେ କଥା ମୋତେ କାହିଁକି ପଚାରୁ ଅଛନ୍ତି ? ଏହା ଶୁଣି ବିଷ୍ଣୁ ଟିକିଏ ନିର୍ବେଦ ହୋଇ ବୋଇଲେ–ଦିଗପାଳମାନେ, ଭୂପାଳମାନେ, ଗୃହପାଳମାନେ ଥାଉ ଥାଉ ଏପରି ବିପରୀତ କଥା କାହିଁକି ଘଟିଲା ? ଗରୁଡ଼ ବୋଇଲେ, ପ୍ରହେତି ଅସୁର ବ୍ରହ୍ମାଙ୍କ ଠାରୁ ବର ପାଇ ତିନିପୁର ଜିଣିଲା । ତାକୁ କେହି ମାରି ପାରୁ ନାହାନ୍ତି । ଏଥକୁ ଆପଣ ଶୀଘ୍ର ଉପାୟ ଚିନ୍ତା କରନ୍ତୁ । ବିଷ୍ଣୁ ବୋଇଲେ, ସେ ଯେବେ ବ୍ରହ୍ମାଙ୍କ ଠାରୁ ବର ପାଇଅଛି ତା ହେଲେ ତାହାର ମୃତ୍ୟୁଭେଦ ନ ପାଇଲେ ଆମ୍ଭେ ମଧ୍ୟ ତାକୁ ମାରି ପାରିବୁ ନାହିଁ । ତେଣୁ ଲକ୍ଷ୍ମୀଙ୍କୁ ଡାକି ପଚାରିଲେ । ଲକ୍ଷ୍ମୀ ବୋଇଲେ–ପାତାଳ ଭୂବନରେ କୁଳିକ ନାଗର ଝିଅ ଅବିବାହୀ ହୋଇ ରହିଅଛି । ସେ କନ୍ୟା ଗର୍ଭରେ ଗରୁଡ଼ ଯେବେ ଯୋଡ଼ିଏ ଶ୍ୟେନପକ୍ଷୀ ଜନ୍ମ କରାଇବେ, ତାହା ହେଲେ ସେ ପକ୍ଷୀ ଯୋଡାକ ଯୁଦ୍ଧ କଲା ବେଳେ ତୁମ୍ଭ ପାଖରେ ଥିବେ । ତୁମ୍ଭେ ବାବଲ ଶରରେ ପ୍ରହେତି ଅସୁରକୁ ମୋହ କରି ପକାଇ ଦେବ । ସେତିକି ବେଳେ ସେ ପକ୍ଷୀ ଦୁହେଁ ଉଡ଼ିଯାଇ ସେ ଅସୁରର ଦୁଇ ଭୂଜକୁ ଥଣ୍ଟରେ ଭିଡ଼ି ଉପାଡ଼ି ନେବେ । ଅସୁରର କାନ୍ଧ ଶିରା ଭିତରେ ଅମୃତ କୁଣ୍ଡଳିନୀ ଅଛି । ସେ ତାହା ବ୍ରହ୍ମାଙ୍କ ଠାରୁ ପାଇ ସେହିଠାରେ ଗୁପ୍ତ କରି ରଖିଅଛି । ଅମୃତ କୁଣ୍ଡଳିନୀ ପ୍ରଭାବରୁ ସେ ମରୁନାହିଁ । ଶ୍ୟେନ ପକ୍ଷୀର ଚଞ୍ଚୁଘାତ ବିନା ଅନ୍ୟ କୌଣସି ଅସ୍ତ୍ରଶସ୍ତ୍ରରେ ତାର ଭୂଜ ଉପୁଡ଼ିବ ନାହିଁ । ତୁମ୍ଭେ ବାବଲ ଶରରେ ତାକୁ ମୋହ କରି ପକାଇ ଦେବ । ଶ୍ୟେନପକ୍ଷୀ ଦୁହେଁ ଦୁଇଭୂଜ ଉପାଡ଼ି ନେବେ । ଅମୃତ କୁଣ୍ଡଳିନୀ ଯୋଡ଼ିକ ଖସି ପଡ଼ିଲେ ଗରୁଡ଼ ସେ ଯୋଡ଼ିକୁ ଝାମ୍ପି ନେବ । ତା ହେଲେ ଅସୁର ମରିବ । ଏ ତିନି କଥାଯାକ ଏକାବେଳକେ ନୋହିଲେ ସେ ନ ମରେ । ଏହା କହି ଲକ୍ଷ୍ମୀ ଠାକୁରାଣୀ ଭିତର ପୂରକୁ ଚାଲିଗଲେ । ତହିଁପରେ ଗରୁଡ଼ଙ୍କୁ ଚାହିଁ ବିଷ୍ଣୁ ବୋଇଲେ ଶୁଣିଲୁ ତ ଲକ୍ଷ୍ମୀ ଯାହା କହିଲେ, ଏବେ କଣ କରିବା ବୋଲ । ଗରୁଡ଼ ବୋଇଲେ ଏ ତ ବଡ଼ ବିଷମ କଥା । ନାଗମାନେ ତ ମୋର ଶତ୍ରୁ ଯେ ସେ ମୋତେ ଦେଖିବା ମାତ୍ରେ କୁଆଡ଼େ ଲୁଚିବେ ଯେ ତାଙ୍କର ଚିହ୍ନବର୍ଣ୍ଣ ଦିଶିବ ନାହିଁ । ମୁଁ ଆଉ କିପରି କୁଳିକ ନାଗର ଝିଅକୁ ପାଇବି ଯେ ତା ଗର୍ଭରେ ଶ୍ୟେନ ପକ୍ଷୀ ଜନ୍ମ କରାଇବି । ବିଷ୍ଣୁ ବୋଇଲେ, ତୁମ୍ଭେ ନିଜ ରୂପକୁ ଲୁଚାଇ ଦେଇ ମାୟାରେ ଗୋଟିଏ ରାଜପୁତ୍ର ବେଶ ଧରି ପାତାଳପୁରକୁ ଯାଅ । ସେଠାରେ ଭୋଗବତୀ ନାମରେ ଗୋଟିଏ ପୁଣ୍ୟ ନଦୀ ବହୁଅଛି । ସେ ନଦୀକି ସ୍ନାନ କରିବାକୁ ନାଗକନ୍ୟାମାନେ ପ୍ରତିଦିନ ଆସନ୍ତି । ତୁମ୍ଭେ ସେହି ଠାରେ ବାସ କରି ରହିଲେ ନିଶ୍ଚେଁ ସେ କନ୍ୟାକୁ ପାଇବ । ଏହା ଶୁଣି ଗରୁଡ଼ ଯେ ଆଜ୍ଞା କହି ଅତି ସୁନ୍ଦର ରାଜପୁତ୍ର ବେଶ ଗୋଟିଏ ଧରି ପାତାଳପୁରକୁ ଗଲେ । ସେଠାକୁ ଯାଇ ବିଷ୍ଣୁ କହିଥିବା ପ୍ରକାରେ ଭୋଗବତୀ ନଦୀର ଘାଟ ନିକଟରେ ବସା କରି ରହିଥାନ୍ତି । ଦଇବରେ ରବିବାର ଓଷା ପୂଜିବାକୁ ଅନେକ ନାଗକନ୍ୟା ସେଠାକୁ ଆସି ନାନା କୌତୁକରେ ଓଷା ପୂଜା କଲେ । କୁଳିକ ନାଗକନ୍ୟା ନାମ ବିଦ୍ୟୁପ୍ରଭା । ସେ ମଧ୍ୟ ତାଙ୍କ ସଙ୍ଗେ ଓଷା ପୂଜିବାକୁ ଆସିଥିଲା । ପୂଜା ଶେଷରେ ବାହୁଡ଼ିଲା ବେଳକୁ ତା ଦୃଷ୍ଟି ସେହି କପଟ ବେଶଧାରୀ ରାଜପୂତ୍ର ଉପରେ ପଡ଼ିଲା । ଗରୁଡ଼ ତ ବିଷ୍ଣୁଙ୍କ ଆଜ୍ଞାରେ ମନୋହର ରୂପ ଧରିଥିଲା, ତାଙ୍କର ସୌନ୍ଦର୍ଯ୍ୟ ଦେଖି ସେ କନ୍ୟାର ପାଦ ଚଳିଲା ନାହିଁ । ତେଣୁ ସଖୀମାନଙ୍କୁ କହିଲା, ମୋର ବେକରୁ ମଣିରତ୍ନ ହାରଟି କୁଆଡ଼େ ପଡ଼ିଗଲା, ମୁଁ ଯାଉଛି ଖୋଜିବି । ତୁମ୍ଭେମାନେ ଟିକିଏ ଥାଅ, ନୋହିଲେ ଚାଲିଯାଅ । ମୁଁ ହାରଟି ପାଇଲେ ଯିବି । ଏହା ଶୁଣି ସେମାନେ ବୋଇଲେ, ତୋର ତୁ ହାର ଖୋଜୁଥା, ଆମେ ଯାଉଛୁ; ଏତେ ବୋଲି ସେମାନେ ଚାଲିଗଲେ । ବିଦ୍ୟୁପ୍ରଭା ହାର ଖୋଜିବ କଣ ? ହାର ବଦଳରେ ନାଗର ଖୋଜିବାକୁ ଯାଇ ସେହି ରାଜପୁତ୍ର ନିକଟରେ ମିଳିଲା । ଦୁହେଁ ଦୁହିଁଙ୍କ ରୂପରେ ମୋହିତ ହୋଇ ଗାନ୍ଧର୍ବ ମତରେ ବିଭା ହୋଇ ପଡ଼ିଲେ । କ୍ଷୀରରେ ନୀର ମିଶିଲା ପରି ଦୁହିଁଙ୍କର ମନ ମିଳି ଯିବାରୁ ଦୁହେଁ ନାନାଦି କୌତୁକରେ ବିହାର କଲେ । ଗରୁଡ଼ ତ ବ୍ରହ୍ମଯତି ଅଟନ୍ତି । ତାଙ୍କ ସହିତ ବିହାର କରିବାରୁ ସେ କନ୍ୟା ଗର୍ଭବତୀ ହୋଇ ସେହିକ୍ଷଣି ଯୋଡ଼ିଏ ଶ୍ୟେନ ପକ୍ଷୀ ଜନ୍ମ କଲା । ତାହା ଦେଖି ବିଦ୍ୟୁପ୍ରଭା ଚକିତ ହୋଇ ସେ ରାଜପୁତ୍ରଙ୍କୁ ପଚାରିଲା, ତୁମ୍ଭେ କିଏ ? ମୁଁ ତୁମ୍ଭର କୁଳଗୋତ୍ର ନ ଜାଣି ତୁମ୍ଭ ସଙ୍ଗେ ପ୍ରୀତି କଲି ଯେ ଏବେ ବଡ଼ ହଟହଟା ହେବି ପରା । ତୁମ୍ଭେ ଯେବେ ମନୁଷ୍ୟ ଜାତି ହୋଇଥାନ୍ତ ତା ହେଲେ ତୁମ୍ଭ ଔରସରେ ପକ୍ଷୀ ସନ୍ତାନ ଯୋଡ଼ିଏ କାହିଁକି ଜନ୍ମ ହୁଅନ୍ତେ ? ଏହା ଶୁଣି ଗରୁଡ଼ ନିଜ ରୂପ ଧରି ବୋଇଲେ–ପ୍ରିୟେ! ମୁଁ ପକ୍ଷୀରାଜ ଗରୁଡ଼ । ତୁମ୍ଭେ ମୋର ପ୍ରିୟବତୀ ହୋଇ କୃତାର୍ଥ ହୋଇଅଛ । ତୁମ୍ଭର ଏ ପୁତ୍ର ଦୁହେଁ ଦେବକାର୍ଯ୍ୟ କରି ସୃଷ୍ଟି ଥିବା ଯାକ ପୂଜା ପାଇବେ । ଏବେ ତୁମ୍ଭେ ଯାଇ ତୁମ୍ଭର ପିତାଙ୍କୁ ଏହି କଥା ଜଣାଅ । ଆହୁରି ତାଙ୍କୁ କହିବ ଗରୁଡ଼ ତୁମ୍ଭ ଠାରେ ବଡ଼ ପ୍ରସନ୍ନ ହୋଇଅଛନ୍ତି । ଏହା ଶୁଣି ସେ କନ୍ୟା ତକ୍ଷଣେ ଯାଇ କୁଳିକ ନାଗକୁ ଚଳିଥିବା କଥା ଯାକ ସବୁ ଜଣାଇଲା । କୁଳିକ ଏ କଥା ଶୁଣିବା ମାତ୍ରେ ବଡ଼ ଆନନ୍ଦିତ ହୋଇ ଅନେକ ସମ୍ଭାର ଘେନି ଗରୁଡ଼ଙ୍କ ନିକଟରେ ମିଳିଲା । ଗରୁଡ଼ ସିନା ନାଗମାନଙ୍କୁ ଦେଖିଲା ମାତ୍ରେ ଖାଇ ଦେଉଥାନ୍ତି, ଏବେ କୁଳିକ ତାଙ୍କର ଶ୍ୱଶୁର ହେବାରୁ ତାଙ୍କୁ ନମସ୍କାର କରି କହିଲେ–ତୁମ୍ଭେ ଆଉ ମୋତେ ଭୟ କର ନାହିଁ । ମୁଁ ଏହି ସନ୍ତାନ ଯୋଡ଼ିକୁ ନେଇ ଯାଉଅଛି ଦେବକାର୍ଯ୍ୟ କରିବି । ତୁମ୍ଭ ଝିଅ ତୁମ୍ଭ ଘରେ ଥାଉ । ଏହା କରି ଶ୍ୟେନପକ୍ଷୀ ଯୋଡ଼ିକୁ ଆଣି ବିଷ୍ଣୁଙ୍କ ନିକଟରେ ମିଳିଲେ । ଗରୁଡ଼ ସଙ୍ଗରେ ଶ୍ୟେନପକ୍ଷୀ ଯୋଡ଼ିକୁ ଦେଖି ବିଷ୍ଣୁ ଅତି ଆନନ୍ଦିତ ହୋଇ ପଚାରିଲେ–କି ହୋ ଗରୁଡ଼, “କାର୍ଯ୍ୟସିଦ୍ଧି ହେଲା କି ?” ଗରୁଡ଼ ବୋଇଲେ, ଆପଣଙ୍କ ଆଜ୍ଞାରେ କଣ ହୋଇ ନ ପାରେ ଯେ ଏ ଗୋଟେ ବଡ଼ କଥା କି ? ଏବେ ମୋ କନ୍ଧରେ ବିଜେ କର, ଅସୁରଙ୍କୁ ବଧ କରି ପୃଥ୍ୱୀଭାର ଉଶ୍ୱାସ କରିବା । ଏହା ଶୁଣି ପ୍ରଭୂ ଗରୁଡ଼ କନ୍ଧରେ ବିଜେ କଲେ । ଶ୍ୟେନପକ୍ଷୀ ଦୁହେଁ ତାଙ୍କ ସଙ୍ଗେ ସଙ୍ଗେ ଥାନ୍ତି । ବିଷ୍ଣୁ ପ୍ରହେତି ଅସୁରର ରାଜଧାନୀ ନିକଟକୁ ଯାଇ ଧ୍ୱନୀ କଲେ । ତାହା ଶୁଣି ପ୍ରହେତି କ୍ରୋଧରେ ପ୍ରଜ୍ୱଳିତ ହୋଇ ଅସୁରଗଣଙ୍କୁ ଧରି ଯୁଦ୍ଧ କରିବାକୁ ବାହାରିଲା । ବିଷ୍ଣୁ ତାଙ୍କର ଚକ୍ରକୁ ପେଷି ଦେଲେ ଯେ ଅସୁର ସୈନ୍ୟରେ ଯେତେ ବଡ଼ ବଡ଼ ଯୋଦ୍ଧା ଥିଲେ ତାଙ୍କର ମୁଣ୍ଡ ଯାକ ସେ ଚକ୍ର କାଟି ପକାଇଲା । ବାକି ଥୋକେ ଅସୁର ଚକ୍ରର ତେଜ ନ ସହି ପ୍ରାଣ ବିକଳରେ ପଳାଇ ଗଲେ । ତାହା ଦେଖି ପ୍ରହେତି ଚନ୍ଦ୍ରଙ୍କୁ ରାହୁ ଘୋଟିଲା ପରି ବିଷ୍ଣୁଙ୍କୁ ଘୋଟି ଆସିଲା । ଅସୁର ରାଜାର ପ୍ରତାପ ଦେଖି ବିଷ୍ଣୁ ବାବଲ ଶର ପ୍ରହାର କରି ତାକୁ ମୋହ କରି ପକାଇ ଦେଲେ । ସେତିକିବେଳେ ଶ୍ୟେନପକ୍ଷୀ ଦୁହେଁ ଉଡିଯାଇ ତାର ଭୂଜ ଯୋଡାକୁ ଥଣ୍ଟରେ ଉପାଡି ନେଇ ଉଡ଼ି ପଳାଇଲେ । ଭୂଜ ଦୁଇଟା ଉପୁଡ଼ି ଯିବାରୁ ତାର କାଖ ସନ୍ଧିରୁ ଅମୃତକୁଣ୍ଡଳିନୀ ଯୋଡ଼ିକ ଖସି ପଡ଼ିଲା । ଗରୁଡ଼ ତ ପୂର୍ବରୁ ଜାଣିଥିଲେ, ସେ ତକ୍ଷଣେ ଝାମ୍ପ ଦେଇ ସେ ଗୁଡ଼ିକ ନେଇ ଗିଳିଦେଲେ-। ପ୍ରହେତି ଅସୁର ପ୍ରାଣ ଛାଡ଼ି ପର୍ବତ ପରି ପଡ଼ିରହିଲା । ପ୍ରହେତି ମରିବାରୁ ଦେବଗଣ ଭୟ ଛାଡ଼ି ପର୍ବତ କନ୍ଦରାରୁ ଆସି ସେଠାରେ ରୁଣ୍ଡ ହେଲେ । ସମସ୍ତେ ମିଳି ବିଷ୍ଣୁଙ୍କୁ ପୂଜା କଲେ । ଗରୁଡ଼ କହିଲେ ଏହି ଶ୍ୟେନପକ୍ଷୀ ଯୋଡ଼ିକ ମୋର ପୁତ୍ର ଅଟନ୍ତି । ଏ ଦୁହିଙ୍କ ଯୋଗରେ ଦେବକାର୍ଯ୍ୟ ସିଦ୍ଧ ହେଲା । ଏହାଙ୍କ ନାମରେ ଗୋଟିଏ ତୀର୍ଥ କର । ଏ ଦୁହେଁ ଯୁଗେ ଯୁଗେ ଥାଇ ସେହି ତୀର୍ଥରେ ପୂଜା ପାଉଥାନ୍ତୁ । ଏହାଙ୍କ ତୀର୍ଥକୁ ଯେଉଁ ଲୋକ ଦର୍ଶନ କରିବ ସେ ବୈକୁଣ୍ଠ ଯିବ ବୋଲି ପ୍ରଭୁ ଆଜ୍ଞା ଦିଅନ୍ତୁ । ଗରୁଡ଼ ଏପରି କରିବା ମାତ୍ରେ ଦେବଗଣ ଏଠାକୁ ଆସି ଏହି ତୀର୍ଥ ନିର୍ମାଣ କଲେ । ଏହି ଅକର୍ମଶିଳା ମଧ୍ୟ ସ୍ଥାପନ କଲେ । ପକ୍ଷୀ ଯୋଡ଼ିକ ପାଇଁ ଭୋଗ ଖଞ୍ଜିଦେଲେ-। ବିଷ୍ଣୁଙ୍କ ଆଜ୍ଞାରେ ସେହି ଶ୍ୟେନପକ୍ଷୀ ଦୁହେଁ ଚିରଜୀବୀ ହୋଇ ଅଦ୍ୟାବଧି ଭୋଗ ଖାଉଅଛନ୍ତି । ଏ ତୀର୍ଥରେ ଯେଉଁ ଲୋକ ଅହୋରାତ୍ର ବାସ କରିବ ସେ ବିଷ୍ଣୁଙ୍କ ଆଜ୍ଞାରେ ବୈକୁଣ୍ଠକୁ ଯିବ । ଆରେ ଅବୋଲକରା ତୁ ଯାହା ପଚାରିଲୁ ସେ କଥାର ଅର୍ଥ ଶୁଣିଲୁ । ଏଠାରେ ପକ୍ଷୀତୀର୍ଥ କଥା ଶେଷ ହେଲା । ଏ କଥା ଏତିକି, ଫୁଲ ଫୁଟେ କେତକୀ ।

Image

 

ସେତୁବନ୍ଧ କଥା

 

ପକ୍ଷୀତୀର୍ଥ ତିନି ଦିନ ବାସ କରି ସାମନ୍ତ ଅବୋଲକରାକୁ ଧରି ସେଠାରୁ ଚଳିଗଲେ । ଯିବା ବାଟରେ ଅନେକ ତୀର୍ଥ, ଦେବାୟତନ, ପୁର ଗ୍ରାମ ନଦୀ ଓ ପର୍ବତ ଦେଖି ଦେଖି ଯାଇ ସେତୁବନ୍ଧରେ ପହଞ୍ଚିଲେ । ସେଠାରେ ବସାପାଡ଼ି ଧନୁଷ୍ୱୋଟୀ ତୀର୍ଥରେ ସ୍ନାନ ତର୍ପଣ କରି ରାମେଶ୍ୱରଙ୍କୁ ତୀର୍ଥ ଜଳ ଚଢ଼ାଇଲେ; ତହିଁପରେ ରୋଷେଇ ବାସ କରି ଖିଆପିଆ କଲେ । ସାମନ୍ତ ସୁସ୍ଥ ହୋଇ ବସିଅଛନ୍ତି, ସେତିକି ବେଳେ ଅବୋଲକରା ବିନୟରେ ହାତ ଯୋଡ଼ି ତାଙ୍କୁ ପଚାରିଲା ଗୋସାଇଁ, ମୁଁ ତୁମ୍ଭ ସଙ୍ଗରେ ଆସି ଅନେକ ତୀର୍ଥରେ ସ୍ନାନ କଲି । ନାନା ଆଶ୍ଚର୍ଯ୍ୟ କଥା ଦେଖିଲି । ଅନେକ ପୁରାତନ କଥା ଶୁଣିଲି । ବାଟ ଯାକ ନାନା କଥା ପଚାରି ପଚାରି ତୁମ୍ଭଙ୍କୁ ବହୁତ ହଇରାଣ କରିଅଛି । ଆପଣ ଦୟା ପୂର୍ବକ ମୋର ସେ ସବୁ ଦୋଷ କ୍ଷମା କରି ଏହି ସେତୁବନ୍ଧର ମହିମା କିଛି ମୋତେ କୁହନ୍ତୁ । ତୀର୍ଥ ଦର୍ଶନ ଶେଷ ହେଲା । ଏଠାରୁ ଘରକୁ ବାହୁଡ଼ି ଯିବା । ଘରକୁ ଗଲେ ସତେ କଣ ଆପଣଙ୍କ ମୁଖରୁ ମୁଁ ଆଉ କିଛି ଶୁଣି ପାରିବି କି ?

 

ଏହା ଶୁଣି ସାମନ୍ତ ସନ୍ତୁଷ୍ଟ ହୋଇ ବୋଇଲେ–ପକା କମ୍ବଳ ପୋତ ଛତା, ବସ ଅବୋଲକରା ଶୁଣୁ କଥା । ଅଯୋଧ୍ୟାର ରାଜପୁତ୍ର ରାମଚନ୍ଦ୍ର ତାଙ୍କ ପିତା ଦଶରଥଙ୍କ ଆଜ୍ଞାରେ ଭାଇ ଏବଂ ଭାରିଯାଙ୍କୁ ସଙ୍ଗେ ଘେନି ବନବାସ କରିଥିଲେ । ତାଙ୍କ ଭାରିଯାଙ୍କ ନାମ ସୀତା । ସେ ବଡ଼ ସୁନ୍ଦରୀ । ତାଙ୍କୁ ଲଙ୍କାର ରାବଣ ଚୋରାଇ ନେବାରୁ ସେହି ରାବଣକୁ ମାରିବା ପାଇଁ ରାମଚନ୍ଦ୍ର ଭାଲୁ ଓ ମାଙ୍କଡମାନଙ୍କୁ ସଙ୍ଗେ ଘେନି ଲଙ୍କାକୁ ଯିବା ସକାଶେ ଏହି ବାଟେ ଆସିଲେ । ଯେଉଁ ଦିନ ସେତୁବନ୍ଧ ଆରମ୍ଭ ହେଲା ସେଦିନ ପ୍ରଥମେ ରାମଚନ୍ଦ୍ର ଏହି ଶିବଲିଙ୍ଗ ବସାଇ ଏହାଙ୍କୁ ନାନାଦି ଉପଚାର ଦେଇ ପୂଜା କଲେ । ପୂଜାରେ ସନ୍ତୁଷ୍ଟ ହୋଇ ସ୍ୱୟଂ ମହାଦେବ ଆସି ରାମଚନ୍ଦ୍ରଙ୍କୁ କହିଲେ–ତୁମ୍ଭେ ମର୍କଟମାନଙ୍କ ହସ୍ତରେ ସେତୁବନ୍ଧ ବନ୍ଧାଇ, ଅନାୟାସରେ ଅସୁରବଳ ସହିତ ରାବଣକୁ ବିନାଶ କରି ତୁମ୍ଭର ପ୍ରିୟବତୀ ସୀତାଙ୍କୁ ପାଇବ । ରାମେଶ୍ୱର ବୋଲି ତୁମ୍ଭ ନାମରେ ଏହି ଶମ୍ଭୁ ବିଖ୍ୟାତ ହେବ । ଯେଉଁ ଲୋକ ସମୁଦ୍ରରେ ସ୍ନାନ କରି ରାମେଶ୍ୱରଙ୍କୁ ଦର୍ଶନ କରିବ, ତାର ଜନ୍ମଜନ୍ମାନ୍ତର ପାପ ବିଧ୍ୱଂସ ହେବ । ଯେଉଁ ଲୋକ ପ୍ରୟାଗରୁ ତୀର୍ଥଜଳ ଆଣି ତହିଁରେ ରାମେଶ୍ୱରଙ୍କୁ ଅଭିଷିକ୍ତ କରିବ, ସେ ସକଳ ପାପରୁ ଉଦ୍ଧାର ହୋଇ ବ୍ରହ୍ମଲୋକକୁ ଯିବ । ଏଥିରେ ସନ୍ଦେହ ନାହିଁ । ଏହା କହି ମହାଦେବ ସେହି ଲିଙ୍ଗରେ ଅନ୍ତର୍ଦ୍ଧାନ ହେଲେ । ତହିଁପରେ ରାମଚନ୍ଦ୍ର ସମୁଦ୍ରରେ ସେତୁବନ୍ଧ ବନ୍ଧାଇ ରାବଣକୁ ସବଂଶରେ ବଧ କରି ସୀତାଙ୍କୁ ନେଇ ନିଜ ରାଜ୍ୟକୁ ଗଲେ-। ସେଦିନୁ ସେତୁବନ୍ଧ ରାମେଶ୍ୱର ନାମରେ ତ୍ରିଭୂବନରେ ବିଖ୍ୟାତ ହେଲା । ଅନେକ ଲୋକ ଏହି ପୁଣ୍ୟ ତୀର୍ଥରେ ସ୍ନାନ ଓ ରାମେଶ୍ୱରଙ୍କୁ ଦର୍ଶନ କରି ଦିବ୍ୟଗତି ଲାଭ କରୁଅଛନ୍ତି । ଆମ୍ଭଦୁହିଙ୍କର ପୂର୍ବଭାଗ୍ୟ ଥିବାରୁ ଏଠାକୁ ଆସି ରାମେଶ୍ୱରଙ୍କୁ ଦର୍ଶନ କଲେ । ଏହି ତୀର୍ଥ ମହିମା ବିଷୟରେ ମୁଁ ଗୋଟିଏ ପୁରାତନ ଇତିହାସ ଶୁଣିଅଛି, ତାହା ତୋ ଆଗରେ କହୁଅଛି ଶୁଣ । ପୂର୍ବକାଳରେ ଏହି ପୃଥିବୀରେ ଶତଧନୁ ନାମକ ଜଣେ ବିଖ୍ୟାତ ରାଜା ଥିଲେ । ତାଙ୍କ ରାଣୀର ନାମ ଶୈବ୍ୟା । ସେ ପତିବ୍ରତା; ମହା ଭାଗ୍ୟବତୀ ଏବଂ ଧର୍ମପରାୟଣା ଥିଲେ । ତାଙ୍କ ଠାରେ ସର୍ବ-ସୁଲକ୍ଷଣ ପୁରି ରହିଥିଲା । ଗୁଣ ଯେଉଁପରି ରୂପ ତାଠାରୁ ଅଧିକ । ସେ ରାଣୀ ସର୍ବଦା ପତିପରାୟଣା ହୋଇ ଧର୍ମ ମାର୍ଗରେ ମନ ଦେଇଥାନ୍ତି । ଶତଧନୁ ରାଜା ସେହି ରାଣୀଙ୍କୁ ସଙ୍ଗେ ନେଇ ପ୍ରତିଦିନ ବିଷ୍ଣୁଙ୍କୁ ପୂଜା କରନ୍ତି । ଆହୁରି ବିଷ୍ଣଙ୍କୁ ଚରଣାବିନ୍ଦରେ ଭକ୍ତି କରି ଜପ, ଦାନ, ଉପବାସ, ହୋମ, ଅତିଥିପୂଜା କରୁଥାନ୍ତି । ଏହା ଛଡା ଅନ୍ୟ ବିଷୟରେ ତାଙ୍କର ମନ ନଥାଏ । ଏହିପରି କେତେକାଳ ଗଲା ପରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ସେ ଦୁହେଁ ଗଙ୍ଗାନଦୀରେ ସ୍ନାନ କରି ବାହୁଡ଼ି ଆସିଲା ବେଳକୁ ଜଣେ ନାସ୍ତିକବାଦୀ ପାଷାଣ୍ଡ ଆସୁଥିଲା, ତାକୁ ଦେଖିଲେ । ଶତଧନୁ ରାଜା ଯାହା ଠାରୁ ଧନୁର୍ବିଦ୍ୟା ଶିକ୍ଷା କରିଥିଲେ ତାହାର ସେ ପାଷାଣ୍ଡଟି ମିତ୍ର ଅଟେ । ତେଣୁ ବିଦ୍ୟାଗୁରୁଙ୍କର ମିତ୍ର ବୋଲି ଗୌରବ ରଖି ଶତଧନୁ ସେହି ପାଷାଣ୍ଡ ସହିତ ଦୁଃଖସୁଖ କଥାବାର୍ତ୍ତା ହେଲେ । ବ୍ରତୀମାନେ ପାଷାଣ୍ଡର ମୁଖ ଚାହିଁ ତା ସହିତ କଥାବାର୍ତ୍ତା ହେଲେ ତାଙ୍କର ଧର୍ମ ନଷ୍ଟ ହୋଇଯାଏ ବୋଲି ଜାଣିଥିବାରୁ ରାଣୀ ତାକୁ ନ ଚାହିଁ ସୂର୍ଯ୍ୟଙ୍କୁ ଚାହିଁ ମୌନ ହୋଇ ରହିଲେ । ରାଜା ସେ ପାଷାଣ୍ଡ ସହିତ କଥାବାର୍ତ୍ତା ଶେଷ କରି ଫେରିବାରୁ ରାଣୀ ରାଜାଙ୍କ ସଙ୍ଗେ ଘରକୁ ଆସିଲେ ।

 

ତହିଁପରେ ସେ ପତିପତ୍ନୀ ବିଧି ଅନୁସାରେ ବିଷ୍ଣୁ ପୂଜା ହୋମ, ଦାନ, ଅତିଥି ସତ୍କାର ପ୍ରଭୃତି ଯାହା କିଛି ନିତ୍ୟକର୍ମ ତାହା ସବୁ ଶେଷ କରି ଆନନ୍ଦରେ ରହିଲେ । କେତେକ ଦିନ ଗଲା ପରେ ରାଜାଙ୍କର ଆୟୁଷ ଶେଷ ହେବାରୁ ସେ ମରିଗଲେ । ସ୍ୱାମୀ ମୃତ ହେବା ଦେଖି ଶୈବ୍ୟା ରାଣୀ ରାଜାଙ୍କ ଚିତା ଅଗ୍ନିରେ ପଡ଼ି ଦେହ ତ୍ୟାଗ କଲେ । ରାଜା କାର୍ତ୍ତିକ ପୂର୍ଣ୍ଣିମାରେ ଉପବାସ କରି ପାଷାଣ୍ଡ ସହିତ କଥାବାର୍ତ୍ତା ହୋଇଥିବା ପାପରୁ କୁକୁର ହୋଇ ଜନ୍ମିଲେ । ରାଣୀ ତାହା ନ କରିଥିବାରୁ ସେ ସୁକୃତବଳକୁ ପାଇ କାଶୀଦେଶ ରାଜାଙ୍କର ଝିଅ ହୋଇ ଜନ୍ମ ହେଲେ । ସେ ଜନ୍ମରେ ତାଙ୍କୁ ପୂର୍ବ ଜନ୍ମର କଥାଯାକ ଜଣାପଡୁଥିଲା । ସେ ରୂପ, ଗୁଣ ଏବଂ ସୁଲକ୍ଷଣରେ ପୂର୍ଣ୍ଣ ହୋଇ ପିତାମାତାଙ୍କର ଆନନ୍ଦ ବଢ଼ାଇଲେ । କେତେ ଦିନ ଗଲା ପରେ ସେ କନ୍ୟା ଯୁବତୀ ହେବାରୁ ତାଙ୍କ ପିତା କାଶୀରାଜ ତାଙ୍କୁ ବିଭା କରାଇବା ପାଇଁ ବର ଖୋଜାଇଲେ । ତାହା ଶୁଣି ସେ କନ୍ୟା ପିତାଙ୍କୁ କହିଲେ, ତୁମ୍ଭେ ମୋ ସକାଶେ ବରପାତ୍ର ଖୋଜିବାକୁ ବ୍ୟସ୍ତ ହୁଅନାହିଁ । ବର୍ତ୍ତମାନ ବିଭା ହେବାକୁ ମୋର ଇଚ୍ଛା ନାହିଁ । ଯେତେବେଳେ ମୋର ଇଚ୍ଛା ହେବ ମୁଁ ସେତେବେଳେ କହିବି-। ଏହା ଶୁଣି କାଶୀରାଜା ଆଉ ବର ଖୋଜାଇଲେ ନାହିଁ କି ଝିଅକୁ ବିଭା କରାଇବା ବୋଲି ନା ଧଇଲେ ନାହିଁ । ତହିଁପରେ ସେ ରାଜକନ୍ୟା ଦିବ୍ୟ ଚକ୍ଷୁରେ ଚାହିଁଲେ ଯେ, ତାଙ୍କ ପତି (ଶତଧନୁ ରାଜା) ମୃତ ହେଲାପରେ ଗୋଟିଏ କୁକୁର ହୋଇ ବିଦିଶା ନଗରୀରେ ଜନ୍ମ ହୋଇଅଛନ୍ତି-। ତାହା ଜାଣିବା ମାତ୍ରେ ସେ କନ୍ୟା ବିଦିଶାନଗରୀକି ଯାଇ ସେହି କୁକୁରକୁ ଦେଖିଲେ । ଜ୍ଞାନ ବଳରୁ ଏହି କୁକୁର ମୋର ସ୍ୱାମୀ ବୋଲି ଜାଣିପାରି ତାକୁ ଆଦର କରି ଖାଇବାକୁ ଉତ୍ତମ ଭୋଜନ ଦେଲେ । କୁକୁରମାନଙ୍କର ଜାତିଗତ ସ୍ୱଭାବ ଅଛି ଯେ, ସେ ଯାହାର ଖାଇବେ ତାରି ପଛେ ପଛେ ଗୋଡାଇବେ । ଏ କୁକୁର ମିଷ୍ଟାନ୍ନ ଖାଇବାରୁ ରାଜକନ୍ୟାର ପଛେ ପଛେ ଗୋଡ଼ାଇ ସ୍ୱଜାତି ଯୋଗ୍ୟ ଚାଟୁ ପ୍ରକାଶ କରିବାକୁ ଲାଗିଲା । ସ୍ୱାମୀର ସେ ଚେଷ୍ଟା ଦେଖି କାଶୀରାଜ ଦୁହିତା ଅତି ଲଜ୍ଜିତା ହୋଇ ତହିପରେ ତାକୁ ନମସ୍କାର କରି କହିଲେ–ମହାରାଜ ! ତୁମ୍ଭେ ଗୁରୁର ସଖା ବୋଲି ପାଷାଣ୍ଡ ସହିତ ଗଙ୍ଗାତୀରରେ ଯେଉଁ ମିଷ୍ଟାଳାପ କରିଥିଲ ସେହି ପାପରୁ ଏବେ କୁକୁର ଯୋନିରେ ଜନ୍ମ ହୋଇଅଛ, ସେ ଜନ୍ମରେ ମୁଁ ତୁମ୍ଭର ରାଣୀ ହୋଇଥିଲି । ମୋର କିଛି ପାପ ନ ଥିବାରୁ ମୁଁ ଏବେ କାଶୀ ଦେଶ ରାଜାଙ୍କର ଝିଅ ହୋଇ ଜନ୍ମିଅଛି । ତୁମ୍ଭେ ଗତଜନ୍ମ କଥା ସ୍ମରଣ କର । ତୀର୍ଥ ସ୍ନାନାନ୍ତର ପାଷାଣ୍ଡ ସମ୍ଭାଷଣ ପାପରୁ ଏବେ କୁତ୍ସିତ ଯୋନିରେ ଜନ୍ମ ହୋଇଅଛ ।

 

ଏହା ଶୁଣି ସେ କୁକୁର ନିର୍ବେଦ ହୋଇ ଘଡ଼ିଏ କାଳ ପର୍ଯ୍ୟନ୍ତ ରହିଲା । ତହିଁପରେ ସେଠାରୁ ଚାଲିଯାଇ କୋଳାହଳ ନାମକ ଗୋଟିଏ ଉଚ୍ଚ ପର୍ବତ ଉପରେ ଉଠି ପର୍ବତ ଶୃଙ୍ଗ ଉପରୁ ମରୁଭୂମିକୁ ଡେଇଁ ପ୍ରାଣ ହରାଇଦେଲା । କୁକୁର ଦେହ ଛାଡ଼ି ପୁନରପି ଗୋଟିଏ ଶୃଗାଳ ହୋଇ ସେହି ବନରେ ଜନ୍ମ ଗ୍ରହଣ କଲା । ଏଣେ କାଶୀ ରାଜକନ୍ୟା ପିତା ଗୃହକୁ ଫେରି ଯାଇଥିଲେ । ପୁଣି ବର୍ଷକ ଉତ୍ତାରୁ ଦିବ୍ୟ ଦୃଷ୍ଟିରେ ଚାହିଁ ଦେଖିଲେ ଯେ, ତାର ସ୍ୱାମୀ କୁକୁର ଦେହ ଛାଡ଼ି ଶୃଗାଳ ରୂପରେ ଜନ୍ମି ଅଛି । ତେଣୁ ସେ ତାହାକୁ ପୂର୍ବକଥା ଜଣାଇ ଦେବେ ବୋଲି କୋଳାହଳ ପର୍ବତକୁ ଗଲା । ସେଠାରେ ସେହି ଶୃଗାଳକୁ ଦେଖି ବୋଇଲା–ମହାରାଜ ! ତୁମ୍ଭେ ମୋର ପତି, ପୂର୍ବ ଜନ୍ମରେ ରାଜା ହୋଇଥିଲ । ପାଷାଣ୍ଡ ସମ୍ଭାଷଣ ପାପରୁ କୁକୁର ଯୋନିରେ ଜନ୍ମିଲେ, କୁକୁର ଦେହ ଛାଡ଼ି ଏବେ ଶୃଗାଳ ହୋଇଅଛ । ତୁମ୍ଭେ କୁକୁର ହୋଇ ଜନ୍ମିଥିବା ସମୟରେ ମୁଁ ତୁମ୍ଭଙ୍କୁ ଗତ ଜନ୍ମକଥା ସ୍ମରଣ କରାଇ ଦେଇଥିଲି । ତୁମ୍ଭେ କଣ ତାହା ମନରୁ ପାସୋରି ଦେଲ କି ? ଏହା ଶୁଣି ସେ ଶୃଗାଳ କ୍ଷଣକାଳ ମୌନ ହୋଇ ବିଚାରିବାରୁ ପୂର୍ବ କଥାଯାକ ଜାଣିପାରି ଆହାର ପାଣି ଆଉ ଖାଇଲା ନାହିଁ । ରାଜକନ୍ୟା ସେଠାରୁ ପିତାଘରକୁ ଫେରି ଆସିଲା । ଶୃଗାଳଟି ନ ଖାଇ ନ ପିଇ ସେହି ବନ ମଧ୍ୟରେ ଶୃଗାଳ ଦେହ ଛାଡ଼ି ପୁଣି ଗୋଟିଏ ବୃକ ହୋଇ ଜନ୍ମ ଗ୍ରହଣ କଲା । ତହିଁପରେ କାଶୀରାଜା କନ୍ୟା ତାହା ଜାଣିପାରି ସେହି ନିର୍ଜନ ଅରଣ୍ୟକୁ ଯାଇ ବୃକ ରୁପୀ ସ୍ୱାମୀକୁ ଦେଖି କହିଲା–ମହାରାଜ ! ଆପଣ ବୃକ ନୁହଁ । କିନ୍ତୁ ପରମ ଧାର୍ମିକ ଶତଧନୁ ରାଜା ଅଟ । କୁକୁର ଓ ଶୃଗାଳ ଯୋନିରେ ଜନ୍ମିଥିବା ସମୟରେ ମୁଁ ତୁମ୍ଭଙ୍କୁ ପୂର୍ବ ଜନ୍ମ କଥା ସ୍ମରଣ କରାଇ ଦେଇଥିଲି, ତାହା କଣ ମନରୁ ପାସୋରି ଦେଲ କି ? ଏବେ ପୂର୍ବ ଚରିତ ସୁମରଣା କରି ସମୟୋଚିତ କାର୍ଯ୍ୟ କର । ଏହା କହି ସେ କନ୍ୟା ପିତା ଗୃହକୁ ଫେରିଗଲା । ବୃକରୂପୀ ରାଜା ଏକଥା ଶୁଣିବା ମାତ୍ରେ ବୃକ ଦେହ ପରିତ୍ୟାଗ କରି ଗୋଟିଏ କାକ ହୋଇ ଜନ୍ମ ହେଲା । ତହିଁପରେ ସେ ରାଜକୁମାରୀ ତାହା ଜାଣିପାରି ସେହି କାକପକ୍ଷୀ ନିକଟକୁ ଯାଇ କହିଲା–ମହାଭାଗ, ଆପଣ କାକପକ୍ଷୀ ନୁହ, କିନ୍ତୁ ଧାର୍ମିକ ଶିରୋମଣି ଶତଧନୁ ରାଜା ଅଟ । ତୀର୍ଥ ସ୍ନାନାନ୍ତର ପାଷାଣ୍ଡ ସମ୍ଭାଷଣ କରିବା ପାପରୁ କୁକୁର, ଶୃଗାଳ ଓ ବୃକ ଯୋନିରେ ଜନ୍ମିଥିଲ । ମୁଁ ତୁମ୍ଭର ପ୍ରିୟବତୀ ଭାର୍ଯ୍ୟା । ବର୍ତ୍ତମାନ ରାଜକୁମାରୀ ହୋଇ ଜନ୍ମିଥିବାରୁ ପୂର୍ବକଥା ଜାଣିପାରି ତୁମ୍ଭଙ୍କୁ ସେହି କୁକୁରାଦି ତିନି ଜନ୍ମର ଗତକଥା ସ୍ମରଣ କରାଇ ଦେଇଥିଲି ଏବେ ତୁମ୍ଭେ ତାହା ପାସୋରୀ ଦେଲ କି ? ମୁଁ ପୁନରପି କହୁଅଛି ଯେ କାଳ ଚେଷ୍ଟା ଛାଡ଼ି ସମୟୋଚିତ କାର୍ଯ୍ୟ କର । ତୁମ୍ଭେ ରାଜା ହୋଇଥିବା ସମୟରେ ଅଶେଷ ପାରିଦଣ୍ଡ ରାଜା ତୁମ୍ଭଙ୍କୁ ବଳି ଦାନ କରୁଥିଲେ । ସେହି ପାପରୁ ତୁମ୍ଭେ ଏବେ କାକ ଜନ୍ମ ପାଇ ବଳିଭୂକ୍ ବୋଲାଉଅଛ, ଏଥକୁ ବିଚାର କର । ଏହା କହି ସେ ରାଜକୁମାରୀ ପିତୃଗୃହକୁ ଚାଲିଗଲା । ତହିଁ ପରେ ସେ କାକ ଅନାହାରରେ ପ୍ରାଣତ୍ୟାଗ କରି ଗୋଟିଏ ଗୃଧ୍ର ହୋଇ ବିନ୍ଧ୍ୟ ପର୍ବତରେ ଜନ୍ମଗ୍ରହଣ କଲା । ବର୍ଷକ ଉତ୍ତାରୁ ସେ ରାଜକୁମାରୀ ଦିବ୍ୟ ଦୃଷ୍ଟିରେ ଜାଣିପାରିଲା ଯେ ତାର ସ୍ୱାମୀ କାକ ଦେହ ଛାଡ଼ି ବିନ୍ଧ୍ୟ ପର୍ବତରେ ଗୃଧ୍ର ହୋଇଅଛି । ତେଣୁ ସେ ପୂର୍ବ ଜନ୍ମ କଥା ସ୍ମରଣ କରାଇ ଦେବା ପାଇଁ ବିନ୍ଧ୍ୟପର୍ବତକୁ ଯାଇ ସେହି ଗୃଧ୍ରକୁ ଦେଖି କହିଲା–ହେ ଧର୍ମପରାୟଣ ମହାରାଜ । ଆପଣ ପାଷଣ୍ଡ ସମ୍ଭାଷଣ ପାପରୁ ଗୃଧ୍ର ହୋଇ ଜନ୍ମିଅଛି । ତୁମ୍ଭେ ପୂର୍ବଜନ୍ମରେ ଶତଧନୁ ନାମକ ବିଖ୍ୟାତ ରାଜା ଥିଲ । ତହିଁପରେ କୁକୁର, ଶୃଗାଳ, ବୃକ ଏବଂ କାକ ହୋଇ ଜନ୍ମ ହେଲ । ମୁଁ ତୁମ୍ଭଙ୍କୁ ସେ ସବୁ ଜନ୍ମରେ ପୂର୍ବ ଚରିତ ସ୍ମରଣ କରାଇ ଦେଇଥିଲି, ଏବେ ତାହା ମନରୁ ପାସୋରି ଦେଲ କି ? ବର୍ତ୍ତମାନ ଗୃଧ୍ର ଚେଷ୍ଟା ଛାଡ଼ି ସାଧୁମାର୍ଗ ଆଚରଣ କର । ଋଷିମାନେ ଲେଖିଅଛନ୍ତି–ଯାତ୍ୟ-ଧୋଧୋ ବ୍ରଜତ୍ୟୁଚ୍ଚୈନରଃ ସ୍ୱୈରେବ କର୍ମଭଃ କୂପସ୍ୟ ଖନତା ଯଦ୍‌ବତ୍ ପ୍ରାକାର ସେବ୍ୟ କାରକଃ । ମନୁଷ୍ୟ ନିଜ କର୍ମ ଦ୍ୱାରା ଅଧୋଗତି ଏବଂ ଊର୍ଦ୍ଧ୍ୱଗତି ଲାଭ କରେ, ଏ ବିଷୟରେ ଦୃଷ୍ଟାନ୍ତ ଦେଖ ଯେ, କୂଅ ଖୋଳିବା ଲୋକ କ୍ରମେ କ୍ରମେ ତଳକୁ ଯାଉଅଛି, ପାଚେରୀ ଚଢ଼ିବା ଲୋକ କ୍ରମେ କ୍ରମେ ଉପରକୁ ଉଠୁଅଛି । ଏକଥା ବିଚାର କରି ତୁମ୍ଭେ ଆତ୍ମାର ହିତ ସାଧନ କର । ବର୍ତ୍ତମାନ ଗୃଧ୍ର ଯୋନିରେ ଜନ୍ମି ପକ୍ଷ ସାହାଯ୍ୟ ପାଇଅଛ । ତେଣୁ ମୁଁ କହୁଅଛି ପଥରେ ଉଡ଼ିଯାଇ ସେତୁବନ୍ଧରେ ସ୍ନାନ କରି ରାମେଶ୍ୱରଙ୍କୁ ଦର୍ଶନ କର । ତା ହେଲେ ଆଉ ଗୋଟିଏ ଜନ୍ମରେ ନିଶ୍ଚୟ ଉତ୍ତମ ଜନ୍ମ ପାଇବ । ଗୃଧ୍ର ତାହା ଶୁଣିବା ମାତ୍ରେ ପୂର୍ବଜନ୍ମ କଥାଯାକ ସ୍ମରଣ କରି ସେହିକ୍ଷଣି ବିନ୍ଧ୍ୟାଚଳ ଛାଡ଼ି ଆକାଶ ପଥରେ ଉଡ଼ିଯାଇ ସେତୁବନ୍ଧରେ ପ୍ରବେଶ ହେଲା । ସେଠାକୁ ଯାଇ ଧନୁଷ୍ୱୋଟୀ ତୀର୍ଥରେ ସ୍ନାନ କରି ରାମେଶ୍ୱରଙ୍କ ମନ୍ଦିରକୁ ଚାହିଁ ଚାହିଁ ଅନାହାରରେ ଦେହତ୍ୟାଗ କଲା । ସେତୁବନ୍ଧ ଓ ରାମେଶ୍ୱରଙ୍କ ମହିମାରୁ ନିଷ୍ଠାପର ହୋଇ ସେ ଗୃଧ୍ର ମିଥିଳାଧିପତି ଜନକ ରାଜାଙ୍କର ପୁତ୍ର ରୂପେ ଜନ୍ମଗ୍ରହଣ କଲା । ସେହି ରାଜକୁମାରଙ୍କ ଯୌବନାବସ୍ଥା ପ୍ରବେଶ ହେବାର ଜାଣି କାଶୀ ରାଜା ଦୁହିତା ତାଙ୍କର ପିତାଙ୍କୁ କହିଲା–ଏଥର ମୋ ପାଇଁ ସ୍ୱୟମ୍ବର ସଭା ନିମନ୍ତ୍ରଣ କର । ମୁଁ ମୋର ଇଚ୍ଛା ଅନୁସାରେ ଗୋଟିଏ ରାଜପୁତ୍ରଙ୍କୁ ବରଣମାଳା ଦେଇ ବରିବି । ଏହା ଶୁଣି କାଶୀ ରାଜା ଆନନ୍ଦିତ ହୋଇ କନ୍ୟା ପାଇଁ ସ୍ୱୟମ୍ବର ସଭା ନିମନ୍ତ୍ରଣ କଲେ । ସେ ସଭାରେ ଚାରି ଊଣା ଲକ୍ଷେ ରାଜପୁତ୍ର ଆସି ଉପସ୍ଥିତ ହୋଇଥିଲେ । କାଶୀ ରାଜଜେମା ସୁଲୋଚନା ସମସ୍ତଙ୍କ ସାକ୍ଷାତରେ ଜନକ ରାଜାଙ୍କ ପୁତ୍ରଙ୍କୁ ତାଙ୍କର ପତି ବୋଲି ଚିହ୍ନିପାରି ବରଣମାଳା ଦେଇ ବରିଲେ । ନାନା ଉତ୍ସବରେ ଦୁହିଙ୍କର ବିବାହ ବଢ଼ିଲା । ସୁଲୋଚନା ନିଜର ସ୍ୱାମୀଙ୍କୁ ପାଇ ପରମ ସୁଖରେ ସମୟ ଯାପନ କଲେ । ଆରେ ଅବୋଲକରା, ଏ ତୀର୍ଥର ମହିମା ବ୍ରହ୍ମାଙ୍କୁ ଅଗୋଚର । ମାତ୍ର ତୁ ପଚାରିବାରୁ ମହିମା ଯାହା ଜାଣିଥିଲି, ତୋତେ କହିଲି । ଏଠାରୁ ଆମ୍ଭର ଚାରିଧାମ ତୀର୍ଥ ପୂର୍ଣ୍ଣ ହେଲା । ଉଠ ଏଥର ନିଜ ରାଜ୍ୟକୁ ଯିବା ଏହି ଠାରେ ଅବୋଲକରା କାହାଣୀ ସମାପ୍ତ ହେଲା ।

Image